Unknown

 

 

 

 

 

 

 

 

 

 

ନୃସିଂହ ପୁରାଣ

ପୀତାମ୍ବର ଦାସ

 

ସୂଚୀପତ୍ର

 

ବିଷୟ

୧.

ଦୁର୍ଗାସ୍ତୁତି

୨.

ସୁବିଜ୍ଞ ମନ୍ତ୍ରୀର ପ୍ରାଣତ୍ୟାଗ ଓ ମଦନାବତୀ ରାଣୀ ସହିତ ମୁରର ପରାମର୍ଶ

୩.

ସୈନ୍ୟମାନଙ୍କ ସହିତ ମୁରାସୁରର ଯୁଦ୍ଧଯାତ୍ରା

୪.

ମୁରାସୁରର ଯୁଦ୍ଧଯାତ୍ରା

୫.

ଶ୍ରୀ ନୃସିଂହ ସ୍ତବ

୬.

ନୃସିଂହଙ୍କ ଯୁଦ୍ଧସଜ୍ଜା

୭.

ପ୍ରଳୟା, ବିରାଜ, ମୁକୁନ୍ଦା ଓ ମୁଢ଼ାସୁରର ଯୁଦ୍ଧ ଏବଂ ମୃତ୍ୟୁ

୮.

ମୁର ନୃସିଂହ ଯୁଦ୍ଧ

୯.

ମୁରାସୁର ବଧ

୧୦.

ମୁରାସୁରର ଚିତାଗ୍ନିରେ ମଦନାବତୀ ସହିତ ରାଣୀମାନଙ୍କର ଦେହତ୍ୟାଗ

୧୧.

କନକାବତୀପୁରରେ କର୍ଣ୍ଣାଟେଶ୍ୱରଙ୍କ ଅଭିଷେକ

 

ଷଷ୍ଠ ରତ୍ନାକର

ଆସୀନଂ କମଳାସନେ ତମଳୟା ବକ୍ଷଃସ୍ଥଳାସୀନୟା,      

ବିଦ୍ୟୁଦ୍ଦ୍ୟୋତସଟାସମୂହବିଳସତ୍ ସୌମ୍ୟାନନାମ୍ଭୋରୁହଂ ।

ଜାନ୍ୱୋରର୍ପିତଯୋଗପଟ୍ଟମୁଭ ୟୋର୍ବାହୁ ଦୃଢ଼ୟତୌ,

ହସ୍ତାଭ୍ୟାଂ ଧୃତଶଙ୍ଖଚକ୍ରମନିଶଂ ଲକ୍ଷ୍ମୀନୃସିଂହ ଭଜେ ।୧।

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟମୁଦୀରୟେତ୍ ।୨।

ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା ।

ଆଦ୍ୟେ ପ୍ରାନ୍ତେ ଚ ମଧ୍ୟେ ଚ ହରିଃ ସର୍ବତ୍ର ଗୀୟତେ ୩।

 

ତଂ ବେଦଶାସ୍ତ୍ରପରିନିଷ୍ଠିତଶୁଦ୍ଧବୁଦ୍ଧିଂ ଚର୍ମାମ୍ୱରଂ ସୁରମୁନୀନ୍ଦ୍ରନୂତଂକବୀନ୍ଦ୍ରଂ ।

କୃଷ୍ଣତ୍ୱିଷଂ କନକପିଙ୍ଗଜଟାକଳାପଂ ବ୍ୟାସଂ ନମାମିଶିରସା ତିଳକଂ ମୁନୀନାଂ ।୪।

ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେ ନ ଚ ।

ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ ।୫।

 

Unknown

ଶ୍ରୀ ଦୁର୍ଗାସ୍ତୁତି

ବନ୍ଦଇ ଶ୍ରୀଦୁର୍ଗା ମାଗୋ ରତ୍ନଗିରିବାସି

ନିଶାଅର୍ଦ୍ଧରେ ଜନ୍ମିଲୁ ବ୍ରହ୍ମରୁ ପ୍ରକାଶି ।

ତେତିଶ କୋଟି ଦେବତା ଧାତା ସହିତେଣ

ମହା ଆତଙ୍କେ କଲେକ ତୋତେ ସୁମରଣ ।

 

ସବୁରି ଦୁଃଖ ବେଦନା ଘେନି ମହାମାୟୀ

ବ୍ରହ୍ମଅଗ୍ନି ଗର୍ଭୁ ଜନମିଲୁ ଦେହବହି ।

ଶୁଦ୍ଧ ସୁବର୍ଣ୍ଣ ପ୍ରାୟେକ ତୋ ରୂପ ବିରାଜି

ସକଳଦେବେହେଲେ ତୋ ଦେହ ଲୋମରାଜି ।

ସହସ୍ର ଭୂଜରେ ତୋର ସହସ୍ର ଆୟୁଧ

ମିଳିଲୁ ଖେଚରୀ ବିମାନରେ ଗିରିମଧ୍ୟ ।

ମହିଷାସୁର ବିନାଶ ବିଜେ କଲୁ ଆସି

ରତ୍ନିଗିରି ଉପରେଣ ସ୍ୱରୂପ ପ୍ରକାଶି ।

 

ତହିଁ ବିକାଶିଲୁ ମାଗୋ ଯେତେ ଯେତେ ରୂପ

ଦେବଙ୍କୁ ତା ଅଗୋଚର ମାନବେ ଅମାପ ।

ତହୁଁ କିଛି ନାମ ମୁହିଁ ଲେଖିବି ପ୍ରାକୃତେ

ଭୋ ଦେବୀ ମହାମାୟା ଗୋ ଦୟାକରମୋତେ ।

 

ମୁହିଁ ତ ମାନବଜନ କିସ ମୋର ବୁଦ୍ଧି

ତୁ ଯେ ମାହେଶ୍ୱରୀ ମାଗୋ କରିବୁ ତା ସିଦ୍ଧି ।

ବନ୍ଦଇ ଶ୍ରୀଦୁର୍ଗା ମାଗୋ କୃପାକର ମୋତେ

କ ଅକ୍ଷରୁ କ୍ଷ ଯାଏ ତୋ ନାମ ଅଛି ଯେତେ ।

 

ତୋର କୃପା ନ ହେଲେ ନ ପାରେ ମୁହିଁ କହି

ଆଜ୍ଞା ଦିଅ ଜନନୀ ଗୋ କଣ୍ଠେ ମୋରଥାଇ ।

ପ୍ରଥମେ ନାମ କମଳା ପୁଣି କମଳାକ୍ଷୀ

କାଳିକା କାଳରାତ୍ରୀ ଯେ କଙ୍କାଳୀ କାମାକ୍ଷୀ ।

 

ଖାଖଁରମୁଖୀ ଖେଚରୀ ମାଗୋ ଖଗେଶ୍ୱରୀ

ଖପରହସ୍ତା ଗୋ ଖଞ୍ଜାନାକ୍ଷୀ ଖଣ୍ଡାଧାରୀ ।

ଗିରିରାଜ ନିବାସିନୀ ଗଜେନ୍ଦ୍ର-ଗମନୀ

ଗିରିଜା ଗଉରୀ ଗଙ୍ଗାଧରଙ୍କ ଭାବିନୀ ।

 

ଘଟହସ୍ତା ଘଟେଶ୍ୱରୀ ଘୂର୍ଣ୍ଣିତ ଲୋଚନା

ଘୋରଶକ୍ତି ଘୋରମୂର୍ତ୍ତ ଘର୍ଘର ଘୋଷଣା ।

ଅମ୍ୱୁବତୀ ଅମ୍ୱୁମାଳୀ ଅମ୍ୱାଳୀ ଅମ୍ବିକା

ଅରୁଣା ତୁ ଅନ୍ନପୂର୍ଣ୍ଣା ଅମ୍ୱା ଅମ୍ୱାଳିକା ।

 

ଚର୍ଚ୍ଚିକା ଚାମୁଣ୍ଡା ଚଣ୍ଡଘଣ୍ଟା ଚନ୍ଦ୍ରକାନ୍ତି

ଚଣ୍ଡିକା ଚାମରକେଶୀ ଚାରୁ ଚମ୍ପାବତୀ ।

ଛଦ୍ମବେଶୀ ଛିନ୍ନକେଶୀ ଛିନ୍ନମସ୍ତା ଛାୟା

ଛନ୍ଦରୂପା ଛନୟନା ଚନ୍ଦ୍ରମୌଳିଜାୟା ।

ଜାଗୁଳାଇ ଜଗନ୍ମାତା ଜୟପ୍ରଦା ଜୟା

ଜଗତଜନନୀ ଜଗଦ୍ଧାତ୍ରୀ ଯୋଗମାୟା ।

ଝାଡ଼େଶ୍ୱରୀ ଝଟକରୀ ଝାଡ଼ ନିବାସିନୀ

ଝଟଗାତ୍ରୀ ଝଟନେତ୍ରୀ ଝଟକଦଶନୀ ।

 

ନିର୍ଲୋଭିନୀ ନିରାକୁଳା ନିତ୍ୟ ନାରାୟଣୀ

ନିମା ନିମଞ୍ଜାଇ ନିତ୍ୟରୂପା ନୀଳା ପୁଣି ।

ଟହଟହ ହାସିନୀ ତୋ ଟାକ ଟେକଭାଷା

ଟାହି ଟାପରାରେ ଟାଣି ନାଶିଲୁ ମହିଷା ।

 

ଠାଠିକା ଠୁଳବରନୀ ଠୁଳ ପୀନସ୍ତନୀ

ଠୁଳକାୟା ଠୁଳମାୟା ଠୁଳଶୂନ୍ୟ ଘେନି ।

ଡଗର ବାସିନୀ ଡାକିନୀ ଯେ ଡାକେଶ୍ୱରୀ

ଡାକି ଡମ୍ୱରୁ ଧାରିଣୀ ଡାଳିମ୍ୱ ଅଧରୀ ।

 

ଢୋଲ ଢାଙ୍କବାହିନୀ ଢମଳୀ ଢାଳନେତ୍ରୀ

ଢଳ ହଳମୁଖୀ ଢମବତୀ ଢାଳଗାତ୍ରୀ ।

ଅନାଦି ଈଶ୍ୱରୀ ଅପର୍ଣ୍ଣା ଯେ ଆଦିମାତା

ଅଦିଶକ୍ତି ଅକ୍ଷୟା ଯେ ଅଜୟା ଅନନ୍ତା ।

 

ତ୍ରିଅମ୍ୱିକା ତ୍ରିନୟନା ତ୍ରିଲୋକମା ତାରା

ତ୍ରିଲୋଚନୀ ତ୍ରିମୋହିନୀ ତାରିଣୀ ତ୍ରିପୁରା ।

ସ୍ଥାବର ସ୍ଥାନସ୍ଥାପିନୀ ସ୍ଥାବର ତୋ ନାମ

ସ୍ଥାବରବାସିନୀ ସ୍ଥାଣୁପ୍ରିୟା ନମୋନମ ।

 

ଦୁଲାଇ ଦୁର୍ଗେଶ୍ୱରି ଗୋ ଦୁର୍ଗାନାମ ବହୁ

ଦୁର୍ଦ୍ଦଂସିନୀ ଦାହିନୀ ଦୁର୍ଗତି ଦୁଃଖ ଦହୁ ।

ଧାରଣୀ ଧରିତ୍ରୀ ଧନଞ୍ଜୟା ଧନେଶ୍ୱରୀ

ଧର୍ମାଣି ଧର୍ମିଷ୍ଠା ଧର୍ମବତୀ ଧନ୍ୱନ୍ତରୀ ।

 

ନୀଳବର୍ଣ୍ଣା ନିରାମୟା ନିର୍ଦ୍ଦୟା ମୋହିନୀ

ନିବୃତ୍ତ ନିକସା ନୀରବତୀ ନିତ୍ୟସ୍ଥାନୀ ।

ପାର୍ବତୀ ପାଟଳୀ ପଦ୍ମବାତୀ ପୁଣ୍ୟତୋୟା

ପିଙ୍ଗଳା ପଦ୍ମତୋଳା ଗୋ ପଶୁପତିପ୍ରିୟା ।

ଫୁଲନେତ୍ରୀ ଫଣିଞ୍ଜୟା ଫୁଫୁକାର ଧ୍ୱନି

ଫୁଲ୍ଲାନନୀ ଫଳଦାନୀ ଫୁଲ୍ଲେନ୍ଦୀବରନୀ ।

ବୈଷ୍ଣବୀ ବିଷ୍ଣୁ ହୃଦୟା ବିମଳା ବିରୋଜା

ବ୍ରହ୍ମାଣୀ ବାକେଶ୍ୱରୀ ଯେ ବିନତା ବିରଜା ।

 

ଭବାନୀ ଭୈରବୀ ଭୁବନେଶୀ ଭଗବତୀ ।

ଭାଗେଶ୍ୱରୀ ଭଦ୍ରକାଳୀ ଭୂଚରୀ ଭାରତୀ ।।

ମୃଡ଼ାନୀ ମୋହିନୀ ମହାମାୟା ମାତଙ୍ଗିନୀ ।

ମହେଶ୍ୱରୀ ମୃତ୍ୟୁଞ୍ଜୟୀ ମୃଦଙ୍ଗୀ ମାନିନୀ । 

ଯୋଗେଷୀ ଯୋଗିନୀ ଯମେଶ୍ୱରୀ ଯୋଗରୂପା ।

ଯୋଗୀଶ୍ୱରଜାୟା ଯୋଗମୟୀ ଯୁଗରୂପା ।

 

ରୂପାଈ ଯେ ରତନାଈ ରକ୍ତାକ୍ଷୀ ରୁଦ୍ରାଣୀ ।

ରୁଦ୍ରାକ୍ଷୀ ରକତମୁଖୀ ରମା ରାମାୟାଣୀ ।

ଲଳିତା ଲଙ୍କିନୀ ଲୋହିତାକ୍ଷୀ ଲୀଳେଶ୍ୱରୀ 

ଲୋକମାତା ଲୋକକର୍ତ୍ତା ଲଜ୍ଜା ଲମ୍ୱୋଦରୀ ।

 

ବରୁଣାଇ ବୀରଭଦ୍ରା ବାହୁଡି ବାସେଳୀ

ବାରିଜା ବ୍ରାହ୍ମଣୀ ବିକଟାଳୀ ବିକରାଳୀ ।

ସର୍ବାଙ୍ଗୀ ସର୍ବମଙ୍ଗଳା ସର୍ବ ସର୍ବଜୟା

ଶ୍ରୀକଣ୍ଠିନୀ ସର୍ବଜୟା ଶ୍ରୀୟା ଶତଶ୍ରୀୟା ।

 

ଶିବାନୀ ଯେ ଶାକମ୍ଭରୀ ସାରଳା ସାବିତ୍ରୀ

ଶ୍ୟାମଳା ସାରାଙ୍ଗୀ ସତ୍ୟରୂପା ସ୍ୱର୍ଣ୍ଣଗାତ୍ରୀ ।

ସ୍ୱପନା ସୁନ୍ଦରୀ ସତ୍ୟବାଦୀ ସୁକୁନ୍ତଳା

ସିଦ୍ଧେଶ୍ୱରୀ ସୁରେଶ୍ୱରୀ ସରଳା ଶାରଳା ।

 

ହିଙ୍ଗୁଳା ହାକିନୀ ହୈମବତୀ ହରିଣାକ୍ଷୀ

ହରପ୍ରିୟା ହଟେଶ୍ୱରୀ ହଂସିନୀ ହର୍ଯ୍ୟାକ୍ଷୀ ।

କ୍ଷମାବତୀ କ୍ଷେତ୍ରପାଳୀ କ୍ଷତିକା କ୍ଷମାଳୀ

ପୀତାମ୍ୱର ଦାସ ତବ ପାଦେ କରେ ଅଳି ।

 

ବିପ୍ରକୁଳେ ଜନ୍ମ ମାଗୋ ଅଟଇ ମୋହର

ତବପାଦ ସେବିବାକୁ ମୁଁ କେତେ ମାତର ।

 

ଶ୍ରୀଦୁର୍ଗାପୁରାଣ ମୁହିଁ କେବେ ଦେଖିନାହିଁ

ତୋର ମହିମା ପାରିବି ମୁଖେ କେତେ କହି ।

 

ନ ଜାଣେ ଶାସ୍ତ୍ର ମାଗୋ ମୁଁ ନୁହଇ ପଣ୍ଡିତ

ତବ ନାମ ସଂଖ୍ୟା କରିପାରେ କି ଜଗତ ।

କେବଳ ମହିମା ତୋର ସୁପଣ୍ଡିତ ଜନେ

ପୁରାଣେ କହିବାରୁ ତା ଶୁଣିଥିଲି କର୍ଣ୍ଣେ 

 

ତେଣୁ ଲେଖିଲି କେତେକ ମାତ୍ର ତବ ନାମ

ତୁ ଗୋ ଜଗଦ୍ଧାତ୍ରି ପ୍ରତ୍ୟକ୍ଷରେ ପରଂବ୍ରହ୍ମ ।

ଅଯୋନୀସମ୍ଭୁତା ତୁଗୋ ଜନ୍ମ ତୋର ନାହିଁ

ପୃଥ୍ୟୀ ରକ୍ଷା ନିମନ୍ତେ ଗୋ ରହୁ ବିଶ୍ୱଦେହୀ ।

 

ପ୍ରଥମରୁ ଜନ୍ମ ତୋର ପ୍ରଜାପତି ଘରେ

ଦୁର୍ଗା ସ୍ୱରୂପେ ଜନ୍ମିଲୁ ମେରୁର ଶିଖରେ ।

ହିମବନ୍ତୁ ଜନମି ତୋ ନାମ ହୈମବତୀ

ପାର୍ବତୀ ନାମ ଦେଲେକ ଦକ୍ଷପ୍ରଜାପତି ।

 

ନିର୍ଘାତର ଘରେ ମଗୋ ଗଙ୍ଗାରୂପେ ଜନ୍ମ

କାଳରାତ୍ରିରେ ଜନମ କାଳିକା ତୋ ନାମ ।

ମହିଷାସୁର ବିନାଶେ ଚାମଣ୍ଡା ବୋଲାଉ

ଶିବଭାବିନୀ ହୋଇଣ ସବୁକାଳେ ଥାଉ ।

 

କେ ତୋହର ମହିମା କେ ଆଦିଅନ୍ତ କରି

ସଂସାରେ କହିବ କେଉଁ ନରଦେହ ଧରି ।

ଦେବ ଦାନବ ମାନବ ନାଗ ବ୍ରହ୍ମଗଣ

ଯେ ତୋତେ ସେବନ୍ତି ସେହୁ ବୋଲାନ୍ତିବ୍ରାହ୍ମଣ ।

 

ପ୍ରଭାତ ସନ୍ଧ୍ୟାକାଳରେ ବସି ଶୁଦ୍ଧ ଚିତ୍ତେ

ଏହି ସ୍ତୁତି ସର୍ବଦା ଯେ ଗୁଣିବ ହୃଦ୍‌ଗତେ ।

ଯେ ଅବା ଶୁଣିବ ଯେହୁ ମୁଖରେ ପଢ଼ିବ

ଯମ ଦଣ୍ଡୁ ତରି ନିଶ୍ଚେ ସ୍ୱର୍ଗେ ସେହି ଯିବ ।

 

ଜଳ ଅନଳ ପବନ ଖଡ଼୍‌ଗ ସର୍ପ ବାଧୁଁ

ନିରନ୍ତରେ ଘୋଷିବ ସେ ତରିବ ପ୍ରମାଦୁଁ ।

ଜ୍ୱରଭୟ ପ୍ରମାଦ ଯେ ରାଜା ଦଣ୍ଡଦେବା

ଏଥିରୁ ତରନ୍ତି ନରେ ଦୁର୍ଗା କରି ସେବା ।

 

ଯେଉଁ ଦୁର୍ଗା ସୁମରିଣ ପ୍ରଭୁ ରାମଚନ୍ଦ୍ର

ଲଙ୍କା ଜୟ କରି ନାଶିଥିଲେ ଦୈତ୍ୟ ଇନ୍ଦ୍ର ।

ଯେ ଦୁର୍ଗାଙ୍କୁ ସୁମରିଣ ଦେବ ପଶୁପତି ।

 

ସ୍ୱୟଂ କମଳିନୀ ଦେବୀ ଜନକ ଦୂଲଣୀ

ଶ୍ରୀଦୁର୍ଗାଙ୍କୁ ସ୍ମରି ପ୍ରାପ୍ତ ହେଲେ ରଘୁମଣି ।

ଶ୍ରୀଦୁର୍ଗା ସ୍ମରି ଦେବକୀ ଦେବୀ ବନ୍ଦିଘରେ

ଅନାଦି ବିଷ୍ନୁନାଥଙ୍କୁ ବହିଲେ ଉଦରେ ।

 

ଶ୍ରୀ ଦୁର୍ଗାଙ୍କୁ ସୁମରିଣ ଭୀଷ୍ମଙ୍କ ଦୁହିତା

ପତିପଣେ ଭୋଗ କଲେ ବିଷ୍ଣୁ ଜଗଜ୍ଜିତା ।

ଶ୍ରୀଦୁର୍ଗାଙ୍କ ସୁମରିଣ ପାଞ୍ଚାଳ ନନ୍ଦିନୀ

ଲଭିଲେ ସେ ପାଞ୍ଚପତି ସୁଖେ ଯାଜ୍ଞସେନୀ ।

 

ଶ୍ରୀଦୁର୍ଗାଦେବୀଙ୍କୁ ସ୍ମରି ସୁଭଦ୍ରା ଯେ ଦେବୀ

ଅର୍ଜ୍ଜୁନଙ୍କୁ ଲଭିଲେ ସେ ପରମ ବୈଷ୍ଣବୀ ।

ଶ୍ରୀଦୁର୍ଗାଙ୍କୁ ସୁମରିଣ ମନ୍ଦୋଦରୀ ରାଣୀ

ଅମର ହୋଇ ଲଙ୍କାରେ ରହିଲା ତରୁଣୀ ।

 

ଏହିରୂପେ ସଂସାରେ ଶ୍ରୀଦୁର୍ଗା କରି ସେବା

ତରିଥିଲେ ଘୋର ଭୟ ଦୁର୍ଗତିରୁ ଯେବା ।

ମୁହିଁ ଯେ ଅଳପ ବୃଦ୍ଧି ବୟସେ ବାଳକ

ଦୁର୍ଗା ନାମ ଲେଖିବାକୁ କିସ ମୋର ଶକ୍ୟ ।

 

ଶ୍ରୀହରି ମନ୍ଦିର ବ୍ରହ୍ମ ସମ୍ପ୍ରଦାଧିକାରୀ

ବିପ୍ର ଲକ୍ଷ୍ମୀଧର ପିତାମହ ଯେ ମୋହରି ।

ତାଙ୍କ ଜ୍ୟେଷ୍ଠ ନନ୍ଦନ ବାଲୁକେଶ୍ୱର ଦାସ

ନାମ ମୋର ପୀତାମ୍ୱର ମୁହିଁ ତାଙ୍କ ଶିଷ୍ୟ ।

 

ଭୋ ସାଧୁଜନମାନେ ମୋ ଦୋଷ ନ ଧରିବା

ଶ୍ରୀଦୁର୍ଗା ମାଧବଙ୍କୁ ଯେ ନିତ୍ୟ କର ସେବା

ସେ ଦୁର୍ଗା ମାଧବଙ୍କର ପାଦେ ଆଶ ମୋର

ସ୍ତୁତିରେ ଭଣିଲା ବିପ୍ର ଦାସ ପୀତାମ୍ୱର ।

 

ଜୟ ଜୟ ଶ୍ରୀନୃସିଂହ ସୁଧା ପଦ୍ମମୁଖ

ଜୟ ଜୟ ଶ୍ରୀନୃସିଂହ ହର ସର୍ବ ଦୁଃଖ ।

ଜୟ ଜୟ ନୃସିଂହ ପଙ୍କଜ ନୟନ

ଜୟ ଜୟ ନୃସିଂହ ଦୁରିତନାଶନ ।

 

ଜୟ ଜୟ ଶ୍ରୀନୃସିଂହ ସର୍ବ ଗୁଣଗ୍ରାହୀ

ଜୟ ଜୟ ଶ୍ରୀନୃସିଂହ କର ମୋତେ ତ୍ରାହି ।

ଜୟ ଜୟ ଶ୍ରୀନୃସିଂହ ମୁଁ ତୁମ୍ଭର ଦାସ

ବିପ୍ର ପୀତାମ୍ୱରର ଯେ ପୂର୍ଣ୍ଣକର ଆଶ ।

 

ସୁବିଜ୍ଞ ମନ୍ତ୍ରୀର ପ୍ରାଣତ୍ୟାଗ ଓ

ମଦନାବତୀ ରାଣୀ ସହିତ

ମୁରର ପରାମର୍ଶ

ଏଥୁ ଅନନ୍ତରେ କଥା ଶୁଣ ସୁପଣ୍ଡିତେ

ମୁରାସୁର ଫିଙ୍ଗି ବନ ଆଦି ଗୃହାଗତେ ।

ଅଚିନ୍ତା ହୋଇ ବସନ୍ତେ ନଗ୍ରେ ସଭାକରି

ସେ କଥା ବ୍ରହ୍ମାଙ୍କ ଆଗେ ନାରଦ ପଚାରି ।

 

ବ୍ରହ୍ମା କହୁଅଛନ୍ତି ନ ହୁଡ଼ି ଟିକେ ଅର୍ଥ

ଷଷ୍ଠ ରତ୍ନାକର ବାଣୀ ଅଟେ ଏ ଯଥାର୍ଥ ।

ଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାଜା

ଶୁକମୁନି ଶ୍ରୀଚରଣେ କଲେ ଦିବ୍ୟପୂଜା ।

 

କୃତକୃତ୍ୟ ହୋଇଣ ଯେ ପୁଚ୍ଛେ ନୃପମଣି

ବୋଇଲେକ କହ ଆଗ ମୁରଦୈତ୍ୟ ବାଣୀ ।

ତେଡ଼େ କାନନ ଟାଳି ଯେ ବିଷ୍ଣୁ ଫିଙ୍ଗିଦେଲା

ରାଜ୍ୟକୁ ଆସିଣ ରାଜା କେଉଁ କୃତ୍ୟ କଲା ।

 

ସେହି ବିଷୟକୁ ଏବେ କହିବା ମୋ କତି

ଆପଣଙ୍କ ମୁଖୁଁ ଶୁଣି ଲଭିବି ତୃପତି ।

ଏହିରୂପେ ମୁନିଙ୍କି ସେ ପୁଚ୍ଛି ସୋମଗୋତ୍ର

ସୁବର୍ଣ୍ଣ ଲକ୍ଷେ ଦେଇଣ ଯୋଡ଼ିଲେକ ହସ୍ତ ।

 

ଲକ୍ଷେହୀରା ଲକ୍ଷେ ନୀଳା ଲକ୍ଷେ ମୋତିଦେଲେ

ଲକ୍ଷେକ ଧେନୁ ଦେଇଣ ପାଦସେବା କଲେ ।

ବୋଇଲେ ସେବିପାରେ କେ ଚରଣ ତୁମ୍ଭର

ଶୁଣିଣ ହସିଲେ ମନେ ଶୁକ ମୁନିବର ।

 

ପରୀକ୍ଷିତ ରାଜାଙ୍କୁ ସେ ବହୁଶ୍ରଦ୍ଧା କଲେ

ଗ୍ରନ୍ଥ ଶୁଣି ତର ବୋଲି ଆଶୀର୍ବାଦ କଲେ ।

ବୋଇଲେ ଶୁଣ ହେ ରାଜା ଏଥୁଅନ୍ତେ ବାଣୀ

ନାରଦଙ୍କୁ କହିଥିଲେ ପୂର୍ବେ କୁଶପାଣି ।

 

ଯେତେବେଳେ ମୁରାସୁର ବନ ଦେଲେ ଫିଙ୍ଗି

ନଗ୍ରକୁ ଆସିଣ ରାଜା ସ୍ନାନ କଲେ ବେଗି ।

ଦେବାର୍ଚ୍ଚନା ସାରିଣ ସେ ମଣୋହିକି ଗଲା

ଆଚମନ ସାରି ପୁଣି ପଲଙ୍କେ ଶୋଇଲା ।

 

ରଜନୀ ଭୋଗ ଯାଇଁ ହୁଅନ୍ତେ ପାହାନ୍ତି

ନିଦ୍ରା ତେଜିଣ ପଲଙ୍କେ ବସିଲା ନୃପତି ।

ହୃଦପଦ୍ମେ ଭଳି ମନେ କରଇ ବିଚାର

ବୋଲଇ ଆଗହୁଁ କିମ୍ପା ନ କଲି ସମର ।

 

କର୍ମର ଅବଳୁ ମୋର ନ ସ୍ଫୁରିଲା ବୁଦ୍ଧି

ସାନ ଭାଇ କି ମରନ୍ତା ତେଡ଼େ ବଡ଼ ଯୋଧୀ ।

ସେନାମାନେ କାହିଁ ପାଇଁ ଅଳ୍ପେ ଯାନ୍ତେ ନାଶ

ମରନ୍ତେ ପୁଣି ସତରଲକ୍ଷ କିମ୍ପା ଶିଷ୍ୟ ।

 

କାହାକୁ ସଭାରେ ଘେନି ବସିବଇଁ ଏବେ

ତ୍ରିଲୋକ ବୁଡ଼ିଗଲେ କେ ମୋର ସଙ୍ଗେ ଯିବେ ।

ଏହିରୂପେ ପାଞ୍ଚୁ ମୁର ରାତ୍ର ପାହିଗଲା

ଦେବତା ଆଳୟେ ଶଙ୍ଖ ଶବଦ ଶୁଭିଲା ।

ଏଥୁ ଅନନ୍ତରେ ପୁଣି ମୂର ଦଣ୍ଡଧାରୀ

ସଭାକୁ ବିଜୟ କଲା ମଣୋହି ଯେ ସାରି ।

ପାତ୍ର ମନ୍ତ୍ରୀଏ ବସିଲେ ଆସି ରାଜା ତୁଲେ

ଦେଖୁ ଦେଖୁ କ୍ଷଣକରେ ସଭା ପୂରିଗଲେ ।

 

ପାଇକ ରାଉତ ଯୋଦ୍ଧା ପଣ୍ଡା ଖଣ୍ଡାଇତ

ଖୁଣ୍ଟିଆ ସେବକ ବଡ଼ଜେନା ସେବାୟିତ ।

ବିଶୋଇ ଶେଠ ମାଝୀ ଯେ ନାୟକ ପଧାନ

ମୁଦୀକୋଠ କରଣହିଁ ଯେ ଛାମୁକରଣ ।

 

ଷୋଳ ନିଯୋଗ ସାଆନ୍ତ ଷୋଳ ପ୍ରତିହାରୀ

ଲେଙ୍କ ଲମ୍ୱହତା ମୂଳେ ଦାସୀ ପରିବାରି ।

ଅଷ୍ଟାଦଶ ପାଟବ ଛତିଶ କୁଳ ଯେତେ

ବାଳକ ତରୁଣ ବୃଦ୍ଧ ମିଳିଲେ ସମସ୍ତେ ।

 

ଭାଟ ପାଟ ଜଉତିଷ ପରଜା ପାଟକ

ସମସ୍ତେ ବସିଲେ ପୂରି ରାଜ ସଭାଯାକ ।

ଏଥୁଅନନ୍ତରେ ବାଣୀ ଶୁଣିମା ସମ୍ୱାଦ

ଅସୁର ସଭାରେ ଆସି ମିଳିଲେ ନାରଦ ।

 

ମୁରାସୁର ଆଗେ ଯାଇଁ ବସନ୍ତେଣ ଋଷି

ମୁନିଙ୍କି ଦେଖିଣ ମୁର ମନେ ମନେ ହସି ।

ଆସନ ଦେଇଣ ପାଦେ ନମସ୍କାର କଲା

ବିଷ୍ଣୁଙ୍କୁ ମାଇଲି ବୋଲି ଋଷିଙ୍କି କହିଲା ।

 

ବୋଇଲା ହେ ମୁନି ତୁମ୍ଭେ ଥିଲ କେଉଁଆଳ

ମୁଁ ହେଳେ ବିଷ୍ଣୁନାଥର ପୂରାଇଲି କାଳ ।

ବଦ୍ରିକା ଯାନ୍ତେ ଆନନ୍ଦବନେ ରହିଥିଲେ

ସେ ବନ ଉପାଡ଼ି ଫିଙ୍ଗି ଦ୍ୟନ୍ତେ ପଡ଼ିମଲେ ।

 

ସମୁଦ୍ର ମଧ୍ୟକୁ ତହିଁ ବୁଲାଇ ଫିଙ୍ଗିଲି

ଜଳେ ପଡ଼ି ବୁଡ଼ିମଲେ ଦେଖିଣ ଆସିଲି ।

ବିଷ୍ଣଉର ନାମ ବୋଲିବା ଗଲା ହେଳେ ସରି

ତୁମ୍ଭେ ଆଉ କାହିଁପାଇଁ ଉଜିବ ଶ୍ରୀହରି ।

ନିତ୍ୟ ମାଳା ଗଡ଼ାଇଣ ଧନ୍ଦି ହେଉଥିଲ

ଏହିଠାରୁ ଏବେ ଜାଣ ଗଲା ତୁମ୍ଭ ଶଲ ।

ତାହାକୁ ଅନୁସରିଣ ବ୍ୟର୍ଥେ ମର ଭଜି

ଏହିଠାରୁ ହରିନାମ ଗଲା ଜାଣ ହଜି ।

 

ଆଗହୁଁ ଏହା ଯେବେ ମୁଁ କରିଥାନ୍ତି ଯାଇଁ

କାହିଁକି ମରନ୍ତା ମୋର ତେଡ଼େବଡ଼ ଭାଇ ।

ସେନାମାନେ କାହିଁକି ମୋ ହୁଅନ୍ତେ ବିନାଶ

ଏହିକଥା ଗୋଟି ମୋତେ ଲାଗେ ଏକ ରୋଷ ।

 

ଆଉ ହେଲେ କାହାକୁଟି ନାହିଁ ମୋର ଡର

ତୁମ୍ଭେ ଏହା ବୁଲି ଏବେ କହ ସବୁ ପୁର ।

ଏତେକ ଆଜ୍ଞା ମୋହର ଘେନି ତୁମ୍ଭେ ଯାଅ

ଶ୍ରୀହରି ମଲା ବୋଲିଣ ସବୁଠାରେ କହ ।

 

ସବୁ ରାଜ୍ୟରେ ଜାଣନ୍ତୁ ହରି ମଲା ବୋଲି

ଏତେକ କହିବ ତୁମ୍ଭେ ବୁଲି ବୁଲି କାଲି ।

ମୁରାସୁର ବାକ୍ୟ ଶୁଣି ନାରଦ ହସିଲେ

କେହ୍ନଯାଇ ଲୋକେ ମିଥ୍ୟା କହିବା ବୋଇଲେ ।

 

ସତ୍ୟ କହି ତ ଲଗାଉଁ ଆମ୍ଭେ ସବୁ କଳି

କି ବୋଲି କହିବା ମଲେ ବୋଲି ବନମାଳୀ ।

ଜଳରେ ଯେ ନ ବୁଡ଼ଇ ପବନେ ନ ଉଡ଼େ

ଖଡ଼ଗେ ଯେ ନ ଛିଡ଼ଇ ଅଗ୍ନିରେ ନ ପୋଡ଼େ ।

 

ସେ ବିଷ୍ଣୁ ମାରିଲେ ବୋଲି କହିବା କି ମିଛ

ଆଜହିଁ ଦେଖି ଆସିଛୁ ପ୍ରତ୍ୟକ୍ଷ ।

ସେହି କାଥା ରାଜା ତୋତେ କହୁଥାଇଁ ଶୁଣ

କହୁ କହୁ କୋପ ଯେ ନ କର ମୋତେ ପୁଣ ।

 

ବଦରିବା ନଗ୍ରରେ ସେ ପ୍ରଭୁ ଥିଲେ ବସି

ଦେବତାଯାକ ଗୁହାରି କରୁଥିଲେ ଆସି ।

ବିଷ୍ଣୁ ବୋଲୁଥିଲେ ମୁହିଁ ମାରିବଇଁ ମୁର

ତୁହି ବୋଲୁଅଛୁ ମଲେ କୁହ ସବୁ ପୁର ।

ଆବର ଯେତେକ କଥା କହୁଅଛି ଶୁଣ

ତାହାଶୁଣି ରାଜା ମୋତେ ନ ଚଳିବୁ ପୁଣ ।

ଦେବତାଙ୍କ ଆଗେ ବିଷ୍ଣୁ କରୁଥିଲେ ସତ୍ୟ

ବୋଲୁଥିଲେ ମାରିବି ମୁଁ ନିଶ୍ଚେ ମୁରଦୈତ୍ୟ

 

ଏରୂପେ ଉଚ୍ଚରେ ପ୍ରଭୁ କହୁଥିଲେ ବସି

ତୋ ଜାଣିବା ପାଇଁ ଆମ୍ଭେ କହିଦେଲୁଆସି ।

ମଲେଣି ବୋଲିବାରୁ ତୁ କହିଗଲୁ ତୋତେ

ଏହିକଥା ମହାରାଜା ଥିବଟି ତୋ ଚିତ୍ତେ ।

 

ଏତେ କହିଣ ନାରଦ ହେଲେ ଅନ୍ତର୍ଦ୍ଧାନ

ସେ କଥା ଶୁଣିଣ ମୁର ତରାଟେ ନୟନ ।

ବେନିକରେ ଗଦା ଧରି ମାରେ ବାହାସ୍ଫୋଟ

କ୍ରୁଦ୍ଧ ହୋଇଣ ଫୁଲାଏ ବେନି ନାସାଫୁଟ ।

 

ଘନ ଘନ ନିଶ୍ୱାସ ଯେ ଛଆଡ଼େ ଖରତରେ

ଦନ୍ତ ରଟ ମଟ କରି ଚାପେ ତମଭରେ ।

ମହାକ୍ରୋଧ ଦଶନରେ ବିଦାରଇ ବୁକୁ

ଚାଡ଼ିଲାକ ମହାରଡ଼ି ଚାହିଁ ଉପରକୁ ।

 

ଶବଦଘାତରେ ତିନିପୁର ଗଲା କମ୍ପି

ନାରଦ ଋଷିକି ଚାହିଁ କହେ ପୁନରପି ।

ବୋଇଲା ନାରଦେ ଶୁଣ କହୁଛି ପ୍ରତ୍ୟକ୍ଷେ

ଫିଙ୍ଗିଲି ବିଷ୍ଣୁ ସହିତ ବନ ଅନ୍ତରୀକ୍ଷେ ।

 

ସମୁଦ୍ରେ ପଡ଼ିଲେ ବୋଲି ଜାଣିଥିଲି ମୁହିଁ

ଜୀଇଛି ଯେବେ ମାରିବ ନିଶ୍ଚେ ତାକୁ ଯାଇ ।

ବଦରିକା ନଗ୍ରେ ଦେଖି ଆସିଲ କି କହ

ଶୁଣିଣ ସୁବିଜ୍ଞ ମନ୍ତ୍ରୀ ହସି ଟହ ଟହ ।

 

ବୋଲେ ରାଜା ଏଡ଼େ କିମ୍ପା ବିହ୍ୱଳ ତୁ ହେଉ

ଏଠାରେ ନାରଦ ମୁନି କାହିଁ ଛନ୍ତି ଆଉ ।

ସେହିଲାଗେ କହିଣସେ ଗଲେ ତୋତେ ପଦେ

ତାହା ଶୁଣି ଚିତ୍ତ ତୋର ଭ୍ରମେ ଅପ୍ରମାଦେ ।

ଧୈର୍ଯ୍ୟଧରି ନ ପାରିଣ ଉଠିଲୁ ଗରଜି

ନାରଦ ଋଷିଙ୍କ କଥା ନ ପାରିଲୁ ହେଜି ।

ନ ଦେଖିଲା କଥା ସେହୁ ନ କହନ୍ତି କେବେ

ସତ୍ୟ କହିଣ ଲଗାନ୍ତି ତୁଚ୍ଛା କଳି ସର୍ବେ ।

 

ବୁଝିଲେତ ଶ୍ରୀହରି ଯେ ଅଟେ ଅଜ୍ରାମର

ତୁ ମାଇଲୁ ବୋଇଲେ କେ ପ୍ରତେ ଯିବ ବୀର ।

ମୁହିଁ ଆଜରାତ୍ରେ ଯାହା ଦେଖିଲି ସ୍ୱପନ

କହିବି ତାହା ରାଜା ହୋ ସାବଧାନେ ଶୁଣ ।

 

ତୁମ୍ଭେ ପୁଣ ବଦରିକା ଗଲ ଯୁଦ୍ଧ କରି

ନୃସିଂହ ସ୍ୱାମୀର ତୁଲେ ହେଲ ମରାମରି ।

ସେ ପ୍ରଭୁ ପୁଣ ତୁମ୍ଭଙ୍କୁ ଧଇଲେ ନିରାଟେ

ନେଇଣ କଚାଡ଼ି ଦେଲେ ସୁମେରୁର କ୍ରୋଟେ ।

 

ତହିଁରେ ବାଜି ତୋର ନ ହେଲା ରୋମବାଙ୍କ

ଲେଉଟି ଧରି ବୁଲାଇ ତୋତେ ପୃଥ୍ୱୀଯାକ ।

ହିମ ପର୍ବତେ ପିଟିଲେ ନେଇ ପୁଣ ତୋଳି

ତହିଁ ବାଜି ତୋ ଦେହରୁ ଉଠେ ଅଗ୍ନି ଜଳି ।

 

ତେବେହେଁ ରାଜା ତୁହି ହୋ ନୋହିଲୁ ବିନାଶ

ବିନ୍ଧ୍ୟଗିରିରେ ପିଟିଲେ ନେଇ ହୃଷୀକେଶ ।

ତହିଁରେ ବାଜି ଜାଣ ନ ଗଲା ତୋର ପ୍ରାଣ

ସମୁଦ୍ର ଜଳେ ମାଡ଼ିଲେ ପୁଣି ନାରାୟଣ ।

 

ତିନିଦିନ ଯାଏ ତୋତେ ଜଳେ ଦେଲେ ମାଡ଼ି

ତେବେ ତୋ ଅଙ୍ଗୁ ଜାଣ ନ ଗଲା ପ୍ରାଣ ଛାଡ଼ି ।

ଅଗାଧ ଜଳରେ ତୁହି ଛାଡ଼ନ୍ତେ ନିଃଶ୍ୱାସ

ଲହରୀ ହୋଇ ଜଳରେ ବହେ ବାରମାସ ।

 

ଆଦ୍ୟରୁ ସ୍ଥିର ମାର୍ଗରେ ପରକାଶୁ ଥିଲା

ତୋହର ନିଃଶ୍ୱାସ ଘାତୁ ପ୍ରଗଳ୍‌ଭେ ବହିଲା ।

ଦିନକରେ ଏକୋଇଶ ସହସ୍ର ଛଅଶ

ଏରୂପେଣ ଦେଖିବ ହେ ରାଜନ ଦିବସ ।

ଆବର ଏହି ରୂପରେ ସବୁ ଜୀବଯାକେ

ଅହୋରାତ୍ରରେ ନିଃଶ୍ୱାସ ବହୁଛି ତ୍ରିଲୋକେ ।

ସେ ଜଳେ ପଡ଼ି ନୁହନ୍ତେ ତୋର ପ୍ରାଣକିଛି

ଷଡ଼ଦିନ ଅନ୍ତେ ଯାଇ କାଢ଼ିଲେ ଶ୍ରୀବତ୍ସି ।

 

ପଦାରେ ଆଣିଣ ତୋତେ ଧଇଲେକ ଯାକି

ଫିଙ୍ଗିଦେଲେ ଅନ୍ତରୀକ୍ଷେ ଶୂନ୍ୟମାର୍ଗେ ଟେକି ।

ଆକାଶରୁ ଆସିଲୁ ତୁ ବିଶ୍ୱରୂପେ ଘୋଟି

ପୃଥ୍ୱୀରେ ପଡ଼ନ୍ତେ ଏକ ରନ୍ଧ୍ର ଗଲା ଫୁଟି ।

 

ସେ ରନ୍ଧ୍ରର କରାମତି ସକଳ କାଳକୁ

ବୈକୁଣ୍ଠକୁ ବାଟ ଫିଟିଅଛି ପାତାଳକୁ ।

ତ୍ରେତାଯୁଗେ ସେହି ବାଟେ ବୀର ହନୁମାନ

ଲଙ୍କାକୁ ଗଲା ବେଳରେ ପଶିବ ସେ ସ୍ଥାନ ।

 

ପାତାଳ ବୈକୁଣ୍ଠେ ପଶି ଖୋଜିଣ ଆସିବ

ସୀତାଙ୍କୁ ନ ପାଇ ଅଷ୍ଟସେନାଙ୍କୁ କହିବ ।

ସେ ରନ୍ଧ୍ରେ ଯାଇ ଜାମ୍ୱବ ତୁଲେ ନରହରି

ଜମ୍ୱୁବତୀ ବିଭା ହେବେ ମହାଯୁଦ୍ଧ କରି ।

 

ଦ୍ୱାପର ଯୁଗେ ଏ କଥାମାନ ଜାଣ ହେବ

ସକଳ କାଳକୁ ସେହି ରନ୍ଧ୍ର ରହିଥିବ ।

ରହିଲା ଏ କରଣୀ ତୋ ସକଳ କାଳକୁ

ସ୍ନପ୍ନକଥା ଶୁଣି କହୁଅଛି ଆପଣଙ୍କୁ ।

 

ପଡ଼ିବା ମାତ୍ରକେ ଗଲୁ ପାତାଳକୁ ଗଳି

ବୈକୁଣ୍ଠେ ଦେଖିଲୁ ଯାଇ ପୁଣି ବନମାଳି ।

ଦେଖିଲା ମାତ୍ରକେ ତୋର ହେତୁ ହଜିଗଲା

ଦୁଷ୍ଟ ବୁଦ୍ଧଇ ଯାଇଣ ତୋ ଜ୍ଞାନ ପ୍ରକାଶିଲା ।

 

ନିତ୍ୟ ସ୍ଥଳରେ ବିଷ୍ଣୁଙ୍କୁ ଦେଖି ନେତ୍ର ଯୁଗେ

ନିର୍ମୋହ ହୋଇଣ ବସି ଜଣାଇଲୁ ଆଗେ ।

ବୋଇଲୁ ହେ ପ୍ରଭୁ ମୋତେ ଅନ୍ତର କରିଲ

ଜୟ ବିଜୟ ପଦକୁ କାହାକୁ ଯେ ଦେଲ ।

ଏହା ଶୁଣି ନାରାୟଣ ହସି ତୋତେ ଚାହିଁ

ବୋଇଲେ ତୁ ଗଲାଦିନୁ ନାହିଁ ଏଥେ କେହି ।

କର୍ମ ଅବଳରୁ ସିନା ଗଲୁ ଦେହ ଛାଡ଼ି

ସେ ଦେହ ଏବେତୋର ମୋ ପୁରେ ଅଛି ପଡ଼ି ।

 

ମୃତ୍ୟୁ ଲଭିଲେ ଆସିଣ ପଶିବୁ ତହିଁରେ

ଲେଉଟି ତୃତୀୟ ଥର ଜନ୍ମିବୁ ମଞ୍ଚରେ

ତାହା ଶୁଣି ତୁହି ପୁଣ ପୁଚ୍ଛିଲୁ ପ୍ରଭୁଙ୍କୁ

ବୋଇଲୁ କି ରୂପେ ମୋର ରଖ ଏ ଶବକୁ ।

 

ଶ୍ରୀହରି ବୋଇଲେ ତେବେ ଶୁଣି ମୁରାସୁର

ଯେ ରୂପରେ ରଖୁ ଆମ୍ଭେ ଶବଗୋଟି ତୋର ।

କରୁଣା ନାମେ ଅଛି ମୋ ଏକଇ ଖପରା

ତହିଁ ତୋର ଶବ ରଖି ଜଗାଉଁ ପହରା ।

 

ସେ ପ୍ରହରୀ ଦୁହେଁ ଆମ୍ଭ ବୋଲ କରି ଘେନି

ସୋଽହଂସ ବିଞ୍ଚଣା ବିଞ୍ଚେ ଅହନି ଅହନି ।

ସେ ପବନ ବାଜି ତୋର ଶବ ହୋଏ କଞ୍ଚା

ନ ଶୁଖଇ ନ ଗନ୍ଧାଇ ନୁହେଁ ଜାଣ ଲୋଚା ।

 

ସେ ଶବ ମଧ୍ୟରେ ଆମ୍ଭ ମନ ଅଛୁ ଥୋଇ

ତେଣୁ ତୋର ଶବ ଅଛି ସେହି ରୂପେ ରହି ।

ଏହି ଜନ୍ମ ଏବେ ତୋର ଆସି ହେଲା ଶେଷ

ନୃସିଂହ ହାତରେ ମରି ବଇକୁଣ୍ଠେ ଆସ ।

 

ଏ ମୋହର ଭାବନା ତୁ ନ ଜାଣିଲୁ କିଛି

ମଞ୍ଚରେ ଦେହ ଧରି କି ଫଳ କହ ଅଛି ।

ସମତା ଦୃଷ୍ଟିରେ ଏକଗୋଟି ଲୋକ ନାହିଁ

ଦେହ ଧଇଲେ ମରନ୍ତି ସର୍ବେ ହିଂସା ବହି ।

 

ମୋତେ ନ ଚିହ୍ନିଣ ଲୋକେ ମରନ୍ତି ଯେ ଭୁଲି

ଲୋଭରେ ମରନ୍ତି ଧନଜନ ମୋର ବୋଲି ।

ବିଷୟାବନ୍ଧେ ପଡ଼ିଣ ନ ଭଜନ୍ତି ହରି

କାମରେ ଭୁଲିଣଥାନ୍ତି ପତ୍ନୀ ସ୍ନେହ କରି ।

ପ୍ରିୟା ବଚନ ଗୋଟିକ ସୁଧାପ୍ରାୟ ମଣେ

ଯାହା ସେ ବୋଲିବ ତାହା କରେ ଅନୁକ୍ଷଣେ ।

ଜାୟାର ନୀବିବନ୍ଧକୁ ମମେ ସ୍ୱର୍ଗ ତୁଲ୍ୟ

ବିଷ୍ଣୁର ଭଜନ ପ୍ରାୟ ମଣଇ ଅମୂଲ୍ୟ ।

 

ଗୋବିନ୍ଦ ଲୟ ପରାୟେ ପ୍ରିୟା ପାଦତଳେ

ଆଲିଙ୍ଗନ କରେ ଆଣି ଆଶ୍ୱାସିଣ କୋଳେ ।

ସୁରତି ରସରେ ପଡ଼ି ଚାଟୁ ଯେତେ କରେ

ଏହି ହେତୁ ଯେବେ ପରାଣ ରଖନ୍ତା ମୋଠାରେ ।

 

ସେ କାହିଁପାଇଁ ସଂସାର ଯାତନାରେ ପଢ଼ି

ଜନ୍ମୁଥାନ୍ତା ମରୁଥାନ୍ତା ବାହୁଡ଼ି ବାହୁଡ଼ି ।

ଏହି କଥା ମୂଢ଼ଲୋକ ସୁଧାପ୍ରାୟ ମଣେ

ମାୟା ମୋହବନ୍ଧେ ପଡ଼ି ମୋ ନାମ ନ ଜାଣେ ।

 

ସୂକ୍ଷ୍ମରେଣୁ ପ୍ରମାଣରେ ପ୍ରାଣୀ ହୃଦଗତେ

ଜୀବନ ହୋଇ ଦେହେ ମୁଁ ବସିଛି ସାକ୍ଷାତେ ।

ଏହା ହୃଦୟେ ନ ଚିହ୍ନି ମୂଢ଼ ନରଧମ

ଭୁଲି ମରୁଥାଇ କରି ବେଦୁ ନାନା କର୍ମ ।

 

ମୂର୍ଖ ଲୋକଙ୍କୁ ଦେବ ତ ଭଣ୍ଡାଇ ଜଗତେ

ନାନାରୂପେ ଦେଖାଇଣ କହେ ଶାସ୍ତ୍ରମତେ ।

ବେଦର ତତ୍ତ୍ୱ ଗୋଟି ଯେ ନ ଜାଣନ୍ତି ମୂର୍ଖେ

ଫଳ ଆଦରି କରନ୍ତି କର୍ମ ନାନା ସୁଖେ ।

 

ରୋଗ ବିନାଶନ ପାଇଁ ପୁତ୍ରେ ମାତା ଯେହ୍ନେ

ଔଷଧ ଦେଇ ବସଇ ବୈଦ୍ୟର ବଚନେ ।

ଖଣ୍ଡ ଆଗରେ ଦେଖାଇ ପୁତ୍ରେ ତୋଳି ପୁଚ୍ଛେ

ଔଷଧ ଖାଇଲେ ଏହା ଦେବି ତୋତେ ନିଶ୍ଚେ ।

 

ନୋହିଲେ ଖଣ୍ଡଶାକର ତୋତେ ଦେବିନାହିଁ

ଏରୂପେ ମାତା ପୁତ୍ରକୁ ଅଊଷଧ ଦେଇ ।

ସଂସାରକୁ ସେହିରୂପେ ବେଦ ଭଣ୍ଡୁଅଛି

ଏଣୁ ମୋ ନାମ ତତ୍ତ୍ୱ ନ ଜାଣେ ପ୍ରାଣୀ କିଛି ।

ପଦାର୍ଥ ଦାରା ତନୟ ଘେନ ଭ୍ରମିଗଲା

ଆତ୍ମାର ଗତି ମୋହର କିଛି ନ ଜାଣିଲା ।

ବେଦର ତତ୍ତ୍ୱ ଗୋଟିକୁ ଜାଣନ୍ତି ଯେ ପ୍ରାଣୀ

ସଭା ମଧ୍ୟେ ତାଙ୍କୁ ମହାପଣ୍ଡିତ ବଖାଣି ।

 

ସେ ମୋହର ଭାବ ଘେନି ଭଜନ୍ତଟି ମୋତେ

ସର୍ବଘଟେ ହରି ବୋଲି ପାଞ୍ଚନ୍ତି ହୃଦ୍‌ଗତେ ।

ଏକ ଦୃଷ୍ଟି ରଖିକରି ସର୍ବ ଲୋକଯାକେ

ଜୀବ ପରମ ଚିହ୍ନିଣ ଭଜନ୍ତି ଯେ ଏକେ ।

 

ଏମନ୍ତ ବୋଲିଣ ହରି କହିଲେଟି ତୋତେ

ଶରୀରର କଥାଯାକ ବୁଝି ନାନାମତେ ।

ସୁଜ୍ଞାନ ଉଦୟ ହେଲେ ଭ୍ରାନ୍ତି ଦେହୁଁ ଦହେ

ତେବେ ପବନ ପଶ୍ଚିମ ମାର୍ଗେ ଯାଇ ବହେ ।

 

ଶଙ୍ଖିନୀ ନାଳରେ ଟେକି ଭେଦିବ ଷଟ୍ ଚକ୍ରେ

ତିନି ତିହୁଡ଼ି ରନ୍ଧ୍ରେ ଓଁ କାର ନାଳ ବକ୍ରେ ।

କାଉଁରୀ ମଣ୍ଡଳପରେ ଗୋଲାହାଟ ବାସ

ଅମର ସରୋବରେ ସେ ହଂସ ପରକାଶ ।

 

ତ୍ରିବେଣୀ ସଙ୍ଗମ ଗଙ୍ଗା ହୋଇଅଛି ଯହିଁ

ସେଠାରୁ ମହାରସ ଯେ ଝରୁଆଇ ବହି ।

ଝରିଗଲେ ଲେଉଟିଣ ପୂରେ ସେହିଠାରେ

ତେଣୁଟି ଅଚିନ୍ତେ ମନ ଖେଳଇ ଶରୀରେ ।

 

ସେ ଝର ଯେବେ ସାଇତି ରଖିପାରେ ପ୍ରାଣୀ

ପୂର୍ବରୁ ଟେକି ପଶ୍ଚିମେ ବୁହାଇବ ଆଣି ।

ତ୍ରିବେଣୀ ହ୍ରଦରେ ନେଇ ରଖିବ ପୁରାଇ

ହ୍ରଦ ପୁରିଗଲେ ହଂସ ସରୋବର ଥାଇ ।

 

ଏ ତୁଠରୁ ଗମେ ହଂସ ସେ ତୁଠକୁ ବୋଲି

ହ୍ରଦ ଶୁଖିଲେ ଏକା ନ ପାରେ ଜାଣ ଚାଲି ।

ହଂସ ନ ଚାଲିଲେ ପୁଣି ପିଣ୍ଡୁ ଆତ୍ମା ଖସେ

ଜୀବକୁ ଛାଡ଼ି ପରମ ଘରେ ଯାଇଁ ମିଶେ ।

ସେହିଠାବରୁ ପିଣ୍ଡକୁ ଶୁଭେ ମଲା ଧ୍ୱନି

ମଲା ମଲା ଶବ୍ଦ ଏକା ନ ବୋଲଇ ଜ୍ଞାନୀ ।

ଜୀବକୁ ଗଲେ ସେ ଯେବେ ପରମେ ରହିଲା

ସେ କାହିଁକି ଏ ସଂସାରେ ହୋଇବଟି ମଲା ।

 

ଜନ୍ମ ହୋଇଲେ ଅବଶ୍ୟ ମୃତ୍ୟୁ ଲଭେ ପ୍ରାଣୀ

ମୃତ୍ୟୁ ହେଲାପରେ ଜୀବ ଜନ୍ମର ସେକ୍ଷଣି ।

ପିଣ୍ଡ ଛାଡ଼ିଲେ ପରମେ ଆତ୍ମା ଅବତରି

ସେ କଥା ଗୋଚର କେହି ନ ପାରନ୍ତି କରି ।

 

ଜ୍ଞାନୀ ଏକା ପରମକୁ ଚିହ୍ନି କରି ଖେଳେ

ଆବର ଜନେ ହେତୁ ନ ପଶେ କେତେବେଳେ ।

ଦେଖ ଆହେ ମୁରାସୁର ତୋର ମୋର ମଧ୍ୟେ

ବିଜେ କରିଛନ୍ତି ପ୍ରଭୁ ଶୁକ୍ଳାମ୍ୱର ହୃଦେ ।

 

ବୁଝିଲେ ତ ଘରେ ସେହି ବାହ୍ୟେ ବିଜେ ସେହି

ତିଳାର୍ଦ୍ଧେ ସ୍ଥାନ ନ ଥାନ୍ତି ଭାବଗ୍ରାହୀ ।

ସୂକ୍ଷ୍ମ ରେଣୁ ପ୍ରମାଣରେ ଛନ୍ତି ହୃଦେ ବସି

ସୂର୍ଯ୍ୟରୁ ଶତ ଗୁଣରେ ତେଜ ପରକାଶି ।

 

ଦିଶଇ ଯେବଣ ଜ୍ୟୋତି ଅନ୍ତରୀକ୍ଷ ମୟେ

ଦେହ ମଧ୍ୟେ ଥାଇ ପଞ୍ଚଇନ୍ଦ୍ରି ଭୋଗପାଏ ।

ଏହି ପଞ୍ଚ ଇନ୍ଦ୍ରିୟ ଯେ ଗୋଟି ଗୋଟି ଶୁଣ

ସବୁରି ଆତ୍ମା ଅଟନ୍ତି ଏକା ନାରାୟଣ ।

 

ନୟନେ ଶ୍ରବଣ ନାସା ଜିହ୍ନା କାମ ଇନ୍ଦ୍ରି

ଏକର ଭାବ ଆନ ନ ଜାଣେ ହୃଦେ ଭେଦି ।

ମୁଖରେ ପିଇଲେ ସିନା ତୃଷା ହୁଏ ନାଶ

ନାସିକାରେ ପିଇଲେ କି ହେବ ମନ ତୋଷ ।

 

ବୁଝିଲେ ତ ପବନ ନ ବହେ ମୁଖ ବାଟେ

ପୁଷ୍ପକୁ ଆଘ୍ରାଣ କଲେ ବାସଟି ପ୍ରକଟେ ।

ଦେହଯାକ ଇକ୍ଷୁରସ ଯେବେ ବୋଲି ହେବ

ମୁଖରେ ନ ଖାଇଲେ କି ସୁଆଦ ଜାଣିବ ।

କର୍ଣ୍ଣ ବାଟରେ ଚାହିଁବ ନେତ୍ରେ ଯେବେ ଶୁଣି

ଏ ଦୁଇ କଥାରେ ଭାବ ପାରିବ କି ଜାଣି ।

ବିଚାରିଲେ ଏ ଦେହରେ ସବୁ ହୋଇଅଛି

ବିଷୟା ଗୁଣ ସକାଶୁଁ ନ ଜାଣଇ କିଛି ।

 

ଆବରହିଁ ଶୟନ ଯେ ଭୋଜନ ମୈଥୁନ

ଜ୍ଞାନକୁ ଖଡ଼ଗ ରୂପୀ ଅଟନ୍ତି ଏମାନ ।

ବୁଝିଲେ ଏ ଦେହ ହେଲା ମୈଥୁନରୁ ଜାତ

ପୁଣିହିଁ ମୈଥୁନେ ପଡ଼ି ହୋଇଲା ମୋହିତ ।

 

ଭୋଜନ ରତି ଶୟନ ପାରେ ଯେହୁ ଜଗି

ବ୍ରହ୍ମାଣ୍ଡ ମଧ୍ୟରେ ତାକୁ ବୋଲି ମହାଯୋଗୀ ।

ବେଳ ଜାଣିଣ ଆହାର ଯେବେ କରୁଥିବ

କାଳକୁ ଜଗିଣ ବସି ନିଦ୍ରା କରାଇବ ।

 

ଯୁଗଳକ ମୈଥୁନ ବେଳା ଯେବେ ଥିବ ଜଗି

ତାହା ଦେହକୁ ଏକା ନ ପାରେ ମୃତ୍ୟୁଲଘିଂ ।

ନାନା ଅରିଷ୍ଟଯାକ ଏ ଶରୀରକୁ ଲାଗେ

ଦେହ ମାଡ଼ଖାଏ ଆତ୍ମା ରହଇ ଅଲଗେ ।

 

ତପନ ଲୋହ ପିଟିଲେ ଯେବେ ଲାଗୁଥାଇ

ଅଗ୍ନିଦେବ ରୋମ ଗୋଟିଏକ ନାଶ ନୋହି ।

ସେହିରୂପେ ଆତ୍ମାଟି ସବୁରି ଅଙ୍ଗେ ରହେ

ନାନାଦି ମାଡ଼ ଗାଳି ଏ ଦେହଗୋଟି ସହେ ।

 

ଏ ଦେହ ଯହିଁରୁ ପୁଣ ହେଇଲା ନିର୍ମାଣ

ସେ କଥା କହିବା ରାଜା ସାବଧାନେ ଶୁଣ ।

ଲିଙ୍ଗଚକ୍ରେ ବସେ ଯେଉଁ ଷଡ଼ଦଳ ଜ୍ୟୋତି

ତହିଁର ଉପରେ ଯାକ ଦିଶେ ରକ୍ତ କାନ୍ତି ।

 

ସେହି କାନ୍ତ ଶକ୍ତି ଯେବେ ହ୍ୱନ୍ତି ଏକଠାରେ

ତେବେ ରଜ ବୀର୍ଯ୍ୟ ଜାଣ ଫେନରୂପ ଧରେ ।

ସେ ଫେନ ମଧ୍ୟରୁ ପ୍ରାଣ ବାୟୁ ବାହାରଇ

ଶରୀର ସଞ୍ଚା ଧରିଣ ତହୁଁ ପ୍ରକାଶଇ ।

ଶିବଶକ୍ତି ଏକଯୋଗୁଁ ସମବୃଦ୍ଧି ଘେନି

ମିଶ୍ରିତ ହୁଅନ୍ତି ତହୁଁ ରଜ ବୀର୍ଯ୍ୟ ବେନି ।

ଜଠରରେ ଜୀବ ହୋଇ ବୁଦ୍ଧି ଆଚ୍ଛାଦଇ

ନୟନ ନାସାକର୍ଣ୍ଣ ଯେ ଜିହ୍ୱା ପଲ୍ଲବଇ ।

 

ଧାତୁ ଚର୍ମ ରକ୍ତ ଆଦି ମାଂସ ନୀର ସ୍ୱେଦ

ପାୟୁପସ୍ଥ ପାଦ ପାଣି ଅସ୍ଥି ମଜ୍ଜା ମେଦ ।

ଲୋଭ ମୋହ କାମ କ୍ରୋଧ ମଦ ମାତ୍ସର୍ଯ୍ୟଟି

ବାସ୍ତରି ସମ ନାଡ଼ୀ ତେସ୍ତରିପଦ କୋଠି ।

 

ପତିଶ ପ୍ରକୃତି ମିଶି ପଞ୍ଚଭୂତ ଆତ୍ମା

ପଞ୍ଚାଶ ପାଖୁଡ଼ା ଷଡ଼ଚକ୍ର ଜ୍ୟୋତି ସୀମା ।

ଚାହାଁନ୍ତା କହନ୍ତା ଆଉ ଶୁଣନ୍ତା ବହନ୍ତା

ଦେହକୁ ଅଟନ୍ତି ଏହି ଚାରି ଜ୍ଞାନ କଥା ।

 

ଇଅଁଳା ପିଅଳା ପୁଣି ଆଉ ବୁଦ୍ଧିମାନ

ସୋହଂସ ପୁରୁଷନାଦ ବିନ୍ଦୁ ନିରଞ୍ଜନ ।

କାଳ କମଳ ଯେ ଊର୍ମ ଧୂର୍ମ ଜ୍ୟୋତି ଜ୍ୱାଳା

ଷୋଳ ଡମ୍ୱରୁ ସହିତେ ଚଉଦ ମଣ୍ଡଳା ।

 

ନଳ ଚଇତନ ମିଶି ସ୍ୱରୂପ ପ୍ରକାଶ

ଗଳା ଲେହା ଚୋବା ପିଆ ଏ ଚାରି ବିଶେଷ ।

ଏ ଦେହକୁ ଦଶଦ୍ୱାର ଫିଟିଅଛି ଆଉ

ଏରୂପେ ଶରୀରାର୍ଥ ନ ସରେ ଳାଣ କହୁ ।

 

ଦେହସାରସ୍ୱତ ଜୀବ ପରମ ଏ ଦୁଇ

ଆସନ୍ତି ଜଠରୁ ଜନ୍ମି ଦଶମାସ ରହି ।

ହସ୍ତ ଶିର ମୁଖ ଚକ୍ଷୁ ନାସିକା ଶ୍ରବଣ

କେହି କାହାର ବୋଲେ ଏ ନ ଚିହ୍ନନ୍ତି ଜାଣ ।

 

ଯେଝାସ୍ଥାନେ ବସି ଯେଝା କରଣୀ ଦେଖାନ୍ତି

ଏକାଦେହରେ ତରନ୍ତି ଏତେ ଗୁଣ ପ୍ରୀତି ।

କୁସୁମଭିତରେ ବାସ ଯେହ୍ନେ ଅଛି ଗୋପ୍ୟେ

ଶରୀର ଭିତରେ ଆତ୍ମା ପ୍ରକାଶ ସେ ରୂପେ ।

ଇକ୍ଷୁ ଭିତରେ ଯେସନ ଗୁଡ଼ ଥାଇ ଲୁଚି

ଉପାୟମାନ କରିଲେ ପ୍ରକାଶଇ ଶାଚି ।

କ୍ଷୀର ଭିତରେ ଯେ ରୂପେ ଘୃତ ରହିଥାଇ

ଜଳ ଭିତରେ ଲବଣ ଯେହ୍ନେ ଅଛି ରହି ।

 

ଏ ଦେହ ଭିତରେ ଆତ୍ମା ସେହିରୂପେ ଜାଣି

ଶିବଶକ୍ତି ସଂଯୋଗରୁ ଦେହଧରେ ପୁଣ ।

ଗର୍ଭରୁ ଜନ୍ମିଲେ ସେହୁ ପଢ଼େ ମାୟାବନ୍ଧେ

ବାଳୁତ ହୋଇଣ ଦେଖେ ବାରବର୍ଷ ଆଦ୍ୟେ ।

 

ପନ୍ଦର ବରଷ ହେଲେ ଇଚ୍ଛଇ ରମଣୀ

ବିଂଶ ବରଷ ହୋଇଲେ ରଞ୍ଜେ ନିଶ ପୁଣି ।

ପଚିଶବରଷ ହେଲେ ଦିବ୍ୟରୂପ ଧରେ

ତିରିଶବରଷ ଯୁବା ସ୍ତିର ମନ କରେ ।

 

ପଞ୍ଚିତିରିଶ ହୋଇଲେ ନ ମାନଇ କାହିଁ

ମାନ୍ୟସ୍ତିରୀ ହେଲେ ମନ ବଳାଉଯେ ଥାଇ ।

ଚାଳିଶ ହେଲେ ତନୟ ଲୋଡେ ଅନୁବ୍ରତେ

ପଞ୍ଚଚାଳିଶ ହୋଇଲେ ପାଞ୍ଚେ ବୁଦ୍ଧି କେତେ ।

 

ପଞ୍ଚାଶ ହେଲେ ଅର୍ଦ୍ଧେକ ଆୟୁଷ ତୁଟଇ

ସ୍ୱରଟି ରସକୁ ତେତେ ଶ୍ରଦ୍ଧା ନକରଇ

ମନ ହୋଇଲେ କରଇ ନୁହେ ଈଛାତେଡ଼େ

ପଞ୍ଚାବନ ବରଷରେ ଗୀତେଗୀତେ ମନ ବଢେ

 

ଷାଠିଏ ହୋଇଲେ ଚମ ଓହଳଇ ଦେହେ

ପଞ୍ଚସଠିରେ ବାତୁଳ ପ୍ରାୟ କଥା କହେ

ସତୁରି ବରଷ ହେଲେ ନ ଚିହ୍ନଇ ଲୋକ

ପଞ୍ଚସ୍ତରୀ ହେଲେ ବୃଦ୍ଧି ବାଳକ ପ୍ରାଏକ

 

ଅଶୀ ବରଷ ହୋଇଲେ କାନ୍ଦେ ଅଳପକେ

ପଞ୍ଛାଶୀ ହେଲେ ଲୋକଙ୍କୁ ନଚିହ୍ନଇଠିକେ

ତନୟ ପତ୍ନୀ କୁଟୁମ୍ବ ସବୁ ନ ଚିହ୍ନଇ

କିଏରେ ତୁମ୍ଭେ ବୋଲିଣ ଦେଖି ପଚାରଇ

 

ନଉବରଷ ହୋଇଲେ ହୁଅଇ ବ୍ୟାକୁଳ

ପଞ୍ଚାଣୋଇ ବରଷରେ ଅଜ୍ଞାନ କେବଳ

ଶଏ ବରଷ ହୋଇଲେ ପୂରେ କାଳ ଆସି

ଆହୁରି ଶୁଣ ହେ ରାଜା ବ୍ରହ୍ମଜ୍ଞାନେ ରସି ।

କାଳ ଗ୍ରାସୁ ଗ୍ରାସୁ ଜାଣ ପ୍ରାଣ ପବନକୁ

ବ୍ରହ୍ମେ ହେତୁ ରଖିଣ ଯେ ଛାଡ଼ିବ ଜୀବକୁ ।

 

ଆଧାରଚକ୍ରେ ଟେକିଣ ଲିଙ୍ଗଚକ୍ରେ ଧରି

ଲିଙ୍ଗଚକ୍ରୁ ନେଇ ପୁଣି ନାଭିଚକ୍ର ଭରି ।

ନାଭିରୁ ହୃଦୟେ ଭରି ହୃଦୁ କଣ୍ଠେ ନେବ

କଣ୍ଠୁ ନେଇଣ ଲଲାଟଚକ୍ରେ ପୂରାଇବ ।

 

ଆଣିବ ମୂଳକମଳୁ ହୃଦଚକ୍ରେ ଚାପି

ମନ ମରୁତକୁ ଦେବ ଅନ୍ତର୍ଗତେ କ୍ଷେପି ।

ରସନାକୁ ରୁନ୍ଧିବ ଯେ କଣ୍ଠଚକ୍ରେ ଭରି

ଅଷ୍ଟଦଳ କମଳରେ ଟେକିବି ଲହରୀ ।

ଷୋଳଡମ୍ୱରୁ ଲମ୍ୱିକା ତଳେ ଟେକି ନେବ

ପଞ୍ଚାଶ ପାଖୁଡ଼ା ଷଡ଼ପଦ୍ମେ ପୂରାଇବ ।

ବଙ୍କୁନାଳ ଜିଣି ତିନି ତିହୁଡାକୁ ବଳି

ପରମକୁ ଟେକିବ ଯେ ଊର୍ଦ୍ଧ୍ୱଗତି ତୋଳି ।

 

ଭ୍ରୁଲତା ମଧ୍ୟରେ ଦେଇ ପ୍ରାଣ ପୂରାଇବ

ପରମ ସୂତ୍ରରେ ମଜ୍ଜି ଜୀବନ ଛାଡ଼ିବ ।

ତେବେ ସେହି ପ୍ରାଣୀ ନିଶ୍ଚେ ପଶେବିଷ୍ଣୁ ଦେହେ

ଅଣହେତୁରୁ ମରଣ ଅଗାଡ଼ିର ପ୍ରାୟେ ।

 

ଏହ୍ନେ ଛାଡ଼ିଲେ ପ୍ରାଣ ଯୋଗାଗ୍ନି ବୋଲି ତାଙ୍କୁ

ପ୍ରତ୍ୟକ୍ଷରେ ବ୍ରାହ୍ମଣ୍ୟ ଯେ ବୋଲି ସେ ଲୋକଙ୍କୁ ।

ଏତେକ କହି ସୁବିଜ୍ଞ ମୁରାସୁର ଆଗେ

ହା ହା କୃଷ୍ଣ ବୋଲି ପ୍ରାଣଛାଡ଼େ ସେହୁଲାଗେ ।

 

କହୁଁ କହୁଁ ସଭା ମଧ୍ୟେ ପଡ଼େ ମନ୍ତ୍ରୀ ଢଳି

ପୁଷ୍ପକଯାନେ ବସାଇ ନେଲେ ଦେବେ ମିଳି ।

ଖୋଳ କୀର୍ତ୍ତନ କରିଣ ବୈକୁଣ୍ଠକୁ ନେଲେ

ଶ୍ରୀ ନାରାୟଣ ଛାମୁରେ ଉଭା କରାଇଲେ ।

 

ଗୋବିନ୍ଦ ଆଜ୍ଞା କହିଲେ ଆସିଲୁ କି ବାବୁ

ଅଚିନ୍ତାରେ ଏବେ ମୋର ହୃଦେ ସମ୍ଭାଇବୁ ।

ଦିନାକେତେ ଗଲେ ପୁଣି ହୋଇବୁ ଜନମ

ପ୍ରସନ୍ନ ହୋଇ ବହିବୁ ପ୍ରହଲାଦ ନାମ ।

 

ଏହି ମୁରାସୁର ମଲେ ହିରଣ୍ୟ ହୋଇବ

ତାହାର ବୀର୍ଯ୍ୟରେ ଜନ୍ମି ପ୍ରହଲାଦ ହେବ ।

ସ୍ମରଣ ଶକ୍ତିରେ ମହା ବୈଷ୍ଣବ ହୋଇବୁ

ଅନୁକ୍ଷଣେ ହରି ଭଜି ବୈକୁଣ୍ଠରେ ଥିବୁ ।

 

ଏବେ ଆସି ସୁବିଜ୍ଞ ମୋ ଅଙ୍ଗେ ହୁଅ ଲୀନ

ଏତେ କହି ହୃଦପଦ୍ମେ ରଖି ଭଗବାନ ।

ଆଜ୍ଞାପାଇ ସୁବିଜ୍ଞ ଶ୍ରୀଅଙ୍ଗେ ଲୀନ ହେଲା

ତାହା ଦେଖିଣ ମୁରର ସାହାସ ଉଡ଼ିଲା ।

ସଭାରେ ଜ୍ଞାନ କହିଣ ପଡ଼େ ମନ୍ତ୍ରୀ ଢଳି

ତତ୍‌କାଳେ ଉଠିଣ ରାଜା ଧରି କରେ ତୋଳି ।

ଆଶ୍ୱାସିଣ ବସାଇଣ ହୃଦେ ଆଉଜାଇ

ଲୋକଙ୍କୁ ବୋଇଲେ ଆରେ ଆସ ବେଗେ ଧାଇଁ ।

 

ନାସିକାଦ୍ୱାର ରୁନ୍ଧଇଣ କର୍ଣ୍ଣଦ୍ୱାର ଫୁଙ୍କ

ଚୈତନ୍ୟ ପଶିଲେ ଉଠି କିହବ ସେ ବାକ୍ୟ ।

ଜ୍ଞାନବଳରେ ମନ୍ତ୍ରୀ ର ଫୁଲିଅଛି ପେଟ

ଫୁଙ୍କିଲେ ଏହିକ୍ଷଣି ସେ ହେବ ଛଟପଟ ।

 

ଏହା ଶୁଣି ଲୋକବର୍ଗ ଉଠି ଧାତିକାରେ

ନାସିକା ଚିପିଣ ତାର ଫୁଙ୍କିଲେ କର୍ଣ୍ଣରେ ।

ଫୁଙ୍କିବା ଲୋକର ଝାଳ ପଡ଼େ ହୃଦୁଁ ବହି

ମନ୍ତ୍ରୀ ତ ଜାଣିଣ ପ୍ରାଣ ଛାଡ଼େ ଜ୍ଞାନ କହି ।

 

ଫୁଙ୍କି ଫୁଙ୍କି ଲୋକ ଛାଡ଼ି ଉଠିଲେ ଆଶକ୍ତେ

ରାଜାଙ୍କୁ ବୋଇଲେ ଏ ନ ଯୀବ କଦାଚିତେ ।

ହରଷରେ ଯାଉ ଅବା ବିରସରେ ଯାଉ

ସ୍ଥାନ ଛାଡ଼ିଗଲେ କେହୁ ଆସିଛି କି ଆଉ ।

 

ଏରୂପେ କହନ୍ତେ ଲୋକମାନେ ସଭା ମଧ୍ୟେ

ଶୁଣି ମୁରାସୁର ବସି ଉଚ୍ଚନାଦେ କାନ୍ଦେ ।

ଶବ ଛାଡ଼ି ଖଣ୍ଡଦୂରେ ବସି ନୃପବର

ଆହା ମନ୍ତ୍ରୀ ବୋଲିକରି କାନ୍ଦେ ମୁରାସୁର ।

 

ମନ୍ତ୍ରୀ ଗୁଣ ବାହୁନିଣ କାନ୍ଦେ ଭୂମି ଲେଟି

ବୋଲଇ ବିଅର୍ଥେ ଗଳ୍ପ ତେଜି ଏଡ଼େସୃଷ୍ଟି ।

କାହାକୁ ସର୍ବାଧିକାର ପଣ ଗଳ୍ପ ଦେଇ

ପୁତ୍ରଙ୍କୁ ମୂର୍ଚ୍ଛିଣଥିଲି ତୋର ମୁଖ ଚାହିଁ ।

 

କେଡ଼େ ଜ୍ଞାନ ସାଧି ମନ୍ତ୍ରୀ ଅଜ୍ଞାନ ହୋଇଲୁ

ପବନ ରୁନ୍ଧି ମଲାରୁ କେଉଁ ସ୍ୱର୍ଗେ ଗଲୁ ।

କେଉଁ ନର ତୋତେ ରେ ଏ ବୁଦ୍ଧି ଶିଖାଇଲା

ଷଡ଼ଚକ୍ର ରୁଦ୍ଧି ବସ ବୋଲି ଆଜ୍ଞା ଦେଲା ।

ବାପ ଅଜା କାଳେ ତାର ନାହିଁ ଜ୍ଞାନ ସାଧି

ତୋତେ ମାରିବକୁ ମାତ୍ର କହିଲା ଏ ବୁଦ୍ଧି ।

ଜ୍ଞାନ କହିବା ଲୋକ କି ମଲା ତୋର ସଙ୍ଗେ

ଏତିକି କଥା ତ ବୁଝି ନ ପାରିଲୁ ଅଜ୍ଞେ ।

 

ପାପିଷ୍ଠ ଲୋକ ବସନ୍ତି ଜ୍ଞାନ ସିନା ସାଧି

ପଞ୍ଚେନ୍ଦ୍ର ନିବାରି ବସିଥାନ୍ତି ନାକ ରୁନ୍ଧି ।

ପୂର୍ବରୁ କେତେ ପାପ ସେ ଅର୍ଜିଥାନ୍ତି ଅଙ୍ଗେ

ତେଣୁ ସେ ବସନ୍ତି ମରି ଅପ୍ରଚ୍ଛନ୍ନ ଯୋଗେ ।

 

ସେ ପାପିଷ୍ଠ ପ୍ରାୟ ମନ୍ତ୍ରୀ କାହିଁକି ତୁ ହେଲୁ

ଏତେ ଶିରୀ କାହାକୁ ଯେ ପୁଣି ଦେଇଗଲୁ ।

ନାସା ରୁନ୍ଧି ମଲେ ପ୍ରାଣୀ ସ୍ୱର୍ଗେ ଯେବେ ଯାନ୍ତା

କାହିଁକି ଲୋକଙ୍କୁ ଆଉ ରୋଗ ଘୋଟୁଥାନ୍ତା ।

 

ପବନ ହୃଦେ ରୁନ୍ଧି କେ ଅର୍ଜିଲାଣି ଯଶ

ସାହାସ ଉଡ଼ଇ ମାତ୍ର ଜ୍ଞାନ ହେଲେ ଶେଷ ।

ତୋ ପରା ମନ୍ତ୍ରୀ ହୋଇ ତୁ ନ ଜାଣିଲୁ ଏହା

ଆୟୁଷ ଥାଉଁ ବାପରେ ହରାଇଲୁ କାୟା ।

 

ଯୁବାକାଳେ କାହିଁକି ଏ କଥା ବିଚାରିଲୁ

ସ୍ୱର୍ଗ ଠାରୁ ବଳି ଭୋଗ କାହାକୁ ତୁ ଦେଲୁ

ଅଥବା ଯୁଦ୍ଧକୁ ଯାଇ ମରିଥାନ୍ତୁ ଯେବେ

ତେବେ ଅବା ମୂର୍ଚ୍ଛି ମୁହିଁ ଦ୍ୟନ୍ତି ତୋତେଏବେ ।

 

ନୋହିଲେ ଯଦ୍ୟପି ତହିଁ ରୋଗେ ମରିଥାନ୍ତୁ

ତେବେ ଅବା ବାପ ଆରେ ମୂର୍ଚ୍ଛିତୋତେଦ୍ୟନ୍ତୁ ।

ଏବେ ଆସି ବୁଦ୍ଧିବାଟ ହେଲା ମୋତେ ବଣା

ରାଜ୍ୟ ହାନି ଲାଭ ଏବେ କରିବ କେ ଜଣା ।

 

କାହାକୁ ଘେନିଣ ଏବେ ନ୍ୟାୟ ପାଞ୍ଚିବିରେ

କେ ମୋହର ମନ ଜାଣି ଖଟିବ ପାଦରେ ।

ଭାଷାକୁ କର୍ଣ୍ଣ ଡେରିଣ କହିବ କେ ପାଞ୍ଜି

ଶ୍ରୀମୁଖ ଆଜ୍ଞା ଚିଟାଉ ଲେଖିବ କେ ବୁଝି ।

କେହୁ ମୋତେ ରାଜ ଛବି କରାଇବ ବସି

ଚିତ୍ତ ଜାଣି କେ କହିବ ମୋତେ କଥା ଆସି ।

ଆହା ମନ୍ତ୍ରୀ ମୋହର ତୁ ସଭା ମୁଖ୍ୟଜନ

ଉଠି ବେଳେ କହିବୁ କି ଶୁଣିବି ବଚନ ।

 

ଚକ୍ଷୁ ମେଲି ନିମିଷକେ ଚାହିଁବୁ କି ମୋତେ

ଖଣ୍ଡିବି ହୃଦରୁ ତାପ ସନ୍ତୋଷ ତ ଚିତ୍ତେ ।

ଆନନ୍ଦରେ ବସି ତୋତେ ଘେନି ସଭାକରି

ତୋତେ ଦେଖୁଥିଲେ ଦୁଃଖଦେବି ମୁଁ ପାସୋରି ।

 

ନିଦ୍ରାରୁ ଉଠିଲା ପ୍ରାୟ ବସିବୁ କି ବେଳେ

ତୋତେ ଘେନି ବୁଲନ୍ତି ମୁଁ ଏପୃଥ୍ୱୀକିହେଳେ ।

ଭାଇ ପୁତ୍ର ସେନା ଆଦି ମଲେ ମୋର ଯେତେ

ତୋର ଘେନି ମୁଁ ପାସୋରିଥିଲି ତାଙ୍କୁ ଚିତ୍ତେ ।

 

ଏବେ ଉଠ ମନ୍ତ୍ର ହୋ ନ କର ମୋତେ ଚିଟା

ଏତେ ବୋଲିଣ ଅସୁର ଟେକି ଦେହ ଗୋଟା ।

ଚକ୍ଷୁ ମୁଖ ନାସିକାକୁ ଚାହିଁଲା ନିରୋଳି

ଦେଖିଲା ମନ୍ତ୍ରୀ ହୃଦରୁ ଗଲା ପ୍ରାଣ ଚଳି ।

 

ନାସିକାରେ ହସ୍ତ ଦେଇ ବାରି ନିଃଶ୍ୱାସକୁ

ଥଣ୍ଡା ହୋଇଲାଣି ଦେଖି ଅଷ୍ଟାଙ୍ଗ ଶିରକୁ ।

ସେଠାରୁ ଶବକୁ ଛାଡ଼ି ଉଠି ମୁରାସୁର

ଯାଇଣ ସିଂହାସନରେ ବସିଲା ତତ୍ପର ।

 

ଲୋହାସୁରକୁ ବୋଇଲା ଶବ ନିଅ ବହି

ଶ୍ମଶାନ ସ୍ଥାନେ ଚନ୍ଦନକାଷ୍ଠେ ଦେବ ଦହି ।

ରାଜାର ଆଜ୍ଞା ପାଇଣ ଉଠିଲା ଦାନବ

ସଙ୍ଗ ହୋଇ ଦଶବିଂଶ ବହିନେଲେ ଶବ ।

 

ବେଦମାର୍ଗକୁ ଚାହିଁଣ ଅନଳରେ ପୋଡ଼ି

ସଂସ୍କାର କରି ପୁରକୁ ଅଇଲେ ବାହୁଡ଼ି ।

ଲୌକିକ କର୍ମକୁ ଚାହି ଦଶକ୍ରିୟା କଲେ

ଦ୍ୱାଦଶରେ ପିଣ୍ଡ ଦେଇ ପ୍ରେତ ଉଦ୍ଧାରିଲେ ।

ଏଥୁଅନ୍ତେ ନାରଦ ହେ ଶୁଣ ମୁର ବାଣୀ

ମନରେ ଚିତୋଇ ପୁଣି ଉଠେ ଶିର ଝୁଣି ।

ବୋଲେ ଛନ୍ତି ଯେବେ କୃଷ୍ଣବଲ୍ଲଭର ପୋଏ

ଆଜି ତାହାଙ୍କୁ ପଠାଇ ଦେବି ଯମାଳୟେ ।

 

ସେ ପାପିଷ୍ଠମାନେ ଯେବେ ନ ଥାନ୍ତେ ଏ ପୃଥ୍ୱୀ

କାହିଁପାଇଁ ଜ୍ଞାନ ସାଧି ମରନ୍ତା ମୋ ମନ୍ତ୍ରୀ ।

ବିଷ୍ଣୁଙ୍କୁ ସେ ସୁମରିଣ ମରେ ରୁନ୍ଧି ନାକ

ଏରୂପେ ମଲେ ତାହାକୁ ବୋଲି ଅବିବେକ ।

 

ଅଭବ୍ୟ ଲୋକ ମରନ୍ତି ସିନା ବିଷ୍ଣୁ ଭଜି

ବିଷ୍ଣୁ ଭଜି ବ୍ୟର୍ଥ ଗଲା ମୋର ମନ୍ତ୍ରୀ ହଜି ।

ଶ୍ରୀହରିକି ସୁମରନ୍ତେ ପ୍ରାଣ ଯେବେ ଯାଇ

ସେ ହରି ସଂସାରେ ଥିଲେ ଭଲ କେବେ ନାହିଁ ।

 

ହରି ନାମ ସୁମରି ଯେ ମନ୍ତ୍ରୀ ମୋର ଗଲା

ଏ ମଲେ ଏହାକୁ ଆସି ହରି କି ରଖିଲା ।

ଆମ୍ଭେ ତ ପୋଡ଼ିଦେଲୁହିଁ ଶବ ବହିନେଇ

ହରିକି ଯେ ସୁମରେ ସେ ମରେ ନିଶ୍ଚେଁ ଯାଇ ।

 

ଏଣୁ ଯେହୁ ଅଧର୍ମୀ ସେ ଭଜଇ ହରିକି

ତାହାଠାରେୁ ଜଗତରେ ନାହିଁ କେ ପାତକୀ ।

ଯେହୁ ଅଟେ ଅଧମ ସେ ହରି ଭଜି ମରେ

ମହାମୂର୍ଖରେ ଲେଖା ସେ ହୁଅଇ ତ୍ରିପୁରେ ।

 

ଆବର ମାଳାକୁ ଭଜି ହୁଅନ୍ତି ଯେ ବନ୍ଦୀ

ହରିକି ଧ୍ୟାନ କରିଣ ବାୟୁ ଦ୍ୟନ୍ତି ରୁନ୍ଧି ।

ଅଙ୍ଗୁଷ୍ଠିରେ ଖସାଏ ତା ମୁଖ ହୁଏ ଜାଡ଼

କଟି ଗ୍ରୀବା ଲାଗି ବ୍ୟଥା ପାଏ ମେରୁ ହାଡ଼ ।

 

ଜିହ୍ୱାରେ ନାମକୁ ଗୁଣି ମରେ ଶୁଖି କଣ୍ଠ

ଚକ୍ଷୁ ପରଳ ଫାଟଇ ଚାହିଁ ନାସାପୁଟ ।

ହସ୍ତେ ମାଳା ଗଡ଼ାଇଣ ନଖ ଯାଏ ଛିଡ଼ି

ପଦ୍ମାସନ ବସି ବସି ଅଣ୍ଟାଯାଏ ପଡ଼ି ।

କର ମସ୍ତକେ ବରଣ ସବୁ ହୁଏ ପୀଡ଼ା

ଆହାର ନିଦ୍ରା ରତି ନ କରେ ପୁଣି ଲୋଡ଼ା ।

ସମସ୍ତ ସୁଖ ଛାଡ଼ିଣ ଦେହ କ୍ଷୀଣ କରେ

ଏଡ଼େ ପାପ ହରି ଧ୍ୟାନ ଅଟେ ଏ ସଂସାରେ ।

 

ସେ ହରିଙ୍କୁ ଯେବେ ମୁଁ ନ ଯିବି ଆଜୁଁ ମାରି

ଏହିରୂପେ ଭଜି ସିନା ଲୋକେ ଯିବେ ମରି ।

ଜ୍ଞାନ ସାଧିବୁ ବୋଲିଣ ବାୟୁ ରୁନ୍ଧି କେବେ

ଆୟୁଷ ଥାଉଁ ଥାଉଁ ଯେ ଅଖଡ଼େ ମରିବେ ।

 

ଏତେ ବୋଲି ଦଇତ୍ୟ ଯେ ଗର୍ଜେ ଘନ ଘନ

ସେନାକୁ ବୋଲେ ରେ ସାଜ ମୋହର ସଇନ୍ୟ ।

କୃଷ୍ଣବଲ୍ଲଭ ପୁତ୍ରଙ୍କୁ ସଂହାରିବି ଯାଇ

ତେବେ ସିନା ପାସୋରିବି ପୁତ୍ର ମନ୍ତ୍ରୀ ଭାଇ ।

 

ଛାର ରଙ୍କ ଭିକ୍ଷୁ ହୋଇ ଯେବଣ ବ୍ରାହ୍ମଣ

ଦ୍ୱାରେ ଦ୍ୱାରେ ମାଗି ବୁଲି କରନ୍ତି କଲ୍ୟାଣ ।

ପଣେ ପଣେ ପାଇଁ ବୁଲୁଥାନ୍ତି ଅବିଚ୍ଛନ୍ନ

ଯଜ୍ଞୋପବୀତ ବିକି ଯେ ପୋଷନ୍ତି ଜୀବନ ।

 

ଏମନ୍ତ ବ୍ରାହ୍ମଣ ଯେବେ ଲାଗେ ମୋର ସଙ୍ଗେ

ସହିବି କି ତାହା ମୁହିଁ ପ୍ରାଣ ଥାଉଁ ଅଙ୍ଗେ ।

ବୁଝିଲେ ବିଧାତାର ମୁଁ ଅଟେ ପୁତ୍ର ପୁଣି

ଋଷିଯାକ ଭାଇ ମୋର ପୁଣି କୃଳଶ୍ରେଣୀ ।

 

ଋଷିଏ ନ ମରନ୍ତି ମୁଁ ଜାଣି ନ ମରଇ

ଅମର ହୋଇଲି ମୁହିଁ ହର ବର ପାଇ ।

ନାଶକର ଦେବତାର ଯେତେ ଜାଣ ଆୟୁ

ତହିଁରୁ ଦ୍ୱିଗୁଣ ଅଟେ ମୋର ପରମାୟୂ ।

 

ବୁଝିଲେ ତ ନବଗ୍ରହେ ସବୁଙ୍କୁ ପୀଡ଼ନ୍ତି

ସେମାନେ ଅଟନ୍ତି ମୋର ପୁଣି ବଶବର୍ତ୍ତୀ ।

ମୋ ଦେହେ ଥିବାରୁ କ୍ଳେଶ କହୁଛି ସଭିଙ୍କି

କିରୂପରେ କେତେବେଳେ କିଏ ଦିଏ ଛିଙ୍କି ।

ଆବର ଯେତେକ ରୋମ ସଂସାରେ ଅଛନ୍ତି

ସମସ୍ତେ ଆସି ମୋହର ପାଦେ ସେବିଥାନ୍ତି ।

ଦଶଦିଗପାଳମାନେ ମୋର ସେବାକାରୀ

ଆଜ୍ଞାକୁ ଚାହିଁଣ ଇନ୍ଦ୍ର ବର୍ଷୁ ଥାଏ ବାରି ।

 

ନିଶ୍ଚଳେ ଥାଏ ବାସୁକୀ ମୋ ଆସନ ବହି

ଦେବଗଣେ ଆସି ମୋତେ ଭେଟନ୍ତି ନିତିହିଁ ।

ବରୁଣକୁ ଆଜ୍ଞାକଲି ସେ ମୋ ବୋଲ କଲା

କ୍ଷୀର ସମୁଦ୍ର ଜଳ ସେ ନିତ୍ୟ ମୋତେ ଦେଲା ।

 

ତାହାର ନଗରଠାରୁ ମୋ ନଗ୍ରକୁ ଜାଣ

ସୁବର୍ଣ୍ଣ ନଳା ବସାଇ ଦେଲାକ ବରୁଣ ।

ଯେତେ ଜଳ ଲାଗଇ ମୋ ନଗରଲୋକଙ୍କୁ

ତେତେକ ନାଳରେ ଛାଡ଼ି ଦିଅଇ ଆମ୍ଭଙ୍କୁ ।

 

ଖଞ୍ଜାପ୍ରମାଣେ କପାଟ ଦିଏ ନେଇ ପାରି

ଏହିରୂପେ ଆଜ୍ଞା ମୋହର ଅଟେ ଅବଧାରୀ ।

ଏହା ଶୁଣ ସଭାଯାକ ବୋଇଲେ ଏ ସତ୍ୟ

ଖୋଜିଲେ ତୁମ୍ଭ ସମାନେ ଅଛି କେ ଜଗତ ।

 

ବୀରଙ୍କ ଉପରେ ତୁମ୍ଭେ ଅଟ ମହାବୀର

ଯାହାର ଚରଣ ସେବୁ ଅଛନ୍ତି ତ୍ରିପୁର ।

ତେତିଶକୋଟି ଦେବତା ବ୍ରହ୍ମାଦି ସହିତେ

ପ୍ରତ୍ୟହ କଲ୍ୟାଣ କରି ଯାଆନ୍ତି ସମସ୍ତେ ।

 

ଦେବାର୍ଚ୍ଚନ ବେଳେ ଅଠାଅଶୀ ସସ୍ର ଋଷି

ସଭାମଧ୍ୟେ ଆଶୀର୍ବାଦ କରନ୍ତି ସେ ବସି ।

ବ୍ରହ୍ମା ସଦାଶିବ ପ୍ରତିଦିନ ଆସି ବେଳେ

ଦରଶନ ଦେଇ ଚଳି ଯାଆନ୍ତି ତତ୍କାଳେ ।

 

ସ୍ୱର୍ଗରୁ ଅପସରାଏ ନିତି ବେଳେ ଆସି

କରନ୍ତି ଯେ ନୃତ୍ୟ ଗୀତ ଗାନ୍ଧାରରେ ଭାଷି ।

ତୁମ୍ଭ ସଭା ପ୍ରାୟ ସଭା ନାହିଁ ବ୍ରହ୍ମାଣ୍ଡରେ

ସୁଧର୍ମା ସଭାକୁ ବଳେ ପ୍ରଭା ଦ୍ୱିଗୁଣରେ ।

ବୀରାଧିବୀରବର ଯେ ପ୍ରତାପ ତା ବାନା

ରାଜାଙ୍କ ଉପରେ ରାଜା ଅଟୁ ତୁ ମୂର୍ଦ୍ଧନା ।

ଦେହ ଧରି ଜନମିଲେ ମରିବା ତା ସତ

ନ ଜନ୍ମିଲା ଲୋକଙ୍କୁ ଯେ ନାହିଁଟି ନିୟତ ।

 

ଜନମ ହୋଇଲାଠାରୁ ମଲା ପରିଯନ୍ତେ

ଏ କଥା କାହାକୁ ଜଣା ନାହିଁ ଏ ଜଗତେ ।

ସୁବିଜ୍ଞ ମନ୍ତ୍ରୀ ସଂସାରେ ଯେବେ ନ ଜନ୍ମନ୍ତା

ଶରୀର ଧରିଲାରୁ ସେ କିମ୍ପା ନ ମରନ୍ତା ।

 

ସମସ୍ତ କଥା ତ ମିଛ ମୃତ୍ୟୁ କଥା ସତ

ଏହା ଯେ ବୁଝିପାରନ୍ତି ଏକା ସେ ପଣ୍ଡିତ ।

କେହୁ ଅବା ଝୁଣ୍ଟି ପଡି ସଂସାରେ ମରଇ

କେହି ହାଇ ମାରୁ ମାରୁ ପ୍ରାଣ ବିସର୍ଜଇ ।

 

କେବା ଅନ୍ନ ଭୁଞ୍ଜୁ କଣ୍ଠତଟେ ଲାଗି ମରେ

କେହୁ ଅବା ଜ୍ୱରରୋଗେ ପଡ଼ି ପ୍ରାଣ ହାରେ ।

କେହୁ ଅବା ସ୍ଥାନେ ବସି ପ୍ରାଣ ଦିଏ ଛାଡ଼ି

ଏହିରୂପେ ବିହି ଖଞ୍ଜି ଛନ୍ତି ଆତ୍ମା ଗଢ଼ି ।

 

କେ ଅବା ଆଜିକାଲି କେ ଅବା କେତେବେଳେ

ଏହିରୂପେ ଜୀବଯାକ ମରନ୍ତି ସକଳେ ।

ଶୁଣି ମୁରାସୁର ଏହା ସତ୍ୟ ବୋଲି ପାଞ୍ଚି

ବୋଇଲା ତ ମଲା କଥା ସମସ୍ତଙ୍କୁ ଅଛି

 

ଆମ୍ଭେ କେବଳ ଅମର ବର ପାଇବାରୁ

କେହି ମାରି ପାରୁନାହିଁ ଈଶ୍ୱର ଦୟାରୁ ।

ଏଣୁକରି ମୋର ନାହିଁ କାହାକୁ ଯେ ଡର

ମୋତେ ମାରିବାକୁ କେହୁ ନାହିଁ ଏ ତ୍ରିପୁର ।

 

ମାନବ ବିଷ୍ଣୁ ବିନା ସେ ବଲ୍ଲଭର ପୁଅ

ବିପ୍ରଙ୍କର କୁଳେ ଜନ୍ମିଅଛି ଧରି ଦେହ ।

କ୍ଷତ୍ରିକୁଳେ ଜନ୍ମିଥିଲେ ଡରନ୍ତି ବା ମୁହିଁ

ସନ୍ଧ୍ୟାକର୍ମରେ ଅଟନ୍ତି ସିଂହ ପୁଣି ସେହି ।

ଯୁଦ୍ଧ ଭଳି ଲୋକ ନୁହନ୍ତି ତ ବିପ୍ରଗଣ

ଆଜ ସର୍ବେ ଚାଲି ଯାଇ କରିବା କାରଣ ।

ଏହା ଶୁଣି ଚାରିସେନା ଉଠି ଶିରଝୁଣି

ବୋଇଲେକ ଆଜ୍ଞାକଲେ ଯାନ୍ତୁ ଆମ୍ଭେ ପୁଣି ।

 

ଗଲେ ବଦ୍ରି କାନଗର ଦ୍ୟନ୍ତୁ ଭୁଷୁଡାଇ

ବ୍ରାହ୍ମଣ କୁଳକୁ ଆଉ ରଖନ୍ତୁ କି ତହିଁ ।

ଏହା ଶୁଣି ମୁରାସୁର ହେଲା ମନେ ହୃଷ୍ଟ

ବୋଇଲାକ ଆମ୍ଭେ ମଧ୍ୟ ଧରିଯିବା ଥାଟ ।

 

ବିରାଜ ଯେ ମୂଢ଼ାସୁର ମୁକୁନ୍ଦା ପ୍ରଳମ୍ୱା

ଚାରିବ୍ୟୁହ କରି ଉଠି ସମର କରିବା ।

ଏହିଲାଗେ ଚାଲ ଯିବା ଘେନି ସୈନ୍ୟବଳ

କୃଷ୍ଣବଲ୍ଲଭ ପୁଅଙ୍କୁ ପେଶ ଯମଆଳ ।

 

ମାତା ରାଣ୍ଡୀକୁ ଆଣିଣ ବସାଇବା ଶଳେ

କୃଷ୍ଣବଲ୍ଲଭକୁ ମାରି ଫିଙ୍ଗିଦେବା ଜଳେ ।

ସୁଜାଣ ମନ୍ତ୍ରୀକି କାଟି ବିକୋତି ମାରିବା

କର୍ଣ୍ଣାଟେଶକୁ ସମୁଦ୍ରେ ନେଇ ଡୁବାଇବା ।

 

କରିଦେବା ଗରୁଡ଼କୁ ଛେଦି ବେନିଫାଳ

ନୃସିଂହ ସେନାକୁ ପେଷି ଦେବା ଯମଆଳ ।

ବିପ୍ର ଲୋଚାଏ ଯୁଦ୍ଧକୁ ଥିବେ ସିନା ଆସି

ଆମ୍ଭର ଆଗେ ରହି କି ପାରିବେ ଭରସି ।

 

କ୍ଷତ୍ରିଲୋକ ଜାଣନ୍ତି ନା ସମରର ଭଙ୍ଗି

କେବଳ ବିପ୍ର ପାରନ୍ତି ଏକା ଦାନ ମାଗି ।

କାଲି ପ୍ରଭାତରୁ ଉଛି ବଦରିବା ଯିବା

ତୁମ୍ଭ ଚାରିଅଙ୍ଗ ବଜ୍ର ସମାନ କରିବା ।

 

ଏବେ ଯେଝା ପୁରକୁ ଯେ ସର୍ବେ ଯାଅ ଚଳି

ସୈନ୍ୟ ଅକଳନା ମୋର ଏକେ ମହାବଳୀ ।

ଶୁଣିଣ ସେ ସେନାମାନେ ରାଜା ଆଜ୍ଞା ପାଇ

ଯେ ଯାହା ଘର ମନ୍ଦିରେ ପ୍ରବେଶିଲେ ଯାଇ ।

ସଭାମଧ୍ୟୁ ମୁରାସୁର ଉଠି ସେହିଲାଗେ

ଭିତର ପୁରରେ ଯାଇ ମିଳେ ରାଣୀ ଆଗେ ।

ଦେଖିଣ ମଦନାବତୀ ବାସଜଳ ଆଣି

ପାଦ ପଖାଳି ପିଢ଼ାରେ ବସାଇଲେ ପୁଣି ।

 

ବେନି ଚରଣ ପୋଛିଁ ପଙ୍ଖା ଧରି କରେ

ଆଗରେ ଉଭା ହୋଇଣ ବିଞ୍ଚେ ଧୀରେ ଧୀରେ ।

ଷଡ଼ ରସରେ ସମ୍ପାଦି ଅନ୍ନ ରାନ୍ଧିଥିଲା

ରାଜାର ମନକୁ ମୋହି ତାହା ଭୁଞ୍ଜାଇଲା ।

 

ଆଚମନ ସାରି ରତ୍ନ ପୀଢ଼ାରେ ବସିଲେ

ଏଥୁଅନ୍ତେ ସବୁ ରାଣୀ ଆସି ମିଳିଗଲେ ।

କେ ପାନଦେଇଣ କେହୁ ଗୁଆଦେଇ ଭେଟେ

କେହୁ ଚନ୍ଦନ ଲେପଇ ନେଇ ଭାଲପଟେ ।

 

କେ ଫୁଲମାଳ ନେଇଣ ଖଞ୍ଜେ ମଥାପରେ

କେ ସୁବର୍ଣ୍ଣମାଳା ନେଇ ଲମ୍ୱାଏ କଣ୍ଠରେ ।

ଚନ୍ଦ୍ରହାର ପଦ୍ମହାର ଇନ୍ଦ୍ରନୀଳମଣି

ପତିକି ଭେଟି ଦେଇଣ ମଣ୍ତନ୍ତି ତରୁଣୀ ।

 

ଏ ବିଧି ତେତିଶକୋଟି ମହାଦେଈ ଯାଇ

ସ୍ୱାମୀସେବା ସାରି ପାନକରେ ପାଦଧୋଇ ।

କେ ଓଷ୍ଠ ଧରିଣ କେହୁ ମୁଖେ ଦିଏ ଚୁମ୍ୱ

କେହି କେହି ବୋଲନ୍ତି ଯେ ତୁମ୍ଭେ ଆମ୍ଭ ଜୀବ ।

 

କେହି ଚରଣ ଅଙ୍ଗୁଷ୍ଠି ଧରିଣ ଚାପଇ

କେହି ବା ଇଙ୍ଗୀତ ଭଙ୍ଗୀ ବଚନ ଭାଷଇ ।

ରାଣୀଙ୍କର ଦେଖିଣ ଏ କୌତୁକ ପ୍ରସଙ୍ଗ

ତେତିଶକୋଟି ସ୍ୱରୂପ ଧରି ଦୈତ୍ୟଅଙ୍ଗ ।

 

ପତ୍ନୀ ଗୋଟିକରେ ପତି ଗୋଟି ଗୋଟି ହେଲା

ତେତିଶକୋଟି ରାଣୀଙ୍କ ସଙ୍ଗେ କ୍ରୀଡ଼ା କଲା ।

ମାୟାରେ ବହୁତ ମୁର ହେଲା ମୁରଦୈତ୍ୟ

ରାଣୀଏ ଯେଣୁ ତାହାର ଅଟେ ଅପ୍ରମିତ ।

ନିଜେ ମୁର ଯେ ମଦନାବତୀ ରାଣୀତୁଲେ

ଚଉଷଠି ପରିବନ୍ଧେ ଜଡ଼ିତ ହୋଇଲେ ।

ପୁନରପି ସେ ଦଇତ ହେଲା ଏକରୂପ

କାହାକୁ ଜଣା ନାହିଁ ସେ ମୁରର ସ୍ୱରୂପ ।

 

ଏକା ଜଣକେ ହୋଇଲା ଅନେକ ମୂରତି

ଅସୁରେ ତ କାମରୂପୀ କିସ ନ ଜାଣନ୍ତି ।

ଈଶ୍ୱର ବର ଘେନିଣ ପାଞ୍ଚେ ଯାହା ମନେ

ସେ କଥା ସିଦ୍ଧ କରନ୍ତି ତାର ତ୍ରିଲୋଚନେ ।

 

ମୁର ଦୈତ୍ୟ ପ୍ରାୟ କାର ପ୍ରତିଜ୍ଞା ଯେ ନାହିଁ

ବ୍ରହ୍ମାଙ୍କ ବୀର୍ଯ୍ୟରୁ ସେହି ଅଛି ଜନ୍ମ ହୋଇ ।

ଦୈତ୍ୟ ନୋହିଥିଲେ ଋଷିମଧ୍ୟେ ଲେଖାହୋନ୍ତା

ବିଧାତା ସର୍ଜିବା କଥା କେ ଆନ କରନ୍ତା ।

 

ସ୍ୱଭାବ ତ କାମରୂପୀ ଅଟନ୍ତି ଅସୁର

ମନମଧ୍ୟେ ଘୋଟି ବ୍ୟାପି ବସେ ମୁରାସୁର ।

ମନ ମତ୍ତହସ୍ତୀ ପାରେ ବ୍ରହ୍ମାଣ୍ଡକୁ ଘୋଟି

କ୍ଷଣକରେ ବୁଲି ଆସିପାରେ ନବସୃଷ୍ଟି ।

 

ପାଟମହାଦେଈ ଯେ ମଦନାବତୀ ରାଣୀ

ତା ତୁଲେ ବହୁ ରହସ୍ୟେ କାଟିଲା ରଜନୀ ।

ଅଳପ ରଜନୀ ଥାଉଁ ବସେ ପଲ୍ୟଙ୍କରେ

ଶୟନ ସ୍ଥାନରେ ରାଣୀ ଉଠିଲେ ତତ୍ପରେ ।

 

ସୁବେଶ ବେଶ ହୋଇଣ ସ୍ୱାମୀ ଆଗେ ବସି

ବେନି ଚରଣକୁ ଧରି ପୁଚ୍ଛେ ଶୁଭ୍ରକେଶୀ ।

ବୋଲଇ ସ୍ୱାମୀ ଆଜ ଯେ ସଭା କରିଥିଲ

ସେଠାରେ ରୋଦନ କେତେ କାହିଁପାଇଁ କଲ ।

 

ତହୁଁ ଆସି ଏଠାବରେ କଲ ଯେତେ କର୍ମ

ଅସୁରକୁଳର ତାହା ନୁହଇ ତ ଧର୍ମ ।

ମହାଖଳା ବିଦ୍ୟା ସାଧିଥିବ ଏ ବୋଲନ୍ତି

ଯେତେ ରୂପ ହେଲେ ତାକୁ କେହି ନ ମାନନ୍ତି ।

ତଥାପି ଦେବକୁଳେ କେ ନାହିଁ ଏହାକରି

କେବଳ ବିଷ୍ଣୁ ପାରନ୍ତି ଏହିରୂପ ଧରି ।

ଦଶଅବତାର ହୋଇ ସଂସାରେ ଜନ୍ମନ୍ତି

ନାନାଦି ସ୍ୱରୂପ ଧରି ଦୁଷ୍ଟ ନିବାରନ୍ତି ।

 

ଯାବତ ବହୁତ ରୂପ ବିଷ୍ଣୁଙ୍କୁ ଯେ ସାଜେ

ଆନ ଲୋକ କଲେ ତାକୁ ମନ୍ଦଟି ଉପୁଜେ ।

ବିପରୀତ କଲେ ବୋଲି ସମସ୍ତେ ବୋଲନ୍ତି

ସେହିଠାରୁ ସେ ପ୍ରାଣୀଟି ହୁଏ ବିନଶ୍ୟତି ।

 

ଚକ୍ରବର୍ତ୍ତୀ ରାଜା ହୋଇ କେଡ଼େ କଥା କଲ

ମୋତେ ହେଲେ ଏ କଥା ତ ନ ଦିଶଇ ଭଲ ।

ଏହା ଶୁଣି ମୁରାସୁର ଅଳ୍ପ ମନେ ହସି

ବୋଲେ ଏଥକୁ ଚିନ୍ତା ନ କର ଶୁଭ୍ରକେଶୀ ।

 

ମୋର ପରମାୟୁ ତୁମ୍ଭଙ୍କୁ ପୁଣି ଜଣାଉଛି

ପ୍ରଳୟକାଳ ପର୍ଯ୍ୟନ୍ତି ଥିବି ମୁହିଁ ବଞ୍ଚି ।

ମାନବ ଦେହେ ମୋତେ ନ ପାରେ କେହି ମାରି

କେବଳ ଶ୍ରୀକୃଷ୍ଣଙ୍କୁ ମୁଁ ଏକା ଥାଏ ଡରି ।

 

ସେହି ବିଷ୍ଣୁ ତ ବୈକୁଣ୍ଠେ ରହେମୋତେ ଲୁଚି

ଚିହ୍ନବର୍ଣ୍ଣ ଦୁଇ ତା ନ ଦେଖେ ମୁହିଁ କିଛି ।

କୃଷ୍ଣବଲ୍ଲଭ ପୁଅଙ୍କୁ ବିଷ୍ଣୁ ବୋଲୁଛନ୍ତି

କାଲି ଗଲେ ତାହାଙ୍କୁ ମୁଁ ଆସିବି ନିପାତି ।

 

ମାନବ ବିଷ୍ଣୁ ତ କୃଷ୍ଣବଲ୍ଲଭର ପୁଅ

ତାଙ୍କୁ ଜାଣ ସଖି ରେ ନ ଲାଗେ ମୋତେଭୟ ।

ରାଜାର ମୁଖରୁ ରାଣୀ ଏ ବଚନ ଶୁଣି

ତୁନିହୋଇ ଟିକେ ରହି ପଚାରିଲା ପୁଣି ।

 

ବୋଲେ ଶୁଣ ସ୍ୱାମୀ କହୁଅଛି ଯୋଡ଼ିହସ୍ତ

ପ୍ରତ୍ୟକ୍ଷେ କୃଷ୍ଣବଲ୍ଲଭ ପୁଅ ଜଗନ୍ନାଥ ।

ବିପ୍ର କୁଳରେ ଜନମ ଆସି ହୋଇଛନ୍ତି

ତୁମ୍ଭଙ୍କୁ ମାରିବାକୁ ସେ ମନେ ବିଚାରନ୍ତି ।

ମୋହର ବୋଲ ଘେନି ନ ଯାଅ ଆଜି ଯୁଝି

ଗଲେ ମୃତ୍ୟୁହେବ କହୁଅଛି ଲଗ୍ନ ବୁଝି ।

ରାଣୀ ମୁଖୁ ଶୁଣି ରାଜା ଅନେକ ହସିଲା

ଏ ଛାର କଥା ରେ ସଖି କହିଲୁ ବୋଇଲା ।

 

ଆନ କେହୁ ବୋଲିଥିଲେ ବୁଝି ଯାନ୍ତା ଏବେ

ପଦ୍ମିନୀସ୍ତିରୀ ବୋଲନ୍ତି ତୋତେ ତ ସରବେ ।

ଏ ଘେନି ଏଥର କ୍ଷମା କଲି ମୁଁ ତୋଦୋଷ

ଆନ ହୋଇଥିଲେ ପେଷିଦ୍ୱନ୍ତି ଯମ ପାଶ ।

 

ଏହା ଶୁଣି ମହାଦେଈ ପୁଣି ବଳେ କହି

ସ୍ୱାମୀର କୋପ ତାହାର ମନେ ନ ପଶଇ ।

ବୋଲେ ଶୁଣ ସ୍ୱାମୀ କହୁଅଛି ଆଉ ପଦେ

ବିପ୍ରକୁଳେ ଜନ୍ମ ଆସି ହେଲେଟି ଗୋବିନ୍ଦେ ।

 

ଅନେକ ସ୍ୱରୂପ ହୋଇ ପାରନ୍ତି ଶ୍ରୀହରି

ମତ୍ସ୍ୟ କୂର୍ମ ବରାହ ନୃସିଂହ ରୂପ ଧରି ।

ବାମନ ପରଶୁରାମ ରାମକୃଷ୍ଣ ମୂର୍ତ୍ତି

ବଉଦ୍ଧ କଳକୀ ହୋଇ ଦୁଷ୍ଟ ନିବାରନ୍ତି ।

 

ଏବେ ତ ନୃସିଂହ କୃଷ୍ଣବଲ୍ଲଭର ଘରେ

ଅଛନ୍ତି ଅବତରି ସେ ବ୍ରାହ୍ମଣକୁଳରେ ।

ଏକ ନୃସିଂହ ଆସିଣ ହେଲେ ବିଦ୍ୟାଗୁରୁ

ସତରଲକ୍ଷ ପୁଅଙ୍କୁ ମାଇଲେ ମୋ ଘରୁ ।

 

ବୃକା କାଳକେତୁ ମହୀଦାସ ଯେ ପ୍ରଳମ୍ବା

ମୁକୁନ୍ଦା ଯେ ବୀରଘଣ୍ଟ ମୂଢାସୁର ଅମ୍ବା ।

ଅଲୋପି ସଲୋପି ଜଳଘଣ୍ଟ ମଦନାଶୀ

ଲୋହାସୁର ବଜ୍ରମାଳି ବୀର ରଣକେଶୀ ।

 

ଚନ୍ଦ୍ରମାଳୀ ରଣଜିତ କାଙ୍କୋଳା ଅସୁର

ସ୍ୱର୍ଣ୍ଣକେଶୀ କୃତକେଶୀ ଯେ ଖଡ଼ିକାସୁର ।

ବଟକେଶ୍ୱରୀ ଯେ ବାରିନିଧି ଦୈତ୍ୟବୀର

ସୁନନ୍ଦା ବିରାଜ ଦୈତ୍ୟ ପୁଣି ରୂଢାସୁର ।

ବୀରବର ଶତ୍ରୁଜିତ ଆବର ହିରଣ୍ୟ

ରଣଜୟୀ ବୀରବାହୁ କାଳକେତୁ ଯମ ।

ବଇରି ଦରପହରୀ ଆଉ ବୀରଘଣ୍ଟ

ତିନିମୁଣ୍ଡା କୃତାକଣ୍ଠ ଆବର ବିକଣ୍ଠ ।

 

ଲୋହଚଚୁ ମଦନା ଯେ ବିରାଜ ବିକ୍ଷର

ଏ ଆଦି ସେନା ଯେତେକ କେ କରୁ ଗୋଚର ।

ସଇନ୍ୟଯାକ ମୋହର ମାଇଲେକ ସେହି

ସେନାପତି କରିବାକୁ ଗୋଟେ କେହି ନାହିଁ ।

 

ଦାରୁଣ ଭାଇ ତୁମ୍ଭର ତେଡ଼େ ବଳୀ ଥିଲେ

ଏହି କୃଷ୍ଣବଲ୍ଲଭ ପୋଏଟି ମାଇଲେ ।

ଦେଖୁ ଦେଖୁ ଜାଣୁ ଜାଣୁ ବୁଝୁ ବୁଝୁ ତୁମ୍ଭେ

ପୁଣି ଯୁଝିବାକୁ ବୋଲୁଅଛ ଯିବି ଏବେ ।

 

ଏହା ଶୁଣି ମୁରାସୁର ଉଠି ନିଶମୋଡ଼ି

ବୋଇଲା ସଖି କହୁଛ ଶୁଣ ବାହୁ କୋଡ଼ି ।

କୃଷ୍ଣବଲ୍ଲଭର ପୋଏ ମାରନ୍ତେ କି ମୋତେ

ମାନବ ବିଷ୍ଣୁ ସିନା ସେ ଅଟଇ ଜଗତେ ।

 

ଯେ ମୋତେ ମାରିବ ତାହା କହୁଛି ତୁ ଶୁଣ

ସଦାଶିବ ଯାହା ମୋତେ କହିଛନ୍ତି ପୁଣ ।

ମହାଗୁପ୍ତ କଥା କହୁଅଛି ତୋତେ ଏକ

ତୁ ଅଟୁ ମୋ ପ୍ରାଣମଣି ସ୍ତିରୀଙ୍କ ନାୟକ ।

 

ଆନକୁ ମୁହିଁ କି ତାହା କହନ୍ତି ରେ ସଖି

ଶୁଣିଲେ ଗୁପତେ ଏକା ଥିବୁ ତାହା ରଖି ।

ଯେତେବେଳ ସଦାଶିବ ଦେଲେ ମୋତେ ବର

ବୋଇଲେ ବିଷ୍ଣୁ ହାତରେ ମରିବୁଟି ମୁର ।

 

ତଥାପି ମାନବଦେହେ ବିଷ୍ଣୁ ହେଲେ ଜାଣ

ସେ ମୋତେମାରି କେବେ ନ ପାରିବେଟି ପୁଣ ।

ସସ୍ରେ ପାଦଧରି ଯେବେ ଜନମିବେ ହରି

ସେହି ଏକା ମୋତେ ଜାଣ ପକାଇବେ ମାରି ।

ସଂସାର ଯାକରେ ଯେତେ ଛନ୍ତି ଜୀବଜନ୍ତୁ

କେବେହେଁ କେହି ମୋର କି କରିପାରେ ମୃତ୍ୟୁ ।

ତେତିଶ କୋଟି ଦେବତା ବ୍ରହ୍ମା ସହିତେଣ

ମୋତେ ମାରିବାକୁ କେହି ନାହିଁ ସଂସାରେଣ ।

 

କୃଷ୍ଣବଲ୍ଲଭ ପୁତ୍ରଙ୍କୁ ତେଣୁ ନାହିଁ ଡ଼ର

ବିପ୍ରହସ୍ତେ ମୃତ୍ୟୁ ଲେଖିନାହାନ୍ତି ମୋହର ।

ଏହା ଶୁଣି ମହାଦେଈ ରହେ ତୁନି ହୋଇ

ବୋଇଲା ମୂର୍ଖ ଲୋକଙ୍କୁ ପାରିବ କେ କହି ।

 

ଯାହା ବୁଝିଥାଇ ସେହି କଥା ଏକା ମୂଳ

ମଲା ପର୍ଯ୍ୟନ୍ତ ହୃଦରୁ ନ ଛାଡ଼େ କନ୍ଦଳ ।

ଏଥର ଯୁଦ୍ଧକୁ ଗଲେ ଏ ଆସିବେ ନାହିଁ

ଏଥକୁ ପଚାରିଥିବି କଥାଟିଏ ମୁହିଁ ।

 

ଏ ରୂପେ ମନରେ ପାଞ୍ଚି ସେ ମଦନାବତୀ

ବୋଲେ ଶୁଣ ସ୍ୱମୀ ଏବେ ଦୈତ୍ୟକୁଳପତି ।

ଏଥକୁ କଥା ଏକ ମୁଁ ପଚାରିବି ପରା

ସମର କରିବାକୁ ତ ହେଲ ଏତେ ତ୍ୱରା ।

 

ତହିଁକି ପଚାରିଥିବି କଥା ଏକ ସ୍ୱାମୀ

ଜୀବ କେ ଚିର ହୋଇଣ ନାହିଁଟି ଜନମି ।

ଭଲ ମନ୍ଦ ଦୁଇ କଥା ପ୍ରାଣୀକି ଯେ ଭୋଗ

ଭଲ ଲୋଡ଼ୁଥିଲେ ମନ୍ଦ ପଣ ଆସି ଆଗ ।

 

ଏତେକ ଦିନ ହୋଇଲା ଭଲ ଭୋଗ କଲ |

ଶ୍ରୀନୃସିଂହ ପ୍ରଭୁଠାରେ ଦୋରେହା ନ ଥିଲ ।

ନୃସିଂହ ଛାମୁକୁ ଯାଉଅଛ ଯୁଦ୍ଧ କରି

ଏକା ହୋଇଥିବୁଁ ସିନା ତୁମ୍ଭ ଯେତେ ନାରୀ ।

 

ଭଲ ହେଲେ ଆଚ୍ଛା ମନ୍ଦ ହେଲେ କି କରିବୁଁ

ଆପଣତ କହିଥିଲେ ସର୍ବେ ଶୁଣିଥିବୁ ।

ମୁରାସୁର ବୋଇଲାକ ଶୁଣ ମହାଦେଈ |

ଏଥର ଗଲେ ବଲ୍ଲଭପୁତ୍ର କି ରଖଇ ।

ସେ ଅବା ମୋତେ ମାରୁ ମୁଁ ତାଙ୍କୁ ନିଶ୍ଚେ ମାରି

ଏ କଥା କହି ମୁଁ ଯାଉଅଛି ସତ୍ୟ କରି ।

ଏଥକୁ ପ୍ରମାଣ କହୁଅଛି ଶୁଣ ତୋତେ

ମୃତ୍ୟୁକାଳ ହେଲେ ରଡ଼ି ଛାଡ଼ିବି ଜଗତେ ।

 

ବିଷ୍ଣୁର ସହସ୍ର ପାଦ ଦେଖିବି ଯେ କାଳେ |

ସେହିକ୍ଷଣି ଘୋରରଡ଼ି ଛାଡ଼ିବି ତତ୍କାଳେ ।

ଶୂନ୍ୟରେ ମେଘ ଯେସନେ ମାରେ ଘଡ଼ଘଡ଼ି |

ସେହିରୂପେ ଚମକିଣ ପ୍ରାଣୀ ଯିବେ ପଡ଼ି ।

 

ଶୁଭିବ ସହସ୍ର ଯୂଣ ଯାଏ ରଡ଼ି ମୋର |

ଏ କଥାଟି ହେତୁ ରଖିଥିବୁ ମନେ ତୋର ।

ତେତେବେଳରେ ଜାଣିବୁ ସ୍ୱାମୀ ମୃତ ହେଲା |

ବିଷ୍ଣୁଙ୍କର ହସ୍ତେ ମରି ବୈକୁଣ୍ଠକୁ ଗଲା ।

 

ସେହିଠାରୁ ଦଶକ୍ରିୟା କରିବୁ ତୁ ମୋର |

ତୋ ହସ୍ତେ ପିଣ୍ଡ ପାଇ ମୁଁ ହେବି ଅଜ୍ରାମର ।

ତୋତେ ମୁହିଁ ଅକ୍ଷମାଳା ସନ୍ତକ ଦେଉଛି |

ଏ ମାଳା ଘେନି ସତି ଗୋ ମରିବୁ ମୃଗାକ୍ଷୀ ।

 

ତେତିଶକୋଟି ରାଣୀଏ ସର୍ବେ ମରିବେଟି |

ଏତେକ କଥା ତୋତେ ତ କହେ ସଙ୍କେତଟି ।

ଏତେ କହି ମୁର ଶେଯୁଁ ଉଠେ ଧାତିକାରେ

ରାଣୀମାନେ ଉଠି ଚଳିଗଲେ ଯେଝାପୁରେ ।

 

ଏହିରୂପେ କହି ସୁର ପଲ୍ୟଙ୍କେ ଶୋଇଲା

ସେହିଠାରୁ ରାଣୀମାନେ ଗୋବିନ୍ଦ ସ୍ମରିଲା ।

ତେତିଶକୋଟି ରାଣୀଏ ପହୁଡ଼ିଲେ ଯାଇଁ |

ବିଷ୍ଣୁ ଭଜନ କରିଣ ଶୁଏ ମହାଦେଈ ।

 

ମଦନାବତୀର ଚିତ୍ତ ଜାଣି ନାରାୟଣ |

ଗରୁଡ଼ ଆସନେ ଆସି ମିଳିଲେ ତକ୍ଷଣ ।

ଶଙ୍ଖ ଚକ୍ର ଗଦାପଦ୍ମ ଚତୁର୍ଭୁଜେ ଧରି

ସ୍ୱପନେ ପ୍ରବୋଧ କରି କହନ୍ତି ମୁରାରୀ ।

ବୋଇଲେ ରେ ସାଧିବି ତୁ ଶୁଣ ସୁଲକ୍ଷଣୀ |

ସ୍ୱାମୀର କଥା ଜଣା ତ ହେଲା ତୋତେ ପୁଣି ।

ଏଥକୁ ଶୋଚନା ତୁହି କେବେ ନ କରିବୁ |

ଆର ଜନମେ ଯାଇ ତୁ ଶୁଦ୍ଧାଙ୍ଗନା ହେବୁ ।

 

ତୋର ପରାୟେ ସାଧବୀ ବ୍ରହ୍ମାଣ୍ଡେ କେ ନାହିଁ

ଦରଶନ ପାଇ ମୋତେ ଶୁଦ୍ଧ ହେବୁ ତୁହି ।

ଖୋଜିଲେ ତୋହର ଦେହ ତିଳେନାହିଁ ମାୟା

ମୋତେ ନିନ୍ଦାକଲେ ତୋର କମ୍ପେ ନିଜକାୟା ।

 

ସ୍ୱାମୀ ତୋହରଯେ ନିନ୍ଦାକରେ ଯେତେ ମୋତେ

ତାହାକୁ ତିଆରି ତୁହି କହୁଥାଉ କେତେ ।

ସେ କଥାଯାକ ତାହାର କର୍ଣ୍ଣେ ନ ପଶଇ |

ମାନବ ବିଷ୍ଣୁ ବୋଲି ସେ ମୋତେ ନିନ୍ଦୁଥାଇ ।

 

ତୋହର ଧର୍ମ କର୍ମୁ ସେ ଆଜିଯାଏ ଥିଲା |

ଏବେ ତ କନ୍ଧରୁ ତାର ଶିରୀ ଛାଡ଼ିଗଲା ।

ଅନେକ ସ୍ୱରୂପ ବହି କ୍ରୀଡ଼ା କଲା ଯେଣୁ |

ମରିବ ତିନିଦିନରେ କହିଲିଟି ତେଣୁ ।

 

ଏଥକୁ ମନେ ଶଙ୍କା ନକର ଏବେ ତୁହି |

ଦେହାନ୍ତେ ବୈକୁଣ୍ଠେତୋତେ ରଖିବଇଁ ନେଇ ।

ଶୁଣିଣ ମଦନାବତୀ ଯୋଡ଼େ ବେନିକର |

ବୋଲେ ବିଧବା ବୋଲିଣ କହିବେଟି ନର ।

 

ନାରାୟଣ ବୋଇଲେକ ଶୁଣ ମହାଦେଈ |

ଏକଦଶାହ ମଧ୍ୟେ ଯେ ସ୍ତିରୀ ମରିଯାଇ ।

ବିଧବା ଦୋଷ ତାହାକୁ କେବେହେଁ ନ ଲାଗେ

ଏହିକଥା ବିହି ଲେଖାଅଛି ବେଦମାର୍ଗେ ।

 

ପ୍ରଥମଦିନୁ ଏଗାରଦିନ ପରିଯନ୍ତେ

ମୃତାହରେ ପିଣ୍ଡଦାନ ଦିଅନ୍ତି ଜଗତେ ।

ଏଣୁ ଏହି ଏକାଦଶ ଦିନଯାକ ସରି

ବିଧବା ଦୋଷ ନାହିଁଟି ଏଥେଁ ଗଲେ ମରି ।

ସୁଲଭ ସ୍ତିରୀ ତୁଲେ ସେ ସ୍ତିରୀ ଲେଖାହୁଏ |

ଯୋଗାଗ୍ନି ବଳରେ ଏକା ଛାଡ଼ିଥିବ କାୟେ ।

ଶ୍ରୀମୁଖ ବଚନ ଆଜ୍ଞା ଏରୂପରେ ଶୁଣି |

କରପତ୍ର ଯୋଡ଼ିଣ ଯେ ପୁଚ୍ଛେ ପୁଣି ରାଣୀ ।

 

ବୋଇଲେକ ସାବଧାନେ ଶୁଣ ନାରାୟଣ |

ବିଧବା ନୋହୁଣୁ ତେବେ ଛାଡ଼ିବି ମୋ ପ୍ରାଣ ।

ନାରାୟଣ ବୋଇଲେ ଗୋ ଏମନ୍ତ ନୁହଇ |

ସ୍ୱାମୀ ନିମନ୍ତେ ତୋହର କଥାଏ କହଇ ।

 

ବଡ଼ଲୋକ ଜଣେ ସେହୁ ନୁହଇ କି ହେଲେ

କାହିଁପାଇଁ ଅମେଧ୍ୟ ସେ ହେବି ମରିଗଲେ ।

ପୁତ୍ର ହୋଇଣ ଜଣେ କେ ଥାନ୍ତା ଯେବେ ତାର

କରନ୍ତାଟି ଦଶକ୍ରିୟା କର୍ମ ସେ କୁମର ।

 

ବୁଝିଲେ ତାହାର ତୁହି ଅଟୁ ଅର୍ଦ୍ଧ ଅଙ୍ଗ |

ତୁହି ପିଣ୍ଡଦାନ ଦେଲେ ବସିବ ସେ ସ୍ୱର୍ଗ ।

ତହିଁ ଉତ୍ତାରୁ ତୁହି ଯେ ଏକାଦଶ ଦିନେ |

ଆନନ୍ଦମନା ହୋଇଣ ଯିବୁ ନିଜସ୍ଥାନେ ।

 

ପୁଷ୍ପକ ବିମାନେ ବସି ମୋ ବୈକୁଣ୍ଠେ ଯିବୁ |

ଏହିରୂପେ ଆଜ୍ଞା ଦେଇ ଗଲେ ମହାପ୍ରଭୁ ।

ଶ୍ରୀନୃସିଂହ ଚରଣରେ ସଦା ମୋର ଆଶା

ଦିନରାତି ଭଜେ ହରି ପୀତାମ୍ବର ଦାଶ ।

 

Unknown

ସୈନ୍ୟମାନଙ୍କ ସହିତ

ମୁରାସୁରର ଯୁଦ୍ଧଯାତ୍ରା

ଏଥୁଅନନ୍ତରେ ରାତ୍ରି ହେଲା ଆସି ଶେଷ

ଦେବଆଳମାନଙ୍କରେ ଶୁଭେ ଶଙ୍ଖ ଘୋଷ ।

ଶଯ୍ୟା ତେଜି ମୁରାସୁର ଉଠେ ଧାତିକାରେ

ମହାଦେଈମାନେ ଉଠି ଗଲେ ଯେଝାପୁରେ ।

ଯାବତ ନିତ୍ୟକର୍ମ ସାରି ଦୈତ୍ୟରାଜା

ଦ୍ୱାରୀକି ଆଜ୍ଞା ଦେଲାକ ଟମକ ତୁ ବଜା ।

ବଦରିକା ଦେଶଯାଏ ଯିବା ଯୁଦ୍ଧକରି

କୃଷ୍ଣବଲ୍ଲଭ ପୁତ୍ରଙ୍କୁ ଆସିବା ଯେ ମାରି ।

 

ଏହା ଶୁଣି ଦ୍ୱାରପାଳ ଟମକିଆ ରାଇ

ବୋଇଲାକ ଟମକକୁ ବଜା ବେଗେ ରହି ।

ଶୁଣି ଟମକିଆ ବେଗେ ବଜାଏ ଯେ ବାଦ୍ୟ

ତିନିପୁରଯାଏ କମ୍ପିଗଲା ସେ ଶବଦ ।

 

ସେହି ଟମକର ନାମ ବେରୀ ଅନ୍ତକାରୀ

ଶୁଣିଲେ ତରସ୍ତ ହୋଇ ଯାଆନ୍ତି ବଇରୀ ।

କନକାବତୀ ନଗରେ ଥିଲେ ଯେତେ ଥାଟ

ସଜ ହୋଇ ଆସି କଲେ ରାଜାଙ୍କୁ ସେ ଭେଟ ।

 

ଦରଶନମାନ କରି ଅଗ୍ରେ ହେଲେ ଉଭା

ସଭା ପୁର୍ଣ୍ଣ ହୋଇବାରୁ ଦିଶିଲାକ ଶୋଭା ।

ମୁରାସୁର ବୋଇଲାକ ସର୍ବେ ଆସିଲକି

ଗଲେ ନରସିଂହ ସଙ୍ଗେ ଯୁଝିବା ନାହିଁ କି ।

 

ବୁଝିବା କି ରୂପେ ମୋର ଆଗୁଁ ଯିବ ବଞ୍ଚି

ଦାରୁଣ ପ୍ରାୟ ସେ ମୋତେ ମନରେ ପାଞ୍ଚିଛି ।

ଦାରୁଣ ଭାଇକି ମୋର ମାରେ କରି କୂଟ

ସେହିରୂପେ ପାଞ୍ଚିଅଛି ବୁଝିବା ତା ଆଣ୍ଟ ।

 

ସତରଲକ୍ଷ ପୁତ୍ର ମୋ ମାରିଗଲା କୂଟେ

ସେହିରୂପେ ପାଞ୍ଚିଅଛି ଯୁଝିବା ନା ଆଣ୍ଟେ ।

ସତରଲକ୍ଷ ପୁତ୍ର ମୋ ମାରିଗଲା ପ୍ରାୟ

ସେହିରୂପେ ମୋତେ ବୁଝିଅଛି ଖଗରାୟ ।

 

ତଥାପି ଦେବତା ମୋତେ କୂଟ୍ଟ ବିଚାରିଲେ

ବଲ୍ଲଭର ଘରେ ଆଣି ବିଷ୍ଣୁଜାତ କଲେ ।

ସବଂଶଯାକ ମୋର ଯେ ବ୍ୟର୍ଥେ ଗଲେ ମାରି

ସୁବିଜ୍ଞ ମନ୍ତ୍ରୀ ମରିଲା ବିଷ୍ଣୁ ଧ୍ୟାନ କରି ।

ସେନାପତିମାନଙ୍କର କହିବି କି ଗୁଣ

ସେମାନେ ତ ମରିଗଲେ ଫେରି ନ ଆସିଣ ।

ଏତେ ବୋଲି ମୁରାସୁର ସିଂହାସନ ଛାଡ଼ି

ସୁବର୍ଣ୍ଣ ପୀଢ ଉପରେ ବସେ ନିଶମୋଡ଼ି ।

 

ମୁକୁନ୍ଦା ପ୍ରଳମ୍ବା ପୁଣି ବିରାତି ମୂଢାସୁର

ମୁରକୁ ଦର୍ଶନ କଲେ ଯୋଡ଼ି ବେନିକର ।

ରାଜା ବୋଇଲାକ ତୁମ୍ଭେ ଶୁଣ ଚାରିସେନା

ତୁମ୍ଭର ଯେ କରାମତ ସବୁ ମୋତେ ଜଣା ।

 

ପରବତ ଟାଳିପାର ଅବଧି ଶୋଷି ପାର

ତୁମ୍ଭ ପ୍ରାୟ ଯୋଦ୍ଧା କେ ନ ମିଳେ ତିନିପୁର ।

ବଳରେ ବଡ଼ ବଳିଷ୍ଠ ଅଟ ତୁମ୍ଭେ ଚାରି

ତୁମ୍ଭ ଆଗେ ଇନ୍ଦ୍ର ତ ନ ପାରେ ଯୁଦ୍ଧକରି ।

 

ଷୋଳପଦ୍ମଯାଏ ମୋର ଛନ୍ତି ମତ୍ତହସ୍ତୀ

ଗଜ ବାହନରେ ବସ ହୋଇ ବୀରମୂର୍ତ୍ତି ।

ମହାସମର ଘେନିଣ ସର୍ବେ ହୁଅ ସଜ

ବଦ୍ରିକାନଗର ଖଣ୍ଡ ଭାଙ୍ଗିଦେବା ଆଜ ।

 

ସ୍ରୋତେ ଫିଟା ଡ଼ଙ୍ଗା ପ୍ରାୟ ସର୍ବେ ଚଳିଯାନ୍ତୁ

ପୁରୁଷ ହୋଇ ଜଣେ କେ ନଗ୍ରେ ନ ରହନ୍ତୁ ।

କେବଳ  ଦ୍ୱାରୀମାନେ ଥାନ୍ତି ଦ୍ୱାର ଜଗି

ମୁଁ ନ ଥିଲେ ପୁରେ ମୋ ନ ପାରେ ପଶି ଯୋଗୀ ।

 

ମାଛି ଉଡ଼ିଗଲେ ଯହିଁ ହେବ ନବଖଣ୍ଡ

ମୋ ନାମ ମହିମା ଏଡ଼େ ଅଟଇ ପ୍ରଚଣ୍ଡ ।

ଆଜି ଗଲେ କାଲିକି ତ ଆସିବା ବାହାରି

କୃଷ୍ଣବଲ୍ଲଭ ପୁଅଙ୍କୁ ପେଷି ଯମପୁରୀ ।

 

ବଦ୍ରିକାନଗର ଟାଳି ଗଙ୍ଗାରେ ଫିଙ୍ଗିବା

ନଗ୍ରଲୋକଙ୍କୁ ମାରିଣ ଅନଳେ ପୋଡ଼ିବା ।

ଚାରିପଦ୍ମ ସୈନ୍ୟ ଯାନ୍ତୁ ସେନାପତି ପଣେ

ଚାରିପଦ୍ମ ଅଶ୍ୱ ଚଢି ଚାଲ ଜଣେ ଜଣେ ।

ଚାରିପଦ୍ମ କରୀବର ମଣ୍ଡି କରି ଆଗେ

ଚାରିପଦ୍ମ ରଥ ଚଢି ଚାଲ ଯେଝା ମାର୍ଗେ ।

ଘଣ୍ଟି ଘାଗୁଡ଼ିମାନଙ୍କୁ ହସ୍ତ ଅଙ୍ଗେ ମଣ୍ଡି

ଚାରିପାଖେ ବେଢଯାଇଁ ବଦରିକା ଖଣ୍ଡି ।

 

ରାଜାବାକ୍ୟେ ହସ୍ତିଯାକ ମଣ୍ଡିଲେ ସୁବର୍ଣ୍ଣେ

ଘଣ୍ଟି ଘଣ୍ଟା ଘାଗୁଡ଼ି ଯେ ଖଞ୍ଜିଲେ ଯତନେ ।

ରଙ୍ଗ ଶୁକ୍ଳ କଳାବର୍ଣ୍ଣେ ଚିରାଳ ଉଡ଼ଇ

ଚିରାଳ ଛାଇରେ ସୂର୍ଯ୍ୟ ତେଜ ନ ପଡ଼ଇ ।

 

ସୁବର୍ଣ୍ଣର ଛତିମାନ ଟେକି ହସ୍ତୀପରେ

ଷୋଳପଦ୍ମଯାଏ ଛତ୍ର ହୋଇଲା ଲେଖାରେ ।

ମୁକୁତା ହୀରା ଝରା ଯେ ସ୍ୱର୍ଣ୍ଣ କେରା କେରା

ଛତ୍ର ଚାରିପାଖେ ଲମ୍ବ ଦିଶେ ହୋଇ ତୋରା ।

 

ସୁବର୍ଣ୍ଣ ସୂତାରେ ଗୁନ୍ଥି ମୁକ୍ତା ପୁଞ୍ଜି ପୁଞ୍ଜି

ଛତ୍ର ଚୌପାଶେ ଲମ୍ବାଇ ଅଛନ୍ତି ସେ ଖଞ୍ଜି ।

ହୀରା ନୀଳା ମୁକୁତା ଯେ ମାଣିକ୍ୟ ବୈଦୁର୍ଯ୍ୟ

ଛତ୍ର ମଣ୍ଡି କରି ମଣ୍ଡି ଦେଲେ ଅଶ୍ୱଗଜ ।

 

ନୀଳବର୍ଣ୍ଣ ଶୁକ୍ଳ କଳାରଙ୍ଗବର୍ଣ୍ଣ ଶାଢୀ

ପଦ୍ମ ପୁଷ୍ପ ପ୍ରାୟ ଗଢି କାଢିଲେ ପାଖୁଡୀ 

ସାକ୍ଷାତରେ ପଦ୍ମପ୍ରାୟ ଦିଶେ ଫୁଟି ପ୍ରଭା

କି ଉପମା ଦେବେ ଏଡ଼େ ପ୍ରକାଶଇ ଶୋଭା

 

ଷୋଳପଦ୍ମ ଯାଏ ହୀରା କମରେ ନିର୍ମାଣି

ଦେଲେ ହସ୍ତୀ କପୋଳରେ ଚିତା ପ୍ରାୟେ ଆଣି ।

ହୀରାମୟ ହେତୁ ପୃଥ୍ୱୀ ଦିଶେ ତେଜୋମୟ

ଏରୂପେ ବେଶ କରି କେ ନାହିଁ ନା ପରାୟ ।

 

କେଡ଼େ କେଡ଼େ ରାଜାମାନେ ସଂସାରରେ ଥିଲେ

ଏଡ଼େସମ୍ଭାରେ ବାହାରି ନାହିଁ ଜଣେ ହେଲେ ।

ଖଣ୍ଡାଶାବେଳୀ ଚଡ଼କ ଛୁରୀ ବଜ୍ରବାଣ

ବାଟୁଳି କାଣ୍ଡ ଗୁଳିରେ ପୁରାଇଣ ତୂଣ ।

ଖଡ଼୍ଗ ଗଦା ଚକ୍ର ପୁଣି ମହା ବଜ୍ରଶର

ବ୍ରହ୍ମାଶର ରୁଦ୍ରଶର କାଳ ମୁଦୁଗର ।

ମାଲବିନ୍ଧାଣ ଆଦି ଯେ ଧରଣୀ କୁଳିଶ

କାଳପାଶ ଯମପାଶ ଆଉ ନାଗପାଶ ।

 

ମନଭେଦୀ ଶବ୍ଦଭେଦୀ ଦୃଷ୍ଟିଭେଦୀ ଯାଏ

ମଞ୍ଚଭେଦି ଶୂନ୍ୟଭେଦୀ ପାତାଳ ଯେ ଲୟେ ।

ବାବଲ ପାଶୁପତ ଯେ ଏକନଦୀ ଶର

କାଳଚକ୍ର ପର୍ଶୁ ଚକ୍ର ଧଇଲେ ଅସୁର ।

 

କାଇକାଛି ଲାଙ୍ଗଟାକୁ ପିନ୍ଧି ହେଲେ ସଜ

ରାଜା ଛାମୁରେ ଉଭାରି ରହିଲେ ଦନୁଜ ।

ତାହା ଦେଖି ମୁରାସୁର କଲା ବଡ଼ ଶ୍ରଦ୍ଧା

ବୋଇଲା ଏ ସମୟକୁ ଥିଲେ ଭଲ ଯୋଦ୍ଧା ।

 

କାଙ୍କୋଳା ଅସୁର ଆଦି ଯେତେ ସୈନ୍ୟଥିଲେ

ଏଡ଼େ ସମ୍ଭାର କାହାର ଦେଖିନାହିଁ ଭଲେ ।

ଏବେ ମୋତେ ଘେନି ତୁମ୍ଭେ ସାହାପକ୍ଷ ହୋଇ

କୃଷ୍ଣବଲ୍ଲଭ ପୁଅଙ୍କୁ ମାରି ଆସ ଯାଇଁ ।

 

ମୁକୁନ୍ଦା ବରଜା ମୂଢା ପ୍ରଳମ୍ବା ଅସୁର

ବେଢିବ ବଦ୍ରିକାନଗ୍ର ଯାଇ ଗଡ଼ଦ୍ୱାର ।

କପାଟ ନ ଫିଟୁଣୁ ଯେ ଥିବ ବୁଡ଼ାହୋଇ

ପାହାନ୍ତି ଅବକାଶରେ ପଶିବା ଧସାଇ ।

 

ଯେ ଆଗ ପଡ଼ିବ ତାକୁ ମାରି ପକାଇବ

ବଳ ନ ପାଇଲେ ଆସି ମୋତେ ବାର୍ତ୍ତାଦେବ ।

ମୁଁ ତୁମ୍ଭର ପଛେ ଥିବି ହୋଇ ପଛିଆଣି

ସଙ୍ଗେ ଥିବେ ବଳ ମୋର ବାଇଶି କ୍ଷଉଣୀ

 

ଲକ୍ଷେକ ବିମଳ ଥିବ ଲକ୍ଷେ ପାଟଛତ୍ରୀ

ଲକ୍ଷେକ ଆଲମ୍ବ ଉଡ଼ୁଥିବ ଚଉକତି ।

ଲକ୍ଷେକ ମର୍ଦ୍ଦଳ ଘଣ୍ଟା ବାଜୁଥିବ ଆଗେ

ଲକ୍ଷେ ସ୍ତିରୀ ଗାଉଥିବେ ଯେ ଗାନ୍ଧାର ରାଗେ ।

ଲକ୍ଷେକ ଦାସୀ ସେବାରେ ସଦାଥିବେ ଲାଗି

ଲକ୍ଷେକ ବୀର କାହାଳୀ ବାଜୁଥିବ ବେଗି ।

ଲକ୍ଷେକ ଶଙ୍ଖ ଲକ୍ଷେକ ମହୁରୀ ବାଜିବ

ଲକ୍ଷେକ ଟମକ ବାଦ୍ୟ ଆଗେ ବାଜୁଥିବ ।

 

ନକ୍ଷେକ ଘୁମୁରା ବାଜୁଥିବ ଲକ୍ଷେ ଢୋଲ

ଲକ୍ଷେକ ଦମାଲୁ ବାଜୁଥିବ ଦଲ ଦଲ ।

ଲକ୍ଷେ ସ୍ୱର୍ଣ୍ଣବଂଶୀ ଲକ୍ଷେ ବାଜିବ ଘୁମୁରା

ଲକ୍ଷେକ ଡ଼ଣ୍ଡିମ ଲକ୍ଷେ ବାଜିବ ନାଗରା ।

 

ଯୁଦ୍ଧକୁ ଯାଇଣ ମୋର ମଲେ ଯେତେ ସୈନ୍ୟ

ଲକ୍ଷେକ ପଦ୍ମ ଯାଏ ସେ ହୋଇବେ ଲିଖନ ।

ଏବେ ତ ସୈନ୍ୟ ମୋହର ଛନ୍ତି କେତେ ପୂରି

ଦଶ ଯୂଣ ମାଡ଼ି ଚଳିଯିବେ ବସୁନ୍ଧରୀ ।

 

ବାଟରେ ଚାଲନ୍ତେ ବଣ ଡ଼ିଙ୍ଗର ଭାଙ୍ଗିବ

ନିଃଶ୍ୱାସର ଘାତେ ବୃକ୍ଷେ ଭଙ୍ଗିଣ ପଡ଼ିବ ।

ବଲ୍ଲଭ ପୁତ୍ରେ ନାହାନ୍ତି ସଇନ୍ୟ ଅରଜି

ଥୋକାଏ ବ୍ରାହ୍ମଣ ଘେନି ଆସିଛନ୍ତି ଯୁଝି ।

 

ଶତେ ବା ବିଶାଶତେ ସେ ଥିବେ ସିନା ଆସି

ନିପ୍ରୋହି ମାର ତାହାଙ୍କୁ ରଣେ ତୁମ୍ଭେ ପଶି ।

ସୁଲଗ୍ନେ ସେ ବୋଲି ଦେଲା ସମସ୍ତଙ୍କୁ ଆଜ୍ଞା

ଶତ୍ରୁଙ୍କୁ ମାରିଣ ସେ ଯେ ରଖିବେ ପ୍ରତିଜ୍ଞା ।

 

ଏତେ ବୋଲି ମୁରାସୁର ଚିନ୍ତେ ରହୁବର

ମିଳିଲା ବିଜୟାରଥ ଆସି ତତପର ।

ସୂର୍ଯ୍ୟଜ୍ୟୋତି ପ୍ରାୟେ ଦିଶେ ତାହାର ସ୍ୱରୂପ

ପୃଥିବୀ ଆଲୋକମୟ ପ୍ରକାଶଇ ରୂପ ।

 

ସ୍ଵର୍ଗଦେବତା ଶସ୍ତ୍ରରେ ମଣ୍ଡଣି ଯେ ହୋଇ

ସଂସାର ଜିଣି ପାରଇ ତହିଁ ଯେ ବସଇ ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳକୁ କ୍ଷଣେ ପାରେ ବୁଲି

ତହିଁରେ ବସିଥିଲେ ନ ଲାଗେ ଶତ୍ରୁଜାଲି ।

ଆତଙ୍କକାଳେ ପୁଣି ସେ ରଥେ ବସିଥିଲେ

କେତେବେଳେ ଭୟ ତାକୁ ନ ଲାଗେ ଯୁଝିଲେ ।

ତେଣୁ ସେହି ରଥ ଚିନ୍ତି ବସେ ମୁରଦୈତ୍ୟ

ଦିଗ ବିଜେକାଳେ ବସି ବୁଲଇ ଜଗତ ।

 

ପଞ୍ଚମ ଖଣ୍ଡରେ ବସି ଯୁଦ୍ଧକୁ ସେ ଗଲା

ଆନନ୍ଦବନ ଟାଳିଣ ସ୍ଵର୍ଗେ ଫିଙ୍ଗି ଦେଲା ।

ତତ୍କାଳେ ସିଦ୍ଧ କରିଣ ଆସିଲା ବାହାରି

ଏହାର ପ୍ରାୟ ରଥ ନ ମିଳେ ତିନିପୁରୀ ।

 

ଚିନ୍ତିଲାକ୍ଷଣି ଆସିଣ ମିଳେ ରହୁବର

ଶ୍ରୀ ନୃସିଂହ ଶରଣ ମୁଁ ବିପ୍ର ପୀତାମ୍ବର ।

 

ମୁରାସୁର ଯୁଦ୍ଧଯାତ୍ରା

ବନ୍ଦଇ ଶ୍ରୀ ନରସିଂହ କମଳା ବିଳାସ

ନୃସିଂହ ଗ୍ରନ୍ଥର ପଦ ହେବ ମୋତେ ଦୃଶ୍ୟ ।

ତବ ଆଜ୍ଞା ରୁ ମୁଁ ପାରୁଅଛି ପଦ କରି

ପଦ୍ମକଳ୍ପ ପୁରାଣର ମହିମା ବିସ୍ତାରି ।

 

ଏ ଗ୍ରନ୍ଥଯାକ ନାରଦ ସବୁ ଶୁଣିବାରୁ

ପ୍ରଚ୍ଛନ୍ନ କରି ବିଧାତା କହେ ପୁରାଣରୁ ।

ନାରଦ ଶୁଣିବା ଅର୍ଥେ ପରୀକ୍ଷିତ ଆଗେ

ପଦେ ନ ଛାଡ଼ି କହନ୍ତି ଶୁକ ଶାସ୍ତ୍ରମାର୍ଗେ ।

 

ଅଶେଷ କୋଟି ବ୍ରହ୍ମାଣ୍ଡ ନୃସିଂହ ଠାକୁର

ମୁରର ସମାନ ଯୁଦ୍ଧ କରିବେ ଅପାର ।

ନୃସିଂହ ପୁରାଣ ଏହା ଷଷ୍ଠଖଣ୍ଡ ବାଣୀ

ଧାତାଙ୍କ ମୁଖୁଁ ନାରଦ ଯାଇଛନ୍ତି ଶୁଣି ।

 

ପଦ ପଦକେ ଅମୃତ ଅଟେ ଏହୁ ରସ

ଶୁଣେ କର୍ଣ୍ଣପଥେ ଯେହି ବଢ଼େ ତାର ବଂଶ ।

 

ଏ ସଂସାରେ ଯେତେ ଲୋକ ବିଷ୍ଣୁ ଅଂଶେ ଜାତ

ତାହାଙ୍କୁ ପଣ୍ଡିତେ ବୋଲିଛନ୍ତି ଭାଗ୍ୟବନ୍ତ ।

 

ଭାଗ୍ୟବନ୍ତ ଲୋକ ଏକା ପୁରାଣକୁ ଶୁଣେ

ଶ୍ରୀଜଗନ୍ନାଥଙ୍କ ସେବା କରେ ଅନୁକ୍ଷଣେ ।

ପଦାର୍ଥ ଅର୍ଜିବା ଲୋକ ଭାଗ୍ୟବନ୍ତ ନୋହି

ବିଷ୍ଣୁ ଭଜନ ଲୋକକୁ ଭାଗ୍ୟବନ୍ତ କହି ।

 

ଦେବା ଦୟା ଧର୍ମ ଯାର ଅଛଇ ସଂସାରେ

ସେହି ଭାଗ୍ୟବନ୍ତ ବୋଲି ବୋଲାଏ ଲୋକରେ ।

ଭାଗ୍ୟବନ୍ତ ପ୍ରାଣୀ ଯେଉଁ ଗ୍ରାମ ମଧ୍ୟେ ଥାଇ

ସେ ଗ୍ରାମ –ଲୋକର ପୁଣ୍ୟ କହି ନ ହୁଅଇ ।

 

ବୁଝିଲେ ତ ଦ୍ରବ୍ୟଯାକ ବିଷ୍ଣୁ ଭଣ୍ଡାରଟି

ଭାଗ୍ୟବନ୍ତ ଲୋକ ବ୍ୟୟ କରେ ତାହା ବାଣ୍ଟି ।

ଆସିଲା ବେଳରେ ମାତା ଗର୍ଭୁ ଆସେ ଏକା

ଗଲାବେଳେ ଧରିଯାଏ ବହୁତ ସେ ଟଙ୍କା ।

 

ଶ୍ରୀବିଷ୍ଣୁଙ୍କୁ ଭଜୁଥିଲେ ସଙ୍ଗେ ତାହା ନିଏ

ଏଣୁ ତାଙ୍କୁ ଭାଗ୍ୟବନ୍ତ ବୋଲି ସର୍ବଦାଏ ।

ମହା ପୁଣ୍ୟଗ୍ରନ୍ଥ ଏହି ନୃସିଂହ ପୁରାଣ

ମୁରାସୁର ଯୁଦ୍ଧ ଏବେ ପରିମାଣି ଶୁଣ ।

 

ଚାରିଭାଗ କରିଣ ସେ ସୈନ୍ୟ ଦେଲା ବାଣ୍ଟି

ଚଳିଗଲେ ଚାରିସେନା ପୃଥ୍ଵୀଯାକ ଘୋଟି ।

ଲେଖାରେ ଯେ ଚାରିପଦ୍ମ ଜଣଙ୍କର ସୈନ୍ୟ

ଷୋଳପଦ୍ମ ସୈନ୍ୟ ଉଠି ଚଳିଲେ ବହନ ।

 

ଘୁମୁ ଘୁମୁ ହୋଇ ଆଗେ ବାଜଇ ଘୁମୁରା

ଢ଼ୋଲ ଦମା ଟମକ ଯେ ଶୁଭେ ଆଗେ ତ୍ଵରା ।

ଶଙ୍ଖ ଘିଡ଼ି ଘିଡ଼ି ଦୁଲୁ ଦୁଲୁ ଯେ ଦମାଲୁ

ମେଦିନୀ କମ୍ପୁ ଅଛଇ ଦୈତ୍ୟବଳ ଚାଲୁଁ ।

 

 

କନକାବତୀ ନଗରେ ଯେତେ ସ୍ତିରୀ ଥିଲେ

ମୁରାସୁର ଥାଟ ଦେଖି ଚମତ୍କାର ହେଲେ ।

ବୋଇଲେ ଏତେ ସୈନ୍ୟ ଏ ରଖିଥିଲା କାହିଁ

ଗଣ୍ଡମାଳା ପୋକ ପ୍ରାୟ ବାହିରିଲେ ଏହି ।

 

କେତେ ଅଶ୍ଵ କେତେ ହସ୍ତୀ କେତେ ସୈନ୍ୟଅଛି

କେତେ ଅବା ମରିଛନ୍ତି କେ ତାହା ଗଣିଛି ।

ଭଲା ସେ ନୃସିଂହ ପ୍ରଭୁ ପକାନ୍ତି ଯେ ମାରି

ଗଲା ଲୋକ ଆସୁନାହିଁ ଗୋଟିଏ ଉବୁରି ।

 

ବିଷ୍ଣୁ ନୋହିଲେ ଆନ କେ ତୋତେ ସଂହାରନ୍ତା

ଦେବତା ହୋଇଲେ ଦେଖି ଡ଼ରିଣ ପଳାନ୍ତା ।

ମୁର ଦୈତ୍ୟ ପ୍ରାୟ ରାଜା ନାହିଁ କେ ତ୍ରିପୁରେ

ଏଡ଼େହେଁ ପ୍ରତିଜ୍ଞାବନ୍ତ ହେବ କେ ସଂସାରେ ।

 

ଆଜିଠାରୁ ଯେତେ ରାଜା ଥିଲେ ପୂର୍ବକାଳେ

ଏଡ଼େ ପ୍ରତିଜ୍ଞା କରି କେ ନାହିଁ ରବିତଳେ ।

ଈଶ୍ଵର ବର ପାଇ ଏ ଏତେ ଭୋଗ କଲା

ବ୍ରହ୍ମାଙ୍କ ବୀର୍ଯ୍ୟରୁ ପୁଣି ଜନ୍ମିଛି ଏ ଭଲା ।

 

ମନ୍ଦଲଗ୍ନ ସକାଶରୁ ହେଲା ଦୈତ୍ୟବୁଦ୍ଧି

ଦୁଷ୍ଟପଣରୁ ଗଲା ଏ ତିନିପୁର ସାଧି ।

ତଥାପି ଦୁଷ୍ଟଲୋକକୁ ପୃଥ୍ଵୀ ନ ସହଇ

ବୁଦ୍ଧିବଳ ପରାୟ ସେ କାଳେ ଛିଡ଼ିଯାଇ ।

 

ଲୋକ ଯାହାକୁ ଡ଼ରନ୍ତି ଚିତ୍ତେ ଅନୁକ୍ଷଣେ

ଅକାଳ ଚଡ଼କ ତାକୁ ପଡ଼େ ତତକ୍ଷଣେ ।

ଏ କଥା ଗୋଟିକ ଧ୍ରୁବ ଅଟଇ ପ୍ରମାଣ

ସବୁରି ଅସନ୍ତୁଷ୍ଟରେ ଲଭେ ମୃତ୍ୟୁ ଜାଣ ।

 

ବଡ଼ପଣ ପାଇ ଭଲ ମନ୍ଦ ନ ଚିହ୍ନଇ

ବୟସ ମତ୍ତଗର୍ବରେ ପ୍ରାଣୀକି ଦଣ୍ଡଇ ।

ଯାହାକୁ ସଂସାରେ ଡ଼ରୁଥାନ୍ତି ଜନପୁଟ

ତାହାକୁ ନିଶ୍ଚେଁ ପ୍ରମାଦ ପଡ଼ଇ ସଙ୍କଟ ।

ଏହିପରି ନଗ୍ରଲୋକେ ହ୍ଵନ୍ତି କୁହାକୁହି

ବୋଲନ୍ତି ବ୍ୟର୍ଥରେ ମୁର ଯାଏ ଯୁଦ୍ଧପାଇ 

ନୃସିଂହ ପ୍ରଭୁ ଅଟନ୍ତି ଯେବଣ ଶ୍ରୀହରି

ଦୁଃଖୀ ଲୋକର ଆଗେ ସେ ଶୁଣନ୍ତି ଗୁହାରି ।

 

ସେ ପ୍ରଭୁ ପୁଣି ଆସିଣ ବଦରିକା ଦେଶେ

ମାନବକୁଳରେ ଜନ୍ମିଛନ୍ତି ଜଗଦୀଶେ

ସେ ପ୍ରଭୁଙ୍କୁ ଦେଖି ଏହୁ ସବୁବେଳେ ନିନ୍ଦି

କେସନେ ମାରିବି ବୋଲି ମରେ ହୋଇ ଧନ୍ଦି ।

 

ମାନବବିଷ୍ଣୁ ବୋଲିଣ କେବେ ମାନୁନାହିଁ

ଯୁଝୁ ଅଛି ବଳେ ପଶି ବିଷ୍ଣୁ ସଙ୍ଗେ ଯାଇ ।

ଦେଖୁ ଦେଖୁ ତେଡ଼େ ସଙ୍ଗସରି ଭାଇ ମଲା

ପୁତ୍ର ନାତି ସେନା ସୈନ୍ୟ ସବୁ କ୍ଷୟ ଗଲା ।

 

ସେହି କଥା ଜାଣୁ ଜାଣୁ କି ବୋଲ ଏବେ ଦେଖ

ମୃତ୍ୟକୁ ଯାଉଅଛି ନ ମାନି ପଦ୍ମମୁଖ ।

ବୁଝିଲେ ତ ପ୍ରଭୁଙ୍କର ତିଳେ ଦୋଷ ନାହିଁ

ଏ ସିନା ସମର କରି ଯାଏ ବଳେ ଧାଇଁ ।

 

ବୁଝିଲେ ତ ମୁରାସୁର ନୁହଇ ଆୟତ୍ତ

ଦେବତାଙ୍କ ଭିଆଣ ଏ ଅଟେ ପୂର୍ବ ଉକ୍ତ 

ମରିବା ଲୋକର ପୁଣି ସପ୍ତଦିନଠାରୁ

ସନ୍ନିପାତ ହୋଏ ଜାତ ନିଜ ଶରୀରରୁ ।

 

ଅଳ୍ପ ଅଳ୍ପ ହୋଇ ସାତଦିନ ବସେ ମାଡ଼ି

ସେହିଠାରୁ ପ୍ରାଣୀର ଯେ ନାଡ଼ୀ ଯାଏ ଛିଡ଼ି ।

ଏହା କେ ବୁଝିଣ କହି ନ ପାରେ ଭରସି

ମୁରକୁ ସନ୍ନିପାତ ଯେ ଘୋଟେ ଏବେ ଆସି ।

 

ମଦନାବତୀ ତାହାର କହେ କେତେ ବୋଧି

ଯାଉଅଛି ଯୁଦ୍ଧକୁ ଏ ବିଷ୍ଣୁ ନିନ୍ଦି ନିନ୍ଦି ।

ଏ ଅବା ମରିବ କି ସେ ଅବା ଯିବେ ମରି

ଏହି କଥା ବୁଝିବା ତ କାଲି ତଥ୍ୟକରି ।

ଏହିରୂପେ ନଗ୍ରଲୋକ ହ୍ଵନ୍ତେ କଥାମାନ

କହିଲା ଚାର ଆସିଣ ରାଜା ସନ୍ନିଧାନ ।

ବୋଇଲାକ ସାବଧାନେ ଶୁଣ ନୃପମଣି

ତୁମ୍ଭର ଆଜ୍ଞାରେ ଥାଟ ଚଳିଲେ ଏକ୍ଷଣି ।

 

ତିନି ଯୋଜନ ପର୍ଯ୍ୟନ୍ତ ଗଲେଣି ବାହାରି

ବୀରମୂର୍ତ୍ତି ପ୍ରାୟେ ଚାଲି ଦେଖିଲି ସବୁରି ।

ଏହା ଶୁଣି ମୁରାସୁର କଲା ବଡ଼ ଶ୍ରଦ୍ଧା

ଆପଣେ ସଜ ହୋଇଣ ପିନ୍ଧେ ପାଟ ପିନ୍ଧା ।

 

ସୁବର୍ଣ୍ଣ ପୀଢ଼ାରେ ଯାଇଁ ବସେ ମୁରାସୁର

ହୀରାଝରି ପାଗ ଶିରେ ବାନ୍ଧେ ନୃପବର ।

ନବ ରତନ କମରେ ପାତିଆ ସଜାଡ଼ି

ପାଗର ଚାରିପାଶରେ ବାନ୍ଧେ ତାକିୁ ଭିଡ଼ି ।

 

ହୀରା ନୀଳା ମାଣିକ୍ୟରେ କନକ ପାଖୁଡ଼ି

ଦେହଯାକରେ ଭୂଷଣ ହେଲା ଅଙ୍ଗେ ଭିଡ଼ି ।

ବ୍ରହ୍ମାଜାତିକର ହୀରାରେ କମ ଯେତେ ଥିଲା

ସବୁ ଆଣି ଶରୀରରେ ଭୂଷଣ ହୋଇଲା ।

 

ଅଭେଦ କବଚ ଆଣି ଖଞ୍ଜି ଦେହଯାକେ

ସେ କମରେ ହୀରା ନୀଳା ମାଣିକ୍ୟ ଝଟକେ ।

କଣ୍ଠତଟେ ପଦ୍ମରାଗ ମାଣିକ୍ୟର ମାଳା

ହସ୍ତରେ ଧରିଣ ତାହା ଭୂଷଣ ହୋଇଲା ।

 

ଲଲାଟରେ କସ୍ତୁରୀର ତିଳକକୁ ଘେନି

ବାହୁରେ ବାହୁବନ୍ଧକୁ ଖଞ୍ଜେ କରେ ଆଣି ।

ପାଗ ଚାରିପାଶେ ଲମ୍ବେ ମୁକ୍ତା କେରା କେରା

ଅଷ୍ଟରତନେ ମୁକୁଟ ବାନ୍ଧେ କରି ତ୍ଵରା ।

 

କରରେ ନବରତନ କଙ୍କଣ ଭରିଲା

କର୍ଣ୍ଣରେ କୁଣ୍ଡଳ ବେନି ନେଇ ଲମ୍ବାଇଲା ।

ହୃଦୟରେ ହୀରା ପଦ୍ମ ଲମ୍ବାଇଲା ପୁଣି

ସୂର୍ଯ୍ୟ ଶତେ ଜ୍ୟୋତି ତାର ପରକାଶେ ଠାଣି ।

ବାହୁରେ ବାହୁଟି ଖଞ୍ଜେ ଅଣ୍ଟାରେ ୟେ ସୂତା

ପୟରେ ତୋଡ଼ର ଲାଗି ହେଲା ଜଗଜ୍ଜିତା ।

ସଜ ହୁଅନ୍ତେ ରାଜାର ବାଜେ ଆଗେ ଶଙ୍ଖ

ହୁଳହୁଳି ଶବଦରେ କମ୍ପେ ପୁରଯାକ ।

 

ଦାଣ୍ଡଯାକେ ପୂର୍ଣ୍ଣକୁମ୍ଭ ସର୍ବଦ୍ଵାରେ ଅଛି

ନକୁଳାଦି ରାଜହଂସ ଶଙ୍ଖଚିଲ ପକ୍ଷୀ ।

ଶ୍ଵେତ ଚାମରମାନ ଯେ ଉଡ଼େ ଚଉକତି

ବିଦ୍ଵଜ୍ଜନମାନେ ଶୁଭ ମଙ୍ଗଳ ବାଞ୍ଛନ୍ତି ।

 

ଦେବର୍ଚ୍ଚନା ସାରି ରାଜା ବସିଲା ସଭାରେ

ଆଶୀର୍ବାଦ କରି ବିପ୍ରେ ଦ୍ୟନ୍ତି ଅର୍ଘ୍ୟ ଶିରେ ।

ପାଞ୍ଜି ଦେଖି ଜଉତିଷେ କହନ୍ତି ଲଗନ

ଆଗରେ ଶଙ୍ଖ ମହୁରୀ ବାଜେ ଘନ ଘନ ।

 

ହସି ପୁଣି ମୁରାସୁର ଉଠି ଉଭାହେଲା

ନାସା ଅଗ୍ରକୁ ଚାହିଁଣ ନିଃଶ୍ଵାସ ବାରିଲା ।

ପାଞ୍ଚିଲା ଦୂରକୁ ଗଲେ ଚନ୍ଦ୍ର ହୋଏ ଜୟେ

ଏହି କଥା ମୋତେ କହିଅଛନ୍ତି ଧାତାଏ ।

 

ନିକଟକୁ ଗଲେ ସୂର୍ଯ୍ୟବେଳେ ହୁଏ ସିଦ୍ଧି

ଏ କଥା ନିଶ୍ଚେଁ ପ୍ରମାଣ ଅଟେ ଯୋଗବିଧି ।

ବାର ଲଗ୍ନ ବୁଝି ପରବାସ କରିଯିବ

ତେବେ ସେ ସଫଳ ହୋଇ ଗୃହକୁ ଆସିବ ।

 

ଏରୂପେ ମନରେ ପାଞ୍ଚି ରାଜା ମୁରାସୁର

ବିଜୟା ରଥରେ ଯାଇଁ ବସିଲା ତତ୍ପର ।

ଶୂନ୍ୟେ ଦେବଗଣେ ତାକୁ ଚାହୁଁଥିଲେ ଗୁପ୍ତେ

ମୁରର ସମ୍ଭାର ଦେଖି ବିଚାରନ୍ତି ଚିତ୍ତେ ।

 

ବୋଲନ୍ତି ପୂର୍ବରେ ଯେତେ ଦିଗ୍‌ବଜୟ କଲା

ସେ କି ରୂପରେ ଲେଉଟି ଏବେ ସଜହେଲା ।

ଏହାର ନିମନ୍ତେ ସିନା ଶ୍ରୀ ନୃସିଂହ ପ୍ରଭୁ

ଅବତାର ହେଲେ ଆସି ଭଗବତୀ ଗର୍ଭୁ ।

ଏ ମହା ଦୁଷ୍ଟ ଦୈତ୍ୟକୁ ସଂହାରିବା ପାଇଁ

ବଦ୍ରିକାନଗରେ ପ୍ରଭୁ ଛନ୍ତି ରାଜାହୋଇ ।

ଏହା ସମ୍ଭାର ଦେଖିଣ ହାରିଯିବେ ଯେବେ

ସ୍ଵର୍ଗମର୍ତ୍ତ୍ୟ ପାତାଳ ଏ ନ ରଖିବ ତେବେ ।

 

ବୁଝିଲେ ଅସୁର ବଡ଼ ମାୟାବି ଅଟନ୍ତି

କପଟରେ ଯୁଦ୍ଧକରି ତ୍ରିଜୀବି ନୁହନ୍ତି ।

ବୁଝିଲେ ନୃସିଂହ ମହାପ୍ରଭୁ ସତ୍ୟବ୍ରହ୍ମ

ମୁରାସୁର ନିମନ୍ତେ ସେ ହୋଇଛନ୍ତି ଜନ୍ମ ।

 

ତାଙ୍କ ଆଗେ କୂଟ କରୁଥାନ୍ତି ଯେତେ ଲୋକ

ସେ କଥା କାଳେ ଜାଣନ୍ତି ପ୍ରଭୁ ପୁଣ୍ୟଶ୍ଳୋକ ।

ନିଶ୍ଚେଁ ନୃସିଂହଙ୍କ ହାତେ ମରିବଟି ମୁର

ଏ କଥା ବିଧାତା ଲେଖିଅଛନ୍ତି ନିକର ।

 

ଏହିରୂପେ ମନେ ପାଞ୍ଚି ରହିଲେ ଅମରେ

ମୁରାସୁର କଥା ଶୁଣ ଏଥୁ ଅନନ୍ତରେ ।

ଯାଇ ବିଜୟା ରଥରେ ଆପେ ବିଜେ କଲା

ଲକ୍ଷକୋଟି ଅଶ୍ଵ ନେଇ ତହିଁରେ ଯୋଚିଲା ।

 

ଆଗେ ଲକ୍ଷ ଲକ୍ଷ ଶଙ୍ଖ ବାଜେ ଅପ୍ରମିତ

ଚଳିଯାଏ ଧୀରେ ଧୀରେ ବିଜୟା ଯେ ରଥ ।

ଗାନ୍ଧାରେ ଗୀତ ଗାଆନ୍ତି ଲକ୍ଷ ଲକ୍ଷ ସ୍ତିରୀ

ଲକ୍ଷେକ ଟମକ ଲକ୍ଷେ ବାଜଇ ମହୁରୀ ।

 

ଧରିଅଛି ବାମକରେ ଦୃଢ଼େ ବଜ୍ରଧନୁ

ବର ଦେଲାକାଳେ ଦେଇଥିଲେକ କୃଶାନୁ ।

ସେ ଧନୁ ଥିଲେ ହସ୍ତରେ ସୃଷ୍ଟି ପାରେ ଜିଣି

ଦଶଦିଗପାଳ ହାରି ପଳାନ୍ତି ସେକ୍ଷଣି ।

 

ଦିଗବିଜେ କାଳରେ ସେ ଧନୁ ଧରିଥିଲା

ସପତ ଦ୍ଵୀପ ଜିଣିଣ ଶାକଲ୍ୟକୁ ଗଲା ।

କେଶରୀ ରାଜାଙ୍କ ଲାଖ ବିନ୍ଧିବାର ବେଳେ

ମଦନାବତୀକୁ ଜିଣି ଆଣିଲା ତତ୍କାଳେ ।

ଏହି ଧନୁକୁ ଧରିଣ ଟାଳେ ମେରୁଗିରି

ଶୁକ୍ରମୁନି ଥିବାରୁ ଯେ ରଖିଲେ ନିବାରି ।

ଏହି ଧନୁକୁ ଧରିଣ ସ୍ଵର୍ଗେ ଯୁଝିଗଲା

ଇନ୍ଦ୍ରକୁ ଧରି ଆଣିଣ ବେଡ଼ି ପକାଇଲା ।

 

ବନ୍ଦିରେ ନେଇ ରଖିଲା ତାଙ୍କୁ ତେରଦିନି

ସେହି ଧନୁ ଧରି ଏବେ ଯାଏ ରଥେ ଘେନି ।

ମୁରାସୁର ଚଳନ୍ତେ ଯେ କମ୍ପେ ପୃଥ୍ଵୀଦେବୀ

ଦଲଦଲ ହୋଇ ହାତେ ପଶିଯାଏ ଭୁବି ।

 

ନଟ ଭାଟ କଏବାର ଗଲେ ଆଗେ ଚାଲି

ଉତ୍ତରକୁ ମୁଖକରି ଚାଲେ ରଥ ପେଲି ।

ରଥର ଗର୍ଜନ ଶୁଣି କମ୍ପନ୍ତି ତ୍ରିଦଶ

ଘିଡ଼ିଘିଡ଼ି ଘୁମୁଘୁମୁ ବାଜେ ବାଦ୍ୟ ଘୋଷ ।

 

ମାଳା ଶ୍ରୀରାଗେ ମହୁରୀ ବାଜେ ଆଗେ ପଛେ

ଥାଟ ଚାଲନ୍ତେଣ ତେଣୁ ଉଡ଼େ ସ୍ଵର୍ଗ ମଞ୍ଚେ ।

ସହସ୍ରେକ ପନ୍ତି ହୋଇ ବାଜେ ବାଦ୍ୟଧାଡ଼ି

ଶୁଭେ ନିର୍ଘାତ ପରାୟ ଯେହ୍ନେ ଘଡ଼ଘଡ଼ି ।

 

ଧାଡ଼ି ଧାଡ଼ି ପନ୍ତି ପନ୍ତି ଦଲଦଲ ହୋଇ

ବାଜଇ ଯେ ନାନାବାଦ୍ୟ ସୃଷ୍ଟି ଚମକଇ ।

କନକାବତୀରେ ଏକାଦଶ କୋଡ଼ି ଦାଣ୍ଡ

ବାଇଶି କୋଡ଼ି ପର୍ଯ୍ୟନ୍ତ ବସେ ସାହି ମୁଣ୍ଡ ।

 

ବିଶାଶଏ ଯୋଜନ ସେ ଅଟଇ କଟକ

ଦାଣ୍ଡେ ଚାଲନ୍ତି ଏଗାର କୋଟି ଥାଟଯାକ ।

ରାଜାର ବିଜୟ ଦେଖି ନଗରର ସ୍ତିରୀ

ଦିଅନ୍ତି ହୁଳୁହୁଳି ସେ ଆଗରେ ଉଭାରି ।

 

ଲକ୍ଷେକ ବୀର କାହାଳି ଶୁଭେ ଘନଘନ

ଉତ୍ତର ଦ୍ଵାରେ ବାହାର ହୋଇଲା ରାଜନ ।

ଏଥୁ ଅନନ୍ତରେ ବାଣୀ ଶୁଣ ହେ ନାରଦ

ଶୂନ୍ୟରେ ଥାଇଣ ତାହା ଦେଖି ଦେବବୃନ୍ଦ ।

ମୁରାସୁର ସୈନ୍ୟ ଦେଖି ତ୍ରସ୍ତ ବଡ଼ ହେଲେ

ସ୍ଵର୍ଗପୁରକୁ ବୋଲିଣ ତତ୍କାଳେ ଧାଇଁଲେ ।

ସୁଧମ୍ମୀ ସଭାରେ ଯାଇ ହୋଇଲେ ପ୍ରବେଶ

ଦେଖିଲେ ଯେ ବସିଛନ୍ତି ସକଳ ତ୍ରିଦଶ ।

 

ସଦାଶିବ ବ୍ରହ୍ମା ଇନ୍ଦ୍ର ଦଶଦିଗପାଳ

ପାଞ୍ଚନ୍ତି ମୁର ମାରିବେ ନିଶ୍ଚେଁ ଆଦିମୂଳ ।

ସତର ଲକ୍ଷ ପୁତ୍ର ଯେ ନବଲକ୍ଷ ନାତି

ଦାରୁଣ ଭାଇ ପ୍ରଭୃତି ସର୍ବ ସେନାପତି ।

 

ଆଜକୁ ଲକ୍ଷେକ ପଦ୍ମ ମଲେ ସୈନ୍ୟ ତାର

ଏକାହୋଇ ରହି ଏବେ ଅଛି ମୁରାସୁର ।

ସେ ମଲେ ପୃଥ୍ଵୀ କଳଙ୍କ ଛାଡ଼ିଯିବ ଏବେ

ଏମନ୍ତେ ସେ ବୋଲାବୋଲି ହ୍ଵନ୍ତେ ବସି ସର୍ବେ ।

 

ଶୂନ୍ୟେ ଦେବବୃନ୍ଦ ଖସି ବାର୍ତ୍ତାଦେଲେ ଆସି

ବୋଇଲେ ତୁମ୍ଭେ ସଭାରେ ଶୁଣ ସର୍ବେ ବସି ।

ମୁରାସୁର ଥାଟ ଏବେ ବାହେ ବଦ୍ରିକାକୁ

ଆଜ ରଜନୀ ପାହିଲେ ବେଢ଼ିବ ଗଡ଼କୁ ।

 

ଚାରିଭାଗ କରିଣ ଯେ ସୈନ୍ୟ ଦେଲା କାଢ଼ି

ପଛରେ ଆସେ ବିଜୟା ରଥପରେ ଚଢ଼ି ।

ଇନ୍ଦ୍ର ବୋଇଲେକ ତେବେ ଶୁଣ ବୃନ୍ଦାରକେ

ମୁରର ଥାଟ ଯେତେକ ଥିଲେ ନଗ୍ରଯାକେ ।

 

ପୁତ୍ର ନାତି ସେନାପତି ଭାଇଆଦି ଯେତେ

ସବୁଙ୍କୁ ତ ମାରି ପ୍ରଭୁ ଥିଲେ ଅସ୍ତ୍ରଘାତେ ।

ଏକା ଅଛି ମୁର ବୋଲି ଆମ୍ଭେ ଜାଣିଥିଲୁ

ତୁମ୍ଭ ମୁଖୁଁ ଶୁଣିଲାରୁ ତ୍ରସ୍ତ ଆମ୍ଭେ ହେଲୁ ।


କେତେ ସୈନ୍ୟ ଧରି ଆସୁଛନ୍ତିଲ ଏବେ କହ

ବୃନ୍ଦାରକେ ବୋଇଲେ ଯେ ଶୁଣ ହରିହୟ 

ତିନି ଯୋଜନ ଓସାରେ ଅଛନ୍ତି ଅସୁରେ

ଷୋଳପଦ୍ମ ଗଜ ଚାଲୁଛନ୍ତି ସମ୍ଭ୍ରମରେ

ଷୋଳପଦ୍ମ ଅଶ୍ଵ ଅଛି ଷୋଳପଦ୍ମ ସୈନ୍ୟ

ଚାରିଭାଗ ହୋଇ ଆସୁଛନ୍ତି ପୃଥ୍ଵୀରେଣ ।

ମୁରସୁର ସଙ୍ଗେ ଛନ୍ତି ବାଇଶୀ କ୍ଷଉଣୀ

ରହିବେ ବୁଡ଼ି ଜଗିଣ ବଦ୍ରିକାରେ ପୁଣି ।

 

ଆଜରାତ୍ରେ ଚାରିଦ୍ଵାରେ ଜଗି ବସିଥିବେ

ପାହାନ୍ତି ବେଳେ କବାଟ ଫିଟିଲେ ପଶିବେ ।

ଏରୂପେ ବିଚାରି ଆସୁଅଛି ମୁରାସୁର

ଶ୍ରୀନୃସିଂହଙ୍କୁ ଏ କଥା ନାହିଁଟି ଗୋଚର ।

 

ଏରୂପେ କହି ସଭାରେ ଗଲେ ବୃନ୍ଦାରକେ

ବାସବ ଜଣାଇଲେ ଯେ ଶୁଣ ବିଶ୍ଵସକେ 

ନୃସିଂହ ଛାମୁକୁ ଯାଇ ବାର୍ତ୍ତା ବେଗେ କର

ଶୀଘ୍ର ଚାଲିଯିବା ଲୋକ ପେଷିବା ତତ୍ପର ।

 

ଶୁଣିକରି ବେଦବ୍ରହ୍ମା ନାରଦଙ୍କୁ ରାଇ

ବୋଇଲେକ ନୃସିଂହଙ୍କୁ ଜଣା ତୁମ୍ଭେ ଯାଇଁ 

ଯୁଦ୍ଧେ ମୁରାସୁର ଆସୁଛନ୍ତି ଯେତେ ମାର୍ଗେ

ତାହା ଏବେ ଶୁଣାଇଣ ଆସ ଏହିଲାଗେ ।

 

ଶୁଣିଣ ନାରଦ ମନ ପବନରେ ବସି

ବଦରିକାପୁରେ ଯାଇ ମିଳିଲେ ମହର୍ଷି ।

ନାରଦ ମୁନିଙ୍କୁ ଦେଖି ଶ୍ରୀନୃସିଂହ ସ୍ଵାମୀ

ଆସନେ ବସାଇ ପୂଜା କଲେ ଅନ୍ତର୍ଯ୍ୟାମୀ ।

 

ନାରଦ ବୋଇଲେ ସ୍ଵାମୀ ଶୁଣ ଆଦିମୂଳ

କଥାହୋଇ ବସିବାକୁ ନାହିଁ ଆଉ କାଳ ।

ଆଜ ରାତ୍ରଅର୍ଦ୍ଧୁ ଦେବ କବାଟ କିଳିବେ

କବାଟ ଫିଟିଲେ ସୈନ୍ୟ ଗଡ଼େ ପଶିଯିବେ ।

 

ଚାରିଦ୍ଵାରେ ବୁଡ଼ା ପଡ଼ି ଜଗି ରହିଥିବେ

ଅର୍ଗଳି ଫିଟିଲେ ସର୍ବେ ଧସାଇ ପଶିବେ ।

ଏଥକୁ କି ତାତପର୍ଯ୍ୟ କର ନାରାୟଣ

ଦଇତେ ବଡ଼ ମାୟାବୀ ଅଟନ୍ତି ହେ ପୁଣ ।

ନୃସିଂହବୋଇଲେ କେତେ ଆଣିଛି ସେ ସୈନ୍ୟ

ଏହି କଥା ଗୋଚର କି ଅଛିଲ ତପୋଧନ ।

ନାରଦ ବୋଇଲେ ବ୍ରହ୍ମା ଇନ୍ଦ୍ରଙ୍କ ଆଗରେ

କହୁଥିଲେ ବୃନ୍ଦାରକେ ଶୁଣିଛୁ ସଭାରେ ।

 

ଷୋଳପଦ୍ମ ଯାଏ ଅଶ୍ଵ ଷୋଳପଦ୍ମ ଗଜ

ଷୋଳପଦ୍ମ ସୈନ୍ୟ ଚାରି ସେନାପତି ସଜ ।

ଆବର ତ ମୁରାସୁର ମହାଗର୍ବ ବହି

ପଛେ ରଥ ଚଢ଼ି ଆସୁଅଛି ସୈନ୍ୟ ବାହି ।

 

ବାଇଶି କ୍ଷଉଣୀ ତାର ଛନ୍ତି ସୈନ୍ୟ ଥାଟ

ବନ୍ଧାଇଛି ସର୍ବ ଶିରେ ସୁବର୍ଣ୍ଣ ମୁକୁଟ ।

ଶୁଣକରି ନାରାୟଣ ଅଳ୍ପ ମନେ ହସି

ବୋଇଲେ ଦୟା କରିବେ ପ୍ରଭୁ ବ୍ରହ୍ମରାଶି ।

 

ଆପଣ ତ କେତେ ଶ୍ରମେ କହିଲଟି ମୋତେ

ତୁମ୍ଭ ପ୍ରାୟ ଉପକାରୀ ନାହିଁ କେ ଜଗତେ ।

ପରହିତେ ଥିବା ଲୋକେ ନିଶ୍ଚେଁ ନାରାୟଣ

ତାଠାରୁ ବଡ଼ ହୋଇ କେ ନାହିଁ ସଂସାରେଣ ।

 

ପରୋପକାରୀ ହୋଇଣ ବ୍ରହ୍ମାଣ୍ଡେ ଯେ ଛନ୍ତି

ବରଷକେ ଲକ୍ଷେ ଗଙ୍ଗାସ୍ନାନ ଫଳ ପାନ୍ତି ।

ପର ଉପକାରୀକୁଟି ବୋଲି ମହାଜନ

ଆପଣ ତ ପ୍ରତ୍ୟକ୍ଷରେ ବୁଝିଲେ ବ୍ରହ୍ମଣ୍ୟ ।

 

ପରହିତେ ଆସି କହିଗଲେ କେତେ ଶ୍ରମୀ

ମାରିବି ଦୈତ୍ୟ ବୋଲିଣ କହି ଅନ୍ତର୍ଯ୍ୟାମୀ ।

ନାରଦଙ୍କୁ ବୋଇଲେକ ଏବେ ବିଜେକର

ଆମ୍ଭର ବିଚାର ଆମ୍ଭେ କରିବା ଏଥର ।

 

ଶୁଣି ନାରଦ ଗୋସାଇଁ ହେଲେ ଅନ୍ତର୍ଦ୍ଧାନ

ଏଥୁ ଅନନ୍ତରେ ବାଣୀ କହିବାକୁ ଶୁଣ ।

ନୃସିଂହ ତ ସଭାକରି ବିଜେ କରିଥିଲେ

ଶେଷଦେବଙ୍କୁ ଘେନିଣ ସୁଜାଣର ତୁଲେ ।

କର୍ଣ୍ଣାଟେଶ୍ଵର ରାଜନ ଗରୁଡ଼ ଆବର

ସଖାଗଣ ସଙ୍ଗେ ଘେନି ବିଜେ ଚକ୍ରଧର ।

ସମସ୍ତଙ୍କୁ ଚାହିଁଣ ଯେ କହନ୍ତି ତିଆରି

ବୋଲନ୍ତି ମୁରଅସୁର ଆସେ ଯୁଦ୍ଧକରି ।

 

ଆମ୍ଭ ରାଜ୍ୟର ନିକଟେ ହେଲେଣି ଏକ୍ଷଣି

ଆଜ ରାତ୍ରେ ନଗରକୁ ବେଢ଼ିବ ସେ ପୁଣି ।

ଏଥକୁ ତାତପର୍ଯ୍ୟରେ ସର୍ବେ ରହିଥିବ

ଗଡ଼ ବାହାରେ କାହାକୁ ଦେଖା ଯେ ନ ଦେବ ।

 

ଲୁଚି ଲୁଚି ଆସି ପଶିଯିବେ ଗଡ଼େ ପୁଣି

ଆମ୍ଭଙ୍କୁ ଦେଖିଲେ ତାର ଭାଙ୍ଗିବ ପାଞ୍ଚୁଣି ।

ଯେଝା ଇଚ୍ଛାରେ ଆମ୍ଭେ ଯେ କରିବା ସମର

ଏଥକୁ କହ କାର କି ଅଛଇ ବିଚାର ।

 

ଷୋଳପଦ୍ମ ଯାଏ ସୈନ୍ୟ ଦେଇଛି ସେ ପେଷି

ତହିଁରେ ଯେ ମୁରାସୁର ଆସେ ରଣେ ଧ୍ଵଂସି ।

ଷୋଳପଦ୍ମ ଯାଏ ଅଶ୍ଵ ଷୋଳପଦ୍ମ ଗଜ

ଆବର ବାଇଶୀକ୍ଷୌଣୀ ଅଛନ୍ତି ଦନୁଜ ।

 

କିରୂପେ ତାହାଙ୍କୁ କହ ମାରିଦେବା ପୋଛି

ତୁମ୍ଭ ଚାରିଜଣ ହେତୁ ମହତ ମୋ ଅଛି ।

ମନ୍ତ୍ରୀ ବୋଇଲା ତୁମ୍ଭ ଶ୍ରୀ ଆଜ୍ଞା ପରମାଣେ

ଆମଅଭେ ଚାରିହେଁ ପଶିଣ ମାରିବୁଟି ରଣେ ।

 

କର୍ଣ୍ଣାଟେଶ୍ଵର ବୋଇଲେ ଏ କଥା ପ୍ରମାଣ

ମୋର ଭାଗେ ଚାରିପଦ୍ମ ରହିଲେ ସଇନ୍ୟ ।

ଶେଷଦେବ ବୋଇଲେ ମୁଁ କେତେକ ମାରିବି

ଏତେ ଏତେ ବୋଲି କେହ୍ନେ ଗଣନାକରିବି ।

 

ଖଗେଶ୍ଵର ବୋଇଲେକ ଶୁମ ମହାପ୍ରଭୁ

ତୁମ୍ଭ ଆଜ୍ଞା ପ୍ରମାଣରେ ମାରିବି ମୁଁ ସବୁ ।

ନୃସିଂହ ବୋଇଲେ ମୋର ଅବତାର ଯାକୁ

ତୋର ଘେନି ମୁହିଁ ହେଲେ ନମାନେ ଦୈତ୍ୟକୁ ।

ଗରୁଡ଼ ବୋଲେ ମୋ ଆଗେ ପଡ଼ିବେଟି ଯେତେ

ତୁମ୍ଭର କୃପାରୁ ମୁହିଁ ମାରି ପାଦଘାତେ 

ଚଞ୍ଚୁ ମାରି ପାଦେ କରିଦେବି ବେନିଫାଳ

ଖଗରେ ଉଡାଇ ଫିଙ୍ଗିଦେବି ସିନ୍ଧୁ ଜଳ ।

 

ଶତେପଦ୍ମଯାଏ ମାଡ଼ି ଆସିଲେ ଦଇତ୍ୟେ

ଦିନକ ମଧ୍ୟେ ଦେଖାଇ ଦେବି ଜନ୍ତୁନାଥେ 

ଶୁଣିଣ ନୃସିଂହ ସ୍ଵାମୀ କଲେ ବଡ଼ ଶ୍ରଦ୍ଧା

ବୋଇଲେ ଏ ଅବତାରେ ତୁହି ମୋର ଗଦା ।

 

ଗଦାରେ ମନ୍ଥିଲେ ଜାଣ ସର୍ବେ ହ୍ଵନ୍ତି ଧୂଳି

ନୃସିଂହ ଅବତାରେ ତୁ ଅଟୁ ମହାବଳୀ ।

ଏହିଠାରୁ ଯେତେ କ୍ଷତ୍ରି ସଂସାରେ ଜନ୍ମିବେ

ତୋ ବଳିଷ୍ଠପଣକୁ ସେ ଅଧେ ଉଣାହେବେ ।

 

ସତ୍ୟ ତ୍ରେତା ଆବର ଦ୍ଵାପର ଯୁଗଯାଏ

ତୋର ସମାନ ବଳି କେ ନୋହିବେ ଗୋଟିଏ ।

ମୋହର ଦେହରେ ବଳ ଯେତେ ରହିଅଛି

ତହିଁ ସମାନେ ଜଣେ ତୁ ଅଟୁ ମୋର ପକ୍ଷୀ ।

 

ଅନନ୍ତକୋଟିବଳ ଯେ ପ୍ରକାଶେ ମୋ ଦେହେ

ସେ ବଳ ମୋତେ ଦେଇଣ ଅଛନ୍ତି ଧାତାଏ ।

ଏହା ଶୁଣି ଖଗବର ମନେ ମନେ ହସି

ବୋଇଲା ମୋହର ବଳ ତୁମ୍ଭେ ବ୍ରହ୍ମରାଶି ।

 

ଦାଣ୍ଡକୁ ଦିଶଇ ହେଲେ ପକ୍ଷୀଗୋଟି ମୁହିଁ

ମୋ ଚଞ୍ଚୁ ଘାତ କାହାକୁ ଜଣା କେବେ ନୋହି ।

ତୁମ୍ଭର ଆଜ୍ଞାରେ ମୁହିଁ ସସ୍ର ପଦ୍ମ ଦୈତ୍ୟ

ଘଡ଼ିକ ଭିତରେ କରିପାରେ ଚୂର୍ଣ୍ଣଭୂତ ।

 

ଶୁଣି ମହାପ୍ରଭୁ ବଡ଼ ଆନନ୍ଦ ହୋଇଲେ

ଏଥୁଅନ୍ତେ ବାଣୀ ଶୁଣ କହୁଥାଇ ଭଲେ ।

ଶ୍ରୀନୃସିଂହ ମହାପ୍ରଭୁ ମନେ ବିଚାରିଲେ

ଦୈତ୍ୟଙ୍କୁ ଦ୍ଵିଗୁଣ ଦିଶୁ ଆମ୍ଭ ସୈନ୍ୟ ଭଲେ ।

ଦେଖିବା ଗଡ଼େ ଆମ୍ଭର କିରୂପେ ପଶିବ

ଆମ୍ଭର ସୈନ୍ୟ ଦେଖି ସେ ଆସି ନ ପାରିବ ।

ଏତେ ପାଞ୍ଚିଣ ନୃସିଂହ ହେଲେ ବିଶ୍ଵମୂର୍ତ୍ତି

କରିଲେ ବତିଶପଦ୍ମ ନୃସିଂହ ଉତ୍ପତ୍ତି ।

 

ଜଣ ଜଣକରେ ମେରୁ ପାରନ୍ତି ସେ ଟାଳି

ନୃସିଂହ ଆଜ୍ଞାରେ ଏକୁ ଏକ ମହାବଳୀ ।

ଶ୍ରୀଅଙ୍ଗୁ ନୃସିଂହଗଣ ହୁଅନ୍ତେ ଯେ ଜାତ

ତାହାଙ୍କୁ ଆଜ୍ଞାଦେଲେକ ଲକ୍ଷ୍ମୀଦେବୀ କାନ୍ତ ।

 

ବୋଇଲେ ଆମ୍ଭ ଗଡ଼କୁ ଯୁଣେ ଛାଡ଼ି ରହ

ଚାରିପାଶେ ରହି ଦଇତ୍ୟଙ୍କୁ ଦେଖାଦିଅ ।

ଶୁଣିଣ ନୃସିଂହଗଣ ଆଜ୍ଞା ପରମାଣେ

ଗଡ଼ ଚାରିକୋଣେ ବେଢ଼ି ରହିଲେ ତକ୍ଷଣେ ।

 

ବାବଲ ପାଶୁପତ ଯେ ଅକ୍ଷୟ ତୁଣିର

ଧରିବାରୁ ଶୋଭାପାଇ ସମସ୍ତଙ୍କ କର ।

ସୁବର୍ଣ୍ଣ ଜ୍ୟୋତି ପରାୟ ଦିଶେ ସର୍ବ ଦେହ

ଅଗ୍ନି ଅର୍କ ପରାୟେକ ଦିଶେ କାନ୍ତିମୟ ।

 

ଗୁରୁ ଶୁକ୍ର ଉଦେ ପ୍ରାୟ ଜ୍ୟୋତ୍ସ୍ନା ବିରାଜଇ

ତଡ଼ିତ ଜ୍ୟୋତି ପରାୟ ଦିଶେ ସବୁ ଦେହୀ ।

ଶାନ୍ତିକି ଅଟନ୍ତି ଯେହୁ ସର୍ବେ ଗଙ୍ଗାଜଳ

କୋମଳ ବଚନେ କିବା ନିଜେ ଆଦିମୂଳ ।

 

ତୀକ୍ଷ୍ଣପଣକୁ ଅଟନ୍ତି କିବା କାଳରାହୁ

ଏରୂପେ ନୃସିଂହଗଣ ଜନ୍ମ ବିଷ୍ଣୂ ଦେହୁଁ 

ଶ୍ରୀନୃସିଂହଗଣ ପାଦେ ନିତ୍ୟ ମୋର ସେବା

ବିପ୍ର ଶ୍ରୀ ପୀତାମ୍ବରକୁ ସଂସାରୁ ତାରିବା ।

 

Unknown

ନୃସିଂହ ସ୍ତବ

ଏଥୁ ଅନନ୍ତରେ ପୁଣି ନାରଦ ମହର୍ଷି

ବ୍ରହ୍ମାଙ୍କ ପାଦରେ ନମି ବିନୟରେ ଭାଷି ।

ବୋଲନ୍ତି ଯେ ସାବଧାନେ ଶୁଣ ପିତାମହ

ନୃସିଂହଗଣ ନାମ କିରୂପେ ହେଲା କହ ।

 

ଏତେକ ନୃସିଂହଗଣ କଲେ ପ୍ରଭୁ ଜାତ

ସଭାରେ ଶୁଣିଣ ଆମ୍ଭେ ହେବୁ ସର୍ବେ ମୁକ୍ତ ।

ଗୋଟିଏ ନାମ ଶୁଣିଲେ କୋଟି ପାପ ଯିବ

ଶୁଣିଥିଲେ ତୁମ୍ଭ ମୁଖୁଁ ଭ୍ରାନ୍ତି ନ ରହିବ ।

 

ତାହା ଶୁଣିଣ ବିଧାତା ବୋଇଲେ ଉତ୍ତମ

କହିବା ଥୋକେ ନୃସିଂହଗଣଙ୍କର ନାମ ।

ଅଭୟ ନରସିଂହ ଯେ ସଭୟ ନୃସିଂହ

ଗୋହଂସ ନରସିଂହ ଯେ ଉଗ୍ର ନରସିଂହ ।

 

ଭଦ୍ର ନରସିଂହ ଆଉ ବୀର ନରସିଂହ

ବିକରାଳ ନରସିଂହ ବିକଟ ନୃସିଂହ ।

କୁରାଳ ନରସିଂହ ଯେ ବିରାଳ ନୃସିଂହ

ବିହଡ଼ ନୃସିଂହ ପୁଣି ଭୀଷଣ ନୃସିଂହ ।

 

ଭଇରବ ନରସିଂହ ବରାହ ନୃସିଂହ

ବୀର ବେତାଳ ନୃସିଂହ ବିକଳ ନୃସିଂହ ।

କରାଳ ନରସିଂହ ଯେ ନିରାଳ ନୃସିଂହ

ବିଦାରଣ ନରସିଂହ ଦାରୁଣ ନୃସିଂହ ।

 

ଭୀଷଣ ନୃସିଂହ ମହାରଶ୍ମି ନରସିଂହ

ଶାନ୍ତି ନରସିଂହ ଆଉ ଭଦ୍ର ନରସିଂହ ।

ସୁହୃଦ ନୃସିଂହ ପୁଣି ସୁଭଟ ନୃସିଂହ

ଅଜଟ ନରସିଂହ ଯେ ଉଦ୍ ଘଟ ନୃସିଂହ ।

 

ସୁଘୋଟ ନୃସିଂହ ଆଉ ଅଘୋର ନୃସିଂହ

ସୁଭଦ୍ର ନୃସିଂହ ପୁଣି ବିଜୟ ନୃସିଂହ ।

ଅଜୟ ନରସିଂହ ଶ୍ରୀସିଦ୍ଧ ନରସିଂହ

ସାଧୁ ନରସିଂହ ଶ୍ରୀଲକ୍ଷ୍ମୀ ନରସିଂହ ।

 

ଅହତ ନରସିଂହ ଯେ ପରମ ନୃସିଂହ

ଯତୋ ଯତୋ ଯାମି ତତୋ ତତୋ ନରସିଂହ ।

ନମସ୍ତେ ଶ୍ରୀ ନାରାୟଣ ପୂର୍ଣ୍ଣ ନରସିଂହ

ନମସ୍ତେ ଶ୍ରୀ ନାରାୟଣ ରୁଦ୍ର ନରସିଂହ ।

 

ନମୋ ନମୋ ଭୀଷଣ ହେ ଭଦ୍ର ନରସିଂହ

ନମୋ ନମସ୍ତେ କାଳାଗ୍ନି ରୁଦ୍ର ନରସିଂହ ।

ନମୋ ନମୋ ହେ ଜ୍ଵଳନନେତ୍ର ନରସିଂହ

ନମୋ ନମୋ ବୃହି ତତ୍ତ୍ଵଭୂତ ନରସିଂହ ।

 

ନମୋ ନମୋ ନିର୍ଜିତ ଶ୍ରୀବାଳ ନରସିଂହ

ନମୋ ନମୋ କଳ୍ପିତ ହେ କାଳ ନରସିଂହ ।

ନମୋ ନମସ୍ତେ କାମଦ କାଳ ଶ୍ରୀ ନୃସିଂହ

ନମୋ ନମସ୍ତେ କାଳାଗ୍ନି ରୁଦ୍ର ନରସିଂହ ।

 

ନମସ୍ତେ ନମସ୍ତେ ଜୟ ନରସିଂହ ଭୂପ

ନମସ୍ତେ ନମସ୍ତେ ଜୟ ନରସିଂହ ରୂପ ।

ନମସ୍ତେ ନମସ୍ତେ ରତ୍ନ ନରସିଂହ ରୂପ

ନମସ୍ତେ ନମସ୍ତେ ନରସିଂହ ବିଶ୍ଵଭୂପ ।

 

ନମୋ ନମସ୍ତେ ଭୀଷଣ ନରସିଂହ ରୂପ

ନମସ୍ତେ ନମସ୍ତେ ନରସିଂହ କାଳରୂପ ।

ଶୁଣ ହେ ବାବୁ ନାରଦ ବିଧାତା କହନ୍ତି

ଏରୂପେ ନୃସିଂହଗଣ ହେଲେ ଉତପତ୍ତି ।

 

ଏହାଙ୍କୁ ଯେ ପ୍ରାଣୀ ସଦା ସ୍ମରଣ କରିବେ

ଧର୍ମାର୍ଥ କାମ ମୋକ୍ଷକୁ ନିଶ୍ଚୟ ଲଭିବେ ।

ଯଶ ଶିରୀ ଆୟୁଶ ଯେ ବଢ଼ିବ ତାହାର

ମନୋବାଞ୍ଛା ସିଦ୍ଧଫଳ ଲଭିବ ସେ ନର ।

 

ଇହ ଲୋକରେ ଭକତି ଅନ୍ତେ ମୋକ୍ଷଗତି

ଦେବଙ୍ଗ ସଙ୍ଗରେ ବସି ଭୁଞ୍ଜିବ ବିଭୂତି ।

ଗ୍ରହଙ୍କ ଗରିଷ୍ଠ ପୀଡ଼ା ନ ଲାଗିବ କାୟ

ଜଳ ସ୍ଥଳ ଅନଳରେ ହୋଇବ ନିର୍ଭୟ ।

 

ପିଶାଚ ଡାକିନୀ ଭୂତ ପ୍ରେତ ଦୁଷ୍ଟଗଣ

ନୃସିଂହ ସ୍ମରଣେ ହୋଏ ସର୍ବ ନିବାରଣ ।

ଯେତେକ ନୃସିଂହ ନରସିଂହ କଲେ ଜାତ

ଯେବଣ ନର ଏହାକୁ ପଢ଼ିବେ ସତତ ।

 

ଏ ଭବସାଗରୁ ସେହି ହେବ ନିଶ୍ଚେଁ ପାର

ପଦ୍ମ ପତ୍ରେ ପଡ଼ି ଯେହ୍ନେ ନ ଲାଗଇ ନୀର ।

ଶସ୍ତ୍ରରେ ଅଭେଦ୍ୟ ହୋଏ ଯୁଦ୍ଧେ କରେ ଜୟ

ଘୋର ବିପଦେ ତାହାକୁ ନୃସିଂହ ସହାୟ ।

 

ନୃସିଂହ ସୁମରିଲେ ଯେ ଖଣ୍ଡେ ନାନା ଦୋଷ

ଚୌର ବ୍ୟାଘ୍ର ସର୍ପାଘାତ ସର୍ବ ହୋଏ ଧ୍ଵଂସ ।

ଅପୁତ୍ର ପୁତ୍ରବନ୍ତ ଯେ ଦୁଃଖୀ ଧନୀ ହୋଇ

ତ୍ରିସନ୍ଧ୍ୟାରେ ସୁମରିଲେ ସର୍ବ ରିଷ୍ଟ ଯାଇ ।

 

କେବଳ ଭକ୍ତିଭାବରେ ଭଜିବ ପ୍ରଭୁଙ୍କୁ

ହୃଦୟରେ ଧ୍ୟାନକରି ଚିନ୍ତିବ ତାହାଙ୍କୁ ।

ସମତା ବୁଦ୍ଧିରେ ସର୍ବ ଜୀବଠାରେ ଦୟା

ସତ୍ୟେ ରହିଥିବ ସଦା ହୋଇଣ ନିର୍ମାୟା ।

 

ଶୁଚିମନ୍ତ ହୋଇ ଭଜୁଥିବ ଶୁଦ୍ଧଚିତ୍ତେ

ମନୋବାଞ୍ଛା ଫଳ ତାକୁ ହେବ ପରାପତେ ।

ବଜ୍ରଠାରୁ ଆଣ୍ଟ ଜାଣ ହେବ ତାର କାୟେ

ଗ୍ରହରୋଗ ନ ପୀଡ଼ିବ ଥିବ ସର୍ବଦାୟେ ।

 

ସଲିଳରେ ନ ବୁଡ଼ିବ ଖଡ୍ ଗେ ନ ଛାଡ଼ିବ

ପବନେ ନ ଉଡ଼ିବ ଅଗ୍ନିରେ ନ ପୋଡ଼ିବ ।

ଧନ ଜନ ପରମାୟୁ ବୃଦ୍ଧି ହେବ ତାର

ଶ୍ରୀନୃସିଂହ ଶରଣ ମୁଁ ବିପ୍ର ପୀତାମ୍ବର ।

ବର୍ଣ୍ଣରେ ବ୍ରାହ୍ମଣ ମୁହିଁ ଅଟେ ସଦା ମୁର୍ଖ

ଜଣାଇଲି ନୃସିଂହଙ୍କୁ ବସି ପଞ୍ଚପକ୍ଷ ।

ଭଜିଲି ଅହୋରାତ୍ରରେ ନିମିଷେ ନ ଛାଡ଼ି

ବହଇ ଯେତେ ନିଃଶ୍ଵାସ ତେତେ ମନ୍ତ୍ର ପଢ଼ି ।

 

ଏକୋଇଶ ସହସ୍ର ଛତିଶ ଭଜେ ନିତି

ଏତେମତେ ଦୟାକଲେ ନରସିଂହ ମୂର୍ତ୍ତି ।

ତେଣୁ ଏହି ପଦ ଛନ୍ଦି ବାନ୍ଧେ ପୁରାଣରୁ

ନୃସିଂହଗଣଙ୍କ ନାମ ଲେଖିଲି ଦୟାରୁ ।

 

ନୃସିଂହଙ୍କର ଯୁଦ୍ଧସଜ୍ଜା

ଏବେ ମୁରର ସମର ଲେଖେ ପଦବନ୍ଧେ

କହନ୍ତି ଶ୍ରୀ ବେଦବର ଶୁଣ ହେ ନାରଦେ ।

ଏଥିଉତ୍ତାରେ ଦଇତ୍ୟ ଆସି କୋଟି କୋଟି

ଦେଖିଲେ ନୃସିଂହଗଣ ଛନ୍ତି ପୃଥ୍ଵୀ ଘୋଟି ।

 

ଦୈତ୍ୟମାନଙ୍କୁ ଦିଶନ୍ତି ଦୁଇଗୁଣ ହୋଇ

ଗଡ଼ର ବାହାରେ ପୁରିଛନ୍ତି ସର୍ବେ ରହି ।

ଅଷ୍ଟରତ୍ନେ ବେଶ ହୋଇ ନରସିଂହ ଜାଣ

ଆଗେ କୋଟି କୋଟି ଉଡ଼େ ବୀରନେତମାନ ।

 

ସୁବର୍ଣ୍ଣ ଅଳଙ୍କାର ସେ ହୋଇଛନ୍ତି ଖଞ୍ଜି

ହୀରା ନୀଳା ମାଣିକ୍ୟ ଯେ ମୁକ୍ତା ପୁଞ୍ଜି ପୁଞ୍ଜି ।

ଦିଶନ୍ତି ସୁବର୍ଣ୍ଣମୟ ନରସିଂହ ବୀରେ

ନୃସିଂହଗଣ ବେଶ କେ ମୁଖେ କହିପାରେ ।

 

ଛତ୍ର ତରାସ ଚାମର ସବ୍ରେ ଧରିଛନ୍ତି

ଅସୁର ଥାଟେ ସେ ଦୁଇଗୁଣ ଶୋଭାପାନ୍ତି ।

ରଙ୍ଗ ଶ୍ଵେତ କଳାବର୍ଣ୍ଣେ ଉଡ଼ଇ ଚିରାଳ

ସମୁଦ୍ର ଉଲ୍ଲୋଳ ପ୍ରାୟ ଶ୍ରୀନୃସିଂହ ବଳ ।

 

ନୃସିଂହ ଗଣଙ୍କ ବେଶ ଦେଖି ଜଗତ୍ ସ୍ଵାମୀ

ଆପଣେ ସେ ବୀରବେଶ ହେଲେ ଅନ୍ତର୍ଯ୍ୟାମୀ ।

ସ୍ନାନ ଶୁଚି ହୋଇ କର୍ପୁରର ଗୁଣ୍ଡି ଆଣି

ଶରୀରଯାକରେ ବୋଳି ହ୍ଵନ୍ତି ଚକ୍ରପାଣି ।

 

ଲବଙ୍ଗ କର୍ପୂର ଜାଇଫଳ ଯାକି ତଳେ

କର୍ଣ୍ଣରେ ହୀରାକୁଣ୍ଡଳ ଲମ୍ବାଇ ସୁଢ଼ଳେ ।

ଦେହଯାକ ଅଳଙ୍କାରେ ହୋଇଲେ ଭୂଷଣ

ନାନାଦି କୁସୁମ ଆଣି ମଣ୍ଡିଲେ ଶିରେଣ ।

 

ଶ୍ଵେତପଦ୍ମ ମାଳା ପୁଣି ଗଳାରେ ଲମ୍ବାଇ

ଅଙ୍ଗେ ଖଞ୍ଜିଲେ ଦୟଣା ପଞ୍ଚମାଳା ନେଇ ।

ଅଣାଇଁ କୃଷ୍ଣ ତୁଳସୀ କୋମଳ ମଞ୍ଜରୀ

ସପ୍ତସରି କରି ହୃଦେ ଲମ୍ବାଇଲେ ହରି ।

 

ଆବର ପାଞ୍ଚମାଳା ସେ କଣ୍ଠରେ ଲମ୍ବାଇ

ଲଲାଟେ କସ୍ତୁରୀଚିତା ଘେନି ଭାବଗ୍ରାହୀ ।

କସ୍ତୁରୀରେ ଦିଶନ୍ତି ସେ ପୁଣି ଶୋଭାକାର

ମହା ଶାନ୍ତମୁର୍ତ୍ତ ପ୍ରଭୁ ନୃସିଂହାବତାର ।

 

ମଧୁର କୋମଳବାଣୀ ପ୍ରକାଶଇ ମୁଖ

ଯାବତ ପ୍ରାଣୀଙ୍କର ସେ ହରନ୍ତି ଯେ ଦୁଃଖ ।

ବିଧାତାଯେ ଧନୁର୍ବିଦ୍ୟା ଯେତେଥିଲେ ଦେଇ

ଅକ୍ଷୟ ତୂଣି କନ୍ଧରେ ଭିଡ଼ି ଭାବଗ୍ରାହୀ ।

 

ଗୁଣରେ ବାବଲଶର ବସାଇ ନୃସିଂହ

ବେଳ ସାତପାଞ୍ଚ ଯାଏ ଆମଞ୍ଚିଲେ ବେଗ ।

ବୃଦ୍ଧ ଅଙ୍ଗୁଳି ଉପରେ କହୁଣୀକି ଦେଲେ

ଅକଳିତ ବଳ ବୁଝି ଗୁଣେ ପ୍ରକାଶିଲା ।

 

ଗୁଣରେ ଶର ଛାଟେଣି କରି ବ୍ରହ୍ମଶର

ବୋଲନ୍ତି ଏବେ କେଣେ ତୁ ଯିବୁ ମୁରାସୁର ।

ଆଜିଯାଏ ଈଶ୍ଵରଙ୍କ ବରରେ ନ ମଲୁ

ଏତେ ନିନ୍ଦି ନିନ୍ଦି ମୋର ମଳି ଧୋଉଥିଲୁ ।

ତୁ ମଲେ ମଳି ମୋହର ଧୋଇବ କେ ଆଉ

ତେଣୁ ଏତେଦିନ ତୋତେ ନ ମାରି ଯେ ଥାଉ ।

ତୁ ମଳି ଧୂଅ ପଛେ ଆଉ ଏବେ ମୋର

ଏବେ ମାରିବାକୁ ତୋତେ ଖଞ୍ଜିଲେ ଈଶ୍ଵର ।

 

ଏତେ ବୋଲି ଯଜ୍ଞ ସୂତ୍ର ପିନ୍ଧିଲେକ ଭିଡ଼ି

ଛନ୍ଦି ହୃଦପଦ୍ମେ ବାନ୍ଧି ଦେଲେ ଗଣ୍ଠି ପାଡ଼ି ।

ନିଶେ ହସ୍ତଦେଇ ବୋଲୁଛନ୍ତି ଆଚ୍ଛା ଆଚ୍ଛା

ଏବେ ତୋତେ ମାରିବାକୁ ମୋର ହେଲାଇଚ୍ଛା ।

 

ଏତେ ବୋଲିଣ ନୃସିଂହ ରତ୍ନପିଠେ ବସି

ସୁଜାଣ ମନ୍ତ୍ରୀକି ଚାହିଁ ଅଳ୍ପ ଦେଲେ ହସି ।

ଦେଖିକରି ମନ୍ତ୍ରୀବର ହସ୍ତେ ଅର୍ଘ୍ୟଧରି

ନୃସିଂହ ପାଦପଦ୍ମରେ ବସେ ସେବାକରି ।

 

କ୍ଷତ୍ରିବର ମୂର୍ତ୍ତି ଧରିଛନ୍ତି ପ୍ରଭୁ ବସି

ଦେଲେ ଯେ ସିନ୍ଦୂର ଟୋପା ଶେଷଦେବ ଆସି ।

ଶ୍ଵେତ ଦୁବମାଳା ଦେଲେ ଗରୁତ୍ମାନ ଆଣି

କରିବେ ଶତ୍ରୁଏ ଭୟ ଦେଖି ଚୂଡ଼ାମଣି ।

 

କର୍ଣ୍ଣାଟଈଶ୍ଵର ଦେଲେ ବୈଜୟନ୍ତୀ ମାଳା

ନେଇ ନୃସିଂହ ତାହା ଲମ୍ବାଇଲେ ଗଳା ।

ବ୍ରାହ୍ମଣେ ଯେ ଚାରିବେଦ ପଢ଼ନ୍ତି ଚୌପାଶେ

ନାୟିକାଏ ହୁଳହୁଳି ଦିଅନ୍ତି ସୁବେଶେ ।

 

କୃଷ୍ଣବଲ୍ଲଭ ରାଜନ ମାତା ଭଗବତୀ

ଏହାଙ୍କ ପାଦେ ନୃସିଂହ ଉଠିଣ ନମନ୍ତି ।

ମାତା ବୋଇଲେକ ବାପ କିପାଁ ଏଡ଼େ ବେଶ

ବୀରମୂର୍ତ୍ତି ପ୍ରାୟ ଆଜ ହୋଇଛୁ ପ୍ରକାଶ ।

 

ନୃସିଂହ ବୋଇଲେ ମାତ କହୁଁ ଦେବେ ଶୁଣ

ଦାରୁଣ ମଲା କାଳରେ ରଥେ ଥିଲି ପୁଣ ।

ଯେତେ ମାୟା କରିଣ ସେ ଆମ୍ଭଙ୍କୁ ଯୁଝିଲା ।

ନିଦାନ ବେଳକୁ ଶେଷଦେବ ହାତେ ମଲା

ଏବେଟି ତାହାର ଭାଇ ଯେଉଁ ମୁରାସୁର

ଯୁଦ୍ଧକୁ ବାହାରିଅଛି ଧରି ସୈନ୍ୟ ତାର ।

ଆମ୍ଭର ଗଡ଼ ପାଖରେ ଆସି ହୋଇଲେଣି

ଆମ୍ଭେ ଯୁଝି ନ ଗଲେଟି ନିନ୍ଦାହେବ ପୁଣି ।

 

ଦେବତାମାନଙ୍କୁ ସେହି ଅଟେ କାଳକୂଟ

ଏଥର ଆସିଲେ ନିଶ୍ଚେଁ ମରିବ ପାପିଷ୍ଠ ।

ଭାଇର ଛଳରେ ସିନା ଯୂଦ୍ଧେ ଆସୁଅଛି

ଏବେ ସେ ମଲେ ସବୁରି କଳଙ୍କ ଯାଉଛି ।

 

ଭଗବତୀ ବୋଇଲେକ ଶୁଣ ମୋର ବାପ

ଅସୁର ଛାରକୁ ଆଉ ନ କର ତୁ କୋପ ।

ଅଦୋଷେ ଦୈତ୍ୟ ତୁମ୍ଭଙ୍କୁ କଲେ ଯେବେ ବାଦ

ଏଥକୁ ରକ୍ଷା ତୁମ୍ଭଙ୍କୁ କରିବେ ଗୋବିନ୍ଦ ।

 

ନିର୍ବଳ ଜନ ସମ୍ପଦ ଅଳ୍ପେ ଯାଏ ଡୁବି ।

ବୟସ ଗର୍ବରୁ ସେହି ରହି ନ ପାରନ୍ତି

ଆମ୍ଭେ ବଡ଼ ବୋଲିକରି ପ୍ରାଣୀକି ଦଣ୍ଡନ୍ତି ।

 

ବଡ଼ଲୋକ ଯେତେ କଳି କରେ ଉଚ୍ଚକରି

ସାନଲୋକ ସେହି କଳି କରେ ଧରି ଧରି ।

ବଡ଼ଲୋକର କଳିକୁ ଶୁଣନ୍ତି ଯେ ଜନେ

ସାନଲୋକ ସେହି କଳି କରେ ମନେ ମନେ ।

 

ଏଣୁକରି ସାନଲୋକ ସଙ୍ଗେ ନ ଲାଗିବ

ତୁମ୍ଭେ ତ ସର୍ବଜ୍ଞ ଶ୍ରାନୃସିଂହ ଶେଷଦେବ ।

ଅସୁର ସଙ୍ଗେ ବାପ ନ ଯାଅ ତୁମ୍ଭେ ଲାଗି

ତାର ଇଚ୍ଛାରେ ଆସି ଯେ ପଳାଇବ ଭାଙ୍ଗି ।

 

ନୃସିଂହ ବୋଇଲେ ମାଗୋ କହୁଅଛି ଶୁଣ

ମାନବଙ୍କ ପ୍ରାୟ ତୁମ୍ଭେ ଆମ୍ଭଙ୍କୁ ନ ମଣ

ଆମ୍ଭେତ ସୃଷ୍ଟି କରତା ସର୍ବ ଶିରୋମଣି

ତୁମ୍ଭେ ତ ଆମ୍ଭର କଥା ପୂର୍ବୁ ଅଛ ଜାଣି ।


ଯେତେବେଳେ ଆମ୍ଭେ ତୋର ଗର୍ଭେ ବିଜେକଲୁ

ସେହି ସମୟେ ତୁମ୍ଭଙ୍କୁ ଆମ୍ଭେ ଚିହ୍ନାଦେଲୁ ।

ଶଙ୍ଖ ଚକ୍ର ଗଦା ପଦ୍ମ ଚାରିରୂପ ଧରି

ତୁମ୍ଭ ଗର୍ଭୁ ଆମଅଭେ ଆସିଅଛୁ ଅବତରି ।

 

ଶୁଣି ଭଗବତୀ ଏହା ସତ୍ୟ ବୋଲି ପାଞ୍ଚି

ସ୍ତିରୀଲୋକ ବୁଝି ତାକୁ ମାୟା ପ୍ରକାଶୁଛି 

ପତି ତନୟ ସମ୍ପତ୍ତି ଦେଖି ଭୋଳ ହେଉ

ଦେହକୁ ଲାଗିଲେ ଦୁଃଖ ଅଳ୍ପେ କ୍ରୋଧ ବହୁ ।

 

ସଂସାରଯାକ ଏ ପ୍ରଭୁ ଅଟନ୍ତି ଧାରଣା

ଶୁଣୁ ଶୁଣୁ ବୁଝୁ ବୁଝୁ ହେଲି ମୁହିଁ ବଣା ।

ଦୈତ୍ୟକୁ ମାରିବା ପାଇଁ ପ୍ରଭୁ ଛନ୍ତି ଜନ୍ମି

ଆମ୍ଭେ ତାଙ୍କୁ ମଣିଥାଉଁ ପୁତ୍ର ପ୍ରାୟ ଜାଣି ।

 

ଏହିରୂପେ ବୋଲି ମାଏ ମନେ ପାଞ୍ଚିଭୋଳେ

ବୋଇଲେ ନୃସିଂହଗଣ ଦେଖନ୍ତି ମୁଁ ବେଳେ ।

ଜନନୀର ମନକଥା ଜାଣି ନାରାୟଣ

ଗରୁଡ଼କୁ ଆଜ୍ଞାକଲେ ଉଠ ପକ୍ଷିରାଣ 

 

ମାତା ପିତାଙ୍କୁ ଘେନି ତୋ ଉପରେ ବସିବା

ନୃସିଂହଗଣ ଦେଖାଇ ବହନ ଆସିବା 

ଶୁଣିକରି ପକ୍ଷିବର ବିସ୍ତାରିଲା ପକ୍ଷୀ

ପଦ୍ମାକାର କରି ପିଠିପରେ ହେଲା ରଖି ।

 

ଶକଟ ଗୁଲି ପରାୟ ଚକାସନ କରି

ଗରୁଡ଼ ଆସନ ଦେଖି ହସି ନରହରି ।

ବୋଇଲେକ କେତେ ବୁଦ୍ଧି ଜାଣେ ଗରୁଡ଼ଟି

ମାତା ଡରିବେ ବୋଲିଣ ବିସ୍ତାରିଲେ ପିଠି ।

 

ଯୋଜନ ଆକ୍ରାନ୍ତେ ପୁଣି ଦୀର୍ଘ ଅଛି କରି

ଚାରିବେଢ଼େ ଅଷ୍ଟରତ୍ନ ବାନ୍ଧିଛି ପାଚେରୀ 

 

ବସିଲେ ସ୍ତ୍ରୀ ଲୋକ ପଡ଼ିଯିବେ ବୋଲି ଖସି

ତେଣୁ ଏପରି କରିଲା ବିନତାର ଶିଷି ।

 

ତହୁଁ ନୃସିଂହ ଜନନୀ ଜନକଙ୍କୁ ଧରି

ଗରୁଡ଼ ଉପରେ ଯାଇଁ ବସିଲେ ଶ୍ରୀହରି ।

ଅଦିତି କୋଳରୁ ଯେହ୍ନେ ଜାତ ମଘବାନ

ସେହିରୂପେ ଭଗବତୀ ଦିଶିଲେ ଶୋଭନ ।

 

ମାତାଙ୍କୁ ଘେନିଣ ପ୍ରଭୁ ଗରୁଡ଼ ଆସନେ

ବଦ୍ରିକାପୁରରୁ ଉଠି ଚଳିଲେ ଗଗନେ ।

ସମୁଦ୍ର ଭିତରୁ ସୂର୍ଯ୍ୟ ଉଦେକାଳେ ଯେହ୍ନେ

ମୃଗ ଡେଇଁଲା ପରାୟ ଉଠନ୍ତି ଗଗନେ ।

 

ସେହିରୂପରେ ଗରୁଡ଼ ଉଠେ ଶୂନ୍ୟମାର୍ଗେ

ନନ୍ଦିଘୋଷ ରଥ ପ୍ରାୟ ଦିଶେ ଦଶଦିଗେ ।

ଦିଶନ୍ତି ଶ୍ରୀଜଗନ୍ନାଥ ଯେହ୍ନେ ନନ୍ଦିଘୋଷେ

ସେହିରୂପେ ନୃସିଂହର ମହିମା ପ୍ରକାଶେ ।

 

ଏଥୁଅନନ୍ତରେ ସ୍ଵାମୀ କମଳା ରମଣ

ଜନନୀଙ୍କି ଦେଖାଇଲେ ନରସିଂହଗଣ ।

ବୋଇଲେ ଦେଖ ମା ନର ସିଂହଗଣ ପ୍ରଭୁ

ପ୍ରତ୍ୟକ୍ଷେ ଦଶାବତାର ଅଟନ୍ତି ଏ ସବୁ ।

 

ବଦ୍ରିକାଗଡ଼ ବାହାରେ ଛନ୍ତି ବିଜେକରି

ଶଙ୍ଖ ଚକ୍ର ଗଦା ପଦ୍ମ ଚାରିଭୁଜେ ଧରି ।

ଧନୁ ତୀର ବାଣ ଅଛି ସମସ୍ତଙ୍କ ହସ୍ତେ

ବେଣୁ ପାଶ ଅଙ୍କୁଶ ଯେ କୋଦଣ୍ଡ ସହିତେ ।

 

ଗଡ଼ ବାହାରଯାକରେ ପୂରିଛନ୍ତି ଦେଖ

ବତିଶ ପଦ୍ମ ପର୍ଯ୍ୟନ୍ତେ ସର୍ବେ ପଦ୍ମ ମୁଖ ।

ଅସୁର ମାରିବାପାଇଁ ଏଥେ ଅବତରି

ଶାଳଗ୍ରାମ ଶିଳା ଏହି ହେବେ ମଞ୍ଚପୁରୀ ।

 

ଗଣ୍ଡ କୀତୀର୍ଥେ ରହି ଏ ହେବେ ଅବତାର

ଶ୍ରୀନୃସିଂହ ଶାଳଗ୍ରାମ ଶ୍ରୀବିଷ୍ଣୁ ପଞ୍ଜର ।

ଆବର ହିରଣ୍ୟଗର୍ଭ ଦାମୋଦର ନାମ

ଶ୍ରୀଅନନ୍ତ ଶେଷମୂର୍ତ୍ତି ଶ୍ରୀପୁରୁଷୋତ୍ତମ ।

 

ରଘୁନାଥ ଜନାର୍ଦ୍ଦନ ଲକ୍ଷ୍ମୀ ନାରାୟଣ

ଜନ୍ମିବେ ଏରୂପେ ଗଣ୍ଡୁକୀରୁ ଶାଳଗ୍ରାମ ।

ଏହି ମୂର୍ତ୍ତିମାନେ ଜଗିଛନ୍ତି ଆମ୍ଭ ପୁର

ତେଣୁ ଆମ୍ଭଙ୍କୁ ନ ଲାଗେ ଅସୁରଙ୍କ ଡର ।

 

ଶୁଣିଣ ନିର୍ଭର ହେଲା ଭଗବତୀ ମନ

ବୋଇଲେକ ବେଗେ ଯାଇ ମାର ଦୁଷ୍ଟଜନ ।

ଆଜ ଯେବେ ମୁର ଆସିଥିବ ଏ ଯୁଦ୍ଧକୁ

ଅବଶ୍ୟ ମରିବ ସେହି ଶାପ ଦେଲି ତାକୁ ।

 

ଏଥର ପଡ଼ିଲେ ଆଗେ ନ ଯିବ ବାହୁଡ଼ି

ମୁହିଁ ତୋତେ ଦେଲି ଏହି ଅଯୋନିଜାଶାଢ଼ୀ ।

ଏହି ଶାଢ଼ୀ ଅଙ୍ଗେ ଭିଡ଼ି ଯୁଦ୍ଧେ ପଶିଥିବୁ

ମନେ ଯା ପାଞ୍ଚିବୁ ତାହା ପ୍ରାପ୍ତ ହେବ ସବୁ ।

 

ଶ୍ରୀ ବ୍ରହ୍ମା ଅଗ୍ନିଙ୍କର ଏ ଅମଳାନ ଶାଢ଼ୀ

ଏତେ କହି ପୁତ୍ର ଅଙ୍ଗେ ଦେଲେ ମାଏ ଭିଡ଼ି ।

ଅମଳାନ ବସ୍ତ୍ର ଏ ଶ୍ରୀବ୍ରହ୍ମା ଅଗ୍ନିଙ୍କର

ମୋତେ ପିନ୍ଧାଇ ଅଗ୍ନିରୁ କାଢ଼ି ବେଦବର ।

 

ବୋଇଲେ ଏହି ଶାଢ଼ୀକି ସାଇତି ଯେ ଥିବୁ

ମୁରାସୁର ଯୁଦ୍ଧ କାଳେ ନୃସିଂହକୁ ଦେବୁ ।

ଏ ବସ୍ତ୍ର କରିବ ତେତେବେଳେ ବଡ଼ ଗୁଣ

ସସ୍ରେପାଦ ଧରି ଜାତ ହେବେ ନାରାୟଣ ।

 

ତେତେବେଳେ ଯାଇ ନାଶ ହେବ ମୁରାସୁର

ଏହିରୂପେ କହିଛନ୍ତି ମୋତେ ବେଦବର ।

ଶୁଣିଣ ନୃସିଂହ ସ୍ଵାମୀ ଆନନ୍ଦିତ ହେଲେ

ମାତାଙ୍କୁ ଘେନି ଯାଇଣ ଗୃହେ ବିଜେ କଲେ ।

ମାତା ପିତାଙ୍କର ଭୟ ଛଡ଼ାଇ ଶ୍ରୀହରି

ଗରୁଡ଼କୁ ଘେନି ସଭା ମଧ୍ୟେ ବିଜେ କରି ।

ଶେଷଦେବଙ୍କୁ ଚାହିଁଣ କହନ୍ତି ନୃସିଂହ

ବୋଲନ୍ତି ମୁର ତୁଲେ ତୁ ନ ଲାଗିବୁ ଆଗ ।

 

ବଇନତେୟ ପାଖ ତୁ କେବେ ନ ଛାଡ଼ିବୁ

ସେ ଆଗରେ ଥିଲେ ତୁହି ପଛେ ତାର ଥିବୁ ।

ସମର ଛନ୍ଦ ତକ ସେ ଜାଣେ କେତେ ମାର୍ଗ

ବ୍ରହ୍ମଣକତିକି ତାର ଦ୍ଵିଗୁଣ ବଜ୍ରାଙ୍ଗ ।

 

ଶ୍ରୀମୁଖ ବଚନ ଶୁଣି ହସେ ଖଗେଶ୍ଵର

ବୋଲଇ ମୋ ବଳ ସବୁ ନୃସିଂହଠାକୁର ।

ବୁଝିଲେ ପ୍ରତ୍ୟକ୍ଷେ ଶେଷଦେବ ବ୍ରହ୍ମମୂର୍ତ୍ତି

ବ୍ରହ୍ମପାଖରେ ଥାଆନ୍ତେ କାହାକୁ ମୋ ଭୀତି ।

 

ଏହା ଶୁଣି ଶେଷଦେବ ଆନନ୍ଦିତ ହେଲେ

ଗରଡ଼ ମହାଯତିଙ୍କି ବହୁ ପ୍ରଶଂସିଲେ ।

ନୃସିଂହ ବୋଇଲେ ମୋର କର୍ଣ୍ଣାଟେଶ ରାଜା

ଆମ୍ଭ ସୂର୍ଯ୍ୟବଂଶର ସେ ଅଟନ୍ତି ଯେ ଅଜା ।

 

ଜନ୍ମକାଳୁଁ ସେ ଅମରବର ଛନ୍ତି ପାଇ

ଏବେ ତିନିଭାଗ ଆୟୁ ଭୋଗିଲେଣି ସେହି ।

ଆବର ସେ ଭାଗେ ଭୋଗ କରିବେ ଏଣିକି

ଯୁଦ୍ଧରେ ପଡ଼ିଲେ ସେହି ଡ଼ରିବେ କାହିଁକି ।

 

ଶୁଣିଣ କର୍ଣ୍ଣାଟେଶ୍ଵର ବୋଲେ ହୋଇ ହୋଇ

ନୃସିଂହ ହେତୁ କାହାକୁ ମୋର ଭୟ ନାହିଁ ।

ସୁଜାଣ ମନ୍ତ୍ରୀଙ୍କି ପୁଣି ଚାହିଁ ପଦ୍ମନେତ୍ର

ବୋଇଲେ ତୋହର ଘେନି ରକ୍ଷା ବଦ୍ରି କ୍ଷେତ୍ର ।

 

ଏ ବଦ୍ରିକା କ୍ଷେତ୍ରକୁ ତୁ ଅଟୁ ରକ୍ଷାକାରୀ

ତୁମ୍ଭର ପ୍ରାୟ ମନ୍ତ୍ରୀ କେ ନାହିଁ ତିନିପୁରୀ ।

ତୋର ଆଦ୍ୟ ଅକ୍ଷରଟି ଚାରିଯୁଗ ଯାକୁ

ଯେତେ ମନ୍ତ୍ରୀ ହୋଇବେ ସେ ବହିବେ ତାହାକୁ ।

ପୁରାଣ ଶାସ୍ତ୍ର ଗ୍ରନ୍ଥରେ ବସିବେ ଯେ ମନ୍ତ୍ରୀ

ତୋର ଆଦ୍ୟ ଅକ୍ଷରରେ ହେବେ ସର୍ବେଯନ୍ତ୍ରୀ 

ଏହି କଥା ସୁପଣ୍ଡିତେ ବିଶେଷ ବୁଝିବେ

ମନରେ ଧନ୍ଦି ହୋଇଲେ ଆମ୍ଭଙ୍କୁ ପୁଚ୍ଛିବେ ।

 

ଏତେ ବୋଲି ମହାପ୍ରଭୁ ସୁଜାଣ ମନ୍ତ୍ରୀକି

କଥାର ମାର୍ଗେ କହିଣ ବୋଧିଲେ ସଭିଙ୍କି ।

ନୃସିଂହ ପ୍ରଭୁ ଯାହାକୁ କହିଲେ ଯେ ରୂପେ

ବୁଝିଲେ ତ ପ୍ରତାପୀ ସେ ଅଟନ୍ତି ସେ ରୂପେ ।

 

ଶୁଣିଣ ସୁଜାଣ ମନ୍ତ୍ରୀ ଯୋଡ଼ି କରପତ୍ର

ବୋଲେ ତୁମ୍ଭ କୃପାରୁ ମୁଁ ଜାଣେ ସବୁ ଯନ୍ତ୍ର ।

ଏଥର ଦୈତ୍ୟ ଆସିକି ଯିବ ଦେହ ଧରି

ସବୁକୁ ପ୍ରାଣାୟନମଃ ସ୍ଵାହା ଦେବୁ କରି ।

 

ମନ୍ତ୍ରୀର ମୁଖରୁ ଶୁଣି ହସି ଭାବଗ୍ରାହୀ

ବୋଲନ୍ତି ରେ ମୁରାସୁର ଯିବୁ ଆଜ କାହିଁ ।

ଏକା ଗରୁଡ଼ ମୋହର ସୈନ୍ୟଯାକ ତୋର

ନିଃଶ୍ଵାସକେ ମାରି ପେଷିଦେବ ଯମପୁର ।

 

ଏରୂପେ ବୋଲିଣ ବାମହସ୍ତେ ନିଶମୋଡ଼ି

ମାରନ୍ତି ଶସ୍ତ୍ରମାନ ଯେ ତୂଣୀରରୁ କାଢ଼ି ।

 

Unknown

ପ୍ରଳମ୍ବା, ବିରାଜ, ମୁକୁନ୍ଦା ଓ
ମୂଢ଼ାସୁରର ଯୁଦ୍ଧ ଏବଂ ମୃତ୍ୟୁ*

ଏଥୁ ଅନନ୍ତରେ ଚାର ଆସେ ଶୀଘ୍ରଧାଇଁ

ଦୈତ୍ୟ ଆସିଲେକ ବୋଲି ଅଗ୍ରେ ଦେଲା କହି ।

ବୋଇଲା ଶୁଣ ସ୍ଵାମୀ ଭୋ ଦେବ ଲକ୍ଷ୍ମୀକାନ୍ତ

ମାଡ଼ି ଆସିଲେ ମୁରର ସୈନ୍ୟ ଅପ୍ରମିତ ।

 

ନୃସିଂହଗଣ ତୁମ୍ଭର ବାଟ ଜଗିବାରୁ

ଗଡ଼ରେ ପଶି ଦଇତ୍ୟେ ନ ପାରିଲେ ଦୁରୁଁ ।

ଶୁଣିଣ ନୃସିଂହ ସ୍ଵାମୀ ହେଲେ ଆଗୁଁସାର

ନିଃଶ୍ଵାସ ବାରି ଚରଣ କାଢ଼ିଲେ ତର୍ପର ।

 

ବାଜଇ ଶଙ୍ଖ ବୀଣା ଯେ ଶୁଭନାଦ ସ୍ଫୁରୀ

ଘଣ୍ଟା ଘଣ୍ଟିର ନାଦରେ ଉଛୁଳେ ତ୍ରିପୁରୀ ।

ଉଡ଼ନ୍ତି ଶ୍ଵେତ ପାରୁଆମାନେ ପନ୍ତି ପନ୍ତି

ଶଙ୍ଖଚିଲମାନେ ଉଡ଼ି କୋମଳ ରାବନ୍ତି ।

 

ଦକ୍ଷିଣେ ମୃଗେ ସୁବେଦୀ ବିପ୍ର ଯେତେ ଦେଖି

ନକୁଳ ଗରୁଡ଼ ରାଜହଂସ ଶୁକପକ୍ଷୀ ।

ଅହିୟ ଯୁବତୀମାନେ ଧରି ପୂର୍ଣ୍ଣକୁମ୍ଭ

କାଖେ ମଥାରେ ପ୍ରସନ୍ନମୁଖେ ବହିଥିବ ।

 

ଏହାକୁ ଦେଖଇ ଯେହୁ ଅନୁକୂଳ ବେଳେ

ଯାବତ କଥା ତାହାରି ଶୁଭ ହୁଏ ଭଲେ ।

ଏମନ୍ତ ଲଗ୍ନରେ ପ୍ରଭୁ ଗୃହୁଁ ଯାନ୍ତେ ଚଳି

ଚୌଷଠି ସହସ୍ର କନ୍ୟା ଦ୍ୟନ୍ତି ହୁଳହୁଳି ।

 

ବୀର କାହାଳୀ ଲକ୍ଷେକ ବାଜେ ଆଗେ ଆଗେ

ନୃସିଂହଙ୍କ ମଧ୍ୟେ ମିଳିଲେକ ପ୍ରଭୁ ବେଗେ ।

ଧାମନ୍ତି ନୃସିଂହଗଣେ ଦେଖି ପଦ୍ମନେତ୍ର

ଦରଶନ କଲେ ସର୍ବେ ଯୋଡ଼ି କରପତ୍ର ।

 

ଗରୁଡ଼ ଯେ ଶେଷଦେବ କର୍ଣ୍ଣାଟେଶ ରାଜେ

ସୁଜାଣ ମନ୍ତ୍ରୀଙ୍କି ଘେନି କରିଛନ୍ତି ବିଜେ ।

ଦେଖିଲେ ଦଇତ୍ୟେ ପୃଥ୍ଵୀମଧ୍ୟେ ଛନ୍ତି ପୂରି

ପଛରେ ମୁର ଅସୁର ଆସେ ସୈନ୍ୟ ଧରି ।

 

କୋଳାହଳ ହୋଇ ପୃଥ୍ଵୀ ପଡୁଛି ଧମକି

ଘୁମୁଘୁମୁ ଘୁମୁରା ଯେ ବାଜୁଛି ଚମକି ।

ଡିବି ଡିବି ଡମ୍ବରୁ ଯେ ଶୁଭେ ଘିଡ଼ି ଘିଡ଼ି

ଦମାଳୁ ଯେ ଦୁଲୁ ଦୁଲୁ ଶୁଭେ କାନ ଖିଡ଼ି ।

ବାଜେ ଢୋଲ ଦମା ଘୋର ଗରଜନ କରି

ତୁରୀର ଶବ୍ଦେ ଉଛୁଳି ପଡ଼େ ତିନିପୁରୀ ।

ବୀର କାହାଳୀ ନାଦରେ ଆସେ ଚମକାଇ

ଚାରିଦିଗେ ସୈନ୍ୟ ଛନ୍ତି ରାଜା ମଧ୍ୟ ଥାଇ ।

 

ନୃସିଂହ ଦେଖିଣ ତାହା ଅଳ୍ପ ମନେ ହସି

ନୃସିଂହ ଗଣକୁ ଚାହିଁ କହନ୍ତି ବିଶେଷି ।

ବୋଇଲେ ଦୈତ୍ୟମାନଙ୍କୁ ବେଗେ ଯାଇ ମାର

ଯେ ଯାହା ମୁଖେ ପଡ଼ିବ ଉପ୍ରୋଧ ନ କର ।

 

ଏହା ଶୁଣି ହରିଗଣେ ଦେଲେ ଘୋର ରଡ଼ି

ଶୁଭଇ ଶୂନ୍ୟରେ ଯେହ୍ନେ ମେଘ ଘଡ଼ଘଡ଼ି ।

ରାତ୍ର ପହରେକ ଥାଉଁ ଦୈତ୍ୟ ଆସିଥିଲେ

ହରିଗଣଙ୍କ ଚହଳ ଦେଖି ଲୁଚା ଦେଲେ ।

 

ଗଡ଼ମଧ୍ୟେ ପଶିବାର ପାଞ୍ଚ ଗଲା ଭାଜି

ପଛେଇ ରହିଲେ ସବୁ ହୋଇ ଖୋଜିଖୋଜି ।

ଯେତେକ କଥା ପାଞ୍ଚିଣ ନଗ୍ରୁ ଆସିଥିଲେ

ନୃସିଂହଗଣ ମଧ୍ୟରେ ପଶି ନ ପାରିଲେ ।

 

ଏଥୁ ଅନନ୍ତରେ ରାତ୍ର ହେଲା ଆସି ଶେଷ

ପୂର୍ବ ଦିଗରୁ ଆଦିତ୍ୟ ହୋଇଲେ ପ୍ରକାଶ ।

ନୃସିଂହଗଣ ମଧ୍ୟରେ ବିଜେ ବ୍ରହ୍ମରାଶି

ମୁରାସୁର ସୈନ୍ୟ ଦେଖି ମନେ ହୋନ୍ତି ତୋଷି ।

 

ବୋଲନ୍ତି କେଡ଼େ ପ୍ରତାପି ଅଟେ ମୁରାସୁର

ଏଡେ ବିଭବବନ୍ତ କେ ନାହିଁ ତିନିପୁର ।

କେତେ ଗୁଡ଼ାଏ ସଇନ୍ୟ ପୋଷିଥିଲା ଘରେ

ଆଜକୁ ବୟାଶୀ ପଦ୍ମ ମଲେଣି ଅସୁରେ ।

 

ତେତିଶକୋଟି ଯୁବତୀ ଅଟେ ଯାର ରାଣୀ

ଏଡ଼େ ସମ୍ପତି ଭୋଗି ନ ପାରେ କେଉଁ ପ୍ରାଣୀ ।

ବିଶାଶଏ ଯୋଜନ ଯେ ଅଟେ ଯାର ପୃଥ୍ଵୀ

ଯାର ନଗ୍ରଯାକ ହୀରା ପାଚେରୀର କାନ୍ଥି ।

ଏଡ଼େ ରାଜ ଛବି କାର ନାହିଁ ଦୈତ୍ୟକୁଳେ

ଷୋଳପଦ୍ମ ଗଜ ଆଣିଅଛି ଏକାବେଳେ ।

ଷୋଳପଦ୍ମ ଅଶ୍ଵ ପୁଣି ଉଚୈଃଶ୍ରବା ବଂଶୀ

ଷୋଳପଦ୍ମ ସୈନ୍ୟ ଧରି ଯୁଝିବାକୁ ଆସି ।

 

ଷୋଳପଦ୍ମ ଗଜ ଯାକୁ ଦେବଗଡ଼ ବାନ୍ଧି

ତହିଁ ମଧ୍ୟରେ ଆମ୍ଭଙ୍କୁ ରଖିବ ସେ ରୁନ୍ଧି ।

ଏହିରୂପେ ମୁର ପାଞ୍ଚି ଆସେ ମନେ ମନେ

ଆମ୍ଭର ବିଚାର କହ ଶୁଣିବା ବଚନେ ।

 

ସୁଜାଣ ମନ୍ତ୍ରୀ ବୋଇଲେ ଆମ୍ଭ ପ୍ରଭୁ ଥାନ୍ତେ

ଦୈତ୍ୟଛାରକୁ ଆମ୍ଭେ ନ ମାନୁ କଦାଚିତେ ।

କର୍ଣ୍ଣାଟେଶ୍ଵର ରାଜନ ବହୁ ମନେ ତ୍ରାସି

ବୋଲେ ପାଦରେ ଶରଣ ମୁହିଁ ଅଛି ପଶି ।

 

ଏହା ବୁଝି ବାସୁଦେବ ସୁଦୟା କରିବେ

ମୁରକୁ ମାରି କର୍ଣ୍ଣାଟ ଦେଶ ମୋତେ ଦେବେ ।

ମୋହର ପାଇଁ ଭୋ ପ୍ରଭୁ ହେଲେ ଅବତାର

ନୃସିଂହ ନାମ ବହିଣ ମାରିବ ଯେ ମୁର ।

 

ଶାଢ଼ୀ ଯେବେ ଘେନିବି ମୁଁ ନୃସିଂହଙ୍କ ହସ୍ତେ

କେତେକାଳକୁ ଏ କଥା ରହିବ ଜଗତେ ।

ଏ ରୂପେ ବୋଲି ତୂଣୀରୁ ବାଣମାନ କାଢ଼ି

ଧନୁରେ ଶର ଯୋଚିଣ ହସ୍ତେ ନିଶ ମୋଡ଼ି ।

 

ଠିଆହେବା ଦେଖି ମନେ ଶେଷଦେବ ଭାଳି

ବୋଇଲେ କର୍ଣ୍ଣାଟ ପାଇଁ ପ୍ରଭୁ ଛନ୍ତି ଛଳି ।

ମୁରକୁ ମାରି କର୍ଣ୍ଣାଟ ଈଶ୍ଵରକୁ ନେଇ

ଆସିବେ କନକାବତୀ ନଗ୍ରେ ଶାଢ଼ୀ ଦେଇ ।

 

ଗରୁଡ଼ ବୋଇଲେ ମୋତେ ହ୍ଵନ୍ତା ଯେବେଆଜ୍ଞା

ଘଡ଼ିକ ମଧ୍ୟରେ ଭାଙ୍ଗିଦ୍ୟନ୍ତି ଦୈତ୍ୟ ପ୍ରଜ୍ଞା ।

ହାତୀ ଦଣ୍ଡ ଯେତେ ଆଣିଅଛି ଦୈତ୍ୟରାଜ

ମାରି ସମୁଦ୍ରେ ପକାଇଦେବି ତାଙ୍କୁ ଆଜ ।

ଅଶ୍ଵମାନଙ୍କୁ ଧରିଣ ଫିଙ୍ଗିବି ଶୂନ୍ୟକୁ

ଛେଚି ହୋଇ ପଡ଼ି ମରିଯିବେ ଫାଟି ବୁକୁ ।

ନୃସିଂହ ବୋଇଲେ ମୁହିଁ ତୋର ବଡ଼ପଣେ

ମୁର ନିଧନେ ସାହସ ବାନ୍ଧିଅଛି ରଣେ ।

 

ଏହା ଶୁଣି ଖଗେଶ୍ଵର ଯୋଡ଼ି କରପତ୍ର

ବୋଇଲା ତୁମ୍ଭ ବୈରିକି ଅଟେ ବୈରିନେତ୍ର 

ତୁମ୍ଭ ବୈରି ନେତ୍ରେ ମୋର ପଡ଼ିଣ ମରନ୍ତେ

ତେଣୁ ବୈରିନେତ୍ର ନାମ ଦେଲେପ୍ରଭୁ ମୋତେ ।

 

ଗରଡ଼ ବଚନ ଶୁଣି ହସନ୍ତି ନୃସିଂହ

ଏଥୁଅନନ୍ତରେ ଶୁଣ ଅସୁର ପ୍ରସଙ୍ଗ ।

ଯେତେ ବିଚାର କରିଣ ନଗ୍ରୁଁ ଆସିଥିଲା

ପ୍ରଭୁ ସୈନ୍ୟ ଦେଖି ଗଡ଼େ ପଶି ନ ପାରିଲା ।

 

ବଦ୍ରିକାଶ୍ରମୁ ଯୋଜନ ଯାଏ ଛାଡ଼ ହୋଇ

ତହିଁରେ ବିଚାର କରି ବସେ ନୃପସାଇଁ ।

ବୋଲେ ହସ୍ତିରେ ବାନ୍ଧିବି ଏଥେଁ ମୁହିଁ ଗଡ଼

ଓସାରେ କରିବି ଦଶଯୂଣ ପ୍ରତିବେଢ଼ ।

 

ତହିଁ ଭିତରେ ମୋହର ସୈନ୍ୟ ପୂରାଇବି

ଉତ୍ତରକୁ ଦ୍ଵାର କରି ଛାଡ଼ିଦେବି ।

ଷୋଳପଦ୍ମ ଅଶ୍ଵ ପୁଣି ସାଜେଣି କରିବି

ମୁକା ମୁକା ହୋଇ ଯୁଦ୍ଧ କରିବେ ଦେଖିବି ।

 

ବଲ୍ଲଭର ପୁତ୍ରେ ଭଲ ଥିଲେ ବିପ୍ର ପୋଷି

ଆମ୍ଭ ସୈନ୍ୟକୁ ଦ୍ଵିଗୁଣ ହେଲା ପ୍ରାୟ ଦିଶି ।

ମୁଁ ପାଞ୍ଚିଥିଲି ଆସିବେ ଶଏ ବିଶାଶତେ

ଦେଖିଲି ନୃସିଂହଗଣ ଛନ୍ତି ଅପ୍ରମିତେ ।

 

ଏତେ ପାଞ୍ଚିକରି ଚାରିସେନା ଡକାଇଲା

ଗଡ଼କରି ହସ୍ତୀଯାକ ରଖ ହୋ ବୋଇଲା ।

ଶୁଣି ପ୍ରଳମ୍ବା ମୁକୁନ୍ଦାସୁର ସେନାପତି

ବିରାଜ ମୂଢ଼ା ମିଳିଲେ ଆସି ରାଜା କତି ।

ମୁରାସୁର ବୋଇଲା ହେ ସର୍ବେ ତୁମ୍ଭେ ଶୁଣ

ଘରୁ ଆସିଲା ବିଚାର ହେଲା ଅକାରଣ ।

ଏବେ ମୋହର କଥାଏ ସର୍ବେ କର

ଗଡ଼ ଗୋଟାଏ ବାନ୍ଧିଣ ରହିବା ଏଠାର ।

 

ଯେତେକ ଆମ୍ଭର ଆସିଛନ୍ତି ମତ୍ତହସ୍ତୀ

ଏହାଙ୍କୁ ବେଢ଼ାଇ ରଖ କରି ଗଡ଼ପ୍ରତି ।

ସେ ଗଡ଼େ ଥାଇଁ ବିପ୍ରଙ୍କ ସଙ୍ଗରେ ଯୁଝିବା

ନୃସିଂହ ସୈନ୍ୟଯାକକୁ ମାରିପକାଇବା ।

 

କୃଷ୍ଣବଲ୍ଲଭ ପୁତ୍ରକୁ ପେଶି ଯମପୁର

ଶୁଣି ସେନାଏ ବୋଇଲେ ଆଚ୍ଛା ଏ ବିଚାର ।

ରାଜା ଆଜ୍ଞା ପାଇ କରି ଆଣିଲେ ହସ୍ତୀଙ୍କୁ

ସାକ୍ଷାତେ ଗଡ଼ପରାୟେ ବାନ୍ଧିଲେ ତାହାଙ୍କୁ ।

 

ରାଜା ଆଜ୍ଞା ପାଇ ଗଡ଼ ନିର୍ମାଣ କରିଲେ

ଦଶଯୂଣ ବିସ୍ତାର ଯେ ଗଡ଼ଗର୍ଭ କଲେ ।

ହସ୍ତୀର ପରେ ମଣ୍ଡଣି ଯେତେଥିଲେ କରି

ଦିଶଇ ଦୂରକୁ ସେହୁ ପ୍ରତ୍ୟକ୍ଷେ ପାଚେରୀ ।

 

ଗଡ଼ର ପ୍ରତିବନ୍ଧେ ସେ ଗଡ଼ କଲେ ଉଭା

ଦେଖିବା ଲୋକମାନଙ୍କୁ ଦିଶେ ମହାଶୋଭା ।

ରାଜା ଆଜ୍ଞା ପ୍ରମାଣେ ସେ ଗଡ଼ ହେଲା ଉଚ୍ଚ

ଚାରି କୋଣେ ବସାଇଣ ଅଛନ୍ତି ଗୁରୁଜ ।

 

ଦେଖି ମୁରାସୁର ବଡ଼ ଆନନ୍ଦିତ ହେଲା

ଚାରି ସେନାପତିଙ୍କି ସେ ଗଉରବ କଲା ।

ବୋଇଲା ସମର ଏବେ କର ମନ ଇଚ୍ଛା

ନୃସିଂହ ସୈନ୍ୟଙ୍କୁ ମାର ନ କରିଣ ରକ୍ଷା ।

 

ବାଇଶୀ କ୍ଷଉଣୀ ମୋର ଅଙ୍ଗବଳ ଯେତେ

ଏହାଙ୍କୁ ଘେନି ଗଡ଼େ ମୁଁ ଅଛଇ ନିଶ୍ଚିନ୍ତେ ।

ଆବର ଷୋଳପଦ୍ମ ମୋ ସୈନ୍ୟ ଯେତେ ଅଛି

ଅଶ୍ଵ ଗଜ ମୋର କିଏ କହିବ ତା ବାଛି ।

ତୁମ୍ଭ ପଛରେ ରହି ମୁଁ ରଥେ ଚଢ଼ିଥିବି

ତୁମ୍ଭ ଅସମୟ ଦେଖି ମାଡ଼ିଣ ପଡ଼ିବି ।

ସବୁ ସଂହାରି ଆସିବି ମୁହିଁ ଏକାବେଳେ

କୃଷ୍ଣବଲ୍ଲଭ ପୁତ୍ରକୁ ପେଷି ଯମଆଳେ ।

 

ଶୁଣି ସେନାଏ ଯୋଡ଼ିଲେ ବେନି କରପତ୍ର

ଅଶ୍ଵଲାଗି ହୋଇ ଧରି ଯେ ଯାହାର ଶସ୍ତ୍ର ।

ଏକମୁଖ ହୋଇ ସର୍ବେ ଯୁଦ୍ଧେ ଗଲେ ଚଳି

ପଡ଼ିଲେ ନୃସିଂହଗଣ ଆଗେ ଦୈତ୍ୟବଳି ।

 

ଦେଖିଣ ନୃସିଂହଗଣ ଛାଡ଼ିଲେକ ରଡ଼ି 

ଦୈତ୍ୟଙ୍କ ଉପରେ ବୀରେ ପଡିଲେକ ମାଡି

ବିନ୍ଧିଲେ ତୂଣୀରୁ ଶର କାଢ଼ି ଅନିର୍ଯ୍ୟାପ

ଫୁଫୁକାର ନାଦେ ଯେହ୍ନେ ଗର୍ଜେ କାଳସର୍ପ

 

ପଦ୍ମେ ଅଶ୍ଵ ପଦ୍ମେ ଦୈତ୍ୟ ଶୀଘ୍ରେ ଯାନ୍ତେମାଡ଼ି

ଦେଖି ପ୍ରଳମ୍ବା ଅସୁର ଧାଏଁ ତଡ଼ବଡ଼ି ।

ନୃସିଂହଗଣ ଉପରେ ବିନ୍ଧେ ଲକ୍ଷ ଶର

ସେ ଶରକୁ ବିନାଶିଲେ ନରସିଂହବୀର ।

 

ପୁଣିହିଁ ବିନ୍ଧିଲେ ଲକ୍ଷେ ଶର ଦୈତ୍ୟ ଆଣି

ସୋହଂସ ନୃସିଂହ ଦେଖି ଉଠି ଶିର ଝଣି 

ଦୈତ୍ୟର ଶରମାନଙ୍କୁ ପ୍ରତିଅସ୍ତ୍ର କଲେ

ଆସୁଁ ଆସୁଁ ଖଣ୍ଡେ ଦୂରୁଁ ତାହା ନିବାରିଲେ ।

 

ତାହା ଦେଖିଣ ଅସୁର ମନେ କଲା କୋପ

ବୋଲେ ମାରିବି ନୃସିଂହଗଣ ଅନିର୍ଯ୍ୟାପ ।

ଏକାବେଳକେ ସବୁଙ୍କୁ ଶର ପେଷିଦେବି

ଧନୁରେ ଶର ଯୋଚିଣ ଛେଦି ପକାଇବି ।

 

ଏତେ ବୋଲି ତୁଳନା ସେ କଲା ନୃସିଂହଙ୍କୁ

ବତିଶପଦ୍ମ ବୋଲି ସେ ଜାଣିଲା ମନକୁ ।

ବତିଶ ପଦ୍ମ ଧନୁରେ କେତେ ପଦ୍ମ ଶର

ମନ୍ତ୍ରବଳେ ନାରାଚକୁ ଯୋଚିଲା ଅସୁର ।

 

ବୋଇଲା ନୃସିଂହଗଣ ଯେତେ ଛନ୍ତି ରଣେ

ସମସ୍ତଙ୍କ ବେକ ହାଣି ପକାଅ ହେ ବାଣେ ।

ତୁମ୍ଭର ନାମଗୋଟି ଯେ ଅଟେ ଅଧାଚନ୍ଦ୍ର

ତୁମ୍ଭଙ୍କୁ ଦେଇଥିଲେଟି ମୋତେ ଦେବଇନ୍ଦ୍ର ।

 

ଏତେ ବୋଲିଣ ପ୍ରଳମ୍ବା ବିନ୍ଧନ୍ତେ ନାରାଚ

ଦେଖି ସୋହଂସ ନୃସିଂହ ଟେକି ବେନି ଭୁଜ ।

କତୁରୀ ନାରାଚେ ସବୁ ପକାଇଲା ହାଣି

ଧନୁରେ ଯୋଚିଲେ ବ୍ରହ୍ମଶର ନେଇ ପୁଣି ।

 

ପ୍ରଳମ୍ବାକୁ ମାର ବୋଲି ବିନ୍ଧିଲେ ସଳଖି

ପଡ଼ିଲା ଶର ଯାଇଁଣ ଦୈତ୍ୟ କଣ୍ଠେ ଯୋଖି ।

ବେକରେ ପଡ଼ନ୍ତେ ଦୈତ୍ୟ ହେଲା ବେନିଖଣ୍ଡ

ଉତ୍ତାନଶାୟୀ ହୋଇଣ ପଡ଼େ ଦୈତ୍ୟପିଣ୍ଡ ।

 

ଚାରିପଦ୍ମ ଅଶ୍ଵ ଚାରିପଦ୍ମ ସଇନଙ୍କୁ

ମାରିଣ ନୃସିଂହଗଣ ଫିଙ୍ଗିଲେ ସିନ୍ଧୁକୁ ।

ପ୍ରଳମ୍ବାସୁର ଭାଗରେ ଯେତେ ସୈନ୍ୟଥିଲେ

ସମସ୍ତେ ସମରେ ପଡ଼ି ଯମାଳୟେ ଗଲେ ।

 

ଶୂନ୍ୟରେ ଦେବ କରନ୍ତି ଉଚ୍ଚେ ସାଧୁ ସାଧୁ

ବୋଲନ୍ତି ତରିଲୁ ଏବେ ମୁରର ପ୍ରମାଦୁ ।

ଧନ୍ୟ ଧନ୍ୟ ହେ ସୋହଂସ ନରସିଂହ ପ୍ରଭୁ

ପରଂହଂସ ରୂପେ ବିଜେ ହୃଦୟରୁ ସବୁ ।

 

ହଂସ ବୋଲି ଦ୍ଵିଅକ୍ଷର ମାର୍ଗରେ ଥାଆନ୍ତି

ସବୁ ହୃଦପଦ୍ମ ମଧ୍ୟେ ବିହାର କରନ୍ତି ।

ଏମନ୍ତ ବୋଲିଣ ଦେବେ ପୁଷ୍ପବୃଷ୍ଟି କରି

କର୍ପୂର ଗୁଣ୍ଡ ପକାନ୍ତି ପ୍ରଭୁ ଶିରେ ଚୂରି ।

 

ଏଥୁଅନନ୍ତରେ ବାଣୀ ଶୁଣ ହେ ନାରଦ

ମୁରର ଆଗେ କହିଲେ ଯାଇଁ ଚାରବୃନ୍ଦ ।

ବୋଇଲେ ଶୁଣ ଆହେ ଭୋ ଦେବ ନୃପମଣି

ପ୍ରଳମ୍ବାସୁରକୁ ରଣେ ପକାଇଲେ ହାଣି ।

ଚାରିପଦ୍ମ ଅଶ୍ଵ ଆଉ ଚାରିପଦ୍ମ ସୈନ୍ୟ

ସବୁ ମାରି ଭସ୍ମ କଲେ ନରସିଂହଗଣ ।

ଦେଖିଲୁ ରକତନଦୀ ବହେ ରଣଭୂଇଁ

ଚଉଷଠୀ ଯୋଗ୍ନି ଗଣ ଭକ୍ଷନ୍ତି ତା ପାଇ ।

 

ଶୁଣି ମୁରାସୁର କ୍ଷଣେ ବିସ୍ମୟ ହୋଇଲା

ପାଞ୍ଚିଲା କ୍ଷୋଭେ କି ରହି ଏବେ ଏଥେ ଭଲା ।

ମାରିବା କିବା ମରିବା ବୋଲି ପାଞ୍ଚି ଥାଇଁ

ଅଧୈର୍ଯ୍ୟ ହେଲେ ଯୁଦ୍ଧକୁ ମାରିବା କି ଯାଇ ।

 

ଆମ୍ଭେ ମଲେ ତାଙ୍କୁ ଭଲ ସେତ ଆମ୍ଭ ଶଲ

ଏହା କଲେ ଆତ୍ମା ହେବ ମୋହର ସାଫଲ୍ୟ ।

ଏଥର ବିଷ୍ଣୁଙ୍କୁ ମାରି ରାଜ୍ୟେ ଯେବେ ଯିବି

ମଦନାବତୀ ରାଣୀକି ବହୁ ପ୍ରବୋଧିବି ।

 

ଲେଉଟି ତା ଗର୍ଭେ ପୁଣି ପୁତ୍ର ଜନ୍ମାଇବି

ଅନ୍ୟ ମହାଦେଈଙ୍କର ସଙ୍ଗେ ବିହରିବି ।

ପୁଣିହିଁ ସତରଲକ୍ଷ ଦେବି ଉପୁଜାଇ

ନିଶ୍ଚେଁ ମୁଁ କରିବି ଏହା ବ୍ରହ୍ମା ଆଗେ କହି ।

 

ଏତେ ପାଞ୍ଚି ମୁରାସୁର ସେନାଙ୍କୁ ଡକାଇ

ଆଜ୍ଞାଦେଲାକ ନୃସିଂହଗଣ ମାର ଯାଇ ।

କୃଷ୍ଣବଲ୍ଲଭ ପୁତ୍ରଙ୍କୁ ପେଷ ଯମପୁର

ଏହା ଶୁଣି ସେନାମାନେ ଉଠିଲେ ସତ୍ଵର ।

 

ବିରାଜ ମୁକୁନ୍ଦାସୁର ମୂଢ଼ାସୁର ତିନି

ଧାଇଁଲେ ସକଳେ ଧନୁ ଶର କେରେ ଘେନି ।

ତିନି ଭାଗ ହୋଇକରି ଦୈତ୍ୟଗଣେ ଗଲେ

ଜଣକରେ ଚାରିପଦ୍ମ କରି ସୈନ୍ୟ ନେଲେ ।

 

ଅଶ୍ଵଲାଗି ହୋଇଣ ଯେ ସର୍ବେ ବାହାରିଲେ

ପ୍ରତିଦଳେ ଏକ ଏକ ସେନାପତି ଥିଲେ ।

ତିନିଭାଗ ହୋଇ ତିନି ଦିଗେ ଗଲେ ଚଳି

ଗଣ୍ଡମାଳା ପୋକ ପ୍ରାୟ ଯାନ୍ତି ଦୈତ୍ୟେ ଚଳି ।

କିଳିକିଳା ରାବ ଦେଇ ଆସନ୍ତେ ଅସୁରେ

ଢ଼ୋଲ ଦମାଟମକ ଯେ ବାଜେ ବାଦ୍ୟଘୋରେ ।

ବୀର ମହାବୀର ଯେତେ ମଲ୍ଲ ମହାମଲ୍ଲ

ଦଇତ ଆସନ୍ତେ ପୃଥ୍ଵୀ କମ୍ପେ ଦଲ ଦଲ ।

 

ପ୍ରଳୟାଗ୍ନି ପ୍ରାୟ ଘୋଟିଗଲେ ସର୍ବେ ଆସି

ଚରଣ ରେଣୁ ଘାତରେ ଗଗନ ନ ଦିଶି ।

ବାଦ୍ୟ ଶବଦ ଘାତରେ ଶୁଭେ କୋଳାହଳ

ଉଦ୍ଦଣ୍ଡ ଆଲମ୍ବ ଉଡ଼େ ଯେହ୍ନେ ମେଘମାଳ ।

 

ଶୁଭଇ କୋଳାହଳରେ ଘଣ୍ଟି ଘଣ୍ଟା ଧ୍ଵନି

ମୁଖରାବ ଶବଦରେ କମ୍ପଇ ମେଦିନୀ ।

ଆଲମ୍ବ ପାଟଛତ୍ର ଯେ ଉଡ଼େ ପନ୍ତି ପନ୍ତି

ଅସୁରେ ପୂରି ଚାଲୁଁ ନ ଦିଶେ ବସୁମତୀ ।

 

ଗମନ କରୁ କରୁ ଫୁଟାଉଛନ୍ତି ବାଣ

ଦେଖନ୍ତେଣ ଛିଟକୁଣି ପଡ଼ିଛି ଥାଟେଣ

ବାଟୁଳି ଗୁଳା ଲେଛିଣ ବାନ୍ଧିନ୍ତି କେ ଆଣ୍ଟେ

ଗଗନରେ ତାରାଗଣ ରାତ୍ରେ ଯେହ୍ନେ ଫୁଟେ ।

 

ସେରୂପେ ନାରାଚ ବାୟୁଠାରୁ ବେଗହୋଇ

ଲକ୍ଷ ଲକ୍ଷ କରି କାଣ୍ଡ ବିନ୍ଧନ୍ତି ତୁହାଇ ।

ତଡିତ ହାବେଳୀ ବାଣ ଫୁଟେ ଅନିର୍ଯ୍ୟାପ

କୋଳାହଳ ଧ୍ଵନି କରି ଆସନ୍ତି କୌଣପ ।

 

ଆସନ୍ତି କକଡ଼ା ବୃଷ୍ଟି ପ୍ରାୟ ସୈନ୍ୟ ଖେଦି

ମଞ୍ଚପୁରେ ଯାକେ ପେଷିଦ୍ୟନ୍ତି ଶରସନ୍ଧି ।

ନୃସିଂହଗଣଙ୍କୁ ଏକାବେଳକରେ ମାରି

ରାଜାକୁ ଆମ୍ଭର କହିଦେବା ଅପସରି ।

 

ଏତେ ବୋଲିକରି ଧାଇଁଯାନ୍ତେ ଦୈତ୍ୟବଳ

ଦେଖିଣ ନୃସିଂହଗଣ ହୋଇଲେ ପ୍ରବଳ ।

ଅସୁର ବଳକୁ ଦୁଇଗୁଣ ଛନ୍ତି ହୋଇ

ରହିଲେ ବେଢ଼ ବାନ୍ଧିଣ ଚାରିଦିଗେ ଯାଇଁ 

ନୃସିଂହ ଆଜ୍ଞା କରିଲେ ଦେଖ ମନ୍ତ୍ରୀବର

କେତେ ସୈନ୍ୟ ପେଷିଥିଲା ଏହି ମୁରାସୁର ।

ସୁଜାଣ ବୋଲେ ହେ ସ୍ୱାମୀ ଆମ୍ଭଙ୍କୁ ଦଇତ୍ୟେ ।

 

ନୃସିଂହଗଣ ଆମ୍ଭର ଦେଲେ ବଳ ବାନ୍ଧି

ତିନିଭାଗ ହୋଇ ଦୈତ୍ୟ ଆସୁଥିଲେ ରୁନ୍ଧି ।

ନୃସିଂହଗଣଙ୍କୁ ଦେଖି ନପାରିଲେ ପଶି

ଦଇତ୍ୟେ ବେଢ଼ରେ ପଡ଼ିଛନ୍ତି ଏବେ ଆସି ।

 

ନୃସିଂହଗଣଙ୍କୁ ତୁମ୍ଭେ ଅଟ ସେନାପତି

ଏଣୁ ଦୈତ୍ୟଙ୍କୁ ଆମ୍ଭର ନାହିଁ କିଛି ଭୀତି ।

ଏତେକ ଦୈତ୍ୟରେ ଆସିଛନ୍ତି ସେନା ତିନି

ବିରାଜ ମୂଢ଼ା ମୁକୁନ୍ଦା ଅସୁରକୁ ଘେନି ।

 

ନୃସିଂହ ଆଜ୍ଞା କଲେ ଏ ମୁର ଦୈତ୍ୟଗଣ

ଯେ ଆଗେ ପଡ଼ିବ ତାକୁ ସେହିଠାରେ ହାଣ ।

ଏମନ୍ତ ନୃସିଂହଙ୍କର ଆଜ୍ଞା ଫିଟିଯାନ୍ତେ

ଯୁଦ୍ଧରେ ପଶିଲେ ଯାଇଁ ଧରି ଧନୁ ହସ୍ତେ ।

 

ସୁଜାଣ ମନ୍ତ୍ରୀବର ଯେ କର୍ଣ୍ଣାଟେଶ୍ୱ ରାଜ

ଶେଷଦେବ ସହିତରେ କଶ୍ୟପ ଆତ୍ମଜ ।

ଧର ଧର ମାର ମାର ବୋଲି ଗଲେ ଉଠି

ନୃସିଂହଗଣ ବୁଲାଇ କରେ ମହାଯଷ୍ଟି ।

 

ଦୈତ୍ୟଙ୍କପରେ ବସିଲେ ବୀରଗଣ ମାଡ଼ି

ଶ୍ଵେନ ପକ୍ଷୀପ୍ରାୟ ଝାମ୍ପି ଦ୍ୟନ୍ତି ଅଶ୍ୱମୋଡ଼ି ।

କେହୁ କାର ବାଳଧରି ଝିଙ୍କିଣ ପକାନ୍ତି

କେ କାହାକୁ ଧରି ଶିଳା ପରେ କଚାଡ଼ନ୍ତି ।

 

କେହୁ ଗଦା ଖଡ଼ଗ କେ ଶକ୍ତି ଧରି ପିଟି

କେହୁ ନଖେ ବିଦାରିଣ ଚିପେ କାର ତୋଟି ।

କେହୁ କୋପେ ଧରି କରେ ମାରେ ବଜ୍ର ଗଦା

କେ ଚାପୋଡ଼େ ମାରି କେହୁ ମାରଇ ଗୁରୁଦା ।

 

କେହୁ ବିଧା ମାରି କେହୁ ବୁକୁ ବିଦାରଇ

କେହୁ ମୁଣ୍ଡେ ମାରି ଛେଚେ ଭୂମିରେ ପକାଇ

କେହୁ ଆଇ ଆଇ ବୋଲି ଡକାପାରି ମରେ

କେ ମଲି ବୋଲି ପଳାଇ ଯାଏ ଖଣ୍ଡଦୂରେ ।

 

କେହୁ କାହାକୁ କଚାଡ଼ି ବସେ ହୃଦେ ମାଡ଼ି

ଅଶ୍ୱ ଅସୁର ଦୁହିଙ୍କି ମାରି କେ କଚାଡ଼ି ।

କେ ଧନୁ ଧରିଣ କେହୁ ବଜ୍ରବାଣ ମାରି

ପଛଘୁଞ୍ଚା ଦେଇଣ କେ ଯାଏ ଅପସରି ।

 

ଭୃଷଣ୍ଡି ଭାଲ ଧରି କେ ଭୂଷି ପକାବନ୍ତି

କେ ପାଦାଘାତ ମାରିଣ ଅଣ୍ଟା ଭାଙ୍ଗିଦ୍ୟନ୍ତି ।

ଦେବତାଏ ସାଗରକୁ ମନ୍ଥିଲେ ଯେପରି

ମନ୍ଥନ୍ତି ନୃସିଂହଗଣେ ଦୈତ୍ୟଙ୍କୁ ସେପରି ।

 

ଏରୂପେ ଅଟେ ନୃସିଂହ ପୁରାଣ ସାଗର

ଏ ଗ୍ରନ୍ଥ ଶୁଣଲେ ନ ଦେଖିବ ଯମପୁର ।

ସିନ୍ଧୁ ମନ୍ଥିବା ପରାୟେ ଦୈତ୍ୟକୁ ମନ୍ଥନ୍ତି

ଯହିଁରେ ନୃସିଂହ ହୋଇଛନ୍ତି ସେନାପତି ।

 

କେବଳ ଶୂନ୍ୟରେ ଥାଇ ସର୍ବ ଦେବ ପୁଣ

ଦେଖନ୍ତି ସେ ନୃସିଂହଙ୍କ ଯୁଦ୍ଧ ଆଚରଣ ।

ଅଷ୍ଟ ଅପସରୀ ଆଦି ଶଚୀ ଯେ ଇନ୍ଦ୍ରାଣୀ

ଦେଖନ୍ତି ନୃସିଂହ ଯୁଦ୍ଧ ଶୂନ୍ୟେ ଥାଇ ପୁଣି ।

 

ବୋଲନ୍ତି ସାଧୁ ସାଧୁ ଏ ନୃସିଂହ ମହିମା

ଦିଅନ୍ତି ଯେ ହୁଳହୁଳି ଶୂନ୍ୟେ ଥାଇ ବାମା ।

ଅଠାଶୀ ସହସ୍ର ଋଷି ଗଗନରେ ଥାଇ

ଦେଖନ୍ତି ନୃସିଂହଗଣ ଯୁଦ୍ଧ ତୋଷ ହୋଇ ।

 

ମନେ ପାଞ୍ଚନ୍ତି ଅସୁରଗଣଙ୍କୁ ଦେଖିଣ

ନୃସିଂହଗଣ ହାରି ନ ଯାନ୍ତି ଏଠାରେଣ ।

ଏ ଯୁଦ୍ଧ ଦେଖି ଆମ୍ଭଙ୍କୁ ଲାଗେ ମହାଭୟ

ଇନ୍ଦ୍ରଙ୍କୁ ବନ୍ଦିରେ ରଖିଥିଲା ଦୈତ୍ୟରାୟ ।

 

ଦିଗ୍‌ବିଜୟକାଳେ କେତେଲୋକଙ୍କୁ ପୀଡ଼ିଲା

ତେଣୁ କରି ପ୍ରଭୁ ସହି ନପାରିଲେ ଭଲା ।

ମୁରାସୁର ମାରିବାକୁ ହେଲେ ଅବତାର

ନୋହିଲେ କିରୂପେ ଏତେ ମାରନ୍ତେ ଅସୁର ।

 

ଏଡ଼େହେଁ ସମର ଆମ୍ଭେ କେବେ ନାହୁଁ ଦେଖି

ନୃସିଂହଗଣ ଏକା ଯେ ଅଟନ୍ତି ପଦ୍ମାକ୍ଷି ।

ବିଜେ କରିଛନ୍ତି ପ୍ରଭୁ ନୃସିଂହଙ୍କ ମଧ୍ୟେ

ଧନୁକୁ ଧରି ଅଛନ୍ତି କରେ ଚକ୍ରାୟୁଧେ ।

 

ତହିଁ ସଙ୍ଗେ ଶେଷଦେବ କର୍ଣ୍ଣାଟେଶ ରାଜେ

ଧନୁଶର ଧରିଛନ୍ତି ସେହି ଯେଝା ଭୂଜେ ।

ସୁଜାଣ ମହାମନ୍ତ୍ରୀ ଯେ ଆଉ ଖଗେଶ୍ୱର

ମନକଲେ ଦଣ୍ଡକେ ଏ ମାରିବେ ଅସୁର ।

 

ମୁରାସୁର ସୈନ୍ୟ ଯେତେ ଆମ୍ଭଙ୍କୁ ତ ଜଣା

ନୃସିଂହଙ୍କୁ ଦେଖି ଛାଡ଼ିଦେଲୁଁ ମନୁ ଘୃଣା ।

ଏଥୁଅନ୍ତେ ବାଣୀ ଶୁଣ ହେ ନାରଦ ମୁନି

ନୃସିଂହଗଣ ନାଶନ୍ତି ଦଇତ୍ୟ ସଇନୀ

 

ଦଣ୍ଡେ ପରିଯନ୍ତେ ଘୋର ସମର କରିଲେ

ରକ୍ତେ ଜର ଜର ନରସିଂହଗଣ ହେଲେ ।

ଅସୁରଙ୍କ ମଡ଼ାପରେ ପଡ଼ୁଅଛି ମଡ଼ା

ରକତ ନଦୀରେ ଭାସିଯାନ୍ତି ଯୋଡ଼ା ଯୋଡ଼ା ।

 

ତିନିଭାଗ ହୋଇଣ ସେ ଯୁଦ୍ଧ ଥିଲେ ଆସି ।

ଶ୍ରୀନୃସିଂହଗଣଯାକ ଅସୁର ସୈନ୍ୟକୁ

ଦ୍ୱିଗୁଣ ହେବାରୁ ବେଢ଼ି ପକାଇଲେ ତାଙ୍କୁ ।

 

ଚାରି ପଦ୍ମଯାଏ ଅଶ୍ୱ ସୈନ୍ୟ ମାରିଦେଲେ

ମୁର ସେନାପତି ପୁଣ ହେଲେ ଆଗୁଁସାର

ମୁକୁନ୍ଦ ବିରାଜ ଦୈତ୍ୟ ପୁଣି ମୂଢ଼ାସୁର ।

 

ଏ ତିନି ସେନାପତିଏ ଆଗୁଁ ଧାଇଁଗଲେ

ସୈନ୍ୟଙ୍କୁ ପଛ କରିଣ ଶର ବୃଷ୍ଟି କଲେ ।

କକଡ଼ା ମାସରେ ଯେହ୍ନେ ବର୍ଷାକରେ ପାଣି

ସେରୂପେ ଶର ବିନ୍ଧିଲେ ଦୈତ୍ୟମାନେ ଆଣି ।

 

ଦେଖିଣ ନୃସିଂହଗଣେ ପଛକୁ ଘୁଞ୍ଚିଲେ

ଶେଷଦେବ ଶର ବୃଷ୍ଟି ଚକ୍ଷୁରେ ଦେଖିଲେ ।

ବିନ୍ଧିଲେ କତୁରି ଶର ଧରି ଈଲାସାଈଁ

ଆସନ୍ତେ ଦୈତ୍ୟ ନାରାଚ ଦେଲେକ ଛିଣ୍ଡାଇ ।

 

ମୁକୁନ୍ଦା ବୋଲେ ତୁମ୍ଭେ କି ଅଟ ଶେଷଦେବେ

ସସ୍ରେଫଣା କାହିଁ ଥୋଇଅଛ ନେଇ ଏବେ ।

ଦାରୁଣ ମଲାକାଳେ ମୁଁ ଦେଖିଥିଲି ବେଳେ

ନାହିଁ ତ ସେ ରୂପ ଏବେ ହୃଦୟ କମଳେ ।

 

ଶୁଣି ଶେଷ ଦେବ ହସିକରି ମନେ ମନେ

ବୋଲେ ବୃଦ୍ଧକାଳେ ରହିଥାନ୍ତି ରୂପ କେହ୍ନେ ।

ଯୁବାକାଳରେ ସିନା ଏ ରୂପ ହୋଇଥିଲୁଁ

ବୃଦ୍ଧକାଳକୁ ଏବେ ତ ସେରୂପ ଛାଡ଼ିଲୁଁ ।

 

ମାନବ ଦେହରେ ଜାଣ ତିନିରୂପ ଚଳି

ବାଳକ ଭାବରେ ବାର ବର୍ଷ ମତେ ଖେଳି ।

ଯୁବା ହୋଇଲେ ଶରୀର ଧରେ ଆନ ବର୍ଣ୍ଣ

ସୌନ୍ଦର୍ଯ୍ୟ ସ୍ୱରୂପ ହୋଇ କେତେଦିନ ।

 

ବୃଦ୍ଧକାଳ ହେଲେ ଅଙ୍ଗୁ ଚର୍ମମାନ ଖସେ

ଶୋଭାହେବି ବୋଇଲେ ସେ ସୁନ୍ଦର ନ ଦିଶେ ।

ଯୁବାକାଳରେ ସହସ୍ର ଫଣା ବହିଥିଲୁଁ

ବ୍ରହ୍ମସ୍ୱରୂପ ଧରିଣ ଦାରୁଣ ବଧିଲୁଁ ।

 

ଏବେ ତୁ ଆଗେ ଆସିଣ ପଡ଼ିଲୁରେ ମୋର

ଏହିକ୍ଷଣି ତୋତେ ପେଷିଦେବି ଯମପୁର ।

ମୁକୁନ୍ଦା ଯେ ବୋଲେ ବୃଦ୍ଧ ବୋଲି କହିଲୁଣି

କାହିଁକି ଏଡ଼େ ସମରେ ପଶୁ ଦେହଘେନି ।

 

ପିତାମାତା ହେଲେ କାହିଁପାଇଁ ଦେଲେ ଛାଡ଼ି

ଧନୁ ଧରିଲେ ପଡ଼ିବୁ ଏବେ ମୁଖ ମାଡ଼ି ।

ଏହା ଶୁଣି ଶେଷଦେବ ବୋଲେ ହୋଇ ହୋଇ

ଆମ୍ଭର ମହିମା ତୋତେ କିଛି ଥିବା କହି ।

 

ଆମ୍ଭ ନାମ ଗୋଟି ଶେଷ ଅନନ୍ତଟି ଜାଣ

ପୃଥ୍ୱୀଯାକ ବହି ରହିଅଛୁ ସଂସାରେଣ ।

ଦୁଷ୍ଟଜନଙ୍କୁ ଯେ ବ୍ରହ୍ମବାଣ ଆମ୍ଭେ ଅଟୁ

ଶର ପେଶି କ୍ଷଣକରେ ତାଙ୍କ ମୁଣ୍ଡ କାଟୁ ।

 

ସାଧୁ ଲୋକମାନଙ୍କୁ ଟି ଯଶ ଆୟୁ ଦେଉ

ବିପୁଳ ଭୋଗ ଦେଇଣ ସୁଖେ ରହିଥାଉ ।

ସର୍ବକାଳରେ ଆମ୍ଭେ ତ ଅଟୁ ବ୍ରହ୍ମରୂପ

ତୋ ଆଖି ଜଳକା ହେତୁ ଦିଶୁଛି କୁରୂପ ।

 

ଅସୁରଙ୍କ ଆଖି ହେଲେ ଅଟେ ଖର ଦୃଷ୍ଟି

ତାଳଫଳ ପ୍ରାୟ ଡୋଳା ଦିଶୁଥାଇ ଫୁଟି ।

ଶୁଣିଣ ମୁକୁନ୍ଦାସୁର ଉପରକୁ ଶର ବରଷିଲା ।

 

ତୀକ୍ଷ୍‌ଣ ଶରେ ତାକୁ ଛେଚିଦେଲେ ଈଳାସାଇଁ

ପୁଣିହିଁ ଲକ୍ଷେକ ଶର ବିନ୍ଧେ ଦୈତ୍ୟ ନେଇ ।

ସେ ଶର ଆସୁଣୁ ଚାହିଁ ଦେଲେ ଶେଷଦେବ

ଆଖି ପିଛଡାକେ ଛେଦି ପକାଇଲେ ସର୍ବ ।

 

ମୁକୁନ୍ଦା ଦେଖିଣ ତାହା ମନେ କରିଘୃଣା

ଲେଉଟି ବିନ୍ଧିଲା ଶର କେତେ ଅକଳନା ।

ଅପର୍ଯ୍ୟାପ୍ତ ହୋଇ ଶର ଆସନ୍ତେଣ ମାଡ଼ି

ହସିଲେକ ଶେଷଦେବ ତୂଣୁ ଶର କାଢ଼ି ।

 

କତୁରୀ ନାମେ ନାରାଚ ଅଟଇ ସେ ଜାଣ

ବେଗେଛେଦ ବୋଇଲେ ଏ ଆସେ ଯେତେବାଣ ।

ଏତେ କହି ଶର ପେଷିଦ୍ୟନ୍ତେ ଈଳାସାଇଁ

ପଡ଼ିଲା କତୁରୀ ଶର ଦୈତ୍ୟେଶିରେ ଯାଇଁ ।

 

ଖଣ୍ଡ ଖଣ୍ଡ କରି ସବୁ ଛେଦି ପକାଇଲା

ବାହୁଡ଼ି ଆସିଣ ସେହୁ ତୂଣୀରେ ରହିଲା ।

ମୁକୁନ୍ଦା ବୋଇଲା କେଡ଼େ ଲୋକ ଶେଷଦେବ

ଯେତେ ଶର ପେଷିଲେ ଏ ନୁହଇ ମାନବ ।

 

ମାନବ ହୋଇଲେ ଏକ ଶରେ ଯାନ୍ତା ମରି

ଏତେବେଳଯାଏ କିମ୍ପା ଥାନ୍ତା ଦେହ ଧରି

ଦେବଦେହୀ ନୋହିଲେ କି ସହେ ଏତେ ଶର

ଏବେ ନାଗପାଶ ପେଷିଦେବି ନାହିଁ ଡର ।

 

ସାନଲୋକ ଜଣେ ବୋଲି ମୁହିଁ ଜାଣିଥିଲି

ଏବେ ନାରାଚ ଯାକ ମୁଁ ବ୍ୟର୍ଥେ ବିନ୍ଧିଦେଲି ।

ଯେ ଯେତେ ଅଟେ କରିବା ତାଙ୍କୁ ତେଡ଼େଭିଡ଼

ସେ ଲଇଁ ପଡ଼ିଲେ ହୋଏ ଏ ଲୋକ ଯେବଡ଼ 

 

ସାନକୁ ମାଇଲେ ଯେ କି କାର୍ଯ୍ୟ ଅଛି ତହିଁ

ବଡ଼କୁ ମାରି ପାରିଲେ ବଡ଼ ବୋଲାବଇଁ ।

ନୀଚବୁଦ୍ଧି ଲୋକମାନେ ସାନକୁ ମାରନ୍ତି

ବଡ଼କୁ ସେ ନ ପାରିଣ ଲୁଚି ଣ ପଳାନ୍ତି ।

 

ଏହୁତ ବଡ଼ ପରାୟ ଲାଗେ ଆସି ମୋତେ

ୟାକୁ ମାଇଲେ ଦୋଷ ନ ଲାଗେ କଦାଚିତେ ।

ନାଗପାଶ ବୋଲିକରି ଅଟେ ଦେବ ଶର

ଏ ମଲେ ପ୍ରଶଂସା ମୋତେ ହୋଇବ ଅପାର ।

 

ଏହାର ସଇନ୍ୟଯାକ ଛନ୍ତି ଯେତେ ଆସି

ମରିଯିବେ ନାଗପାଶେ ବାଣେ ହୋଇ ଧ୍ୱଂସି ।

ଏତେ ପାଞ୍ଚି ଆସନକୁ ଦୈତ୍ୟ ଶୁଦ୍ଧ କଲା

ମନ୍ତ୍ର ପଢ଼ି ଧନୁ ମଧ୍ୟେ ବାଣ ବସାଇଲା ।

 

ବୋଇଲା ବତିଶ ପଦ୍ମ ହରିଗଣ ଛନ୍ତି

ତହିଁ ଉତ୍ତାରୁ ଆବର ଛନ୍ତି ପାଞ୍ଚମୂର୍ତ୍ତି ।

ସେହି ପାଞ୍ଚମୂର୍ତ୍ତି ନାମ କହିଦେବା ତୋତେ

ନୃସିଂହ ଶେଷ ଯେ କୃଷ୍ଣବଲ୍ଲଭ ର ସୁତେ ।

କର୍ଣ୍ଣାଟ ରାଜା ସୁଜାଣ ନାମେ ମନ୍ତ୍ରୀବର

ପକ୍ଷୀଏକ ପୋଷି ରଖିଅଛି ପାଖେ ତାର ।

ଏତେ ଜନମାନଙ୍କୁ ତୁ ବାନ୍ଧିପକା ଯଆଇଁ

ତେବେ ମୋ ବଡ଼ିମା ଜ୍ଞାତହେବେ ଦୈତ୍ୟସାଇଁ ।

 

ଏତେ ବୋଲି ଦେବଶର ପେଷନ୍ତେ ଅସୁର

ଆସଇ ଶୂନ୍ୟରେ କ୍ଷେପି ବ୍ୟାପି ମଞ୍ଚପୁର ।

ଶେଷଦେବ ପାଶେ ତାର୍କ୍ଷ୍ୟ ଛନ୍ତି ପୁଣି ରହି

ଆଗୁଁ ଗରୁଡ଼େ ନୃସିଂହଦେବ ଛନ୍ତି କହି ।

 

ଯୁଦ୍ଧକାଳେ ଭାଇକି ମୋ ଜଗି ରହିଥିବୁ

ଏ ରୂପେ କହିଣ ଆଜ୍ଞା ଦେଲେ ମହାପ୍ରଭୁ ।

ତେଣୁ ଶେଷଦେବଙ୍କୁ ଯେ ନ ଛାଡ଼ଇ ପକ୍ଷୀ

ଯୁଦ୍ଧବଳେ ସଙ୍ଗେ ରହଥାଇ ହୋଇ ସାକ୍ଷୀ ।

 

ଏଥୁ ଅନନ୍ତରେ ଧାଇଁଆସି ନାଗପାଶ

ଦେଖିଲା ଗରୁଡ଼ପାଶେ ରହିଛନ୍ତି ଶେଷ ।

ବତିଶପଦ୍ମ ପର୍ଯ୍ୟନ୍ତେ ଅଛି ଚଞ୍ଚୁ କାଢ଼ି

ବିସ୍ତାରି ଥଣ୍ଠକୁ ଅତି ଆଗକୁ ଉହାଡ଼ି ।

 

ଆସିଲେ ଗିଳିବ ବୋଲି ଆକର୍ଷିଛି ରହି

ଯୋଜନେ ଆକ୍ରାନ୍ତେ ତୁଣ୍ଡ ବିସ୍ତାରି ଅଛଇ ।

ମୁଖରେ ପଡ଼ିଲେ ଚାପିଗର୍ଭେ ଦେବି ଭକ୍ଷି

ଏତେକ ପାଞ୍ଚି ନିରୀକ୍ଷି ରହିଛି ସେ ପକ୍ଷୀ ।

 

ମଞ୍ଚଯାକକୁ ଘୋଟିଣ ଆସେ ନାଗପାଶ

ଦେଖିଲା ତା ଖଣ୍ଡେ ଦୂରୁ ବିନତାର ଶିଷ୍ୟ ।

ଯୋଜନେ ଆକ୍ରାନ୍ତେ ପୁଣି ବିସ୍ତାରୁଛି ପାଟି

ବାତଚକ୍ରରେ ବୁଲାଇ ଚାହିଁ ବେନି ଦୃଷ୍ଟି ।

 

ଗରୁଡ଼କୁ ନାଗପାଶ ଖଣ୍ଡଦୂରୁଁ ଦେଖି

ଭାଜିଲେ ସେ ଅନ୍ତରାଳେ ହୋଇ ନିରୀମାକ୍ଷି ।

କାହିଁ ନ ରହି ପାତାଳ ମଧ୍ୟେ ଗଲେ ପଶି

ଦେଖି ଶେଷ ତାଙ୍କୁ ମନ ମଧ୍ୟେ ବଡ଼ ହସି ।

ଗରୁଡ଼କୁ ବୋଇଲେ ହୋ କେମନ୍ତେ ଏକଥା

ତୋତେ ଦେଖି ବାଣ ଭାଜି ତୁ ପୃଥ୍ୱୀଯାକେ ଅଟୁ

ଏଡ଼େ ଶର ଦେଖି ଭାଜିଗଲା ଅଧବାଟୁଁ ।

 

ବୁଝିଲେ ଆମ୍ଭ ସୈନ୍ୟକୁ ପକାନ୍ତା ସେ ମାରି

ତୋ ଘେନି ଏଥର ଆମ୍ଭେ ରହିଲୁ ଉବୁରି ।

ଶୁଣିକରି ଗରୁଡ଼ ଯେ ଯୋଡ଼େ ବେନିକର

ବୋଲେ ନୃସିଂହ ଘେନି ମୁଁ ଅଟେ ଅଜ୍ରାମର ।

 

ନୃସିଂହାନୁଜ ପ୍ରତ୍ୟକ୍ଷେ ଅଟ ସପ୍ତଫଣୀ

ତୁମ୍ଭ ପାଖରେ ଥିଲେ ମୁଁ ସୃଷ୍ଟି ପାରେ ଜିଣି ।

ସହସ୍ରେକ ଫଣାରେ ତ ଦ୍ୱିସହସ୍ର ଚକ୍ଷୁ

ଏଣୁକରି ପଳାଇ ସେ ଗଲେ ତୁମ୍ଭ ପାଖୁଁ

 

ବୁଝିଲେତ ଲୋକଙ୍କର ବେନି ଗୋଟି ଆଖି

ତେଣୁ ସୃଷ୍ଟି କି କଳନା କରି ତୁମ୍ଭେ ଦେଖି ।

ପଞ୍ଚାଶ କୋଟି ପର୍ଯ୍ୟନ୍ତେ ଯେତେ ବସୁନ୍ଧରୀ

ବହିଣ ଅଛ ଆପଣ ଆଶ୍ୱାସନା କରି ।

 

ପଶୁଗଣେ ତ କରନ୍ତି ତାକୁ ଆବୃତ ।

ଓଷଧ ଓଖର ପଥି କେତେ ଦିଅନ୍ତିକି

ସେହିରୂପେ ପାଳ ତୁମ୍ଭେ ଯାବତ ପ୍ରାଣୀଙ୍କି ।

 

ଏହା ଶୁଣି ଶେଷଦେବ ବହୁ ତୋଷ ହେଲେ

ହସ୍ତରେ ଧନୁ ଧରିଣ ଗୁଣ ଆମଞ୍ଚିଲେ ।

ଏଥୁ ଅନନ୍ତରେ ମୁକୁନ୍ଦା ଅସୁରଟି ଜାଣ

ନିରୀକ୍ଷି ରହିଥିଲା ସେ ଶରକୁ ଚାହିଁଣ ।

 

ଦେଖିଲା ଅଧବାଟରୁ ଭାଜି ଅନ୍ତରାଳେ

ଗରୁଡ଼କୁ ଦେଖି ଶର ପଶିଲା ପାତାଳେ ।

ସ୍ତବଧ ହୋଇ କ୍ଷଣକେ ରହିଲା ଅସୁର

ବୋଇଲା ଆସି ଆୟୁଷ ପୂରିଲା ଆମ୍ଭର ।

 

 

ଯେବଣ ଅସ୍ତ୍ର ମୁଁ ଏଥେ ପେଷିଥିଲି ଜାଣ

ବ୍ରହ୍ମା ବିଷ୍ଣୁ ହର ହେଲେ ହୁଅନ୍ତା ନିଧନ ।

ସଚରାଚରକୁ ଏହି ଅଟେ ଏକ ପ୍ରଭୁ

ନ ଜାଣିଣ ମୁରାସୁର ଗର୍ଜି ହେଲା ପୂର୍ବୁ ।

 

ପୂର୍ବରୁ ଯଦ୍ୟପି ବିଷ୍ଣୁ ବୋଲି ଚିହ୍ନି ଥାନ୍ତା

କାହିଁକି ତନୟ ନାତି ଭାଇ ସେ ମରାନ୍ତା ।

ଏବେ ଆଉ ପାଞ୍ଚିଲେ କି କାର୍ଯଅୟ ଅଛି ତହିଁ

କାର୍ଯ୍ୟ ଏବେ କଣ୍ଠାଗ୍ରତ ଗଲାଣିତ ହୋଇ ।

 

ଏଥିରୁ ପଳାଇ ଲୁଚି ରହିବା ବୋଇଲେ

କ୍ଷତ୍ରିୟ କୁଳକୁ ଲଜ୍ଜା ପାଇବା ଜୀଇଲେ ।

କେବେ ହୋଇଲେ ଅବଶ୍ୟ ମରିବା ନାହିଁକି

ବିଷ୍ଣୁ ହାତେ ମରିବାର ଛାଡ଼ିବା କାହିଁକି ।

 

ଏତେ ବୋଲି ଧନୁ କରେ ଧରି ଆମଞ୍ଚିଲା

ଲକ୍ଷେ ଶର ପୁରାଇଣଶେଷଙ୍କୁ ବିନ୍ଧିଲା ।

ଶରମାନେ ଆସିବାର ଦେଖି ଈଳାସାଇଁ

ତୀକ୍ଷ୍‌ଣ ନାରାଚରେ ଛେଦିଦେଲେ ଫୋପଡ଼ାଇ ।

 

ପୁଣି ଲକ୍ଷେ ଶର ଧରି ପେଷନ୍ତେ ଦନୁଜ

ଶେଷ ବୋଇଲେ ଏଥର ମଲୁରେ ନିର୍ଲ୍ଲଜ ।

କି ବୋଲିଣ ଏତେ ଶର ବିନ୍ଧୁ ବ୍ୟର୍ଥେ ଆଣି

ନ ଜାଣୁକି ମୋର ନାମ ଅଟେ ସପ୍ତଫଣୀ ।

 

ଏତେ ବୋଲି ଶର ପେଷିଦେଲେ ଶେଷଦେବ

ଆସିବା ଶର ଛେଦିଲେ ଅଧବାଟୁ ଜବ ।

ଧନୁକୁ କରେ ଧରିଣ ଚାହେଁ ନିଶମୋଡ଼ି

ବୋଇଲେ ଦୈତ୍ୟ ଏବେ ତୋ ଯିବ ପ୍ରାଣଛାଡ଼ି ।

 

ଏବେ ବଜ୍ରଶକ୍ତି ମାରୁଅଛି ତୋତେ ଜାଣ

ପାରିଲେ ସମ୍ଭାଳି ବେଳେ ରଖ ତୋ ଜୀବନ ।

ଏତେବୋଲି ଶକ୍ତି କୋପେ ମାରି ଶେଷଦେବ

ମୁଣ୍ଡଆଡ଼ି ସମ୍ଭାଳିଣ ରହିଲା ଦାନବ ।

ଗୁଣ୍ଡା ପ୍ରାୟ ହୋଇଣ ସେ ଭାଙ୍ଗିଗଲା ଶକ୍ତି

ଏହା ଦେଖି ଚମତ୍କାର ହେଲେ ଈଳାପତି ।

ଅର୍ଦ୍ଧଚନ୍ଦ୍ର ବାଣ ପେଷିଦେଲେ ସପ୍ତଫଣୀ

ହସ୍ତ ବଢ଼ାଇଣ ଦୈତ୍ୟ ଧଇଲା ତା ଆଣି ।

 

ବେନିଖଣ୍ଡ କରି ତାହା ଭାଙ୍ଗି ପକାଇଲା

ଦେଖିକରି ଶେଷଦେବ ମନେ ଲଜ୍ଜାହେଲା ।

ବୋଇଲେ ରେ ଧନ୍ୟ ତୋର ଜୀବନ ସାର୍ଥକ

କେଡ଼େ ଶର ମେଣ୍ଟି ମୋର ବଞ୍ଚିଲୁ ବେଳକ ।

 

ଏଥର ତୋ ପ୍ରାଣ ପେଷି ଦେବି ଯମପୁର

ପାରିଲେ ସମ୍ଭାଳି ହୋଇ ରହରେ ଅସୁର ।

ଏତେବୋଲି ସେ ଧନୁରେ କସି ମୋଡ଼ାଦେଇ

ଗୁଣରେ ଚଢ଼ାଇଲେ ସେ ବାବଲାସ୍ତ୍ର ନେଇ ।

 

ବୋଇଲେ ପଡ଼ିବୁ ଗଲାକ୍ଷଣି ଦୈତ୍ୟକନ୍ଧେ

ଶିର ଛେଦି ପକାଇଣ ଆସିବୁ ଆନନ୍ଦେ ।

ତୂଣୀରେ ଆସି ମୋହର ନିଶ୍ଚିନ୍ତେ ରହିବୁ

ମରିବେ କେତେକ ଦୈତ୍ୟନୟନେ ଦେଖିବୁ ।

 

ଏତେ କହି ଶର ଧନୁ ମଧ୍ୟୁ ଦେଲେ ଛାଡ଼ି

ଚଳିଗଲା ଦେବଶର ସୂନ୍ୟପଥେ ଉଡ଼ି ।

ଦୈତ୍ୟର କନ୍ଧରେ ଯାଇଁ ତକ୍ଷଣେ ପଡ଼ିଲା

ବେନିଖଣ୍ଡ କରି ଆସି ତୂଣୀରେ ରହିଲା ।

 

କରନ୍ତି ସ୍ୱର୍ଗରେ ଥାଇ ଦେବେ ସାଧୁ ସାଧୁ

ବୋଲନ୍ତି ତରିଲୁ ଶେଷଦେବଙ୍କ ପ୍ରସାଦୁଁ ।

ଏତେ ବୋଲି ଆକାଶରେ ପୁଷ୍ପବୃଷ୍ଟି କଲେ

ଶେଷଦେବଙ୍କର ଶିରେ କର୍ପୂର ବର୍ଷିଲେ ।

 

ଏଥୁଅନ୍ତେ ବାଣୀ ଶୁଣ କହିବାକ ଏବେ

ଗରୁଡ଼ ଦର୍ଶନ କରି ଭେଟି ବାସୁଦେବେ ।

ବୋଲେ ଶୁଣ ନରସିଂହ ସ୍ୱାମୀ ଦେବହରି

ଶେଷଦେବର ଏ କର୍ମ ନ ପାର କେ କରି ।

ମୁରର ସେନା ମୁକୁନ୍ଦାସୁର ନାମେ ଦୈତ୍ୟ

କ୍ଷଣମାତ୍ରକେ ମାଇଲେ ତାକୁ ଈଳାକାନ୍ତ ।

ଏହାଶୁଣି ମୁଖପଦ୍ମେ ହସି ଚକ୍ରପାଣି

ବୋଇଲେ ଜିଣିଲେ ତୋର ହେତୁ ସପ୍ତଫଣୀ ।

 

ଶୁଣିକରି ଗରୁଡ଼ ଯେ ଯୋଡ଼ି କରପତ୍ର

ବୋଇଲା ଅଟନ୍ତି ଶେଷଦେବ ବ୍ରହ୍ମଗାତ୍ର ।

ତୁମ୍ଭ ଅନୁଜ ପ୍ରତ୍ୟକ୍ଷେ ଦ୍ୱତୀ ଚକ୍ରଧାରୀ

ତେଡ଼େ ନୋହିଲେ କି ବହିଥାନ୍ତେ ବସୁନ୍ଧରୀ ।

 

ବେନି ଚକ୍ଷୁରେ ପ୍ରାଣୀର ଅଟେ କେତେ ବୁଦ୍ଧି

ପାରିବାପଣ ହୋଇଲେ ସୃଷ୍ଟି ପାରେ ଭେଦି ।

ବୁଝିଲେ ବେନି ସହସ୍ର ଅଟେ ଚକ୍ଷୁ ଯାର

ସେ ପୁରୁଷ ବୁଦ୍ଧି ଜାଣ ଅଟେ ଅଗୋଚର ।

 

ଶେଷଦେବ ପ୍ରାୟ ନାହିଁ କେହି ବଳବନ୍ତ

ସାକ୍ଷାତେ ଅଟନ୍ତି ସେହୁ ମହାବିଷ୍ଣୁ ଗାତ୍ର ।

ପ୍ରଭୁ ଆଜ୍ଞାରୁ ଆମ୍ଭେ ତ ଅଗ୍ରେ ରହିଥାନ୍ତେ

ଆମ୍ଭର ବଳ କଳି କେ ପାରିବ ଜଗତେ ।

 

ଶୁଣିଣ ନୃସିଂହ ସ୍ୱାମୀ ହସି ମନେ ମନେ

ବୋଇଲେ ତୁମ୍ଭ ବଳ ମୁଁ ଜାଣେ ସବୁଦିନେ ।

ବୋଇଲେ ତ ମୁର ବାନ୍ଧିଅଛି ହାତୀଗଡ଼

ସେ ଗଡ଼ କଥାତ ତୋତେ ଲାଗିଲା ଗରୁଡ଼ ।

 

ଆଉ ମୁରର ଅଛନ୍ତି ସେନାପତି ବେନି

ମୁକୁନ୍ଦା ମଲାରୁ ସେହୁ ହେଲେଣି ଅଜ୍ଞାନୀ ।

ସୁଜାଣ ମନ୍ତ୍ରୀବର ଯେ କର୍ଣ୍ଣାଟେଶ ରାଜା

ସେ ଦୁହିଁଙ୍କୁ ମାରି ଏବେ ଦ୍ୟନ୍ତୁ ବଳିଭୋଜା ।

 

ମୁର ସୈନ୍ୟଙ୍କୁ ନୃସିଂହଗଣ ହୋଇ ଏକ

ପ୍ରାଣାୟ ସ୍ୱାହା କରିଣ ଦ୍ୟନ୍ତୁ କାଟି ବେକ ।

ଏରୂପେ ବୋଲୁ ବିରାଜ ମୂଢ଼ାସୁର ଯହିଁ

ମୁକୁନ୍ଦା ମୃତ୍ୟୁ ଦେଖିଣ ଧାଇଁଲେ ଆଗହିଁ ।

ବୋଇଲେ ଆମ୍ଭର ସେହି ଅଟେ ସାଙ୍ଗ ଭାଇ

ବ୍ୟର୍ଥରେ ମରିଗଲା ସେ ଆମ୍ଭ ଆଗେ ଥାଇ ।

ଏହା ଶୁଣିକରି ରାଜା ଆମ୍ଭଙ୍କୁ ନିନ୍ଦିବେ

ବୋଲିବେ ମୁକୁନ୍ଦା ଦେଇ ଆସିଲ କି ଏବେ ।

 

କେଡ଼େ ରଥୀକି ମୋହର ସଙ୍ଗେ ଘେନିଯାଇ

କି ବୋଲି ମରାଇ ତାଙ୍କୁ ଆସ ଦେହ ବହି ।

ଆମ୍ଭେ ଜୀଇଥିବାର କି କାର୍ଯ୍ୟ ଅଛି ଆଉ

ଏତେ ବୋଲି ସମରକୁ ଗଲା ରଁଣରାହୁ ।

 

ବିରାଜ ସୁଜାଣମନ୍ତ୍ରୀ ତୁଲେ କଲେ ଯୁଦ୍ଧ

କର୍ଣ୍ଣାଟେଶ୍ୱର ମୂଢ଼ାର ଲାଗିଲା ବିବାଦ

ବିରାଜ ବୋଲେ ସୁଜାଣ ମନ୍ତ୍ରୀ ଅଟେ ଅପନ୍ତରା ।

 

ସଂସାରରେ ଯେତେ ମନ୍ତ୍ରୀ ରାଜା ଆଶ୍ରେ ଥାନ୍ତି

ବୃହସ୍ପତି ପ୍ରାୟ ବୁଦ୍ଧିମାନ ପ୍ରକାଶନ୍ତି ।

ସବୁ ମନ ଘେନି କରୁଥାନ୍ତି ବୁଝାମଣା

ଧର୍ମନ୍ୟାୟ କରି ବୁଝୁଥାନ୍ତି ହରା ଜିଣା ।

 

ଦେଖିଲେ ତୋ ମନ୍ତ୍ରୀପଦ ଅଟେ ଅବିବେକ

ତୋ ଘେନି ବଲ୍ଲଭ ପୋଏ ହେଲେ ଅପାତ୍ରକ ।

କ୍ଷତ୍ରିୟ କୁଳରେ ଯେବେ ଥାନ୍ତେ ହୋଇ ଜନ୍ମ

ତେବେ ସିନା ସାଜନ୍ତା ଏ କରିଲେ ସଂଗ୍ରାମ ।

 

ବ୍ରାହ୍ମଣକୁଳେ ଜନମ ଏହି ଦୁଇ ଭାଇ

ଗଲେ କ୍ଷତ୍ରୀ କର୍ମେ ବର୍ଣ୍ଣ ଶଙ୍କରଟି ହୋଇ ।

ବାପା ଅଜା କାଳରେ ନ ଥାଇ ଯାର ହୁଦା

ଅବାଟେ ଗଲେ ବୋଲନ୍ତି ଏ ଅବିଦ୍ୟା ।

 

ବିପ୍ର ପୁତ୍ରଙ୍କୁ କ୍ଷତ୍ରିୟ ବିଦ୍ୟାରେ ଭରିଲୁ

ତେଣୁ ତୋ ମନ୍ତ୍ରୀ ବୁଦ୍ଧିକି ଆମ୍ଭେ ନିନ୍ଦାକଲୁ ।

ତୋ ଲାଗି ବାତୁଳ ହେଲେ ସେହି ବେନିଭାଇ

ବିପ୍ରକର୍ମ ଛାଡ଼ି କ୍ଷତ୍ରିକର୍ମ କଲେ ସେହି ।

 

ଯେ ଯାହା ଜାତି ଧର୍ମରେ ଥିଲେ ପୂଜାପାଏ

ବିଜାତି ବର୍ଣ୍ଣଶଙ୍କର ମଧ୍ୟେ ଲେଖା ହୋଏ ।

ନ ଜାଣିବା ଲୋକମାନେ ସ୍ୱଜାତି ହରାନ୍ତି

ଛାଡ଼ିଲେ ବେନିକୁଳ ସେ ଅଲଗା ହୁଅନ୍ତି ।

 

କୃଷ୍ଣବଲ୍ଲଭର ପୋଏ ସ୍ୱପନ୍ଥା ଛାଡ଼ିଲେ

ବିପ୍ରହିଁ ନୋହିଲେ କିବା କ୍ଷତ୍ରିୟ ନୋହିଲେ ।

ଶୁଣିଣ ସୁଜାଣ ମନ୍ତ୍ରୀ ବୋଲେ ହୋଇ ହୋଇ

ତୁମ୍ଭ ରଜାଙ୍କୁ ପଚାରି ଆସ ବେଗେ ଯାଇ ।

 

ବ୍ରହ୍ମାଙ୍କ ବୀର୍ଯ୍ୟରୁ ପରା ଜନ୍ମିଥିଲେ ସେହୁ

ବୁଝିଲେ ତ ବ୍ରାହ୍ମଣ ସେ ନୁହେଁ ଦୈତ୍ୟରାହୁ ।

ଦୁଷ୍ଟ ପ୍ରପଞ୍ଚ ନଷ୍ଟ ତ ଯେଉଁ ବିପ୍ର ହୋଇ

ତାଙ୍କୁ ନାଶିଲେ ସଂସାର ମଧ୍ୟେ ପାପନାହିଁ ।

 

ବିଧାତାର ସରଜନା ମୁହିଁ କି କହିବି

ରଖିଲେ କସ୍ତୁରୀକି ସେ ନେଇ ମୃଗନାଭି ।

ସେ ମ଼ଗ ବୁଝିଲେ କାର ଅଟଇ ବଇରୀ

କସ୍ତୁରୀ ପାଇଁ ପକାଉଛନ୍ତି ତାଙ୍କୁ ମାରି ।

 

ଏ କଥା ବିବେକପଣ ନୋହିଲା ଧାତାର

ରଖିଥାନ୍ତେ ଯେବେ ନେଇ ଖଚୁଆ ଜିହ୍ୱାର ।

କାଟିଣ ଜିହ୍ୱା ତାହାର ଆଣନ୍ତେ କସ୍ତୁରୀ ।

 

ସେହି ସ୍ଥାନରୁ ଖଚୁଆ ଶେଷ ହୋଇଯାନ୍ତେ

ଖଚ କହିବାକୁ ଆଉ ଗୋଟିଏ ନ ଥାନ୍ତେ ।

ବିପ୍ରକୁଳରେ ନୃସିଂହ ଜନ୍ମ ହୋଇଅଛି

ବିପ୍ରକୁ ବିପ୍ର ମାଇଲେ ଦୋଷ ନାହିଁ କିଛି ।

 

ବ୍ରହ୍ମାଙ୍କର ପୁତ୍ର ହୋଇ ମୁରାସୁର ପାପୀ

କ୍ଷତ୍ରିୟ ବିଦ୍ୟାରେ ପଶି ହେଲା ମହାକୋପୀ ।

ଦେବତା ବ୍ରାହ୍ମଣ ଆଦି ବୈରିପକ୍ଷ ହେଲା

ଦିଗ ବିଜୟେ କରିଣ ସବୁ ସାଧ୍ୟ କଲା ।

 

ତେଣୁ ତାର ଭାର ପ୍ରଭୁ ନ ପାରିଲେ ସହି

ଜନ୍ମିଲେ ବିପ୍ରକୁଳରେ ନରରୂପ ବହି ।

ବିପ୍ରକୁ ଆନଲୋକେ ନ ପାରେ କେବେ ମାରି

ତେଣୁ ବାହାରିଲେ ପ୍ରଭୁ କ୍ଷତ୍ରି ବିଦ୍ୟା କରି ।

 

ଏମନ୍ତ ପ୍ରଭୁଙ୍କୁ ମୁର ନରବିଷ୍ଣୁ ବୋଲି

ବଂଶ ମରାଇଣ ଆସିଅଛି ଏବେ ଚାଲି ।

ସତରଲକ୍ଷ ପୁତ୍ର ଯେ ନବଲକ୍ଷ ନାତି

ନାତିଆଡ଼ୁ ମରାଇ ଯେ ଆଣିଲା ସବୁନ୍ତି ।

 

ଆବର ଯେ ସେନାପତି ଯେତେ ଥିଲେ ତାର

ଏ ନୃସିଂହ ମାରି ପେଷି ଦେଲେ ଯମପୁର ।

ଏବେ ତାଙ୍କ ସଙ୍ଗେ ତୁମ୍ଭେ ସଙ୍ଗ ହେବ ଯାଇ

ଶୁଣିକରି ବିରାଜର କମ୍ପେ ନିଜଦେହୀ ।

 

ବେନି ହସ୍ତେ ଧନୁ ଧରି ବିନ୍ଧିଲା ନାରାଜ

ବୋଲେ ପ୍ରାଣ ତୋ ସମ୍ଭାଳି ରଖିଥାରେ ଆଜ ।

ଦେଖିଣ ସୁଜାଣ ମନ୍ତ୍ରୀ ନାରାଚେକ ପେଷି

ଦୈତ୍ୟ ଶରକୁ ପକାଇ ଦେଲେ ବେଗେଧ୍ୱଂସି ।

 

ଦେଖିଣ ବିରାଜ ଦୈତ୍ୟ ମନେ କୋପ କଲା

ସମ୍ଭାଳ ହୋ ମନ୍ତ୍ରୀ ବୋଲି ଉଚ୍ଚେ ଡାକଦେଲା ।

ସେଥର ତ ବଞ୍ଚିଗଲୁ ଏବେ ବଞ୍ଚିବୁ କି

ଏତେ ବୋଲି ଧନୁଶର ଧରି କରେ ଟେକି ।

 

ପର୍ବତ ଶରକୁ ଧରି ବିନ୍ଧନ୍ତେ ଅସୁର

ବଜ୍ରଶର ପେଷି ଛେଦିଦେଲେ ମନ୍ତ୍ରୀବର ।

ପୁଣି ଅଗ୍ନିଶର ବିନ୍ଧି ଦ୍ୟନ୍ତେ ଦୈତ୍ୟ ଉଠି

ଆସୁଣୁ ବଡ଼ବାନଳ ସୃଷ୍ଟିଯାକ ଘୋଟି ।

 

ଦେଖି ମନ୍ତ୍ରୀବର ବିନ୍ଧିଦେଲେ ଜଳପାଶ

ଲିଭିଣ ବ୍ରହ୍ମାଗ୍ନି ଘୁଞ୍ଚିଗଲେ ଶତେକୋଶ 

ଦେଖିଣ ଅସୁରକୁ ନ ସ୍ଫୂରେ ଆଉ ଅଛି

ବୋଇଲା କେଡ଼େ ଶର ମୋ ବ୍ୟର୍ଥେ ଗଲା ଘୁଞ୍ଚି ।

ଏତେ ମନେ ପାଞ୍ଚି ପେଷିଦେଲା ଅହି ଶର

ଗରୁଡ଼ ଶରରେ ତାହା ନାଶେ ମନ୍ତ୍ରି ବର ।

ଦେଖିଣ ବିରାଜ ଦୈତ୍ୟ ମନେ କୋପ କଲା

ଧନୁର୍ଗୁଣରେ ବସାଇ ଶକତି ପେଷିଲା ।

 

ବୋଇଲାକ ଶକତି ହୋ ଶୀଘ୍ରହୋଇ ଚଳ

ମନ୍ତ୍ରୀ ମଲେ ନୃସିଂହ ଭାଜୁ ବୁଦ୍ଧିବଳ ।

ଏହା ଘେନି ବଳବନ୍ତ ସିନା ବେନିଭାଇ

ପଶିଛନ୍ତି କ୍ଷତ୍ରି କର୍ମେ ଅଲାଜୁକ ହୋଇ ।

 

ଶୁଣିଣ ମହା ଶକତି ଆସନ୍ତେ ପ୍ରଖର

ଦେଖିଣ ଧଇଲା ବଜ୍ର ଶକ୍ତି ମନ୍ତ୍ରୀବର ।

ବୋଇଲା ଦଇତ ଶର ବାଟୁ ପକା ଭାଞ୍ଜି

ଏଥର ଯମ ପୋଛଇ ସିନା ତୋର ପାଞ୍ଜି ।

 

ଏତେ ବୋଲି ଶକ୍ତି ପେଷିଦ୍ୟନ୍ତେ ମନ୍ତ୍ରୀବର

ଦୁଇଶର ଭେଟ ହୋଇ ଲାଗିଲା ସମର ।

ଗଡ଼ାଗଡ଼ି ମରାମରି ଧରାଧରି ହେଲେ

ଦୁହେଁ ସରିସମ ହୋନ୍ତେ ଉଚ୍ଚବାଚ କଲେ ।

ନିଯା

ବୋଇଲେ ଆମ୍ଭେ ଦୁହେଁତ ବୋଲାଇ ଏକଘ୍ନୀ

କାହିଁପାଇଁ ବ୍ୟର୍ଥେ ଦୁହେଁ ହେବା ଅନ୍ୟୋଅନ୍ୟି ।

ତୁହିଁ ନୋହୁ ସାନ ମୁହିଁ ନୁହେଁ ତେବେ ସାନ

ଅବାହୁଡ଼ ଶର ଆମ୍ଭେ ଅଟୁଁ ବେନିଜନ ।

 

ଏବେ ଆସ ବଇକୁଣ୍ଠ ପୁରେ ଆମ୍ଭେ ଯିବା

ବିଷ୍ଣୁକୁ ସେବା କରିଣ ନିଶ୍ଚିନ୍ତେ ରହିବା ।

ଏରୂପେ ମରିଣ ଦୁହେଁ ଚଳିଲେ ବୈକୁଣ୍ଠ

ସେଠାରୁ ବିରାଜକୁ ନଦିଶେ ବୁଦ୍ଧି ବାଟ ।

 

ଧୈର୍ଯ୍ୟଧରି ପୁଣି ବିନ୍ଧିଦେଲା ଲକ୍ଷେ ଶର

ତୀକ୍ଷ୍‌ଣ ନାରାଚେ ଛେଦିଲେ ତାହା ମନ୍ତ୍ରିବର ।

ଆବର ଲକ୍ଷେକ ଶର ଧରି ଦୈତ୍ୟମଣି

ଧନୁରେ ବସାଇ ବିନ୍ଧିଦେଲା ଗୁଣଟାଣି ।

ନାରାଚ ଆସୁଣୁ ତାହା ନେତ୍ରେ ମନ୍ତ୍ରୀ ଦେଖି

ଚାହିଁଲେ ଶୂନ୍ୟେ ଆସନ୍ତି ଯେହ୍ନେ ଉଡ଼ି ପକ୍ଷୀ ।

କତୁରୀ ବାଣକୁ ଖରେ ଧଇଲେ ତତ୍‌କ୍ଷଣ

ବୋଲେ ଛେଦିପକା ଆସୁଛନ୍ତି ଯେତେବାଣ ।

 

ୟା ବୋଲି ଧନୁରେ ଛାଡ଼ିଦ୍ୟନ୍ତେ ମନ୍ତ୍ରୀବର

ଅର୍ଦ୍ଧବାଟୁଁ ଛେଦି ତାକୁ ଦେଲା ତତପର ।

ମନ୍ତ୍ରୀର ତୂଣୀରେ ଆସି ରହିଲା ନିବର୍ତ୍ତି

ଦେଖିକରି ବିରାଜର ଥରିଗଲା ଛାତି ।

 

ବୋଇଲାକ କେତେଶର ମେଣ୍ଟିଲା ଏ ମୋର

ଏଥର ନିଶ୍ଚୟେ ମାରିଦେବି ବ୍ରହ୍ମଶର ।

ଏ ଶର ମୋତେ ତ ସୂର୍ଯ୍ୟଦେବ ଛନ୍ତି ଦେଇ

ବୋଇଲେ ବିନ୍ଧିବୁ ପ୍ରାଣ ଯିବାକାଳେ ତୁହି ।

 

ଏବେ ମୁଁ ଶର ବିନ୍ଧିଲି ଜାଣ ଆଲୋକିତ

ତହିଁରେ ୟାକୁ ନୋହିଲା କିଛି ଅପଘାତ ।

ଏତେ ବୋଲି ଯୋଚି ବିନ୍ଧିଦେଲେ ଧନୁ ଟାଣି

ବ୍ରହ୍ମାଣ୍ଡଯାକ ଘୋଟିଣ ଆସେ ଶର ପୁଣି ।

 

ନୃସିଂହ ଦେଖିଣ ତାହା ଚମତ୍କାର ହେଲେ

ଏକଘନୀ ଶରନେଇ ମନ୍ତ୍ରୀ କରେ ଦେଲେ ।

ବୋଇଲେ ଏ ଶରକୁ ହୋ ବିନ୍ଧ ବେଗ ଟାଣି

ତାକୁ ବାହୁଡ଼ାଇ ଦେବ ଏହି ଗଲାକ୍ଷଣି 

 

ଶୁଣି ମନ୍ତ୍ରୀବର ନୃସିଂହଙ୍କ ଆଜ୍ଞାପାଇ

ଏକଘନୀ ଶର ପେଷିଦେଲା ଶୀଘ୍ର ନେଇ ।

ତତକ୍ଷଣେ ଏକଘନୀ ଶୀଘ୍ର ଗଲା ଚଳି

ବାଟରେ ବ୍ରହ୍ମଶରକୁ ଦେଖିଲା ଉଗାଳି ।

 

ବୋଇଲାକ କେତେ କୃତ୍ୟ କଲୁ ବ୍ରହ୍ମଶର

ଦେଖ ବିଜେ କରିଛନ୍ତି ନୃସିଂହ ଠାକୁର ।

ମୋତେ ତୋହର ପାଶକୁ ଦେଲେ ପୁଣି ପେଶି

ବୋଇଲେକ ବ୍ରହ୍ମଶର ହୋଇଯାଉ ଧ୍ୱଂସି ।

ତେଣୁକରି ତୋତେ ମୁହିଁ ବୋଲୁଛି ବାହୁଡ଼

ବୁଝିଲେତ ସବୁକଥା ହରିଙ୍କର ଖେଳ ।

ତୋତେ ପେଷିଲାରୁ ପେଷିଦେଲେ ମୋତେହରି

ସୁଜାଣ ମନ୍ତ୍ରୀଙ୍କୁ ସେହି ରଖିବେ ଉଦ୍ଧାରି ।

 

ହେ ବ୍ରହ୍ମଶର ମୁଁ ତୋତେ କହୁଅଛି ଶୁଣ

ସବୁଶର ଉପରେ ମୁଁ ଅଟେ ବଡ଼ ଜାଣ ।

ମୋହର ଯେ ମହିମାକୁ ଥିବୁ ତୁହି ଚିହ୍ନି

ସବୁଶର ଉପରେ ମୁଁ ଅଟେ ଏକଘନୀ ।

 

ଅନ୍ୟ ଶରମାନଙ୍କର ମହିମାଟି ଯେତେ

ତାକୁ ବଳି ଷୋଳବିଶ୍ୱା ପ୍ରାକ୍ରମ ମୋ ନିତ୍ୟେ ।

ଅକ୍ଷୟ ପାଶୁପତ ଯେ ଅମୋଘ ଶକତି

ପରିଘ ଭୂଷଣ୍ଡି ଶୂଳ ଖପର ଯେ କାତି ।

 

ବ୍ରହ୍ମାସ୍ତ୍ର ମୋହନ ବିଷ୍ଣୁ ଶର ଜଳପାଶୀ

ଦହନ ଶୋଷଣ ଅଗ୍ନି ଶର ବାଣ ମିଶି ।

ମୋହପାଶୀ ଯମଦାଢ଼ ପରିଘ ଶାବେଳି

ମେଘ ବରୁଣ କୁବେର ଶର ରତ୍ନାବଳୀ ।

 

ନାଗପାଶ କାଳପାଶ ବାୟୁ ଶଲ୍ୟଶର

ଗରୁଡ଼ ପର୍ବତ ମନଭେଦୀ ଅହିବର ।

ବାବଲ ବ୍ରହ୍ମଶକତି ତ୍ରିଶୂଳ ଚୌକାନା

ଶୂନ୍ୟଭେଦୀ କାଳଭେଦୀ ଆଉ ଏକମୁନା ।

 

କାଳ ବିକାଳଭେଦୀ ଯେ ସ୍ତମ୍ଭନ ମୋହନ

ଭଲ୍ଲ ତୋମର ଶକତି ବଶ୍ୟ ଉଚ୍ଚାଟନ ।

ଅକାଳ ତ୍ରିକାଳ ମହାକାଳ ବଜ୍ର ବାଣ

ଉଡ଼ାଣ ବୁଡ଼ାଣ ମିଶି ତାରଣ ମାରଣ ।

 

ମୁଗୁର ଅଧାଚନ୍ଦ୍ର ଯେ ବେତାଳ ହେତାଳ

ଜୟ ବିଜୟ ଭୈରବ ସୁତାଳ ଯେ ତାଳ ।

କୁହୁକ ଅହିଶର ଯେ ସିଂହାନାଦ ଧ୍ୱନି

ଶଙ୍କର ଗର୍ଜ୍ଜନାଞ୍ଚିତ ସୂର୍ଯ୍ୟାବଳୀ ଘେନି ।

ସୂର୍ଯ୍ୟାବର୍ତ୍ତ ଶର ଆଉ ଚନ୍ଦ୍ରାବଳୀ ବାଣ

କୌମୋଦକୀ ଗଦା ନୀଳବାଣ ଭୁଜପୁଣ 

ହତାଶ ବତାଶ ଶର ଆଉ ଜଳପାଶ

ବ୍ରହ୍ମ ରୁଦ୍ରପାଶ ନିରିଘାତ ବଜ୍ରଘୋଷ ।

 

ଯମପାଶ ମହାପାଶ ଜୀବନ୍ୟାସ ଶର ।

ତେତିଶକୋଟି ଦେବଙ୍କ ଯେତେଗୋଟି ଶକ୍ତି

ଏରୂପେ ଥୋକେ କହିଲି ବାଛି ଶରମୂର୍ତ୍ତି ।

 

ମୋ ନାମ ଏକଘନୀ ମୁଁ ଅଟେ ନିରାକାର

ମୋର ସମାନ ଜଣେ ତୁ ଅଟୁ ବ୍ରହ୍ମଶର ।

ନୃସିଂହ ଆଜ୍ଞାରେ ମନ୍ତ୍ରୀ ଦେଲା ମୋତେ ପେଷି

ତୁହି ଏବେ ରହ ସୂର୍ଯ୍ୟମଣ୍ଡଳରେ ପଶି ।

 

ବ୍ରହ୍ମଶର ଶୁଣି ତାହା ଚମତ୍କାର ହେଲା

ବୋଇଲା କହ ମୁହିଁ କିରୂପେ ଯିବି ଭଲା ।

ଜାଣ ମୁହିଁ ଅବାହୁଡ଼ ଅଟେ ବ୍ରହ୍ମଶର

ପେଷିବା ଲୋକ କାର୍ଯଅୟ ନ କଲେ ନୁହେ ସ୍ଥିର ।

 

ତୁହି ତ ମୋହର କଥା ଜାଣିଅଛୁ ସବୁ

ଏଥକୁ ବୁଦ୍ଧି କହ କିରୂପେ ଯିବି ବାବୁ ।

ଶୁଣି ଏକଘନୀ ସତ ଏହା ବୋଲି ପାଞ୍ଚି

ବୋଲେ ପ୍ରଭୁଙ୍କ ପ୍ରସାଦ ଅଛଇ ଯେ କିଛି ।

 

ପୃଥ୍ୱୀଯାକକୁ ସେ ମହା ନିରିମାଲ୍ୟ ଅଟେ

ତାହାର ସେବା କଲେ ନ ରହେ ପାପ ଘଟେ ।

ତୁ ଯେବେ ପାଞ୍ଚିଲୁ ଏଡ଼େ କଥା ବ୍ରହ୍ମଶର

ତା ମୁଁ ଦେଉଅଛି ତୋତେ ଭୋଗ ଏବେ କର ।

 

ଏହା ଶୁଣି ବ୍ରହ୍ମଶର ମନେ ଶାନ୍ତି ଭଜି

ବିଷ୍ଣୁ ନିର୍ମାଲ୍ୟ ପାଇଣ ବସେ ବେଗେ ଭୁଞ୍ଜି ।

ଗ୍ରାସ ପୂରା କରିଣ ସେ ହେଲା ମହାଭୋଳ

ସେହିଠାରୁ ଗଲା ଚଳି ଆଦିତ୍ୟ ମଣ୍ଡଳ ।

 

ସୂର୍ଯ୍ୟଦେବଙ୍କ ରଥରେ ଯାଇ ବିଜେ କଲା

ସେଠାରେ ଦ୍ୱିଗୁଣ ସୂର୍ଯ୍ୟତେଜ ବିକାଶିଲା

କୁମ୍ଭର ପରେ ମିଥୁନ ଯଆଏ ରଶ୍ମି ଟେକି

ସେହିଠାରୁ ଶାନ୍ତି ଭଜି ରହଇ ପୃଥ୍ୱୀକି ।

 

ଏରୂପେ ସେ ବ୍ରହ୍ମଶର ମହିମା ପ୍ରକାଶ

ଆସି ଏକଘନୀ ମିଳିଗଲା ବିଷ୍ଣୁ ପାଶ ।

ଦେଖିଣ ନୃସିଂହ ତାକୁ ବହୁ ଶ୍ରଦ୍ଧା କଲେ

ମନେ ପ୍ରଶଂସି ତୁଣୀରେ ନେଇ ଠାବଦେଲେ ।

 

ଏଥୁଅନନ୍ତରେ ଯୁଦ୍ଧସମାଚାର ଶୁଣ

ବିରାଜ ଦୈତ୍ୟ ଦେଖି ନ ବିନ୍ଧେ ଆଉ ବାଣ ।

ବୋଲେ ଏଡେଶର ବିନ୍ଧିଦେଲେ ବ୍ୟର୍ଥେ ଆଣି

ପାଣି ଫୋଟକା ପରାୟ ଗଲା ଭାଜି ପୁଣି ।

 

ବୁଝିଲେ ମୁରାସରକୁ ଯଶ ନାହିଁ ଆଉ

ମୋ ପରା ରଥୀ ମରିବ ଏବେ ଚାହୁଁ ଚାହୁଁ ।

ଏରୂପେ ଅସୁର ପୁଣି ହୃଦେ ପାଞ୍ଚି ଚେତେ

ବିନ୍ଧିଲା ସୁଜାଣ ମନ୍ତ୍ରୀ ବାଣ ଅପ୍ରମିତେ ।

 

କରକାବୃଷ୍ଟି ପରାୟ ପଡ଼େ ଦୈତ୍ୟଅଙ୍ଗେ

ପୋଛିଣ ଫିଙ୍ଗି ତାହାକୁ ଦେଲା କ ଅସୁର ।

ଦେଖି ପ୍ରଶଂସା ସୁଜାଣ ମନ୍ତ୍ରୀ ତାକୁ କଲା

ଏଥର ସମ୍ଭାଳ ବୋଲି ନାରାଚ ଯୋଚିଲା ।

 

ସୂର୍ଯ୍ୟାବର୍ତ୍ତକ ଶରକୁ ଗୁଣରେ ବସାଇ

ବୋଇଲେ ଦୈତ୍ୟର ଶିର ଛେଦି ଆସ ଯାଇ ।

ଶୁଣି ସୂର୍ଯ୍ୟାବର୍ତ୍ତ ଧନୁ ମଧୁ ଗଲା ଚଳି

ଗର୍ଜିଣ ଦୈତ୍ୟ କଣ୍ଠରେ ପଡ଼ି ମହାବଳୀ ।

 

ବେନିଖଣ୍ଡ କରି ତାକୁ ଆସିଲା ବାହାରି

Unknown

ତୂଣୀରେ ପଶିଲା ଅବି ମଧ୍ୟେ ସ୍ନାନକରି ।

ବିରାଜ ଦୈତ୍ୟ ମରନ୍ତେ ମୂଢ଼ାସୁର ଦେଖି

ଧାଇଁଲା ଖଣ୍ଡଦୂରରୁ ସମର ଉପେକ୍ଷି ।

ଆହା ସଖା ବୋଲି କେତେ ରୋଦନ ସେ କଲା

ଧନୁରେ ଗୁଣ ଚଢ଼ାଇ ନରାଚ ଯୋଚିଲା ।

ମଲରେ ବିପ୍ରେ ଛାଡ଼ନ୍ତି ଏକ ଘୋରରଡ଼ି

ଦେଖି କର୍ଣ୍ଣାଟେଶ ଉଠି ଗଲେ ନିଶ ମୋଡ଼ି ।

 

ବୋଇଲେ ପାମର ଆରେ କିପାଁ ଅଛୁ ଧାଇଁ

ଦେଖୁ ଦେଖୁ ପଶିଲୁ କି ବୋଲି ରଣଭୂଇଁ ।

ବତିଶପଦ୍ମ ନୃସିଂହଗଣ ଯହିଁ ଛନ୍ତି

ତାଙ୍କ ମଧ୍ୟେ ବିଜେ କରିଛନ୍ତି ଲକ୍ଷ୍ମୀପତି ।

 

ଗରୁଡ଼ ବାହନେ ବସିଛନ୍ତି ବିଜେକରି

ଶଙ୍ଖ ଚକ୍ର ଗଦା ପଦ୍ମ ଚାରିଭୁଜେ ଧରି ।

ମୁରାସୁରର ନିମନ୍ତେ ଛନ୍ତି ଜନ୍ମ ହୋଇ

ତୁମ୍ଭେ ବୋଲୁଛ ବ୍ରାହ୍ମଣ ଭିକ୍ଷୁ ଏ ଅଟଇ ।

 

ମାନବବିଷ୍ଣୁ ବୋଲିଣ ମନେ ପାଞ୍ଚୁ ଅଛ

ସାହସପଣ କରିଣ ଯୁଦ୍ଧରେ ପଶୁଛ ।

ଏବେ ଚାରିସେନା ଆସି ଗଲ ଆଗ ହୋଇ

ମଲେଣି ତିନିସେନା ତୁ ଏକା ଅଛୁ ରହି ।

 

ଏବେ ମୁରାସୁର ବାନ୍ଧିଅଛି ହାତୀଗଡ଼

ସେ ଗଡ଼ ଦେଖି ଆମ୍ଭର ହସୁଛି ଗରୁଡ଼ ।

ସତର ଲକ୍ଷେକ ପରା ମୁର ପୁତ୍ର ଥିଲେ

ଆଖଡ଼ାଶାଳେ ଗରୁଡ଼ ହାତରେ ମରିଲେ ।

 

ଏବେ ଏ ହାତୀଗଡ଼କୁ ଜଗିଛି ଗରୁଡ଼

ତୁ ମଲାପରେ ପଡ଼ିବ ଜାଣ ତହିଁ ମାଡ଼ ।

ଶୁଣିଣ ମୂଢ଼ାସୁରର କମ୍ପେ ନିଜ ତନୁ

ବୋଇଲା ସେ ଗରୁଡ଼କୁ ଆମ୍ଭେ ତ ନ ମାନୁ ।

 

ସତର ଲକ୍ଷ ତନୟ କଥା ଭାବୁ ଯେବେ

ଆମ୍ଭେମାନେ ପାଶେଥିଲେ ମରନ୍ତେ କି କେବେ ।

ଅଣଦେଖା ଠାବେ ଥିବା ହେତୁ ମାରିଗଲା

କ୍ଷତ୍ରିଧର୍ମ କଥାକୁ ତ ଏହା ନ ପାଇଲା ।

ଆମ୍ଭର ରାଜା ସଭାରେ ବସି ଏକଦିନେ

ବୋଲୁଥିଲେ ଗରୁଡ଼କୁ ଖୋଜ ଯେଝାମନେ ।

ପାଇଲେ ଥଣ୍ଟ ଉପାଡ଼ି ବେଗେ ଘେନିଆସ

ମାଦଳେ ପିଟିଣ ବଜାଇବ ବିଜିଘୋଷ ।

 

ଥଣ୍ଟେ ବେଣ୍ଟ ବାଜି ଘୋର ଶବଦ କରନ୍ତା

ତିନିପୁରେ ଉଛୁଳି ସେ ନାଦ ପଡ଼ିଯାନ୍ତା ।

ତୁମ୍ଭେ ବା କି ଦେଇ ପୋଷିଅଛ ପକ୍ଷୀଛାର

ଏକା ବଜ୍ର ଶକତିକେ ହେବ ଶତେଚୂର ।

 

କର୍ଣ୍ଣାଟେଶ ବୋଲେ ହୋ ଏ କଥାହେଲେ ସତ

ଦେଖନ୍ତୁ ଜୀଇଁଥିଲେ ସେ ତାର୍କ୍ଷ୍ୟ ମହିମା ତ ।

କୋକାଇରେ ରହି ଦେଇଅଛି ଗାଲମୋଡ଼ା

ବୁଝିଲେ ତୋହର ପ୍ରାୟ ନାହିଁ କେ ଥୋବଡ଼ା ।

 

କହୁଛୁ ଲୋସଡ଼ା ଲୋକ ପ୍ରାୟ ପେଲି ପେଲି

ଅଲାଜୁକ ଗୁହ୍ୟଦ୍ୱାରେ ବଥ ହେଲେ ମେଲି ।

ସେ ବୋଲଇ ଛାୟା ମୋତେ ହୋଇଲା ହୋ ଆସି

ତୋ ସ୍ୱଭାବ ସେହି ଲୋକପ୍ରାୟ ମୋତେ ଦିଶି ।

 

ସେ କଥା ଶୁଣିଣ ମୂଢ଼ା ଉଠିଲା ଗରଜି

ମଲୁରେ କର୍ଣ୍ଣାଟ ବୋଲି ଧନୁ ଧରି ସାଜି ।

ଲକ୍ଷେକ ନାରାଚ ଏକାବେଳେ ଦେଲା ବିନ୍ଧି

ଗର୍ଜିଣ ଆସନ୍ତି ଶର ଶୂନ୍ୟଯାକ ରୁନ୍ଧି ।

 

ଦେଖି କର୍ଣ୍ଣାଟେଶ ତୀକ୍ଷ୍‌ଣ ନାରାଚେକ ପେଶି

ଖଣ୍ଡ ଖଣ୍ଡ କରି ତାହା ଛେଦିଲେ ବନାଶି

ଲେଉଟି ଲକ୍ଷେକ ଶର ବିନ୍ଧି ମୂଢାସୁର

ହାବୋଡା ଶରରେ ତାହା ଛେଦିଲେ ନୃପର ।

ମହାବଜ୍ର ଶର ଆଣି ବିନ୍ଧନ୍ତେ ଦଇତ୍ୟ

ପେଷିଣ ପର୍ବତ ଶର ନାଶିଲେ ତୁରିତ ।

 

ତାହା ଦେଖି ମୂଢ଼ାସୁର ବଡ଼ ପ୍ରଶଂସିଲା

ଶକତି ଗୋଟାଏ ଧରି ତକ୍ଷଣେ ପେଷିଲା ।

ଦେଖିଣ କର୍ଣ୍ଣାଟେଶ୍ୱର ବଜ୍ରଶର ପେଷି

ଖଣ୍ଡ ଖଣ୍ଡ କରି ତାକୁ ପକାଇଲା ଧ୍ୱଂସି ।

ମୂଢ଼ାସୁର ବୋଇଲା ହୋ ଏଥର ସମ୍ଭାଳ

ଧନୁରେ ଯୋଚିଲା ଆଣି ଗୋଟିଏ ତ୍ରିଶୂଳ ।

ଅସୁର ବାକ୍ୟ ଶୁଣିଣ କର୍ଣ୍ଣାଟେଶ ରାଜା

କତୁରୀ ଶର ଯୋଚିଣ ମନ୍ତ୍ରେ କଲା ପୂଜା ।

 

ବୋଇଲା ଅସୁର ଯୋଚୁଅଛଇ ତ୍ରିଶୂଳ

ଶର ନ ଆସୁଣୁ ଧନୁ ଛେଦ ତୁ ତତ୍କାଳ ।

ଶୁଣିଣ କତୁରୀ ଶର ଶୀଘ୍ରେ ଚଳିଗଲା

ଅସୁର ହସ୍ତରୁ ଧନୁ ଛେଦି ପକାଇଲା ।

 

ଧନୁ ଛିଡ଼ନ୍ତେ ତ୍ରିଶୂଳେ ହେଲା ବନ୍ଦ ।

ମୂଢ଼ାର ହସ୍ତରୁ ଧନୁ ଛିଡ଼ିଣ ପଡ଼ନ୍ତେ

ଲେଉଟି ଆନ ଧନୁଏ ଧଇଲା ଦଇତ୍ୟେ ।

ବୋଇଲା ଏ ରାଜା ଭଲା କର୍ମ ପୁଣି କଲା

 

ଆମ୍ଭ ଡାକ ଶୁଣି ଧନୁ ଛେଦି ପକାଇଲା | 

ବିଶ୍ଵମ୍ବର ନାମେ ପୁଣି ଧନୁ ଏକ ଧରି

ରଖିଲା ବତିଶପଦ୍ମ ଶର ପାଶେ ଭରି ।

ବୋଇଲା ଯେତେ ଅଛନ୍ତି ନୃସିଂହର ଥାଟ

ସବୁରି ଉପରେ ପଡ଼ି ମୁଣ୍ଡମାନ କାଟ ।

 

ଏତେ ବୋଲିଣ ଦଇତ୍ୟ ମନ୍ତ୍ର ତୁଣ୍ଡେ ପଢ଼ି

ସେ ଧନୁରେ ଯୋଚି ଶର ଦେଲା ସବୁ ଛାଡ଼ି ।

ମୂଢ଼ାର କର୍ମ ନୃସିଂହ ପ୍ରଭୁ ମନେ ଜାଣି

ସୁଦର୍ଶନ ଚକ୍ର ପେଷିଦେଲେ ଚକ୍ରପାଣି ।

 

ବୋଇଲେକ ଦୈତ୍ୟ ଯେତେ ପେଷି ଅଛି ଶର

ସେ ଶରଯାକ ଛେଦିଣ ଆସ ତତପର ।

ଏହା ଶୁଣି ସୁଦର୍ଶନ ଗଲା ଅନ୍ତରାଳେ

ସେ ନାରାଚଯାକ ଛେଦି ଆସିଲା ତତ୍କାଳେ ।

 

ତାହା ଦେଖି ମୂଢ଼ାସୁର ଚମତ୍କାର ହେଲା

ଧନ୍ୟ ହେ କର୍ଣ୍ଣାଟେଶ୍ୱର ବୋଲି ପ୍ରଶଂସିଲା ।

ତେଡ଼ିକି ନୋହିଲେ ତୁ କି ନୃସିଂହ ପ୍ରଭୁଙ୍କୁ

ସେବାକରି ରହିଅଛି ରାଜା ହୋଇବାକୁ ।

ନିଶ୍ଚେଁ ନୃସିଂହ କରିବେ ତୋତେ ରାଜାଜାଣ

ଆଜୁ ମୁରର ସରିଲା ଏଡ଼େ ବଡ଼ପଣ ।

ଏତେଦିଵନ ପରିଯନ୍ତେ ସୁଖ ଭୋଗ କଲା

ମୁହିଁ ମଲେ ଏଥର ସେ ନିରିମାକ୍ଷୀ ହେଲା ।

 

ସତର ଲକ୍ଷ ପୁତ୍ର ଯେ ନବଲକ୍ଷ ନାତି

ତେତିଶକୋଟି ରାଣୀକିଭୋଗକରେ ନିତି ।

ଆବର ଶ୍ରେଷ୍ଠ ଛବିଣ ସେନା ଆମ୍ଭେ ଥିଲୁ

ମୁରାସୁର ରାଜାଙ୍କୁ ଯେ ବହୁ ସେବା କଲୁ ।

 

ପୁତ୍ର ପରାୟେ ଆମ୍ଭଙ୍କୁ ଥିଲା ଜଣ ପାଳି|

ଅଭାଗ୍ୟ କାଳକୁ ଏବେ ସର୍ବେ ଗଲୁ ଚଳି ।

କୁବେର ସମ୍ପତ୍ତିରୁ ଦ୍ୱିଗୁଣ କଲା ଭୋଗ

ତା ସୁଖେ ଭୋଗ ପ୍ରାୟେକ ନାହିଁ ଚାରିଯୁଗ ।

 

ଆବର ହୀରା ନୀଳା ଯେ ମାଣିକ୍ୟ ବୈଡୁର୍ଯ୍ୟ

କନକାବତୀ ନଗ୍ରରେ ପୂରିଛି ଐଶ୍ୱର୍ଯ୍ୟ ।

ତେତିଶକୋଟି ଦେବତା ଦଶଦିଗପାଳେ

ବ୍ରହ୍ମାଦି ସହିତେ ସେବି ଥାଆନ୍ତି ସକଳେ ।

 

ବଇକୁଣ୍ଠପୁର ପ୍ରାୟ ସବୁ ଥାନ୍ତି ପୂରି

ବସନ୍ତି ସୁଧର୍ମା ସଭା ପ୍ରାୟ ସଭାକରି ।

ଗନ୍ଧର୍ବ ଭୋଗରୁ ଚଳି ଭୋଗ ଆଉ ନାହିଁ

ତହିଁକି ଦ୍ୱିଗୁଣ ଭୋଗ ମୁର କରୁଥାଇ ।

 

ମୁରର ସମ୍ପତ୍ତିକି ନ ପଡ଼େ ରତ୍ନାକର

ବୁଝିଲେ ଇନ୍ଦ୍ରସମ୍ପତ୍ତି କେତେକ ମାତର ।

ତେଡ଼େକ ରାଜାକୁ ଦେଖ ଧାତା ଛାଡ଼ିଲାରୁ

ହାତୀଗଡ଼ ବାନ୍ଧି ରହିଅଛି ଆସି ଘରୁ ।

 

ତୁ ଏବେ କର୍ଣ୍ଣାଟ କଥା ଏକ ମୋର କର

ନାରାୟଣ ଅସ୍ତ୍ର ଧରି ବେଗେ ମୋତେ ମାର ।

ପ୍ରତ୍ୟକ୍ଷେ ସେ ନାରାୟଣ ଅସ୍ତ୍ର ନାରାୟଣ

ସେ ଶର ବାଜିଲେ ଛାଡ଼ିଦେବି ନିଶ୍ଚେ ପ୍ରାଣ ।

ନୋହିଲେ ଆନ ଶରେ ନ ପାରୁ ମୋତେ ମାରି

ବର ଦେଲାକାଳେ କହିଛନ୍ତି ତ୍ରିପୁରାରି ।

ଆଉ ଲୋଚାଏ ସମର କଲେ ହେବ କିସ

ତୁହି ବିନ୍ଧୁ ଥିଲେ ମୁହିଁ ବିନ୍ଧିବ ଅଶେଷ ।

 

ମରଣର ସନ୍ଧି ତୋତେ ଆଜି ଦେଲି କହି

ତୁହି ବିନ୍ଧୁ ଥିଲେ ମୁହିଁ ବିନ୍ଧୁ ଥିବି ରହି ।

ବ୍ରହ୍ମଅସ୍ତ୍ର ମାଇଲେ ନ ମରେ ମୁହିଁ ଜାଣ

ନାରାୟଣ ଶରେ ଏକା ଯିବ ମୋର ପ୍ରାଣ ।

 

ନାରାୟଣ ଶରେ ଏକା ଅଟେ ଭଗବାନ

ସେ ଶରେ ମଲେ ବିଷ୍ଣୁ ରେ ହେବି ଯାଇ ଲୀନ ।

ଏତେ ବୋଲିଣ ଅସୁର ଧନୁ ଧରି କରେ

ବିନ୍ଧିଲା ଲକ୍ଷେକ ଶର କର୍ଣ୍ଣାଟ ଉପରେ ।

 

ତୀକ୍ଷ୍‌ଣ ନାରାଚରେ ତାହା କର୍ଣ୍ଣାଟେଶ ଛେଦେ

ତାହା ଦେଖିଣ ଅସୁର ପୁଣି ବାଣ ବିନ୍ଧେ ।

ଶତେଥର ଧନୁ ଧରି ଶତେ ଥରଯାଏ

ଅପର୍ଯ୍ୟାପ୍ତ ଶର ଧରି ବିନ୍ଧେ ଅପ୍ରମୟେ ।

 

ଶତେ ଥରଯାଏ ଶର ପ୍ରତିକଚ୍ଛ କରି

ପେଷିଣ କର୍ଣ୍ଣାଟେଶ୍ୱର ପକାନ୍ତି ନିବାରି ।

ବୋଲନ୍ତି ଧନ୍ୟରେ ଦୈତ୍ୟ ଜୀବନ ତୋହର

ତିନିଦଣ୍ଡ ଯାଏ ଶର ବିନ୍ଧିଲୁ ଅପାର ।

 

ଏବେ ଆସି ମୃତ୍ୟୁ ତୋର ପୂରିଲା ରେ ଜାଣ

ତେଣୁ ମଠ କରି ଆମ୍ଭ ବିନ୍ଧି ଥିଲୁଁ ବାଣ ।

ଏତେ ବୋଲି ନାରାୟଣ ଶସ୍ତ୍ର କରେ ଧରି

ଗୁଣେ ଯୋଚି ଶର ଛାଡ଼ିଦଲେ ଶୀଘ୍ର କରି ।

 

ଗର୍ଜି ନାରାୟଣ ଶସ୍ତ୍ର ଅତି ବେଗେ ଯାଇ

ଅସୁର କନ୍ଧ ଛେଦିଣ ଆସି ଶୀଘ୍ର ହୋଇ ।

ରାଜାକୁ ଦେଖା ଦେଇଣ ତୂଣେ ଗଲା ପଶି

ଦେବତାଏ ସାଧୁ ସାଧୁ କଲେ ସ୍ୱର୍ଗେ ବସି ।

ଏଥୁଅନନ୍ତରେ ଶ୍ରୀନୃସିଂହଗଣ ଧାଇଁ

ଦାତ୍ୟସୈନଙ୍କୁ ମାଇଲେ ବେଢ଼ି ବଳେ ଯାଇଁ ।

ନୃସିଂହ ବତିଶପଦ୍ମ ଶର ଥିଲେଥୋଇ

ନୃସିଂହଗଣକୁ ପ୍ରଭୁ ଯାଚି ଦେଲେ ନେଇ ।

 

ବୋଇଲେ ଏହି ଶସ୍ତ୍ରରେ ଦୈତ୍ୟବଳ ମାର

ମୋତେ ଏହି ଶସ୍ତ୍ର ଦେଇଥିଲେ ବେଦବର ।

ଶ୍ରୀଆଜ୍ଞା ପାଇ ନୃସିଂହ ଗଣଯାକ ଉଠି

ସମରକୁ ବାହାରିଲେ ବାଣମାନ ବାଣ୍ଟି ।

 

କିଳିକିଳା ରାବ ଦେଇ ଘୋରଯୁଦ୍ଧ କଲେ

ଶକତିରେ ପିଟି କାହା ମସ୍ତକ ଚୁରିଲେ 

କେହୁ ବଜ୍ରଶର ଧରି ସହସ୍ର ଦୈତ୍ୟଙ୍କୁ

ଏକ ବେଳକରେ ମାରି ପକାନ୍ତି ସଭିଙ୍କୁ ।

 

ଆକୁଳେ ଛାଡ଼ନ୍ତି ମହାରଡ଼ି ଘନ ଘନ

ଅଲୋକିତ ଯୁଦ୍ଧ କରୁଛନ୍ତି ବେନି ସୈନ୍ୟ ।

ପରିଘ ଭୂଷଣ୍ଡି ଖପର ଯେ ଛୁରୀ କାତି

କୋଦଣ୍ଡ ଘାତରେ ଦୈତ୍ୟ ତ୍ରସ୍ତରେ ମରନ୍ତି ।

 

କେହି ଗଦା ପିଟନ୍ତେ ତା ପାଦ ହୋଏ ଛୋଟୀ

ମୁଦ୍‌ଗରେ ପିଟନ୍ତେ କାର ଭାଙ୍ଗିଯାଏ ଅଣ୍ଟା ।

କେ କୁନ୍ତ ପିଟି କେ ନେଲା ପରିଘାରେ ପ୍ରାଣ

କେହି ବେକ ଛେଦଇ କେ ପେଷେ ବଜ୍ରବାଣ ।

କେ ମାଲବନ୍ଧେ କେ ବୁକୁପରେ ବସେ ମାଡ଼ି

କେ ପେଟ ବିଦାରି କେହୁ ଅନ୍ତଦିଏ କାଢ଼ି ।

 

କେହୁ ବ୍ରହ୍ମଶର ତ୍ରାସଦେଖି ପଳାବନ୍ତି

ତ୍ରସ୍ତ ହୋଇ ବାଟେ କେହୁ କରେ ରକ୍ତ ବାନ୍ତି ।

ଅସୁରେ ବିନ୍ଧନ୍ତି ଯେତେ ଶର ପରିଘାଇ

ନୃସିଂହଗଣେ ତାହାକୁ ଦ୍ୟନ୍ତି ଫୋପଡାଇ ।

ଧନୁର ଶର ଯେତେକ ଦ୍ୟନ୍ତି ଦୈତ୍ୟ ଛାଡ଼ି

ଭାଙ୍ଗନ୍ତି ନୃସିଂହଗଣ ବଜ୍ରଶକ୍ତି ଆଡ଼ି ।

ଦୈତ୍ୟ ମରନ୍ତେ ପଳାନ୍ତି ତ୍ରସ୍ତେ ଅଶ୍ୱମାନେ

କରନ୍ତି ସେ ଅଶ୍ୱ ଚଢ଼ି ଯୁଦ୍ଧ ହରିଗଣେ ।

 

ବାତୁଳ ହୋଇ ଘୋଡା ଉଗାଳନ୍ତେ ଦୈତ୍ୟଙ୍କ

କାହାରି ଛିଡ଼ିଣ ଅଣ୍ଟା ପଡ଼େ ଭାଜି ବୁକୁ ।

ଲେଡ଼ା ଆଘାତେ ପାଇ ନ ପାରଇ କେ ଉଠି

 

ଗୋଇଠାଘାତେ କାହାର ଭାଜିଯାଏ ପିଠି ।

 

କେବଣ ଦଇତ୍ୟଙ୍କ ଯେ ହସ୍ତୀ ଗଲେ ମାଡ଼ି

ଘୋଡ଼ାର ନାତ ବାଜିଣ ପଡ଼େ ଜଘଂ ଛିଡ଼ି ।

ପରଶୁବାଜି କାହାର ଛିଡ଼େ ଜାଣ ବେକ

କେ ରକ୍ତ ବାନ୍ତି କରଇ କା ମୁହଁ ହୁଏ ବାଙ୍କ ।

 

ବହଇ ରକତ ନଦୀ ସ୍ରୋତଜଳ ପ୍ରାୟେ

ମଗରଯୂଥ ଜାଣିଣ ଦିଶନ୍ତି ହସ୍ତୀଏ ।

ଶୋଣିତ ନଦୀରେ ଶବଭାସେ ଯଥା ଭେଳା

ନୃସିଂହଗଣ ସମର ଲାଗେ ଅନର୍ଗଳା ।

 

ଷୋଳପଦ୍ମ ଅଶ୍ୱ ଆଉ ଷୋଳପଦ୍ମ ଦୈତ୍ୟ

ମାରିଣ ନୃସିଂହଗଣ କଲେ ରୁଣ୍ଡାବାତା ।

ରକ୍ତେ ଜରଜର ହୋଇ ଶ୍ରୀନୃସିଂହ ଗଣେ

ନୃସିଂହ ପାଶରେ ଆସି ମିଳିଲେ ତକ୍ଷଣେ ।

 

ବୋଇଳେକ ଶୁଣ ସ୍ୱାମୀ ଲକ୍ଷ୍ମୀଦେବୀ ପତି

ମୁରାସୁର ସୈନ୍ୟଯାକ ଆସିଲୁ ନିପାତି ।

ହାତୀଗଡ଼ ଏ ପାଖକୁ ଆସିଥିଲେ ଯେତେ

ଗୋଟିଏ ବର୍ତ୍ତି ଆଉ ନ ଗଲେ କଦାଚିତେ ।

 

ଷୋଳପଦ୍ମ ଅଶ୍ୱ ଆଉ ଷୋଳପଦ୍ମ ସୈନ୍ୟ

ସମସ୍ତଙ୍କୁ ମାରି ଏବେ ଆସିଲୁଁ ବହନ ।

ଶ୍ରୀମୁଖରୁ ଆଜ୍ଞା ଏବେ ହେବ ଯେଉଁ ବାଣୀ

ସେ ବାକ୍ୟପାଳି ସେବିବୁଁ ଆମ୍ଭେ ଚକ୍ରପାଣି ।

 

ଶୁଣିଣ ନୃସିଂହ ସ୍ୱାମୀ ସନ୍ତୋଷିତ ହୋଇ

ମୁରାସୁର ମଲା ଯାଏ ଥାଅ ତୁମ୍ଭେ ରହି ।

ତୁମ୍ଭେ ନୃସିଂହଗଣ ମୁଁ ଏକା ବୋଲି ଜାଣ

ନୃସିଂହରୁ ବିଶୁଦ୍ଧ କେ ନାହିଁ ପୃଥ୍ୱୀରେଣ ।

 

ଆଉ ଶୁଚି ଯେତେ ଶୁଣ ଶ୍ରୀନୃସିଂହଗଣେ

ସେ ଦ୍ରବ୍ୟର ନାମ ଶୁଣ କହୁଛି ପୁରାଣେ ।

ମାଛିଠାରୁ ଶୁଚିମନ୍ତ ସଂସାରେ କେ ନାହିଁ

ଅନ୍ନକୁଢ଼ରୁ ଉଡ଼ିଣ ଅନ୍ନେ ବସେ ଯାଇଁ ।

 

ଶୂଦ୍ର ପାକରୁ ଆସିଣ ଦ୍ୱିଜ ପାକେ ବସେ

କଦଳୀ ଛେନା ଗୁଡ଼ ଯେ ଆବର ପନସେ ।

ଅମୃତମଣୋହି ଦେବଆଳେ କରୁ କରୁ

ତହିଁରେ ଉଡ଼ି ଆସିଣ ବସେ ଖଣ୍ଡେଦୂରୁଁ ।

 

ସେ ଦ୍ରବ୍ୟ ଦେବଗଣଙ୍କ ମଣୋହି ଯେ ହୁଏ

ମନ୍ତ୍ରରେ ନୈବେଦ୍ୟ କରି ଦ୍ୟନ୍ତି ସବୁଠାଏ ।

ଏଣୁ ସେ ମାଛିଠାରୁ କେ ନାହିଁ ଶୁଚିମନ୍ତ

ତାକୁ ଅବା ବାରି କେହି ନ ପାରେ ଜଗତ ।

 

ଆବର ପବନ ସୃଷ୍ଟି ମଧ୍ୟେ ଛନ୍ତି ପୂରି

କୀଟୁଁ ବ୍ରହ୍ମଯାଏ ନାସାଅଗ୍ରେ ବିଜେ କରି 

ଚାଣ୍ଡାଳୁଁ ବ୍ରହ୍ମପର୍ଯ୍ୟନ୍ତେ ସବୁ ଦେହେ ବାଜେ

ଉଚ୍ଚ ନୀଚ ଦୁଇକି ସେ ତୁଲ୍ୟକରି ବୁଝେ ।

 

ସଂସ୍କାର ଅସଂସ୍କାର ଦୁହିଙ୍କି ସମ ଘେନି

ଭ୍ରମଇ ପଞ୍ଚାଶକୋଟି ଯାବତ ମେଦିନୀ ।

ଏଣୁକରି ମହାଶୂଚି ଅଟନ୍ତି ମରୁତ

ସବୁଜୀବ ନାସାରେ ସେ ହୋଏ ଆତଯାତ ।

 

ସ୍ତିରୀମାନେ ମହାଶୁଚି ତେଣୁ ବୋଲାବନ୍ତି

ମାସକୁ ମାସ ଯେଣୁ ସେ ହ୍ୱନ୍ତି ପୁଷ୍ପବତୀ ।

ଯେହ୍ନେ ଫୁଟିଲେ ଚମ୍ପକ ପୁଷ୍ପର ସୁଗନ୍ଧ

ସେହିରୂପେ ସ୍ତିରୀଙ୍କର ଅଟେ ନୀବିବନ୍ଧ 

ଯୁବତୀଙ୍କର ଆଗକୁ ପୁରୁଷଙ୍କ ଆଗ

ଚାରି ଚକ୍ଷୁ ଏକତ୍ରରେ ପ୍ରେମରେ ସୁଆଗ ।

ଏଣୁ ସ୍ତିରୀଏ ଅଟନ୍ତି ସର୍ବେ ପ୍ରେମଶୀଳା

ରତିରେ ପୁରୁଷେ କରୁଥାନ୍ତି ମତି ଭୋଳା ।

 

ସୁରତି ରସକୁ ଇନ୍ଦ୍ର ଭୋଗ ନୁହେ ସରି

ପକାନ୍ତି ପୁରୁଷଙ୍କୁ ସେ କାମେ ତନୁ ଘାରି ।

ଆଶୁଚି ହେଲେ ପୁରୁଷେ ତାଙ୍କୁ ଛୁଅନ୍ତେ କି

ଏଣୁ ସେ ବୋଲନ୍ତି ଶୁଚିମନ୍ତ ଯୁବତୀଙ୍କି 

 

ଆବର ଦେବଆଳରେ ଦେବ ଯେତେଠାରେ

ବିଜୟ କରାଇ ପୂଜା କରନ୍ତି ଯେ ନରେ

ତାହାଙ୍କୁ ଦର୍ଶନ କରି ଯେତେ ଲୋକ ଯାନ୍ତି ।

ଶୁଚିମନ୍ତ ହୋଇ ଯାଇ ଦର୍ଶନ କରନ୍ତି ।

 

ଦେବତାଏ ଶୁଚିମନ୍ତି ସଦାବେଳେ ସରି |

ତାଙ୍କୁ ଅଶୁଦ୍ଧି କରି କେ ପାରେ ଦେହ ଧରି ।

ବୁଝିଲେ ଅହୋରାତ୍ରରେ ଦେବଗୃହ ଶୂଚି

ସ୍ନାନ କରି ନ ପଶିଲେ ଅପ୍ରାଧ ପାଉଛି ।

 

ଦରଶନ କଲା ଲୋକ ଶୁଚିମନ୍ତେ ଯିବ

ମନୋବାଞ୍ଛା ସିଦ୍ଧ ତାର କରନ୍ତି ମାଧବ ।

ଅଗ୍ନି ଦେବତାର କଥା କହୁଥାଇ ଶୁଣ |

ମହାଶୁଦ୍ଧି ପୁରୁଷ ସେ ଅଟେ ସଂସାରେଣ ।

 

ସେ ଅଗ୍ନିଠାରୁ ଜାଣି କେ ନାହିଁ ଶୁଚିମନ୍ତ |

ବାଳକ ତରୁଣ ବୃଦ୍ଧ ଘେନନ୍ତି ଏକତ୍ୱ ।

ନ ବୋଲନ୍ତି ବାଳକର ବୋଲେ କିପାଁ ଥିବି |

ସେ ଜୁଇ ଲଗାଇଲେ ମୁଁ କାହିଁକି ଲାଗିବି ।

 

ବାଳକ ତରୁଣ ବୃଦ୍ଧ ସବୁ ସମ ଘେନି |

ଯହିଁ ଲଗାଇଲେ ତହିଁ ଲାଗନ୍ତି ବହନି ।

ଭୁଞ୍ଜନ୍ତି ଅଭକ୍ଷ୍ୟ ଭକ୍ଷ ଦ୍ରବ୍ୟ ସବୁବେଳେ |

ଅଶୁଦ୍ଧ ଲୋକଙ୍କୁ ଶୁଦ୍ଧ କରନ୍ତି ତତ୍କାଳେ ।

 

ତହିଁରେ ମୃତ ଶବକୁ ଦ୍ୟନ୍ତେ ଭସ୍ମ କରି

ତାଙ୍କ ପ୍ରାୟ ପୁରୁଷ ନ ମିଳେ ତିନିପୁରୀ

ସ୍ୱାହା ନାମେ ତାଙ୍କ ପତ୍ନୀ ଅଟନ୍ତି ଯେ ଜାଣ |

ବିଷ୍ଣୁଙ୍କୁ ଦିଅନ୍ତି ଚଳୁ ଯେତେକ ବ୍ରାହ୍ମଣ ।

 

ବୋଲନ୍ତି ଜଳ ତୁଳସୀ ଧରି ମନ୍ତ୍ରେ ସ୍ୱାହା |

ସେ ସ୍ୱାହା ବେନି ଅକ୍ଷୟ ଜାଣ ସର୍ବଦେହା ।

ବସନ୍ତି ଜୀବ ପରମ ହୋଇ ସର୍ବ ହୃଦେ

ଅଟନ୍ତି ସେ ନାରାୟଣ ସ୍ୱାମୀ ଆତ୍ମାପାଦେ ।

 

ଜୀବ ପରମକୁ ଏକା ବୋଲି ଆତ୍ମାରାମ |

ସବୁରି ହୃଦରେ ବସି କରନ୍ତି ବିଶ୍ରାମ ।

ବିପ୍ରେ ହୋମ ସ୍ଥାନେ ପଢ଼ୁଥାନ୍ତି ମନ୍ତ୍ରଭାଗ

ସ୍ୱାହା ବୋଇଲେ କହନ୍ତି ପାନ୍ତି ଦେବ ଆଗ ।

 

ଏଣୁ ସେ ଅଗ୍ନି ଠାରୁ କେ ନାହିଁ ଶୁଚିମନ୍ତ

କହିବା ନଦୀର କଥା ଶୁଣ ବିଧିମତ ।

ନଦୀରେ ଯେବେ ସକଳ ବହି ଯାଉଥାଇ

ସେହି ଜଳ ମହାଶୁଦ୍ଧ ଦେବେଛନ୍ତି କହି ।

 

ବନ୍ଧ ପୋଖରୀ ଜଳରୁ ସସ୍ରେ ଗୁଣେ ଉଚ୍ଚ

ମହା ଶୁଚିପବିତ୍ର ସେ ଜଳ ଅଟେ ସଞ୍ଚ ।

ନଦୀରେ ବହିବା ଜଳ ସବୁବେଳେ ଶୁଚି

ଏକଥା ପଣ୍ଡିତ ଜନେ ସତ୍ୟ ବୋଲି ପାଞ୍ଚି ।

 

ଜଳରେ ସ୍ନାନ କରିଣ ସର୍ବେ ହୋନ୍ତି ଶୁଦ୍ଧ

କିହବା ଗାବର ଶୁଦ୍ଧ କଥା ଏବେ ମଧ୍ୟ ।

ତାହାର ଲୋମେ ତେତିଶକୋଟି ଛନ୍ତି ଦେବେ

ଦେହଯାକ ଲୋମ ହୋଇ ବସିଛନ୍ତି ସର୍ବେ ।

 

ଯାହାର ଗୃହେ ଗୋଟିଏ ଗାବ ନ ଥିବଟି

କୁକୁରାଳୟ ତୁଲେ ସେ ଘର ଲେଖିବଟି ।

ଯେତେକ ଗୋରୁ ସଂସାରଯାକେ ଜାଣ ଛନ୍ତି

ତାହାଙ୍କର ମଳଲାଗି ସର୍ବେ ଶୁଦ୍ଧ ହ୍ୱନ୍ତି ।

ଦେବାଳୟାଦି ପ୍ରତିଷ୍ଠା ହୁଏ ତାଙ୍କ ଘେନି

ଘରେ ପୂରିଥିଲେ ଶୋଭା ଦିଶଇ ମେଦିନୀ ।

ପାଦଧୂଳି ଯାହାରଟି ଶିରେ ପଡ଼ୁ ଥାଇ |

ତାହାର କନ୍ଧରୁ ଲକ୍ଷ୍ମୀ କେବେ ନ ଛାଡ଼ଇ ।

 

ସବୁ ଜୀବ ଉପରେ ସେ ଅଟେ ସାରସ୍ୱତ

ପୃଥ୍ୱୀକି ତାହାର କ୍ଷୀର ଅଟଇ ଅମୃତ ।

ଅନ୍ନରେ ପଡ଼ିଲେ ଘୃତ ବୋଲାଇ ମିଷ୍ଟାନ୍ନ

ଦେବତାମାନଙ୍କୁ ଲାଗି ହୁଏ ସବୁଦିନ ।

 

ଘୃତ ନ ପକାଇ ଅନ୍ନ ବିଷ୍ଣୁ ଲାଗି କଲେ

ରଜସ୍ୱଳୀ ସ୍ତିରୀ ପ୍ରାୟ ଅଶୁଦ୍ଧ ସେ ହେଲେ ।

ପୁରୁଷମାନଙ୍କୁ ଯେହ୍ନେ ରାଜସ୍ୱଳା ସ୍ତିରୀ

ନ ଛୁଇଁ ସ୍ନାନ ପର୍ଯ୍ୟନ୍ତେ ଦ୍ୟନ୍ତି ତେଜ୍ୟାକରି ।

 

ଶୁଦ୍ଧସ୍ନାନ ହେଲେ ଯାଇଁ କରନ୍ତି ବିଭୋଗ

ଘୃତ ନ ପଡ଼ିଲେ ଅନ୍ନ ପୂଜାକୁ ସେ ମାର୍ଗ ।

ଘୃତ ନ ଥିଲେ ଲବଣେ ଅନ୍ନକୁ ଶୋଧିବ

ସେ ଅନ୍ନକୁ ଦେଇ ପୂଜା କରିବ ମାଧବ ।

 

ଲବଣ ଲବଣୀ ବେନି ଅଟେ ଏକାକ୍ଷର

ଦୁହେଂ ସଂସାରେ ଅଟନ୍ତି ମିତ୍ର ପରସ୍ପର ।

ଏଣୁ ଯେ ଅଟନ୍ତି ମହାଶୁଦ୍ଧ ଗାବମୂର୍ତ୍ତି

ଲୋମକେ ଦେବତା ଜଣଦେହେଁ ତାର ଛନ୍ତି ।

 

ଯେବଣ ଜନ ଗାବକୁ ଅଦୋଷେ ପିଟଇ

ଦଶମାସ ଯାଏ ବ୍ରହ୍ମହତ୍ୟା ଦୋଷ ପାଇ ।

ସବୁ ଜନ୍ତୁରୁ ଅଟନ୍ତି ଶ୍ରେଷ୍ଠ ଜାଣ ଗାବ

ମହାଶୁଦ୍ଧ ଶୁଦ୍ଧ ସେହୁ ସଂସାରେ ଜାଣିବ ।

 

ଚାଲିବାର ପଥ କଥା କହୁଥାଇ ଶୁଣ

ପଥକୁ ଅଶୁଦ୍ଧ ଯେ ନ ବୋଲ କେବେ ଜାଣ ।

ଦୃଷ୍ଟିରେ ଚାହିଁଣ ଚାଲୁଥିବ ଯେବେ ବାଟ

ପଥକୁ ବଳି ବ୍ରହ୍ମାଣ୍ଡେ ନାହିଁ ଆଉ ଶ୍ରେଷ୍ଠ ।

କେବଳ ଯେ ଚାଲୁଥିବ ନେତ୍ରେ ଚାହିଁ ଚାହିଁ

ପଥ ବାଟଠାରୁ ଶୁଦ୍ଧ ସଂସାରେ କେ ନାହିଁ ।

ଉଦକର କଥା ଏବେ କହୁଅଛୁ ଶୁଣ

ବିଷ୍ଣୁଙ୍କର ପାଦୋଦକ ସଦା ଶୁଦ୍ଧ ଜାଣ ।

 

ଚରଣାମୃତକୁ ସେବା କରନ୍ତି ଯେ ନିତି

ତାହାକୁ ଅଶୁଦ୍ଧ କରି ନ ପାରେ କେ କ୍ଷିତୀ 

ବିଷ୍ଣୁ ପାଦୋଦକ ମହାନିର୍ମାଲ୍ୟରୁ ବଳେ

ଯେରୂପେ ଲଭନ୍ତି ମୋକ୍ଷ ପଶି ଗଙ୍ଗାଜଳେ ।

 

ସେହିରୂପେ ଅଟଇ ଏ ବିଷ୍ଣୁ ପାଦୋଦକ

ସେ ଜଳ ଅଶୁଦ୍ଧ କରି ନ ପାରେ କେ ଲୋକ ।

ସେ ଜଳ ଭକ୍ଷିଲେ ଶୂଦ୍ରହସ୍ତୁ ଦୋଷ ନାହିଁ

ଯେ ଅବ୍ୟୟ ଘେନେ ତାକୁ ମୂର୍ଖବୋଲି କହି ।

 

ବିଷ୍ଣୁଙ୍କର ପାଦୋଦକ ଗୁରୁ ପାଦୋଦକ

ଏ ଦୁହିଙ୍କି ସମ ଘେନିଥିବେ ସର୍ବଲୋକ ।

ଧନ୍ୟାଦି କଥା ଆବର କହୁଥାଇ ଶୁଣ

ସବୁ ଫଳରୁ ଶୁଦ୍ଧ ସେ ଅଟେ ସଂସାରେଣ ।

 

ଶୂଦ୍ରକୁଳ ଲୋକେ ଯେବେ ଧାନହିଁ ସିଝାନ୍ତି

ଚଉତା କରିଣ ପୁଣି ତଳେକ କୁଢ଼ାନ୍ତି ।

ଅନ୍ନର ସଦୃଶେ ଫାଟି ଦିଶୁଥାଇ ବର୍ଣ୍ଣ

ଶୁଖାଇ ତଣ୍ଡୁଳ କରି ପକାନ୍ତି ସେଦିନ ।

 

ସେହିଠାରୁ ତଣ୍ଡୁଳକୁ ସମସ୍ତେ ବିକନ୍ତି

ବିଷ୍ଣୁଙ୍କୁ ଚଳୁ ଦେଇଣ ପ୍ରସାଦ ଭୁଞ୍ଜନ୍ତି ।

ଏରୂପେ ତଣ୍ଡୁଳ ଶୂଦ୍ର ଲୋକେ ପ୍ରକାଶନ୍ତେ

ଯାବତ ଲୋକେ ଭୁଞ୍ଜନ୍ତି କିଣି ସୁଦ୍ଧଚିତ୍ତେ ।

 

ଦେବତା ବିପ୍ରଙ୍କୁ ସବୁ ହୁଅଇଟି ଲାଗି

ଧାନରୁ ଶୁଦ୍ଧ ହୋଇଣ ନାହିଁ କେ ସଂଯୋଗୀ ।

ଚଣ୍ଡାଳ ଘରରେ ଧାନ ଥିବ ଯେବେ ପୁଣି

ଶୁଦ୍ଧମନେ ସେ ଧାନକୁ ପକାଇବ କିଣି 

ସବୁଫଳ ମଧ୍ୟେ ଧାନ୍ୟ ସୃଷ୍ଟି ଯାକେ ଶୁଦ୍ଧ

ପ୍ରତ୍ୟକ୍ଷେ ମହାଲକ୍ଷ୍ମୀ ସେ ଅଟେ ପ୍ରାଣବୋଧ ।

ସେ ଧାନ ଶୁଦ୍ଧର କଥା କହୁଅଛୁ ଶୁଣ

ଧାନର ପାଇଁ ବଶିଷ୍ଠ ବିଭାହେଲେ ଜାଣ ।

 

ମହାଯତିରେ ଯେ ଲେଖା ଅଟନ୍ତି ବଶିଷ୍ଠ

ତାଙ୍କ ଘେନି ଧାନ ମିଳିଗଲା କ୍ରୋଟ କ୍ରୋଟ ।

ଅମ୍ୱିକା ନାମେ ଚଣ୍ଡାଳୀ ଧାନ ରଖିଥିଲା

ବଶିଷ୍ଠ ଋଷିଙ୍କି ତାର କନ୍ୟା ବିଭାଦେଲା ।

 

ଅରୁନ୍ଧତୀ ନାମେ ଜାଣ ଅଟନ୍ତି ସେ ମାତା

ପ୍ରତ୍ୟକ୍ଷ ଲକ୍ଷ୍ମୀଅଂଶ ସେ ଅଟେ ବିଷ୍ଣୁ ଭକ୍ତା ।

ଲକ୍ଷେକୋଟି ଭରଣ ସେ ରଖିଥିଲା ଧାନ

ବଶିଷ୍ଠଙ୍କୁ ଦେଇ ତାହା କଲା କନ୍ୟାଦାନ ।

 

ସଂସାର ପାଇଁ ବଶିଷ୍ଠ ବିବାହ ହୋଇଲେ

ଯୌତୁକ ପାଇ ସଂସାରେ ଧାନ ବିହୁଳିଲେ 

ସାତବର୍ଷ ଯାଏ ପୃଥ୍ୱୀ ଇନ୍ଦ୍ର ନ ପାଳନ୍ତେ

ଅପାଳକ ସକାଶରୁ ଲୋକେ ଦୁଃଖ ପାନ୍ତେ ।

 

ତେଣୁ ବିଭାହୋଇ ଧାନ ଆଣିଲେ ମହର୍ଷି

ପୃଥ୍ୱୀଯାକରେ ଦେଇଣ ବିହୁଳିଲେ ବସି ।

ସେ ଦିନୁ ଯେ ଧାନ ସୃଷ୍ଟି ମଧ୍ୟେ ଗଲା ସହି

ଆଜଯାଏ କୃଷି କରୁଛନ୍ତି ସର୍ବେ ମହୀ ।

 

ଏଣୁ ଧାନ ପ୍ରାୟ ଶୁଦ୍ଧ ନାହିଁ କେ ଜଗତେ

ସୁବର୍ଣ୍ଣର କଥା ଏବେ ଶୁଣ ବିଧିମତେ ।

ନୀଚଲୋକର ହାତରେ ରହିଥିଲେ ସ୍ୱର୍ଣ୍ଣ

ଅଶୁଦ୍ଧ କରି ତାହାକୁ ନ ପାରେ କେ ଜନ ।

 

ଚଣ୍ଡାଳ ଘରେ ଯଦ୍ୟପି ସ୍ୱର୍ଣ୍ଣ ଚୂଡୀ ଥିବ

ସୁପଣ୍ଡିତେ ଘେନି ତାହା ମୁଣ୍ଡେ ଲଗାଇବ ।

ପତ୍ନୀର ହୃଦେ ଭୂଷଣ ନେଇ ଦେବ କରି

ସବୁଠାରେ ଶୁଦ୍ଧ ଅଟେ ସୁବର୍ଣ୍ଣ ତ୍ରିପୁରୀ ।

ବିପ୍ର ଗୋସାଇଁଙ୍କ କଥା କହିବା ଯେ ଶୁଣ

ସବୁ ଜାତିରୁ ଶ୍ରେଷ୍ଠ ଯେ ଅଟନ୍ତି ବ୍ରାହ୍ମଣ ।

ଅଳିନ ମଳିନ ହୋଇ ବିପ୍ର ଯେବେ ଥିବ

ଶୂଦ୍ର ବ୍ରତାଚାରୀ ହେଲେ ତାଙ୍କୁ ନ ଲାଗିବ ।

 

ନାନାଦି ତୀର୍ଥ ବ୍ରତ ସେ ସ୍ନାନ ଜପକରି

ବିପ୍ରଙ୍କ ସଙ୍ଗରେ ସେ କି ହେବ କେବେ ସରି ।

ବେଦ ଶାସ୍ତ୍ର ନ ପଢ଼ିଣ ଯେଉ ବିପ୍ର ଥିବ

ଯତି ହୋଇଲେ ଶୂଦ୍ର କି ବିପ୍ରେ ସରି ହେବ ।

 

ଘୁଷୁରିକ କୁଶାସନ ଦେଇ ଭୁଞ୍ଜାଇଲେ

ଗାବସଙ୍ଗେ ସରି ସେ କି ହେବ କେବେ ଭଲେ ।

ଆବରଟି ମେଷ ଆଦି ଛେଳି ଯେତେ ଥାନ୍ତି

ବୃଦ୍ଧ ହୋଇଲେ ଦେବୀଙ୍କ ବଳିଭୋଗ ହ୍ୱନ୍ତି ।

 

ଗୋବତ୍ସୀ ମାତା ଗର୍ଭରୁ ଉପୁଜିଲେ ସରି

ତାଙ୍କୁ କୋଟି ନମସ୍କାର ପୃଥ୍ୱୀଯାକେ କରି ।

ବିପ୍ରଙ୍କ ସମାନେ ସେହି ଅଟେ ସଂସାରେଣ

ଗୋ ବ୍ରାହ୍ମଣ ଦୁଇ ଅଟେ ପୃଥ୍ୱୀକି ଧାରଣ ।

 

ଦେବତାମାନଙ୍କର ଯେ ଶିରେ ପୂଜାକରି

ବ୍ରାହ୍ମଣର ପାଦରଜ ଦେହେ ଅଟେ ଶିରୀ ।

ଏଣୁ ବିପ୍ରକୁଳ ସବୁଜାତି ମଧ୍ୟେ ଶ୍ରେଷ୍ଠ

ବ୍ରାହ୍ମଣଙ୍କ ସେବାକଲେ ଲଭେ ସେ ବୈକୁଣ୍ଠ ।

 

ବ୍ରାହ୍ମଣ ଗୋସାଇଁମାନେ ସବୁବେଳେ ଶୁଚି

ଶୁଣ ହେ ନୃସିଂହଗଣେ କହନ୍ତି ଶ୍ରୀବତ୍ସି ।

ଏ ବ୍ରାହ୍ମଣଙ୍କୁ ନ ଛୁଅଁ ବୋଲନ୍ତି ଯେ ଲୋକ

ଗୋହତ୍ୟା ବ୍ରହ୍ମହତ୍ୟା ସେ ଲଭନ୍ତି ପାତକ ।

 

ବ୍ରାହ୍ମଣମାନେ ଯାହାର ଗୃହେ ମିଳିଥାନ୍ତି

ସେ ଘର ଭାଗ୍ୟ ପୁରାଣ ମଧ୍ୟେ ଲେଖା ହ୍ୱନ୍ତି ।

ଆମ୍ଭେ ଯେଣୁଟି ବ୍ରାହ୍ମଣକୁଳେ ହେଲୁ ଜାତ

ତେଣୁ ସେ ବ୍ରାହ୍ମଣକୁଳ ହେଲେ ଶୁଚିମନ୍ତ ।

ବ୍ରାହ୍ମଣ ପାଦୋଦକ ଯେ ପ୍ରାଣୀ କରେ ସେବା

ତାଙ୍କୁ ସଂସାରେ ନୁହନ୍ତି ସରି ସୁରଦେବା ।

ବ୍ରାହ୍ମଣ ପାକାନ୍ନ ନିରମାଲ୍ୟ ପ୍ରାୟ ମଣି

ପବିତ୍ର ହୁଅଇ ଅଙ୍ଗ ଭୁଞ୍ଜିଲେ ଯେ ପ୍ରାଣୀ ।

 

ଅଠର ବର୍ଣ୍ଣଯାକରେ ବ୍ରାହ୍ମଣ ଯେ ରାଜା

ଏଣୁ ବିପ୍ରଙ୍କୁ କରନ୍ତି ସର୍ବେ ପାଦପୂଜା ।

ଶୁଣ ହେ ନୃସିଂହଗଣେ ତୁମ୍ଭେ ବିଷ୍ଣୁ ଅଂଶୀ

ମୁର ମରିବା ପର୍ଯ୍ୟନ୍ତେ ଯୁଦ୍ଧେ ଥାଅ ପଶି ।

 

ମୁରର ବାଇଶୀକ୍ଷୌଣୀ ବଳ ଅଛି ବାକୀ

ଏମାନେ ମଲାରୁ ତୁମ୍ଭେ ଯିବଟି ଗଣ୍ଡୁକୀ ।

ଶାଳଗ୍ରାମ ହୋଇ ରହିଥିବ ଚାରିଯୁଗେ

ଦେବ ମାନବ ତୁମ୍ଭଙ୍କୁ ପୂଜିବେ ତ୍ରିସ୍ୱର୍ଗେ ।

 

କେବଳ ବ୍ରାହ୍ମଣେ କରୁଥିବେ ଏକା ପୂଜା

ତେଣୁ ବିପ୍ର ଅଟେ ଅଷ୍ଟାଦଶ ବର୍ଣ୍ଣେ ରାଜା ।

ଯେଉଁ ବିପ୍ରଘରେ ଶାଳଗ୍ରାମ ପୂଜା ନୋହି

ଶୂଦ୍ରର ପାକତୁଲେ ସେ ପାକ ଲେଖାଯାଇ ।

 

ଯେବଣ ଘରରେ ଶାଳଗ୍ରାମ ହ୍ୱନ୍ତି ପୂଜା

ଦେବତା ମନ୍ଦିରେ ସେ ବୋଲନ୍ତି ବ୍ରହ୍ମଦ୍ୱିଜା ।

ସ୍ନାନ ପୂଜା ସାରି ଯେହୁ ପାଦୋଦକ ପିବେ

ତାହାର ଜିହ୍ୱାରେ ବସିଥାନ୍ତି ବାସୁଦେବେ ।

 

ଶାଳଗ୍ରାମ ଥିବାଘର ବୈକୁଣ୍ଠରେ ଲେଖି

ସେ ଗୃହୀ ଅହୋରାତ୍ରରେ ଅଟେ ସଦା ସୁଖୀ ।

ଶୁଣିଣ ନୃସିଂହଗଣେ ହୋଇଲେ ଆନନ୍ଦ

ଏଥୁଅନନ୍ତରେ ବାଣୀ ଶୁଣ ହେ ନାରଦ ।

 

ଲୋଚାଏ ମୁରାସୁରର ସୈନ୍ୟ ଯାନ୍ତେ ମରି

ଶୂନ୍ୟରେ ଥାଇଣ ଦେବେ ପୁଷ୍ପବୃଷ୍ଟି କରି ।

ବ୍ରହ୍ମା ବୋଇଲେକେ ଏବେ ଶୁଣ ପୁରନ୍ଦର

ନୃସିଂହ ପାଇଁ ଯୋଗାଡ଼ ଏବେ ନିର୍ଭାକର ।

ବେନିଦିନ ହେଲା ସ୍ନାନ ନାହାନ୍ତି ସେ କରି

ଅମୃତପାକ ମାତଳି ନେଉ ହସ୍ତେ ଧରି ।

ଏଥର ବାହୁଡ଼ି ଯେବେ ମୁରାସୁର ଯିବ

ଜନପଦ କରି ଏକ ଗୋଟି ନ ରଖିବ ।

 

ନୃସିଂହ ଫେରି ଆସିବେ ଯେବେ ବଦ୍ରିକାକୁ

ଅପାର ହୋଇବ ମଠ ମୁର ମାରିବାକୁ ।

ଏଥିକୁ ଯେ ତାତପର୍ଯ୍ୟ କର ପୁରନ୍ଦର

ଭୁଞ୍ଜିଣ ନୃସିଂହଗଣେ ହୁଅନ୍ତୁ ଅମର ।

 

ଆଜଠାରୁ ମୁର ଆଉ ରାଜ୍ୟକୁ ନ ଯାଉ

ନୃସିଂହ ହାତରେ ମରି ବୈକୁଣ୍ଠକୁ ପାଉ ।

ଏହା ଶୁଣି ପୁରନ୍ଦର ବ୍ରହ୍ମା ଆଜ୍ଞା ପାଇ

ଅମୃତଭାଣ୍ଡ ମାତଳି କରେ ଦେଲେ ନେଇ ।

 

ବୋଇଲେକ ପ୍ରଭୁଙ୍କୁ ଏ ସୁଧା ନେଇ ଦେବୁ

ଛାମୁରେ ମଣୋହି ବର ବୋଲି ଜଣାଇବୁ ।

ବୋଲିବୁ ମୁରକୁ ଛାଡ଼ି ନ ଦିଅ ଏଥର

ରାଜ୍ୟକୁ ଗଲେ ପ୍ରମାଦ କରିବ ଅପାର ।

 

ଦେବ ଜନପଦ ଆଦି ନ ରଖିବ କିଛି

କହ ଯାଇଁ ମୋତେ ପେଷି ଅଛନ୍ତି ବିରଞ୍ଚି ।

ବୋଇଲେ ଅଟନ୍ତି ନୃସିଂହ ତ ବ୍ରହ୍ମରୂପ

ବ୍ରହ୍ମରୂପ ହେବାରୁ ସେ ମାରନ୍ତି କୌଣପ ।

 

ଏଡ଼େ ଅସୁର ମାରି କେ ପାରନ୍ତା ସଂସାରେ

ଅମୃତ ମଣୋହି ପ୍ରଭୁ କରନ୍ତୁ ସେଠାରେ ।

ନଗ୍ରେ ନ ଆସନ୍ତୁ ସୁର ମରିବାର ଯାଏ

ତିନି ଦିବସେ ମରିବ ଆଉ ଦୈତ୍ୟ ରାୟେ ।

 

ସଇନ୍ୟ ସେନା ମଲାରୁ ହୋଇଲା କାଉଳି

ଏହିକ୍ଷଣି ଆସିବ ସେ ଯୁଦ୍ଧେ ମହାବଳୀ ।

ସ୍ନାନ ସାରିଣ ଭୋଜନ ସୁଧା ବେଗେ କର

ନନ୍ଦିଘୋଷ ରଥେ ବସି ଅସୁରକୁ ମାର ।

ରଥ ଚଢ଼ି ମୁରଦୈତ୍ୟ ଆସିଛି ଆରମ୍ଭେ

ପାଦଗତି ହୋଇ ଯୁଦ୍ଧ କରିବ କି ତୁମ୍ଭେ ।

ଏହି କଥା ଦେବତାଙ୍କୁ ଲାଗେ ବଡ଼ ଚିନ୍ତା

ତେଣୁକରି ପେଷି ମୋତେ ଅଛନ୍ତି ବିଧାତା ।

 

ନନ୍ଦିଘୋଷ ତୁମ୍ଭ ରଥ ଅଟେ ଚାରିଯୁଗେ

ଅବତାର ହୋଇ ବସୁଥିବ ଏହା ଅଙ୍ଗେ ।

ମାତଳିର କଥା ଗୋଟି ଶୁଣି ଭାବଗ୍ରାହୀ

ଶ୍ରୀଛାମୁକୁ ଗରୁଡ଼କୁ ଆଣିଲେ ଡକାଇ ।

 

ବୋଇଲେ ଅଟନ୍ତି ଦୈତ୍ୟମାନେ ମାୟାଯୋଗୀ

କପଟେ ଆସିଛି କି ହୋ ବୁଝ ତାହା ବେଗି 

ଶୁଣିଣ ଖଗେଶ୍ୱର ଯେ ଧ୍ୟାନରେ ବସିଲା

ଆତ୍ମାରେ ଆତ୍ମା ନେଇଣ ନିବେଦନ କଲା ।

 

ମାତଳିର ଆତ୍ମା ଚିହ୍ନି ହୋଇଲା ବାହାର

ପ୍ରଭୁଙ୍କ ଛାମୁରେ ବସି କହିଲା ତତ୍ପର ।

ବୋଇଲା ହେ ପ୍ରଭୁ ସ୍ୱାମୀ ଶୁଣିମା ନୃସିଂହ

କପଟ ରଥ ଏହୁଟି ନହେଁ ଦୈତ୍ୟମାର୍ଗ ।

 

ବ୍ରହ୍ମା ଇନ୍ଦ୍ର ତୁମ୍ଭଙ୍କୁ ସୁଦୟା କରି ମନେ

ଅମୃତ ରଥ ପେଷିଣ ଅଛନ୍ତି ଯତନେ ।

ଅମୃତ ପାନ କରିଣ ରଥେ ବସ ଯାଇ

ମୁରର ତୁଲେ କରିବ ଯୁଦ୍ଧ ପରିଘାଇ ।

 

ମୁରାସୁର ତ ରଥରେ ବସି ଆସିଥିବ

ତୁମ୍ଭେ କିପାଁ ଯୁଦ୍ଧ ଜଗି ତଳେ ଉଭା ହେବ ।

ଏହି କଥା ମନେ ମନେ ଦେବତାଏ ଭାଳି

ପଠିଆନ୍ତେ ରଥ ଘେନି ଆସିଲେ ମାତଳି ।

 

ଶୁଣିକରି ମନେ ଶ୍ରଦ୍ଧା କଲେ ଜଗଦୀଶ

ସ୍ନାନ ଦେବାର୍ଚ୍ଚନ ସାରି ସୁଧା କଲେ ଗ୍ରାସ ।

ନୃସିଂହଗଣ ଯାକକୁ ଆପେ ଦେଲେ ବାଣ୍ଟି

ଭୁଞ୍ଜିବେ ଶେଷଦେବର ସହ ଗରୁଡ଼ଟି ।

କର୍ଣ୍ଣାଟେଶ୍ୱର ରାଜା ସୁଜାଣ ମନ୍ତ୍ରୀ ଆଦି

ମାତଳି ସହିତେ ଭୁଞ୍ଜି ବସିଲେ ପାଶାଦି 

ତହୁଁ ମାତଳି ଯିବାକୁ ହୋନ୍ତେ ସଜବାଜ

ପ୍ରଭୁ ବୋଇଲେ ଗଲେ ତୁ ନ ଚଳେ ମୋ କାର୍ଯ୍ୟ ।

 

ରଥେ ଚଢ଼ିଲେ ବାହିବ ରଥ କେହୁ କହ

ମୁର ମଲାଯାଏ ଆମ୍ଭ ସଙ୍ଗେ ରହିଥାଅ ।

ତହିଁ ଉତ୍ତାରୁ ତୋହର ରଥ ସଙ୍ଗେ ଘେନି

ସ୍ୱର୍ଗପୁରେ ଯିବୁ ଜାଣ ଆମ୍ଭ ଆଜ୍ଞା ମାନି ।

 

ଏହା ଶୁଣି ମାତଳି ଯେ ଯୋଡ଼ି ବେନିକର

ବୋଇଲାକ ମହାଭାଗ୍ୟ ହେଲା ତେବେ ମୋର ।

ବ୍ରହ୍ମାଣ୍ଡକର୍ତ୍ତା ହରିଙ୍କି ରଥରେ ବସାଇ

ମୁର ମଲାଯାଏ ରଥ ବାହୁଥିବି ମୁହିଁ ।

 

ଏଥୁଅନନ୍ତରେ ବାଣୀ ଶୁଣ ହେ ନାରଦ

ମୁରର ମରନ୍ତେ ଷୋଳପଦ୍ମ ଦୈତ୍ୟବୃନ୍ଦ ।

ଚାରିଗୋଟି ସେନାପତି ଆବର ମରନ୍ତେ

ଷୋଳପଦ୍ମ ଅଶ୍ୱ ଆଦି ମଲେ ଯେଝାମତେ ।

 

ସୈନ୍ୟସେନାଙ୍କ ମରୁଡ଼ି ଦେଖି ମୁରାସୁର

ବିଜୟା ରଥରେ ଚଢ଼ି ଦେଖେ ଦୈତ୍ୟବୀର ।

ନଦୀପ୍ରାୟ ବହି ଯାଉଅଛି ରକ୍ତନଦୀ

ଭକ୍ଷନ୍ତି ଅନେକ ଯୋଗ୍ନି ତହିଁ ମାଂସ ମେଦି ।

 

କିଳିକିଳା ରାବ ଦେଇ ପିଅନ୍ତି ଶୋଣିତ

ସେହି ଯୋଗ୍ନୀଗଣ ନାମ ଶୁଣ ବିଧିମତ 

ଶାକମ୍ଭରୀ ଘଟୋଦରୀ ଦୁର୍ଗେଶ୍ୱରୀ କାଳୀ

ଭଗବତୀ ରାମଚଣ୍ଡୀ କୁଠାରୀ ବାସେଳୀ ।

 

ଚାମୁଣ୍ଡା ଯେ ହାଡ଼ବାଈ ବ୍ରାହ୍ମଣୀ ରୁଦ୍ରାଣୀ

ସାବିତ୍ରୀ ଯେ ଉଗ୍ରଚଣ୍ଡୀ ସାରଳା ଡାକିନୀ ।

ଚମ୍ପାଇ ଚାଚକାଈ ଯେ ରୂପାଇ ଫିଙ୍ଗଳା

ସାରକମା ମାରକମା ବାଦଡି ହିଙ୍ଗଳା 

 

କାଳିଯାଇ କାଳରାତ୍ରି କାଳିକା ବାଳିକା

ସିଦ୍ଧେଶ୍ୱରୀ କାଳମୁଖୀ ପାଟଳ ଚଣ୍ଡିକା ।

ବିଜୟା କଳ୍ପାଈ ଛାୟା ମାୟା କଳ୍ପାଶୁଣୀ

କଞ୍ଚାଖାଇ ଚକ୍ରଦନ୍ତୀ ପିଶାଚୀ ଶୋଷିଣୀ ।

 

ଜାଗୁଳା ମୋହନୀ ସର୍ପମୁଖୀ କଣ୍ଟାଖାଇ

ସଞ୍ଚାଇ ତାରା ହିଙ୍ଗଳା ବିନ୍ଧ୍ୟ ହିଙ୍ଗୁଳାର ।

ସୂନୁପାଈ ଜାଗୁଳାଈ ଜୟା ପ୍ରେମଲୀଳା

କାତ୍ୟାୟିନୀ କାମଚଣ୍ଡୀ ତାରିଣୀ ମଙ୍ଗଳା ।

 

ଏ ବିଧିରେ ଚଉଷଠୀ ଯୋଗ୍ନୀଗଣ ଯାକ

ପିଇଣ ଶୋଣିତ ନଦୀ କରିଦେଲେ ପାକ ।

ଦଣ୍ଡକ ମାତ୍ରରେ ରକ୍ତ ପିଇ ସବୁ ଗଲେ

ରକ୍ତଚିହ୍ନ ଟୋପାଏ ଯେ ତହିଁ ନ ରଖିଲେ ।

 

ଦେଖି ମୁରଦୈତ୍ୟ ତାହା ଚମତ୍କାର ହେଲା

ଧନ୍ୟ ଲୋ ଯୋଗିନୀ ବୋଲି ବହୁ ପ୍ରଶଂସିଲା ।

ସୈନ୍ୟ ସେନାପତି ମୋର ସବୁ ଗଲ ଭକ୍ଷି

ଚିହ୍ନବର୍ଣ୍ଣ ତାହାଙ୍କର ଏକ ନାହିଁ ରଖି ।

 

କି କାର୍ଯ୍ୟ ଅଛଇ ଆଉ ତାଙ୍କ କଲେ ଚିନ୍ତା

ପୂର୍ବରୁ ତ ଲେଖି ଏହା ଅଛନ୍ତି ବିଧାତା

ରୋଦନ କଲେ ଆଉ କି କାର୍ଯ୍ୟ ଏଥେ ଅଛି

ସବୁ ଛାଡ଼ି ମରିବାକୁ ଆସିଲିଣି ମୂର୍ଚ୍ଛି ।

 

ଦିଗବିଜେ କାଳେ କି ମୋ ଥିଲେ ପୁତ୍ର ନାତି

ହେଲି ବ୍ରହ୍ମାଣ୍ଡରେ ପୁଣି ଏକ ଚକ୍ରବ୍ରର୍ତ୍ତୀ ।

ପୁତ୍ର ନାତିକି ମୋହର ଥିଲେ ସେତେବେଳେ

ମଦନାବତୀ ରାଣୀ ମୋ ଥିଲେ କି ସେକାଳେ ।

 

ଚଉଦପୁରେ ପଣ କି ଥିଲା ଉଣାହୋଇ

ସେ ପଣ ଏବେ ମୋହର ଗଲା କି ପଳାଇ ।

ପୁତ୍ର ନାତିକି ଲୋଡ଼ିଲେ ଆଉ ହେବ କିସ

 

ଏତେ ବୋଲି ମୁରାସୁର ଧରେ ହାତେ ନିଶ

ବୋଇଲା ମାରିବାକୁ ବା ମରିବାକୁ ମୁହିଁ

ଆସିଅଛି ସବୁକଥା ରାଣୀକି ମୋ କହି ।

ମୁଁ ମାରି ପାରିଲେ ହରି ହେବ ଅଜ୍ରାମର

ହରି ମାଇଲେ ମୋକ୍ଷ ମୋ ହବେ କଳେବର ।

 

ସେ ନୃସିଂହ ନିଶ୍ଚେଁ ଯେବେ ହରି ହୋଇଥିବେ

ଅବଶ୍ୟ ମୋତେ ଧରିଣ ପାଦେ ସଂହାରିବେ 

ଶ୍ରୀପଦ୍ମପାଦ ଲାଗିଣ ହୋଇବି ମୁକତ

ଏ କଥା ପୂର୍ବରୁ କର୍ମେ ଲେଖିଛି ବିଧାତ ।

 

ନୋହିଲେ ମୁହିଁ ପାରିବି ତାଙ୍କୁ ଯେବେ ମାରି

ସଂସାରଯାକରେ ମୁହିଁ ବୋଲାଇବି ହରି ।

ତେତିଶକୋଟି ରାଣୀ ଛନ୍ତି ମୋର ଯେତେ

ତାଙ୍କଠାରୁ ପୁତ୍ର ଜନ୍ମ ହେବେ ପୁଣି କେତେ ।

 

ୟା ବୋଲି ମୁର ସାରଥି ବଦନକୁ ଚାହିଁ

ବୋଇଲା ଏ ରଥ ମୋର ବାହୁଥିବୁ ତୁହି ।

ନୃସିଂହ ଛାମୁରେ ନେଇ ଉଭା କରାଇବୁ

ତେବେ ବଡ଼ପଣ ମୋର ରଖିବୁ ତୁ ସବୁ ।

 

ନୃସିଂହକୁ ମାରି ଯେବେ ପାରେ ଆଜି ମୁହିଁ

ତେବେ ପାସୋରିବି ପୁତ୍ର ନାତିଙ୍କି ସେ ଯାଇ ।

ଭାଇ ସେନାପତି ସୈନ୍ୟ ସବୁ ପାସୋରିବି

ତେବେ ସିନା କଷ୍ଟ ମୋର ଗଲାଟି ବୋଲିବି ।

 

ଗରୁଡ଼କୁ ଯେବେ ମାରି ପାରିବଇଁ ମୁହିଁ

ତେବେ ସିନା ମୂର୍ଚ୍ଛିବଇଁ ପୁତ୍ରନାତି ଯାଇଁ ।

ଶେଷଦେବଙ୍କୁ ଯେବେ ମୁଁ ସଂହାରି ପାରିବି

ତେବେ ଦାରୁଣ ଭାଇକି ଯାଇଁ ମୂର୍ଚ୍ଛି ଦେବି ।

 

କର୍ଣ୍ଣାଟେଶ ରାଜା ମୃତ୍ୟୁ ନୟନରେ ଦେଖି

ବସିବି କନକାବତୀ ନଗ୍ରେ ହୋଇ ସୁଖୀ ।

ସୁଜାଣମନ୍ତ୍ରୀକି ଯେବେ ମୁଏ ପାରିବି ମାରି

ନୃସିଂହର ବଳ ବୁଦ୍ଧି ଯିବ ସବୁ ସରି ।

ଆବର ନୃସିଂହଗଣ ସଂହାରିବି ଯେବେ

ସୈନ୍ୟର ମରୁଡି ଯାକ ପାସୋରିବି ତେବେ

କୃଷ୍ଣବଲ୍ଲଭକୁ ନେଇ ବସାଇବି ଶୂଳେ

ମାତା ରାଣ୍ଡୀ ମାରି ପେଷିଦେବି ଯମଆଳେ ।

ବଦ୍ରିକା ଗଡ଼ ଖଣ୍ଡକ ପକାଇବି ଟାଳି

ସମୁଦ୍ର ମଧ୍ୟେ ଆସିବ ତାକୁ ନେଇ ଢାଳି ।

 

ଥିବାରୁ ବଦ୍ରିକା ପଲ୍ଲୀଖଣ୍ଡେ ମେଦିନୀରେ

ତହିଁ ଲୁଚି ରହିଅଛି ପଳାଇ ମୋ ଡରେ ।

ବିପ୍ର ଲୁଚାଏ ଘେନିଣ ପୁଣି ବାହାରୁଛି

କେଉଁ ଭାଗ୍ୟରୁ ଆସି ମୋ ସୈନ୍ୟକୁ ମାରୁଛି ।

 

ଏଥର ବୁଝା ଯିବଟି ପଡ଼ିଲେ ମୋ ମୁଖେ

ମାରିଣ ନୃସିଂହ ନାମ ଲୁଚାଇବି ସୁଖେ ।

ନୃସିଂହ ନାମ ସଂସାରେ ଆଉ ରଖିବି କି

ଆଜିକାଲି ମଧ୍ୟେ କଥା ଜାଣିବା ନାହିଁକି ।

 

ସେ ଅବା ମୋତେ ମାରୁ ମୁଁ ତାକୁ ଯିବି ମାରି

ଏ କଥା କହିଛି ମୋର ରାଣୀ ସତ୍ୟକରି ।

ଆଜିକାଲି ଭିତରେ ତ ସବୁ ଜଣାଯିବ

ଏତେ ବୋଲି ଦେହ ପାଣି ହୋଇଲା ଦାନବ ।

 

ସ୍ୱାନ ସନ୍ଧ୍ୟା ସାରିଣ ସେ ଶିବପୂଜା କଲା

ମଣୋହିକି ବିଜେକରି ପ୍ରସାଦ ସାରିଲା ।

ସୂପକାରମାନେ ରାନ୍ଧିଥିଲେ ଶାଳିଅନ୍ନ

ଭୋଜନ ସାରିଣ ରାଜା କଲା ଆଚମନ ।

 

ଆଚମନ ସାରି ହସ୍ତ ମୁକ ପଖାଳିଲା

ଗୁଆ ପାନ ଖାଇ ହୀରା ପୀଡ଼ାରେ ବସିଲା ।

ଏଥୁ ଅନନ୍ତରେ ରାତ୍ର ହୋଇଲା ପ୍ରବେଶ

ସନ୍ଧ୍ୟାକର୍ମ କରିସାରି ବସିଲା ରାକ୍ଷସ ।

 

ଗାୟତ୍ରୀ ପଢ଼ୁଁ ରଜନୀ ପ୍ରହରେ ହୋଇଲା

ଭୋଜନ ସାରି ରାଜନ ଶୋଇବାକୁ ଗଲା ।

ଚାରିଦିଗରେ ପାହାରୀମାନଙ୍କୁ ଜଗାଇ

ବୋଇଲା ତାତପର୍ଯ୍ୟରେ ଥିବ ତୁମ୍ଭେ ରହି ।

ବ୍ରାହ୍ମଣ ଯେ ମହାତର୍କା ଅଟନ୍ତି ସଂସାରେ

ଅନୁବ୍ରତେ ଥାନ୍ତି ରହି ଛନ୍ଦ କପଟରେ ।

ବିପ୍ରମାନଙ୍କର ଛଇ ଅଳ୍ପ ଅଟଇ କି

ଆପେ ଆପେ କହି ହୋନ୍ତି ଶାନ୍ତିପଣ ଟେକି ।

 

ଆପେ ଅଠର ବର୍ଣ୍ଣରେ ହୋଇଥାନ୍ତି ରାଜା

ରାଜ୍ୟ ନ ଥାଇ ରାଜୁତିପଣେ ପାନ୍ତି ପୂଜା ।

ଗଜ ଦ୍ୱିଜ ଶ୍ୱାନ ଏହି ତିନିଜାତି ଯାକ

ସ୍ଵଜାତିକୁଳଯାକୁ ଏ ଅଟନ୍ତି ହିଂସ୍ରକ ।

 

ଏ ତିନି ଜାତିକି ପ୍ରତେ ନାହିଁ କେତେବେଳେ

ଆବର କେତେ ଜାତି  ନାହିଁ ରବିତଳେ ।

କୁକ୍କୁଟ କାକ ଶାଗୁଣା ପକ୍ଷୀ ଜନ୍ତୁଯାଏ

ସ୍ୱଜାତି ଯାକୁ ପୋଷି ଏ ଥାନ୍ତି ସର୍ବଦାଏ 

 

ରଜନୀ ପାହିଲେ ଯୁଦ୍ଧ ହେବ ଅପ୍ରମିତ

ଏ ରାତିକ ଥାଅ ତୁମ୍ଭ ହୋଇଣ ଜାଗ୍ରତ ।

ଏତେ କହିଣ ପଲ୍ୟଙ୍କେ ଶୁଏ ମୁରାସୁର

ଶୁଣ ନାରଦ କହନ୍ତି ସାବିତ୍ରୀଙ୍କ ବର ।

 

ପ୍ରଭୁଙ୍କ ଦର୍ଶନ ଆସି କଲେ ହରିଗଣ

ଗରୁଡ଼ ଜଣାଇଲେ ଯେ ଶୁଣ ନାରାୟଣ ।

ରାତ୍ରର ଅର୍ଦ୍ଧ ଯେ ହୋଇଅଛି ଏତେବେଳେ

ହାତୀଗଡ଼େ ମୁରାସୁର ଶୋଇଛି ନିଶ୍ଚଳେ ।

 

ନୃସିହଗଣେ ଦର୍ଶନ ଆସି କରୁଛନ୍ତି

ଏହିଲାଗେ ଚାଲ ଗଡ଼ ବେଢ଼ିବା ବୋଲନ୍ତି ।

ଚାରି ସେନାପତି ସୈନ୍ୟ ମରିବାକୁ ଆଜ

ଶୋଇଛି ମନରେ ଚିନ୍ତାକରି ଦୈତ୍ୟରାଜ ।

 

ଏହି ସମୟେ ବେଢ଼ିବା ଆସ ଗଡ଼ ଯାଇ

ରାଜା ନ ଜାଣୁ ତ ଗଡ଼ ଦେବା ଫୋପଡ଼ାଇ ।

ସିନ୍ଧୁ ଭିତରେ ପକାଇଦେବା ହାତୀଗଡ଼

ଏରୂପେ ପ୍ରଭୁଙ୍କ ଆଗେ ଜଣାଏ ଗରୁଡ଼ ।

ବୀରବେଶ ହୋଇ ପ୍ରଭୁ ଆଗେ ଉଭାହେଲା

ଷୋଳପଦ୍ମ ଗରୁଡ଼ ଯେ ମନୁ ଜାତକଲା ।

ଗରୁଡ଼ ଗୋଟିକେ ବେଶ ଭିନ୍ନେ ଭିନ୍ନେ କାଢ଼ି

ତିନିହାତ ଦିଶେ ଲମ୍ୱ ଥଣ୍ଟମାନ ବଢ଼ି ।

 

ବେନି ଖଗ ବେନି ପାଶେ ଗିରି ପ୍ରାୟ କଲା

ପାଦରେ ଉଭା ହୁଅନ୍ତେ ପୃଥ୍ୱୀ ନ ଦିଶିଲା ।

ତଡ଼ିତ ଅନଳ ଅର୍କ ଗ୍ରହ ଜ୍ୟୋତି ପ୍ରାୟ

ଗରୁଡ଼ଙ୍କର ଥଣ୍ଟ ବିରାଜି ଦିଶେ କାୟ ।

 

ନୃସିଂହଙ୍କ ପ୍ରଭାଯାକ କଣ୍ଠେ ମାଳା କରି

ମୁକୁତାମାଳା ପରାୟ ଦିଶେ ସରି ସରି ।

ଗରୁଡ଼ ମୂର୍ତ୍ତିବନ୍ତ ନୃସିଂହ ପ୍ରଭୁ ଦେଖି

ବୋଇଲେ ମୁରପ୍ରାଣ ନ ପାରେ ଆଜ ରଖି ।

 

ନୃସିଂହଗଣ ବତିଶପଦ୍ମ ରହିଛନ୍ତି

ତହିଁକି ଷୋଳମୂର୍ତ୍ତି ଯେ ଖଗେଶ୍ୱର ମୂର୍ତ୍ତି ।

ତା ହାତୀଗଡ଼କୁ ମୋର ଭୟ କିଛି ନାହିଁ

ମାରି ଧ୍ୱଂସ୍ତ କରିଦେବି କ୍ଷଣକରେ ମୁହିଁ ।

 

ଶୁଣି ଗରୁଡ଼ ଯତି ନୃସିଂହ ଆଜ୍ଞା ପାଇ

ମଳିଲେ ନୃସିଂହଗଣ ଘେନି ଗଡ଼େ ଯାଇ ।

ମୁରର ରକ୍ଷା ଲୋକଟି ଯେତେ ଥିଲେ ଜଗି

ସେମାନେ ନ ଜାଣୁ ପଶିଗଲେ ଗଡ଼େ ବେଗି ।

 

ଧସାର ହୋଇଣ ପଶଳିଗଲେ ହାତୀଗଡ଼େ

ଧର ଧର ମାର ମାର ବୋଲି ହୁରି ପଡ଼େ ।

ଏକଇ ହାତୀ ଉପରେ ଧରି ଆରକକୁ

ମାରୁ ଗରୁଡ଼ ଫିଙ୍ଗିଣ ପରକାଏ ଅବ୍‌ଧିକୁ 

 

ଷୋଳପଦ୍ମ ଗରୁଡ଼କୁ ଷୋଳପଦ୍ମ ହସ୍ତୀ

ଏକାବେଳେ ମାରି ଅବ୍‌ଧି ମଧ୍ୟେ ଦେଲା ପୋତି ।

ମାରୁ ମାରୁ ହାତୀମାନେ ଗର୍ଜି ବୋବିଦ୍ୟନ୍ତେ

ଚହଳ ପାଇଣ ମୁର ଉଠେ ନିଦ୍ରାଗତେ ।

ପହରା ଲୋକେ ଛାମୁରେ ବ୍ୟଗ୍ରେ ଉଭାହୋଇ

ବୋଇଲେ ନୃସିଂହ ଗଡ଼େ ପଶିଲେକ ଡେଇଁ ।

ହାତୀଗଡ଼େ ପଶି ପକ୍ଷୀବର ଝାମ୍ପି ଦେଲା

ସବୁ ହାତୀକି ମାରିଣ ସମୁଦ୍ରେ ଫିଙ୍ଗିଲା ।

 

ଡେଣାରୁ ଯେ ଅଣଚାଶ ପବନ ଉଦ୍‌ଗାରି

ସମସ୍ତଙ୍କୁ ଛେଚି ଛେଚି ଆଣ୍ଟେ ଦେଲା ଚିରି ।

ପବନେ ଉଡ଼ାଇ ଅବ୍‌ଧି ମଧ୍ୟେ ଦେଲା ମୋଡ଼ି

ନୃସିଂହଗଣ ଆମ୍ଭଙ୍କୁ ରହିଲେଣି ବେଢ଼ି ।

 

କିଳିକିଳା ରାବ ଦେଇ ବୋବି ପାରୁଛନ୍ତି

ଷୋଲପଦ୍ମ ଗରୁଡ଼ ଯେ ଜନମି ଅଛନ୍ତି ।

ଗରୁଡ଼ ଗୋଟାକୁ ହସ୍ତୀ ଗୋଚିଏ ହେଲାକୁ

ସବୁଙ୍କୁ ମାରିଣ ଚିରି ଫିଙ୍ଗିଲେ ଅବ୍‌ଧିକୁ ।

 

ଶୁଣି ମୁରାସୁର ମନେ ବାଚାର ଯେ କରେ

ବୋଲେ ଭଲାଛନ୍ତି କୃଷ୍ଣବଲ୍ଲଭ କୁମରେ ।

ନୃସିଂହଗଣ ଯେତେକ ସଙ୍ଗରେ ଆଣିଛି

ବ୍ରାହ୍ମଣ ବୋଲିଣ ଆମ୍ଭେ ମନେ ଥାଇ ପାଞ୍ଚି ।

 

ଏତେ ଗରୁଡ଼ ଏବେ କି ରୂପେ କଲା ଜାତ

ବଡ଼ ଲୋକ ଜଣେ କୃଷ୍ଣବଲ୍ଲଭର ସୁତ ।

ବିଷ୍ଣୁ ପ୍ରାୟ ତ ଦିଶିଲା ମୋତେ ଏବେ ଆସି

ମରିବା କଥାରେ ଆଉ ଭାବିବା କି ବସି ।

 

ହାତୀଗଡ଼ ଗଲା ବୋଲି ପାଞ୍ଚିଲେ କି ହେବ

କେତେସେନା କେତେ ସୈନ୍ୟ ମଲେଣି ସରବ ।

କେତେ ପୁତ୍ର କେତେ ନାତି ସାଙ୍ଗ ଭାଇ ମଲା

ବିଚାରିଲେ ତହିଁ ସଙ୍ଗେ ହାତୀଗଡ଼ ଗଲା ।

 

ଏତେ ପାଞ୍ଚି ମୁରାସୁର ସାରଥିକି ରାଇ

ବୋଇଲାକ ନୃସିଂହକୁ ଦେଖା ମୋତେ ନେଇ ।

ଆନକୁ ମାରିବାରେ ମୋ ନାହିଁ କାର୍ଯ୍ୟ କିଛି

ସେ ଅବା ମୋତେ ମାରୁ ମୁଁ ତାଙ୍କୁ ବା ମାରୁଛି ।

ଏତେ ବୋଲି ଅସୁର ବିଜୟା ରଥ ଚଢ଼ି

ଲାଗିଛନ୍ତି ସୈନ୍ୟବଳ ଆଗେ ପଛେ ଧାଡ଼ି ।

ବାଇଶି କ୍ଷଉଣୀବଳ ଧରି ମୁରାସୁର

ସମରକୁ ବାହାରିଲା ହୋଇ କୋପଭର ।

 

ସୈନ୍ୟଙ୍କୁ ବୋଇଲା ମାର ନରସିଂହଗଣ

ଉପ୍ରୋଧ ନ କରି ମାର ପ୍ରାଣ ନିଆଶିଣ ।

ଏ ରୂପରେ ବୋଲୁ ବାଦ୍ୟ ବାଜେ ଆଗେ ଚାଲୁ

ଘୁମୁ ଘୁମୁ ଘୁମୁରା ଦମାଲୁ ଦୁଲୁ ଦୁଲୁ ।

 

ପଟ୍ଟହ ମଞ୍ଜରୀ ବାଜେ ଶବ୍ଦ ଘିଡ଼ି ଘିଡ଼ି

ମହୁରୀ ଦୋପାଟିଆ ଯେ ବାଜେ ଯୋଡ଼ି ଯୋଡ଼ି ।

ଦମଦମା ଶୁଭେ ମେଘ ଗରଜନ ଜାଣି

ଢୋଲ ଶବଦ ନାଦରେ କମ୍ପେ ପୁର ତିନି ।

 

ଶଙ୍ଖ କମ କାହାଳୀ ଯେ ବାଜେ ଅନର୍ଗଳ

ଆସନ୍ତି ଲହରୀ ପ୍ରାୟ ମାଡ଼ି ଦୈତ୍ୟବଳ ।

ଏଥୁଅନନ୍ତରେ ଗରୁତ୍ମାନ ମହାଯତି

ବିଶ୍ୱରୂପକୁ ତେଜିଣ ଧରେ ନିଜ ମୂର୍ତ୍ତି ।

 

ନୃସିଂହ ପାଦେ ଦର୍ଶନ ବେଗେ ଆସି କଲା

ହାତୀଗଡ଼ଯାକ ଭାଙ୍ଗି ଆସିଲି ବୋଇଲା ।

ଶୁଣିଣ ନୃସିଂହ ସ୍ୱାମୀ ହେଲେ ହସ ହସ

ଗରିଡ଼କୁ ବହୁତର କଲେ ପଉରୁଷ ।

 

ଏଥୁ ଅନନ୍ତରେ ମୁର ଯୁଦ୍ଧେ ବାହାରନ୍ତେ

ମାତଳି ବୋଇଲା ପ୍ରଭୁ ଶୁଣ ଲକ୍ଷ୍ମୀକାନ୍ତେ ।

ବିଜୟାରଥ ଉପରେ ଅଛି ଦୈତ୍ୟ ଚଢ଼ି

ବାଇଶି କ୍ଷରଣୀ ସୈନ୍ୟ ଘେନି ଆସେ ମାଡ଼ି ।

 

ନନ୍ଦିଘୋଷ ରଥପରେ ଶୀଘ୍ରେ ବିଜେ କର

ଗରୁଡ଼ରେ ବସି ଯୁଦ୍ଧ ଆଜକ ନ କର ।

ତାହାପରେ ବସିଲେ ସେ ଯୁଦ୍ଧ ନ କରିବ

ଏକା ହୋଇ ତୁମ୍ଭେ କେତେ ମାରିବ ଦାନବ ।

ନୃସିଂହ ଶୁଣି ବୋଇଲେ ଏ କଥାତ ସତ୍ୟ

ଗରୁଡ଼ ଘେନି ମୋର ଏ ଅବତାର ଖ୍ୟାତ ।

ନୃସିଂହ ଅବତାରକୁ ଗରୁଡ଼ ମୋ ସଖା

ଲକ୍ଷେ ମୁରାସୁର ହେଲେ ମାରିବି ମୁ ଏକା ।

 

ଆହୋ ମାତଳି ବେଗେ ତୁ ରଥ ସଜକର

ବାଦ୍ୟ କେତେ ବଜାଇଣ ଆସେ ମୁରାସୁର ।

ମାତଳି ଯେ ନନ୍ଦିଘୋଷ ରଥ ସଜକରି

ନୃସିଂହ ଆଗରେ ଆଣି ରଖେ ରଥ ଡେରି ।

 

ଯାବତ ଧନୁରେ ଶର ଦେଇ ବିଧିମତେ

ନନ୍ଦିଘୋଷେ ଥୋଇ ବିଜେ କଲେ ଜଗନ୍ନାଥେ ।

ସେ ଶରଯାକଙ୍କ ନାମ କହୁଁ ଥୋକେ ଶୁଣ

ଥୋଇଲେ ନୃସିଂହ ପ୍ରଭୁ ଆଗେ ସାଇତିଣ ।

 

ଧନୁଶର କମାଣ ଯେ କୋଦଣ୍ଡ ଶକତି

ପରିଘ ଖପର ଛୁରୀ ଭୂଷଣ୍ଡି ଯେ ଜାତି ।

ମାଙ୍କେଡ଼ି ଯମଦାଢ଼ ଯେ ତ୍ରିଶୂଳ ଶାବେଳୀ

ମେଘା କୁବେରା ବରୁଣାଶର ରତ୍ନାବଳୀ ।

 

ଗୁପତି ମରୁତା ନଇରୁତା ବ୍ରାହ୍ମବେତ୍ତା

କାଳପାଶି ନାଗପାଶି ପବନ ପର୍ବତା ।

ବିଷ୍ଣଶର ବ୍ରହ୍ମଶର ମୋକ୍ଷ ଜଳପାଶୀ

ଦହନା ଶୋଷଣା ଅଗ୍ନିଶର ବ୍ରହ୍ମରାଶି ।

 

ବାବଲ ମୋହନା ମନଭେଦୀ ଅସିବର

ସ୍ୱର୍ଗ ପାତାଳଭେଦୀ ଯେ ମଞ୍ଚଭେଦୀ ଶର ।

ଶୂନ୍ୟଭେଦୀ ଶବ୍ଦଭେଦୀ କାଳଭେଦୀ ମୁନ

ସ୍ତମ୍ଭନ ମୋହନ ଆଦି ବଶ ଉଚ୍ଛାଟନ 

 

ଶୂଳ ଶକତି ମୁଦ୍‌ଗର ଭେଲ ଖଣ୍ଡା ଗୁପ୍ତି

ପିନାକ ଯେ ପାଶୁପତ ଆଦି ବ୍ରହ୍ମଶକ୍ତି ।

ତ୍ରକନା ଆବର ଚଉକନା ପରକନା

ତାଳ ଯେ ବେତାଳ ଅଧାଚନ୍ଦ୍ର ପଞ୍ଚମୁନା ।

ଅକାଳ ମହାକାଳ ଯେ ତ୍ରିକାଳ ଏକଘ୍ନି

ଗରୁଡ଼ା କୁହୁକ ଅହିଶର ବଜ୍ରଧ୍ୱନି ।

ଉଡ଼ାଣ ବୁଡ଼ାଣ ଆଉ ତାଡ଼ଣ ମାରଣ

ବିଜୟା ଜୟା ଭୈରବୀ ସିଂହନାଦ ବାଣ ।

 

ଶଙ୍କରା ଗର୍ଜନାଜିତ ସୂର୍ଯ୍ୟାବଳି ଶସ୍ତ୍ର

ଆବର ଯେ ନାରାୟଣ ଶର ସୂର୍ଯ୍ୟାବର୍ତ୍ତ 

କୁହୁଡ଼ି ଜଳ ପାଶ ଯେ ହୁତାଶ ବତାସ

ଜାଳପାଶ ବ୍ରହ୍ମପାଶ ରୁଦ୍ରର କୁଳିଶ ।

 

ଅଜଗବ ଶାଙ୍ଗଧନୁ ସୁଦର୍ଶନ ଚକ୍ର

କୌମୋଦକୀ ଗଦା ଆଦି ପୁଣ୍ଡ୍ର ଧନୁ ଶୁତ୍ର 

ନୀଳବାଣ ଭୁଜବାଣ ସୂର୍ଯ୍ୟୋବଳୀ ଶର

ବ୍ରହ୍ମଶକ୍ତି ବଜ୍ରଶକ୍ତି ଆବର ତୋମର ।

 

ଜୀବନ୍ୟାସ ଶର ଆଦି ନୀଳଚକ୍ର ବାଣ

ନନ୍ଦିଘୋଷେ ଥୋଇ ବିଜେ କଲେ ନାରାୟଣ ।

ଗରୁଡ଼କୁ ବୋଇଲେକ ଶୁଣ ପକ୍ଷିବର

ଶେଷଦେବଙ୍କ ଘେନିଣ ଥିବୁ ସଙ୍ଗେ ତୋର ।

 

ଦେଖ ଏ ମୁରର ବାଜୁଅଛି ବାଦ୍ୟ କେତେ

ଆଜର ଯୁଦ୍ଧ ଜାଣଟି ହେବ ଅପ୍ରମିତେ ।

ଏହା ଶୁଣି ବୈନତେୟ ଅଳ୍ପ ମନେ ହସି

ବୋଲେ ମୋ ପିଠିରେ ଶେଷଦେବ ଥାନ୍ତୁ ବସି ।

 

ସମରରେ ଶର ଯେତେ ବିନ୍ଧୁଥିବେ ଦୈତ୍ୟ

ରଖିବି ମୁଁ ବେନି ଖଗ ଆଡ଼ି ତୁମ୍ଭ ଭ୍ରାତ ।

ଶୁଣିଣ ନୃସିଂହ ପ୍ରଭୁ ଆନନ୍ଦ ହୋଇଲେ

କର୍ଣ୍ଣାଟେଶ ସୁଜାଣ ମନ୍ତ୍ରୀଙ୍କି ଆଜ୍ଞା ଦେଲେ ।

 

ବୋଇଲେ ମନ ଇଚ୍ଛାଏ କର ଯାଇଁ ଯୁଦ୍ଧ

ମୁଁ ଏକା କରିବି ମୁରାସୁର ପ୍ରାଣ ବଧ ।

ମାତଳିକୁ ବୋଇଳେକ ଶୁଣ ହୋ ସାରଥି

ମୁରକୁ ଚାହି ରଥ ମୋ ବାହୁଥିବୁ ମନ୍ତ୍ରି

ଅସୁରେ ମାୟାବୀଯୁଦ୍ଧ ଜାଣନ୍ତି ଯେ ଛନ୍ଦେ

ତହିଁକି ତଳି ତୁହି ରହିଥିବୁ ହାଦେ ।

ଶୁଣିଣ ମାତଳି ତହୁଁ ଯୋଡ଼ି କରପତ୍ର

ବୋଲେ ତୁମ୍ଭଆଜ୍ଞାରେ ମୁଁ ଜାଣେ କେତେ ସୂତ୍ର ।

 

ଶୁଣିଣ ନୃସିଂହ ସ୍ୱାମୀ ଚାରିରୂପ ଧରି

ଶ୍ରୀଜଗନ୍ନାଥ ଙ୍କ ପ୍ରାୟେ ରଥେ ବିଜେକରି ।

ଶୂନ୍ୟମାର୍ଗରେ ମାତଳି ବାହେ ରଥ ଟେକି

ବିଜୟ ରଥକୁ ଦିଶେ ଦ୍ୱିଗୁଣ ଝଟତି ।

 

ନକ୍ଷତ୍ରପନ୍ତି ପ୍ରାୟ ନୃସିଂହଗଣ ଯାକ

ଦୈତ୍ୟମାନଙ୍କୁ ବେଢ଼ିଣ ରହିଲେ ଚୌପାଶ ।

ରଡ଼ି ଘନ ଘନ କରି ଖର ନିଶୁଆସେ

ନୃସିଂହଗଣଙ୍କୁ ମାଡ଼ି ପଡ଼ିଲେ ରାକ୍ଷସେ ।

 

ଧର ଧର ମାର ମାର ପିଟ ପିଟ ବୋଲି

ଯୁଝନ୍ତି ଅଙ୍ଗ ଛଳରେ ନାନଶସ୍ତ୍ର ମେଲି ।

ପଛକୁ ନ ଘୁଞ୍ଚନ୍ତି ଯେ ଐରବଳ ଧ୍ୱଂସି

ଜଣକୁ ଧରି ଜଣକେ ପିଟି ପ୍ରାଣ ନାଶି ।

 

ଯେ ଯାହା ମୁଖେ ପଡ଼େ ସେ ତାକୁ ଯାଏ ମାରି

ଅଣଚାଶ ପବନ ପ୍ରଳୟେ ଯେହ୍ନେ କରି ।

ମୁଖ ଗୋଳଖରେ ପୃଥିବୀ ସ୍ତବ୍‌ଧେ ଅଛି ରହି

ଚତୁର୍ଦ୍ଦଶ ପୁର ଲୋକେ ଭୟେ ହ୍ୱନ୍ତ ଦହି ।

 

ଏକଦୃଷ୍ଟି ହୋଇକରି ଚାହିଁଛନ୍ତି ସର୍ବେ

ଶୁଣ ହେ ନାରଦ କହ୍ନୁ ଅଛନ୍ତି ଦଇବେ ।

 

Unknown

ମୁର ନୃସିଂହ ଯୁଦ୍ଧ

ଏହିରୂପେ ଦୈତ୍ୟବଳ ଯୁଦ୍ଧେ ଯାନ୍ତେ ପଶି

ନୃସିଂହଗଣ ବିସ୍ମୟେ ଯୁଝୁଥିଲେ ବସି ।

 

ହୁଂକାରେ ଉଠିଣ କିଳିକିଳା ରାବ ଦେଲେ

ଶ୍ୟେନପକ୍ଷୀ ପ୍ରାୟ ଯାଇ ମାଡ଼ିଣ ପଡ଼ିଲେ ।

 

କେ ଶସ୍ତ୍ର ଧରି ହାଣେ କେ ଗଦା ଧରି ପିଟେ

କାହାର ମୁଣ୍ଡ ଭୂମିରେ ଛିଡ଼ିପଡ଼ି ଲୁଟେ ।

କେହୁ ବିଧା ଗୁରୁଦା କେ ମାରନ୍ତି ଗୋଇଠା

କେ ବୁକୁ ବିଦାରି ଭାଙ୍ଗି ପକାନ୍ତି କେ ଅଣ୍ଟା ।

 

ସୈନ୍ୟ ମରୁଡ଼ି ଦେଖିଲା ଯହୁଁ ମୁରାସୁର

ରଥେ ଥାଇ ଧନୁଶର ଧରି ବେନି କର ।

ବୋଇଲା ଏତେ ସୈନ୍ୟ ଯେ ଆଣିଛି ନୃସିଂହ

ମୋତେ ଅଗୋଚର ଲାଗେ ଏହାର ପ୍ରସଙ୍ଗ ।

 

ବ୍ରାହ୍ମଣଗଣ କି ଏ ନୃସିଂହଗଣ ଅଟେ

ସବୁ ସୈନ୍ୟଙ୍କୁ ମାରିଣ ଆସି ମୋତେ ଭେଟେ ।

ସମସ୍ତଙ୍କୁ ମୁଁ କରିବି ଅଜ ଶରପୀଡ଼ା

ଦେଖୁ ଏ ମୋ କରାମତ ନୃସିଂହ ବାପୁଡ଼ା ।

 

ଏତେ ବୋଲିଣ ଧନୁରେ ଯୋଚି ଶର ଆଣି

ନୃସିଂହ ଙ୍କୁ ବିନ୍ଧିଲାକ ଲକ୍ଷେଶର ଟାଣି ।

ଶେଷଙ୍କୁ ଲକ୍ଷେ ଗରୁଡ଼େ ବିନ୍ଧେ ତିନିଲକ୍ଷ

କର୍ଣ୍ଣାଟେଶ୍ୱରଙ୍କୁ ବାଣ ବିନ୍ଧିଲା ଅସଂଖ୍ୟ ।

 

ସୁଜାଣ ମନ୍ତ୍ରୀଙ୍କି ଯେ ପଞ୍ଚାଶସସ୍ର ବିନ୍ଧି |

ମାତଳିକି ତିରିଶିସସ୍ର ଶର ସନ୍ଧି ।

ନୃସିଂହଗଣଙ୍କୁ ବିନ୍ଧେ କାଣ୍ଡେ କାଣ୍ଡେ କରି|

ବିନ୍ଦିଲା ବତିଶପଦ୍ମ ଶର ଗଣିକରି ।

 

ଏରୂପରେ ଅପର୍ଯ୍ୟାପ୍ତ ଧରି ନାରାଚଙ୍କୁ

ଧନୁରେ ଯୋଚିଣ ଶର ବିନ୍ଧିଲା ସବୁଙ୍କୁ ।

ଦେଖିଣ ନୃସିଂହ ସ୍ୱାମୀ ମହାକୋପ କଲେ

ଏକ ନାରାଚ ପେଷିଣ କାଟି ପକାଇଲେ ।

 

 

କାହାରି ଅଙ୍ଗରେ କାଣ୍ଡ ନ ବାଜିଲା କିଛି

ନୃସିଂହଙ୍କର କୃପାରୁ ସର୍ବେ ଗଲେ ବଞ୍ଚି ।

ତାହା ଦେଖି ମୁରାସୁର ଚାହିଁଲା ନିରୀକ୍ଷି

ବୋଇଲା ନିଶ୍ଚୟ ଏହୁ ଅଟେ ପଦ୍ମ ଆକ୍ଷି ।

 

ମାନବେ ଜନ୍ମିଲାରୁ ନ ମାନୁଥାଇ ଆମ୍ଭେ

ବୁଝିଲେ ପ୍ରତ୍ୟରେ ଏ ଅଟେ ବାସୁଦେବେ ।

ବାସୁଦେବ ନୋହିଲେ କେ ମେଣ୍ଟନ୍ତା ମୋ ଶର

ବ୍ରହ୍ମା ହେଲେ ବଞ୍ଚି ନ ଯାନ୍ତି ତତପର ।

 

ଏମନ୍ତେ ପାଞ୍ଚ ପ୍ରକୃତି ଗଲା ତାର ଭୂମି

ବୋଇଲା କିସ କଲା ଏ ଯେବେ ଅନ୍ତର୍ଯ୍ୟାମୀ ।

ସୋଲଭେଳା ପ୍ରାୟ ମୁଁ ଯେ ଶର ଥିବି ପେଷି

ଶୁଖି ଶୁଖି କେତେଦିନୁ ତୂଣେ ଥିଲେ ପଶି ।

 

ତେଣୁ ନାରାଚ ଗୋଟିକେ ଭାଙ୍ଗି ପକାଇଲା

ଏ କଥାରେ ଚମତ୍କାର ଘେନିମା କି ଭଲା ।

ଏତେ ବୋଲି ମୁରାସୁର ଦାଢ଼ି ଦୋହଲାଇ

ସାରଥିକି ବୋଇଲା ତୁ ରଥ ନିଅ ବାହି ।

 

ନୃସିଂହଗଣଙ୍କୁ ଆଜ ପକାଇବି ମାରି

ପଛେ ମାରିବି ମାନବବିଷ୍ଣୁ ନରହରି ।

ଗରୁଡ଼ ଛାରକୁ ଆଉ ରଖିବି କି ମୁହିଁ

ବ୍ରହ୍ମଶକ୍ତି ପେଷି ଛେଦିଦେବି ମୁଣ୍ଡ ଯାଇଁ ।

 

କର୍ଣ୍ଣାଟେଶ୍ୱର ରାଜା ଯେ ସୁଜାଣ ମନ୍ତ୍ରୀକି

ଏମାନଙ୍କୁ ମାଇଲେ ମୋ କଳଙ୍କ ରହେ କି ।

ଏହାଙ୍କୁ ମାରୁ ମାରୁ ଯେ ଶେଷଦେବ କାହିଁ

ପଳାଇବ ଲୁଚି ସେହୁ ବାଟବଣା ହୋଇ ।

 

ଏତେ ବୋଲି ମୁରାସୁର ଦୋହଲାଇ ମଥା

ଧଇଲା ଧନୁଶର ନ କହି ଆଉ କଥା ।

ଶ୍ରୀନୃସିଂହଗଣଯାକ ଦୈତ୍ୟେ ଛନ୍ତି ବେଢ଼ି

ବିଜୟା ରଥରେ ମୁରାସୁର ଅଛି ଚଢ଼ି ।

ଲକ୍ଷେକ ଶ୍ୱେତଛତର ଉଡ଼େ ଫରଫର

ଲକ୍ଷେକ ଅଶ୍ୱ ଯୋଚି ସେ ଅଛଇ ରଥର ।

ଲକ୍ଷ ଲକ୍ଷ ଚିରାଳ ଯେ ଉଡ଼େ ଚଉକତି

ସେ ରଥେ ବସି ସମର କରେ ଦୈତ୍ୟପତି ।

 

ନୃସିଂହଗଣ ସମାନେ ଦୈତ୍ୟବଳଯାକ

ମରାମରି ହୋଇ ଧରି ଝିଙ୍କନ୍ତି କେ ବେକ ।

ନୃସିଂହଗଣଙ୍କ କେହି ଜଳିତ ନ ପାରି

ମନ୍ଥନ୍ତି ଅସୁର ଥାଟେ ପଶି ମାରି ମାରି ।


ପଡ଼ି ଉଠି ଡାକହାକ କରି କେହୁ ଯୁଝେ

ମଡ଼ା ଉପରେ ମଡ଼ା କେ ପକାଇ ଗରଜେ ।

ବାଜେ ଟମକ ନିଶାଣ ବାଦ୍ୟ ଘଡ଼ଘଡ଼ି

ଦୁଇବଳ ମିଶିକରି ଦ୍ୟନ୍ତି ଘୋରରଡ଼ି ।

 

କେ କାଣ୍ଡଘାତ ପାଇଣ ତରଛେ ପଳାଇ

ପର୍ବତ ଖୋଲେ ପଶିଣ ଲୁଚନ୍ତି କେ ଯାଇ ।

କେ କୁନ୍ତ ପିଟନ୍ତେ ମହୀପରେ ପଡ଼ି ରହେ

ଚକ୍ରରେ ବାଜି କାହାର ମୁଣ୍ଡ ଛିଡ଼ିଯାଏ ।

 

ଲେଡ଼ା ଘାତ ପାଇଣ କେ ନ ପାରନ୍ତି ଉଠି

ଗୋଇଠା ଘାତେ କାହର ଭାଜିଯାଏ ପିଠି ।

ଏକା ବିଧାକେ କାହାର ଫାଟିଯାଏ ମୁଣ୍ଡ

ନଖେ ବିଦାରି ବୁକୁ କେ କରେ ଖଣ୍ଡ ଖଣ୍ଡ ।

 

ଧରନ୍ତି ପଡ଼ନ୍ତି ହୃଦେ ବସନ୍ତି କେ ମାଡ଼ି

ମୁଖି ମାରିଣ ବେଳେ କେ ଦିଅନ୍ତି କଚାଡ଼ି ।

ଏ ରୂପରେ ଯୁଦ୍ଧକରୁ ବହେ ରକ୍ତନଦୀ

ଭାସନ୍ତି ବୋଇତ ପ୍ରାୟ ହସ୍ତୀ ଘୋଡ଼ା ଆଦି ।

 

ଏଥଅନନ୍ତରେ ପୁଣି ଦୈତ୍ୟକୁଳ ନାହା

ସାରଥିକି ବୋଇଲା ହୋ ରଥ ମୋପ ବାହା ।

ବାଇଶି କ୍ଷଉଣୀ ସୈନ୍ୟ ମୁହିଁ ଥିଲି ଆଣି

ତିନିଚୌଠ ପରିଯନ୍ତେ ମଲେ ଏବେ ପୁଣି ।

ବୁଝିଲେ ଚଉଠେ ମାତ୍ର ଛନ୍ତି ଆଉ ଜୀଇଁ

ଏହାଙ୍କୁ ଲକ୍ଷେକୋଟି ଯେ ସୈନ୍ୟ ସରିନୋହି ।

ଶୁଣି ସାରଥି ବାହିଲା ଶୂନ୍ୟେ ରଥ ଟେକି

ଦେଖିଲା ନୃସିଂହଗଣେ ଦିଶନ୍ତି ଝଟକି ।

 

ସୂର୍ଯ୍ୟ କିରଣ ପରାୟେ ସର୍ବେ ଛନ୍ତି ପୂରି

ଦିଶନ୍ତି ଦୁଷ୍ଟମାନଙ୍କୁ ଯେହ୍ନେ ମେରୁଗିରି ।

ସଂସାରଯାକୁ ଦିଶନ୍ତି ସର୍ବେ ବିଷ୍ଣୁ ମୟ

ଦୁର୍ଜ୍ଜନକୁ ଦିଶନ୍ତି ସେ କାଳନଳ ପ୍ରାୟ ।

 

ଆବର ଲୋକଙ୍କୁ ଦିଶନ୍ତି ସେ ଦେବଦେହୀ

ମୂରକୁ ଦିଶନ୍ତି ସେହୁ କାଳମୂର୍ତ୍ତି ହୋଇ ।

ପର ଉପରକାରେ ଜନ୍ମି ଅଛନ୍ତି ପୃଥ୍ୱୀକି

ଅସୁରବଳ ନାଶନ୍ତି ଉଚ୍ଚେ ଡାକିହାକି ।

 

ଦେଖି ମୁରାସୁର ତାହା ସହି ନ ପାରିଲା

କୋଟିଏ ନାରାଚ ଏକାବେଳକେ ଯୋଚିଲା 

ପଢ଼ି ଧନୁର୍ବେଦ ଛାଡ଼ିଦ୍ୟନ୍ତେ ଶସ୍ତ୍ରଯାକ

ଚାହିଁଲେ ନୃସିଂହ ସ୍ୱାମୀ ଗରୁଡ଼ର ମୁଖ ।

 

ଚାହିଁବା ମାତ୍ରକେ ଜାଣିଗଲା ପକ୍ଷୀବର

ପବନହୁଁ ଶୀଘ୍ରେ ଧାଇଁ ଧରେ ସବୁ ଶର ।

ଖଗରେ ଗୁଡ଼ିଆଇଣ ଭାଙ୍ଗି ପକାଇଲା

ଖଣ୍ଡ ଖଣ୍ଡ କରି ତାହା ଧୂଳି କରିଦେଲା ।

 

ଦେଖି ମୁରାସୁର ତାକୁ ବହୁ ପ୍ରଶଂସିଲା

ତୋହର ପରି ବଳିଷ୍ଠ ନାହି କେ ବୋଇଲା ।

ବୋଇଲା ଧନ୍ୟରେ ପକ୍ଷୀ ତୋର କେଡ଼େପିଣ୍ଡ

ସବୁ ଶସ୍ତ୍ରଯାକ ମୋର କଲୁ ଖଣ୍ଡ ଖଣ୍ଡ ।

 

ଏତେ ବୋଲି ନିଜ କରେ ବଜ୍ର ଶକ୍ତି ଧରି

ଗରୁଡ଼ ମଥାରେ ଆଣି ଦିଅନ୍ତେ ପ୍ରହାରି ।

ଦେଖିଣ ଗରୁଡ଼ ତାହା ଡେଇଁ ପକାଇଲା

ସେ ବଜ୍ରଶକତି ପଡ଼ି ଭୂମି ବିଦ୍ଧହେଲା ।

କୋପ କରିଣ ଗରୁଡ଼ ପୁଣି ଗଲା ଧାଇଁ

ରଥରେ ବସି ତାହାକୁ ହୋଇଲା ଖତାଇ ।

ତାହା ଦେଖିଣ ମୁରର କମ୍ପଇ ଶରୀର

ବୋଇଲା ଏଥର ନିଶ୍ଚେ ମଲୁ ଖଗେଶ୍ୱର ।

 

ଏତେ ବୋଲି ବ୍ରହ୍ମଶକ୍ତି ଧରୁ କରେ ନେଇ

ଝାମ୍ପିଣ ହସ୍ତରୁ ଶର ନେଲାକ ଛଡ଼ାଇ ।

ବେନିଖଣ୍ଡ କରିଣ ସେ ଭାଙ୍ଗି ପକାଇଲା

ନାରାଚେ ମାରି ମୋତେ ତୁ ନ ପାରୁ ବୋଇଲା ।

 

ଯେ ନୃସିଂହ ପ୍ରଭୁ ସଙ୍ଗେ ଆସିଛୁ ତୁ ଯୁଝି

ସେ ନୃସିଂହ ମୋ ପିଠିରେ ବସେ ହୋଇ ରାଜି ।

ସୃଷ୍ଟିକର୍ତ୍ତା ପ୍ରଭୁଙ୍କର ପାଦପଦ୍ମ ଲାଗି

ତେଣୁ ମୋର ବଜ୍ରଅଙ୍ଗ ହୋଇଛି ସୌଭାଗୀ ।

 

ଯାବତ ଶରେ ମାରି ନ ପାରୁ ମୋତେ ତୁହି

ଏକା ଡ଼ିଆଁ ଗୋଟାକେ ମୁଁ ଶୂନ୍ୟେ ଥିବି ରହି ।

ଏଥର ମୋ କରାମତ ଦେଖ କି କରିବି

ସମୁଦ୍ରକୁ ବୋଲି ତୋର ରଥ ଫିଙ୍ଗିଦେବି ।

 

ଏତେ ବୋଲି ଖଗେଶ୍ୱର ରଥକୁ ଧରନ୍ତେ

ଉଠାଇ ନ ପାରି ପେଲିଦେଲା ଉଡାସାତେ ।

ଘିଡ଼ି ଘିଡ଼ି ହୋଇଣ ଯେ ପହଣ୍ଡେକ ଗଲା

ଲଜ୍ଜାପାଇ ମୁରାସୁର ମନେ କୋପ କଲା ।

 

ସାରଥିକି ବୋଇଲା ହୋ ବାହା ବେଗେ ରଥ

ପକ୍ଷୀ ଛାର ବଳେ ମୋତେ ହେବ କି ସମର୍ଥ ।

ସହସ୍ରେ ଗୁଳି ମୋହର ରଥେ ଲାଗିବାରୁ

ତେଣୁ ରଥକୁ ତଡ଼ାଇ ଦେଲା ଖଣ୍ଡେଦୂରୁ ।

 

ଶୁଣିଣ ସାରଥି ଛାଟ ଉଞ୍ଚାଇ ଅଶ୍ୱକୁ

ଲେଉଟାଇ ରଥଗୋଟି ବାହିଲା ଯୁଦ୍ଧକୁ ।

ଦେଖିକରି ବୈନତେୟ ପୁଣି ଗଲା ଧାଇଁ

ବିଜୟ ରଥକୁ ପେଲେ ମସ୍ତକ ଲଗାଇ ।

ଘିଡ଼ି ଘିଡ଼ି ହୋଇ ରଥ ଯୂଣେ ଘୁଞ୍ଚିଗଲା

ତାହା ଦେଖି ମୁରାସୁର ଆଚମ୍ୱିତ ହେଲା ।

ବୋଇଲା ପକ୍ଷୀ ହୋଇଣ ଟେକିଲା ମୋ ରଥ

ଯହିଁ ସସ୍ର ଗୁଳି ଲାଗିଅଛି ବଜ୍ର କାନ୍ଥ ।

 

ଯେତେ ପାଞ୍ଚିବି ବିସ୍ତାରେ ଉଭା ତେତେହେବ

ମାପିଲେ ସହସ୍ର ଯୂଣ ଅଟେ ତାର ଗର୍ଭ ।

ପ୍ରତ୍ୟକ୍ଷେ ଦେବଯାନ ସେ ଯଜ୍ଞୁ ଅଛି ଜନ୍ମି

ତେତିଶକୋଟି ଦେବତା ଅଛନ୍ତି ବିଶ୍ରାମି 

 

ସୁଧର୍ମା ସଭାରୁ ସେହି ସସ୍ରଗୁଣେ ଉଚ୍ଚେ

ପୃଥ୍ୱୀ ତେଜ ଆପ ବାୟୁ ବସନ୍ତି ଏ ପାଞ୍ଚ ।

ତୁଳାରୁ ଉଶ୍ୱାସ ମେରୁଠାରୁ ଅଟେ ଗରୁ

ମନରେ ଯେତେ କଳ୍ପିବ ଚଳେ ତେତଦୂରୁ ।

 

ବିଧାତାର ସର୍ଜିଲା ଏ ଅଟେ ରହୁବର

ଦେଖି ତାକୁ ପେଲିଦେଲା ତୀର୍କ୍ଷ୍ୟ ପକ୍ଷୀ ଛାର ।

ଏତେ ବୋଲିସାରଥିକି ବୋଲେ ବାହା ବେଗେ

ଗଲେ ଖଗେଶ୍ୱରକୁ ଯେ ମାରିବା ଏ ଲାଗେ ।

 

ରାଜା ଆଜ୍ଞାରେ ସାରଥି ରଥ ନେଲା ବାହି

ସମର ଭୂମିରେ ବେଳେ ଉଭାକଲା ନେଇ ।

ନୃସିଂହଗଣ ବେଢ଼ିଲେ ସେ ରଥକୁ ଆସି

ଦେଖିକରି ମୁରାସୁର ମନେ ବଡ଼ ହସି ।

 

ବୋଇଲା କିସ ହୋଇବ ମାଇଲେ ଏହାଙ୍କୁ

ବରତନ ଖାଇ ସେବିଛନ୍ତି ନୃସିଂହଙ୍କୁ ।

ମୁହିଁ ବର୍ତ୍ତନ ଦେଲେ ସେ ମୋତେ ଆଉଯିବେ

ୟାଙ୍କୁ ମାଇଲେ ଧର୍ମ ନ ଗଚ୍ଛେ ମୋତେ କେବେ ।

 

ବେଦଶାସ୍ତ୍ର ସ୍ମୁତିଶାସ୍ତ୍ର ପଢ଼ିବା ବିପ୍ରଙ୍କୁ

ୟେ ମାରେ ଧର୍ମ ପ୍ରାପତ ନୁହଇ ତାହାକୁ ।

ଶତେ ପୁରୁଷ ଯାଏ ତା ନର୍କରେ ପଡ଼ନ୍ତି

ବ୍ରାହ୍ମଣଙ୍କୁ ମାଇଲେ ଏରୂପେ ଦୋଷ ପାନ୍ତି ।

ଗରୁଡ଼ ଦେଖିଲେ ଆଗ ମାରିବଇଁ ମୁହିଁ

ତେବେ ପାସୋରିବି ମୋର ପୁତ୍ର ନାତି ଭାଇ ।

ବ୍ରହ୍ମାଭଳି ଲୋକଙ୍କୁଟି ମାଲଲେ ବ୍ରହ୍ମାସ୍ତ୍ର

ତେବେ ତାହାଙ୍କୁ ଧର୍ମ ଯେ ଅଛଇ ଜଗତ ।

 

ସାନଲୋକଙ୍କୁ ଯେ ବ୍ରହ୍ମଶସ୍ତ୍ର ମାରେ ନେଇ

ତାହାଙ୍କୁ ଯେ ଲୋକେ ନିନ୍ଦା କରନ୍ତି ସବାହିଁ ।

ଏ ବ୍ରାହ୍ମଣଙ୍କୁ ମାଇଲେ ହେବ କି ମୋ ଯଶ

କାହିଁଗଲା ପକ୍ଷୀ ବୋଲି ଲୋଡ଼େ ଦଶଦିଶ 

 

ଏଥୁ ଅନନ୍ତରେ ପୁଣି ବିନତା କୁମର

ଗେଲେ ଗେଲେ ଶୂନ୍ୟୁ କସି ଧୀରଧୀର ।

ମୁରାସୁରର ଆଗରେ ଆସି ଦେଖାଗଲା

ତୁ ପରା ଉର୍ବଶୀପୁଅ ବୋଲି ପଚାରିଲା ।

 

ମୁର| ବୋଇଲା ପକ୍ଷି ରେ ଏଥର ସମ୍ଭାଳ

ଏକଘନୀ ଶରେ ତୋର ପୂରାଇବି କାଳ ।

ଏ ବ୍ରହ୍ମଶସ୍ତ୍ରକୁ ଯେବେ ମେଣ୍ଟିଣ ପାରିବୁ

ସବୁ କାଳକୁ ଅମର ତୁହି ହୋଇଥିବୁ ।

 

ତୁ ଏଡ଼େ ଭଳି ବୋଲି ନ ଥିଲି ମୁହିଁ ଜାଣି

ତେଣୁ ଏ ବ୍ରହ୍ମାସ୍ତ୍ର ମାରୁଅଛି ତୋତେ ଆଣି ।

ନିତାନ୍ତ ଲୋକକୁ ଯେ ଏ ଶସ୍ତ୍ର ମାରଇଟି

ତାଠାରୁ ପାପୀ ହୋଇ କେ ନାହିଁ ନବସୃଷ୍ଟି ।

 

ସାରୁପତ୍ରକୁ ବିନ୍ଧିବ ଯେହୁ ଶରକାଣ୍ଡ

ଏତେକେ ତା କ୍ଷତ୍ରି ପଣ ବିହ୍ୱନ୍ତି ବ୍ରହ୍ମାଣ୍ଡ ।

ଏତେ ବୋଲି ମୁରାସୁର ମନେ ବଡ଼ ପାଞ୍ଚି

ତୂଣ ଶର କାଢ଼ି ଧନୁ ମଧ୍ୟେ ଦେଲା ଯୋଚି ।

 

ସୂର୍ଯ୍ୟ ଶତଗୁଣ ବଳି ଦେଖି ଶର ଜ୍ୟୋତି

ଗରୁଡ଼ ଅତ୍ୟନ୍ତ କୋପେ ହେଲା ବିଶ୍ୱମୂର୍ତ୍ତି ।

ଧନୁ ମଧ୍ୟୁଁ ଶରଗୋଟି ଶୂନ୍ୟେ ଆସୁ ଆସୁ

ଏହା ନିଃଶ୍ୱାସକେ ଧାଇଁ ଧରିଲା ଆକାଶୁଁ ।

ବେନିଖଣ୍ଡ କରି ତାକୁ ଭାଙ୍ଗି ପକାଇଲା

ଦେଖି ମୁରାସୁର ତାହା ଆଚମ୍ୱିତ ହେଲା ।

ବୋଇଲା ରେ ଧନ୍ୟ ପକ୍ଷି ତୋ ଜୀବନ

ତୁ ନ ଥିଲେ ନୃସିଂହ କି ଜିଣନ୍ତା ମୋ ସୈନ୍ୟ ।

 

ତେଡିକି ହେବାରୁ ମୋର ପୁତ୍ରେ ଗଲୁ ମାରି

ଧନ୍ୟ ତୋର ଜନକ ରେ ଧନ୍ୟ ଗର୍ଭଧାରୀ ।

ନୃସିଂହ ପ୍ରଭୁ ମାରିବେ ମୋତେ ନିଶ୍ଚେ ଜାଣ

ଏବେ ଚିହ୍ନିଲି ପ୍ରତ୍ୟକ୍ଷେ ଅଟେ ନାରାୟଣ ।

 

ନାରାୟଣ ବୋଲି ଯେବେ ରଣ ନ କରିବି

ଅନ୍ୟ ସଙ୍ଗେ ଲାଗି ମଲେ ଅମୋକ୍ଷ ଯେ ହେବି ।

ହରି ମୋତେ ମାରିବେ କି ମୁଁ ବା ମାରବିଟି

ମୁଁ ମଲେ ହେଲେ କୀର୍ତ୍ତିଟି ରହିବ ଏ ସୃଷ୍ଟି ।

 

ଚାରିଯୁଗ ଯାଏ ଜାଣ କୀର୍ତ୍ତି ରଖିଯିବି

ମରିଲେ ମିରିବି ପଛେ ବିଷ୍ଣୁ ନ ଛାଡ଼ିବି ।

ନୃସିଂହ ତ ଅମର ସେ କେବେ ମରିବେ କି

ମୋତେ ତ ଅମର ବର ଦେଇଛି ପିନାକୀ

 

ଏ କଥା ସଂସାରଯାକ ସମସ୍ତେ ଜାଣନ୍ତି

ମୁର ଅମର ବୋଲିଣ ଭୟ କରୁଥାନ୍ତି ।

ମୋଠାରୁ କ୍ଷତ୍ରିବର କେ ବ୍ରହ୍ମାଣ୍ଡରେ ନାହିଁ

ଜାଣିବି ନୃସିଂହ କେଡ଼େ କ୍ଷତ୍ରୀ ଆଜ ମୁହିଁ ।

 

ଏତେ ବୋଲି ଧନୁହୁଳେ ଗୁଣ ଚଢ଼ାଇଲା

ଅଙ୍ଗୁଳି ମୂଳେ କଷିଣ ମୋଡ଼ା ବସାଇଲା ।

ବାହେ ବାଜୁବନ୍ଧ କଟିତଟେ ସୁନାସୂତା

ଶିରେ ପାଗ ବାନ୍ଧି କନ୍ଧେ ଛନ୍ଦିଲା ପଇତା ।

 

ତୂଣୀମଧ୍ୟେ ଶରଯାକ ରଖି ଖଞ୍ଜାକରି

ପୂର୍ବକାଳେ ଯାହା ଦେଇଥିଲେ ମୁଖଚାରି 

ମସ୍ତକରେ ପାଟଶାଢ଼ୀ ବାନ୍ଧିବାର ବେଳେ

ଯାବତ ନାରାଚ ଦେଇଥିଲେ ପିତା ବଳେ ।

ମୁର ବୋଇଲା ମୁଁ ଚିନ୍ତୁଥିଲେ ମିଳୁଥିବ

ଏହି ଆଜ୍ଞା ହେଉ ବୋଲି ବୋଇଲା ଦାନବ ।

ଏହା ଶୁଣି ପିତାମହ ବୋଲେ ତଥା ଅସ୍ତୁ

ସେ କଥା ଘେନିଲା ମୁରାସୁର କରି ତତ୍ତୁ ।

 

ଏବେ ସେ ନାରାଚଯାକ ଚିନ୍ତିଲା ମାତ୍ରକେ

ବିଜୟା ରଥେ ରହିଲେ ଆସି ତୂଣୀଯାକେ ।

ନାରାଚଯାକ ରଥରେ ଦେଖି ମୁରାସୁର

ହସ ହସ ହୋଇକରି ଧରେ ଧନୁଶର ।

 

ସାରଥିକି ବୋଇଲା ରେ ରଥ ମୋର ବାହା

ନୃସିଂହ ଛାମୁରେ ମୋତେ କର ନେଇ ଠିଆ ।

ଆନ ତୁଲେ ଯୁଦ୍ଧ ମୋରେ ଆଉ ନାହିଁ ଲୋଡ଼ା

ଦେଖିବି କେଡ଼େ କ୍ଷତ୍ରୀ ସେ ନୃସିଂହ ବାପୁଡ଼ା ।

 

ଶୁଣିଣ ସାରଥି ରଥ ବାହି ଘନ ଘନ

ମନାଇ ବୋଲି କରିଣ ଅଟେ ନିଜ ନାମ ।

ସେ ବୋଇଲା ମୁରଲାଗି ଭାଗ୍ୟ ମୋର ହେଲା

ପ୍ରଭୁଙ୍କୁ ଦର୍ଶନ କରି ମରିବି ମୁଁ ଭଲା ।

 

ଏତେ ବୋଲିଣ ରଥକୁ ଟେକି ଆକାଶରେ

ଦେଖିଲା ନନ୍ଦିଘୋଷରେ ଅଛନ୍ତି ଠାକୁରେ ।

ଗରୁଡ଼ ଯେ ଶେଷଦେବ କର୍ଣ୍ଣାଟେଶ ରାଜା

ସୁଜାଣ ମନ୍ତ୍ରୀ ବଜାଏ ଆଗେ ବୀରବାଜା ।

 

ଦେବମନ୍ତ୍ରୀ ମାତଳୀ ଯେ ବାହୁଅଛି ରଥ

ଶଙ୍ଖ ଚକ୍ର ଗଦା ପଦ୍ମେ ବିଜେ ଜଗନ୍ନାଥ ।

ଯେହୁ ଜଗନ୍ନାଥ ମୂର୍ତ୍ତି କୃଷ୍ଣମୂର୍ତ୍ତି ସେହି

ନୃସିଂହ ଅବତାର ସେ ସବୁ ଏକାଦେହୀ ।

 

ଶ୍ରୀନୃସିଂହଗଣ ପୂରିଅଛନ୍ତି ଚୌପାଶେ

ଶଙ୍ଖ ଚକ୍ର ଗଦା ପଦ୍ମ ସର୍ବକରେ ଦିଶେ ।

ଯେ ନୃସିଂହଗଣ ସେହୁ ପ୍ରତ୍ୟକ୍ଷେ ନୃସିଂହ

ତେଣୁ ଶଙ୍ଖ ଚକ୍ର ଗଦା ଦିଶେ ସର୍ବଅଙ୍ଗ ।

ଏରୂପେ ନୃସିଂହ ମୂର୍ତ୍ତି ଦେଖି ମୁରାସୁର

ମନେ ପାଞ୍ଚେ କେମନ୍ତେ ଏ ଅଟେ ଅବତାର ।

ଗୋଟିଏ ନୃସିଂହ ବୋଲି ମୁହିଁ ଜାଣିଥିଲି

ଏତେ ବିଷ୍ଣୁଗଣ କାହୁଁ ଜନ୍ମିଲେ ଦେଖିଲି ।

 

ପୁନରପି ସାରଥିକି ପୁଚ୍ଛେ ମୁରାସୁର

ନିଜ ମୂର୍ତ୍ତି ନୃସିଂହ କେ କହ ମୋତେ ସାର ।

ସାରଥି ବୋଇଲା ତେବେ ଦେଖାଉଛି ଦେଖ

ନନ୍ଦିଘୋଷ ରଥେ ବସିଛନ୍ତି ପଦ୍ମମୁଖ ।

 

ନିଜେ ଶ୍ରୀ ନୃସିଂହ ପ୍ରଭୁ ଅଟନ୍ତି ଯେ ଏକା

ସ୍ୱର୍ଗର ମାତଳି ଆସି ହୋଇଅଛି ସଖା ।

ଅନୁଜ ଭାଇ ତାଙ୍କର ଶେଷଦେବ ଦେଖ

ଦେବତାଙ୍କ ରଥେ ବସିଛନ୍ତି ରହି ପାଖ ।

 

ତହିଁ ପାଖରେ ଗରୁଡ଼ ରହିଛି ଉଭାରି

କଶ୍ୟପ ଋଷି ପୁତ୍ର ସେ ଅଟେ ବ୍ରହ୍ମାଚାରୀ ।

କର୍ଣ୍ଣାଟେଶ୍ୱର ବୋଲିଣ ଅଟେ ଯେଉଁ ରାଜା

ନୃସିଂହ ଶରଣ ପଶିଅଛି କରି ପୂଜା ।

 

କନକାବତୀ ପୁରରେ ରାଜା ହେବ ବୋଲି

କେତେକାଳୁ ପ୍ରଭୁଙ୍କର ସଙ୍ଗେ ଅଛି ବୁଲି 

ଦେବ ଯେକାଳେ ଘେନିଲ ତୁମ୍ଭେ ରାଜଶାଢ଼ୀ

ବସିଲ କନକାବତୀ ନଗ୍ର ଯାଇ ମାଡ଼ି ।

 

ସେହି ଦିନରୁ ଏ ରାଜା ନୃସିଂହଙ୍କୁ ସେବି

ନୃସିଂହଙ୍କ ପାଶେ ଅଛି ଯୁଦ୍ଧକୁ ଆହବି ।

ତହିଁର ପାଶେ ସୁଜାଣ ମନ୍ତ୍ରୀ ଅଛି ଜାଣ

ବଦ୍ରିକା ନଗ୍ରର ଏହି ଅଟେ ମନ୍ତ୍ରୀ ପୁଣ ।

 

ନୃସିଂହ ପ୍ରଭୁଙ୍କର ଏ ଅଟେ ମହାମନ୍ତ୍ରୀ

ଯାବତ ନ୍ୟାୟ କରିଣ କହେ କଥା ଯନ୍ତ୍ରି ।

ନୀଚଲୋକର କଥାକୁ କରେ ଆଗେ ନ୍ୟାୟେ

ଏହି ରୂପେ ବୁଝାମଣା କରଇ ସଦାଏ ।

ସମଦରଶତାପଣ ସବୁ ଲୋକ କରେ

ଏହାର ପରାୟେ କେହି ନାହିଁ ତିନିପୁରେ ।

ନୃସିଂହଗଣଙ୍କୁ ଏହି ଦ୍ୱିଜ ବୋଲି ବୋଲୁ

ସମସ୍ତେ ଜନ୍ମିବେ ବିଷ୍ଣୁ ଅଂଶୁ ମାୟାଜାଲୁ ।

 

ଏହା ଶୁଣି ମୁରାସୁର ରହେ କ୍ଷଣେ ଚାହିଁ

ବୋଇଲା ଏହାଙ୍କ ତୁଲେ ଯୁଦ୍ଧ ମୋର ନାହିଁ ।

ଅଶ୍ୱ ବା ମରନ୍ତୁ ମୋର ସୈନ୍ୟ ବା ମରନ୍ତୁ

ନୃସିଂହ ସଙ୍ଗେ ଯୁଦ୍ଧ ମୋ ଅଛି ଏକା ହେତୁ ।

 

ଆନକୁ ମାରିଲେ ମୋର ନ ହୋଇବ ତୋଷ

ନୃସିଂହ ଦେଖିଲି ମୁହିଁ ମାରିବି ଅବଶ୍ୟ ।

ଏରୂପରେ ବଚନ ସେ ରାଜାମୁଖୁଁ ଶୁଣି

ବାହିଲା ସ୍ୟନ୍ଦନ ଗୋଟି ଶୂନ୍ୟମାର୍ଗେ ଆଣି ।

 

ଶ୍ରୀନନ୍ଦିଘୋଷ ପାଶରେ ନେଇ ଉଭାକଲା

ଶ୍ରୀନୃସିଂହ ଏହି ବୋଲି ଚିହ୍ନାଇଣ ଦେଲା ।

ଦେଖିକରି ମୁରାସୁର ଚାହିଁ ଖଣ୍ଡେଦୂରୁଁ

ବୋଇଲା ତୁ ପରା ହେଲୁ ମୋ ପୁତ୍ରଙ୍କ ଗୁରୁ ।

 

ସତର ଲକ୍ଷ କୁମର ନବଲକ୍ଷ ନାତି

ଏହାଙ୍କୁ ମାଇଲୁ ତୁହି ହୋଇ ଗୁରୁମୂର୍ତ୍ତି ।

ପ୍ରଥମୁଁ ଅବିଶ୍ୱାସୀ ମୋ ହେଲୁ ଘରେ ଯାଇଁ

ବତ୍ସଗଣଙ୍କୁ ବିନାଶି ହେଲୁ ବାଳଦ୍ରୋହୀ ।

 

ପ୍ରତି ବାଳକେ ଅଟନ୍ତି ବଳେ ଇନ୍ଦ୍ରସରି

ଧନୁ ଧରିଥିଲେ ତାଙ୍କୁ ପାରନ୍ତା କେ ମାରି ।

ବ୍ରହ୍ମଶକ୍ତି ବ୍ରହ୍ମଶର ଧରିଥାନ୍ତେ ଯେବେ

ବ୍ରହ୍ମାଶିବ ହେଲେ ଭାଜିଯାନ୍ତେ ଆଗୁଁ ସର୍ବେ ।

 

ଆଦ୍ୟେ ଗୁରୁ ଦୁଜେ ବିଷ୍ଣୁ ଅଟୁ ପରା ପ୍ରଭୁ

ଏଡ଼େ ଲୋକ ହୋଇ ବାଳହତ୍ୟା କଲୁ ସବୁ ।

ତୋଠାରୁ ଅଧର୍ମୀହୋଇ ସଂସାରେ କେ ନାହିଁ

ଶୁଣି ନୃସିଂହ ହସନ୍ତି ମନେ ତୁନି ହୋଇ ।।

ମନେ ପାଞ୍ଚିଲେ ହୁଡ଼ି ନ ବୋଲେ କିସ ମୂର୍ଖ

ନ ଚିନ୍ତେ ଶ୍ୱାନ ଯେସନେ ବୃନ୍ଦାବତୀ ବୃକ୍ଷ ।

ତହିଁ ଉପରେ ଚଢ଼ିଣ ପରିସ୍ରା କରଇ

ସେହିରୂପେ ମୁରର ତ ପ୍ରକୃତି ଅଟଇ ।

 

ଏତେ ବୋଲି ମନ ମଧ୍ୟେ ଚିନ୍ତି ନାରାୟଣ

ବୋଇଲେ ପଦେ କହିବା ତୋତେ ଏବେଶୁଣ ।

ପୂର୍ବକାଳେ ଦିଗବିଜେ କଲୁ ପରା ତୁହି

ତୋର କଥା ଆଗ କହୁଅଛି ସିନା ମୁହିଁ ।

 

ତୁ ଯାଇ ଆମ୍ଭେ ନଗ୍ରରେ ପଡ଼ନ୍ତେଣ ମାଡ଼ି

ତରଛି ହୋଇ ମୂର୍ଚ୍ଛାରେ ଗଲେ ମୋତେ ଛାଡ଼ି ।

ଅଢ଼ାଇ ବର୍ଷର ପୁତ୍ର ମୁହିଁ ଥିଲି ହୋଇ

ପଲ୍ୟଙ୍କ ପରେ ଥିଲଇଁ ଅଚିନ୍ତାରେ ଶୋଇ ।

 

ତୁ ପୁଣି ମୋତେ ଧରିଣ ଶୂନ୍ୟେ ଗଲୁ ଉଡ଼ି

ଶୂନ୍ୟେ ଟେକି ପୁଣି ଦେଲୁ ଭୂମିରେ କଚାଡ଼ି ।

ବୁଝିଲେ ମୁଁ ବାଳକ ନ ଥିଲି କିହୋ ହୋଇ

ତୁ ବୋଲି କହୁ ଏହା ମୋ ଦେହ ସହୁ ନାହିଁ ।

 

ତୋର ପୁତ୍ରେ ବାଳକ କି ମୁଁ ଥିଲି ବାଳକ

ଏ କଥା ନ ବୁଝି କହୁଅଛୁ ଅବିବେକ ।

କେ ଶହେ ବରଷ କେହୁ ସତୁରୀ ବରଷ

ଏରୂପେ ଭୋଗକରି ତୋ ପୋଏ ଗଲେ ନାଶ ।

 

ଅଢ଼ାଇ ବର୍ଷର ପୁତ୍ର ହୋଇଥିଲି ମୁହିଁ

ମୋତେ ଧରି ଛେଚିଲୁ ତୁ ଭୂମିରେ ପକାଇ ।

କେଉଁ ଭାଗ୍ୟରୁ ତହିଁରୁ ରହିଲି ମୁଁ ବଞ୍ଚି

ତରଛି ହୋଇ ତୋହର ହାତୁଁ ଗଲି ଖସି ।

 

ଭୟ କରି ତୋତେ ମୁଁ ନ ଗଲି ଆନଦେଶେ

ନଗର ଭିତରେ ଲୁଚି ରହିଲଇଁ କ୍ଳେଶେ ।

ତେବେହେଁଖୋଜିଲୁ ତୁହି ମୋତେ ନଗ୍ରେ ଯାଇ

ନ ପାଇ ପୁର ପୋଡିଲୁ ତୁହି ଜଗି ରହି |

ନ ପାଇ ପୁଣି ଯାଇ ତୋର ରାଜ୍ୟେ ବାହୁଡ଼ିଲୁ

ଏରୂପେ ଆଗହୁଁ ତୁହି ଦୋଷୀ ହୋଇଥିଲୁ ।

ଯତ କରମ କୁରୁତେ ତତ୍କର୍ମ ଭୂଂକୁତେ

ଏରୂପେ ସଂସାର ବେଦ ଡାକୁଛି ନିରତେ ।

 

ପରର ଦ୍ରବ୍ୟକୁ ଚୋରି କରନ୍ତି ଯେ ଲୋକେ

ତାହାରଟି ଦ୍ରବ୍ୟ ଚୋରି ହୁଏ ବେଦବାକ୍ୟେ ।

ପରର ଭରିଯାକୁଟି ହରନ୍ତି ଯେ ବଳେ

ତାହାର ପତ୍ନୀକି ଆନ ହରେ ଯଥାକାଳେ ।

 

ପରର ଦୁହିତାକୁ ଯେ କରେ ମଇଥୁନ

ତାହାର ଦୁହିତାକୁଟି ହରେ ଆନ ଜନ ।

ପରକୁ ମାଡ଼ ଯେହୁଟି ମାରେ ବଡ଼ପଣେ

ତାହାକୁ କାଳରେ ମାଡ଼ ହୁଏ ଅକାରଣେ ।

 

ଏ କଥାମାନ ହେଜି ନ ପାରେ କେହି ଜାଣ

ତୁହି ଏବେ ମରୁଅଛୁ ବହି ବଡ଼ପଣ ।

ତୋହର ହିଂସା କୂଟ ସେ ତୋତେ ଅଛି ଜଗି

ତୋହ ଇଚ୍ଛାରେ ଆସିଛୁ ମୋତେ ମୃତ୍ୟୁ ମାଗି ।

 

ଆମ୍ଭର ଇଚ୍ଛାରେ ଆମ୍ଭେ ସୁଖେ ରାଜ୍ୟେ ଅଛୁ

ତୋ ମୂର୍ଖପଣରୁ ଆମ୍ଭେ ତୋତେ ଯେ ଜଗିଛୁଁ ।

ତୋହଠାରୁ ଗଜମୂର୍ଖ ସଂସାରେ କେ ଅଛି

ବିଧାତା ବୀର୍ଯ୍ୟରୁ ଜନ୍ମି ନ ଜାଣିଲୁ କିଛି ।

 

ବିଧାତା ବାପ ତୋହର ଏବେ ରଖିବ କି

ସନ୍ନିପାତ ମଳୁ ପ୍ରାୟ ହେଉଛୁ କାହିଁକି ।

ମୁରାସୁର ବୋଇଲା ଯେ ଏତେ ଗଲୁ କହି

ମୋ ଦେହକେ ପରଦାରା କେବେ କରି ନାହିଁ ।

 

ପରଦ୍ରବ୍ୟ ଚୋରି ମୁହିଁ କରି ନାହିଁ କେବେ

ତେଣୁ ଯେ ଅମର ବର ଦେଲେ ସଦାଶିବେ ।

ବୋଇଲେ ଅକ୍ଷୟବର ପାଇଲୁ ଯେ ତୁହି

ଜଳ ସ୍ଥଳ ଅନଳରେ କାହିଁ ଭୟ ନାହିଁ ।

ବ୍ରହ୍ମା ବିଷ୍ଣୁ ହର ହେଲେ ନ ପାରିବେ ମାରି

ବ୍ରହ୍ମପ୍ରଳୟ ଯାଏ ତୁ ଥିବୁ ଦେହ ଧରି ।

ଆତ୍ମାରୁ ଶରୀର ଧରି ସଂସାରେ ଯେ ଥିବେ

ଏହାଙ୍କ ହସ୍ତରେ ତୁହି ନ ମରିବୁ କେବେ ।

 

ଯେବଣ ଲୋକ ହସ୍ତରେ ମରିବୁଟି ତୁହି

ସେ କଥାଟି ଗୁପ୍ତ କରିଥିବା ତୋତେ କହି ।

ସେ କଥାକୁ ଶୁଣି ମୁହିଁ ବିଚାରଇ ଚିତ୍ତେ

ବୋଇଲି ଅପାର କାଳ କଥା ଏ ଜଗତେ ।

 

ପାଞ୍ଚିଲି ନରବିଷ୍ଣୁ ନ ପାରେ ମୋତେ ମାରି

ତେଣୁ ମୁଁ ତୋତେ ଜାଣି ନ ଥାଇ କେବେ ଡରି ।

ମାନବ ବିଷ୍ଣୁ ପରା ତୁ ଅଟୁ ଭାବଗ୍ରାହୀ

ନ ପାରିବୁ ଯୁଦ୍ଧେ ଜିଣି ମୋତେ କେବେ ତୁହି ।

 

ଏହା ଶୁଣି ନାରାୟଣ ମନେ ଅଳ୍ପ ହସି

ବୋଇଲେ କହିଲା ଭଲା ବର ମୋତେ ଆସି ।

ବରର କଥା କହିତ ଗୁପ୍ତ ନ କହିଲା

ସେ ଗୁପ୍ତ କଥାଯାକ ତ ମୋତେ ଜଣାଇଲା ।

 

ଏହି ଦାତ୍ୟକୁ ଅବଶ୍ୟ ମାରିବି ଯେ ମୁହିଁ

ପ୍ରଳୟଯାଏ ରହି ଶୁଣି ଦେହ ବହି ।

ଆମ୍ଭେ ତ ସଂସାରେ ପୁଣି ଅବତାର ହେଉ

ଦେହ ରଖି ନ ପାରି ବୈକୁଣ୍ଠେ ଯାଉଥାଉ 

 

ପ୍ରାଣୀମାନଙ୍କୁ ବିଧାତା ପୁଣି ଅଛି ସର୍ଜି

ଶତେକ ଉପରେ ଆଠବର୍ଷ ଅଛି ଖଞ୍ଜି ।

ସେ ପୁଣି ପାପ ଅର୍ଜିଣ ଅଳ୍ପେ ନାଶ ଯାନ୍ତି

ଷାଠିଏ ବର୍ଷ ଭିତରେ ସର୍ବେ ମରୁଥାନ୍ତି ।

 

ଶତବର୍ଷ ପୂର୍ଣ୍ଣ କରି ନ ପାରିନ୍ତି କେହି

ଏ ବୋଲୁଛି ପ୍ରଳେଯାଏ ଥିବି ଦେହ ବହି ।

ଏ ରୂପରେ ଉଚ୍ଚବାଚ ହୋଇଣ ନୃସିଂହ

ଦୈତ୍ୟକୁ ଦିଶିଲେ କାଳମୂର୍ତ୍ତି କରି ଅଙ୍ଗ ।

ଦେଖିଣ ମୁରାସୁର ଯେ ଆଗୁଁ ଟିକେ ଘୁଞ୍ଚି

କରରେ ଧରିଣ ଧନୁ ଶର ଦେଲା ଯୋଚି ।

ଧନୁର୍ବେଦ ପଢ଼ି ମନ୍ତ୍ର ମନେ ମନେ ଘୋଷି

ଲକ୍ଷେକ ନାରାଚ ଏକାବେଳଏ ଦେଲା ପେଷି ।

 

ଦେଖିଣ ନୃସିଂହ ତାହା ତୀକ୍ଷ୍‌ଣ ଶରେ ଛେଦି

ପୁଣିହିଁ ଲକ୍ଷେ ନାରାଚ ମୁରାସୁର ବିନ୍ଧି ।

ତହିଁକି ଯେ ପ୍ରତିଅସ୍ତ୍ର କରି ଭାବଗ୍ରାହୀ

ଖଣ୍ଡ ଖଣ୍ଡ କରି ଛେଦି ପକାଇଲେ ମହୀ 

 

କୁବେର ଶର ପେଷିଲା ପୁଣି ମୁରାସୁର

ବାୟୂଶରପେଷି ଛେଦିଦେଲେ ଚକ୍ରଧର ।

ନୃସିଂହ ପାଶେ କର୍ଣ୍ଣାଟେଶ୍ୱର ରାଜା ଥିଲେ

ମୁରକୁ ରଥିରେ ଦେଖି ଶର ବୃଷ୍ଟି କଲେ ।

 

କର୍ଣ୍ଣାଟେଶ୍ୱରକୁ ମୁର ଦେଖି କୋପ କଲା

ବୋଇଲା ଯମ ତୋହର ଏବେ ପ୍ରାଣ ନେଲା ।

ପଶିଲୁ କୃଷ୍ଣବଲ୍ଲଭ ଘରେ ଆସି ଗୋତି

ନୃସିଂହକୁ ସେବି ରଥଅଛୁ ଦିବାରାତି ।

 

ମୋତେ ମାରି ତୋତେ ରାଜା କରିବେଯେ ସେହୁ

ଭଲା ଏ କଥା ସଂସାରେ ତେବେ ଜଣାଯାଉ ।

ମୋହର ସମ୍ପତ୍ତି ପୁଣି କରିବୁ ତୁ ଭୋଗ

ଏହା ଶୁଣିଲାରୁ ମୋର କମ୍ପୁଅଛି ଅଙ୍ଗ ।

 

ନୃସିଂହ କି ରୂପେ ତୋତେ ରଖିବେ ଯେ ଆଜ

ମାରିବି ତୋତେ ତ ଆଜ ପ୍ରତିଜ୍ଞା ମୋ ବୁଝ ।

ଏତେ ବୋଲି ଧନୁର୍ବେଦ ପଢ଼ି ମୁରାସୁର

ଧନୁରେ ନେଇ ଯୋଚିଣ ବିନ୍ଧେ ଲକ୍ଷେଶର ।

 

ଏଥୁଅନନ୍ତରେ ଶ୍ରୀନୃସିଂହ ଭାବଗ୍ରାହୀ

ଗରୁଡ଼କୁ ଚାହାନ୍ତେ ସେ ଗଲା ଶୀଘ୍ର ଧାଇଁ ।

ନାରାଚମାନ ଆସୁଣୁ ବାଟ ଉଗାଳିଲା

ବେନି ଖଗେ ରୁଣ୍ଡିଆଇ ଭାଙ୍ଗି ପକାଇଲା ।

ଦେଖିକରି ମୁରାସୁର ମନେ କଲା ଶଙ୍କା

ବୋଇଲା କର୍ଣ୍ଣାଟ ଆରେ ବଞ୍ଚିଲୁ ତୁ ଏକା ।

ଶ୍ରୀବାବଲ ପାଶୁପତ ଅକ୍ଷୟ ନାରାଜ

ସବୁ ଶରଯାକ ବାଛି ପେଷିଥିଲି ଆଜ ।

 

ବ୍ରହ୍ମା ଇନ୍ଦ୍ର ହେଲେ ପୁଣି ନ ବର୍ତ୍ତନ୍ତେ କେହି

ତୋତେ କେଡ଼େ ଦୟା କରିଅଛି ଭାବଗ୍ରାହୀ ।

ନିଶ୍ଚେ ମୋ ନଗ୍ରେ କରିବେରାଜା ତୋତେହରି

ତୋ ପରା ଭାଗ୍ୟ କେ ମହୀମଧ୍ୟେ ନାହିଁ କରି ।

 

କେତେ ଦ୍ରବ୍ୟ ରହିଅଛି ମୋର ଭଣ୍ଡାରରେ

ତାହା ସବୁ ଭୁଞ୍ଜିବୁ ତୁ ନୃସିଂହ କୃପାରେ ।

ଯେତେ ନାରାଚ ବିନ୍ଧି ମୁଁ ଥିଲି ଆଜ ତୋତେ

ତହୁଁ ବଞ୍ଚିଲୁ ଆଉ ନ ମରୁ କଦାଚିତେ ।

 

ବିନ୍ଧିଲି ଯେତେକ ଶର ରଖିଲେ ତ ହରି

ହରି ରଖିଲାରୁ ଆଜ ରହିଲୁ ନ ମରି ।

ଏତେ ବୋଲି ମୁରାସୁର ଶର ଆମଞ୍ଚିଲା

ନୃସିଂହଙ୍କୁ ଚାହିଁ ଲକ୍ଷେ ନାରାଚ ବିନ୍ଧିଲା ।

 

ତୀକ୍ଷ୍‌ଣଶର ପେଷି ଛେଦି ଦେଲେ ଭାବଗ୍ରାହୀ

ତାହା ଦେଖି ମୁରାସୁର ମନେ କୋପ ବହି ।

ବଜ୍ର ଶକତିଏ ଧରି ପେଷିଲା ବହନ

ଚାହାନ୍ତେଣ ପ୍ରଭୁ ପକ୍ଷୀ ଜାଣେ ବିଷ୍ଣୁ ମନ ।

 

ତତକ୍ଷଣେ ଅଧବାଟୁଁ ଯକ୍ଷ ଦେଲା ଆଡ଼ି

ବାଜି ବଜ୍ରଶକ୍ତି ପଡ଼ିଗଲା ତଳେ ଝଡ଼ି ।

ଖଣ୍ଡ ଖଣ୍ଡ ହୋଇ ବଜ୍ରଶକ୍ତି ଗଲା ଭାଞ୍ଜି

ଦେଖିକରି ମୁରାସୁର ମନୁ ଲଜ୍ଜା ତେଜି ।

 

କୋପକରି ମୁରାସୁର ଚାହେଁ ଦଣ୍ଡେଯାଏ

ବୋଇଲା ଧନ୍ୟରେ ପକ୍ଷୀ ତୋର ବାପ ମାଏ ।

ଜନମ ଲଭି କେ ମାତା ଦୁଧ ଖାଉ ନାହିଁ

ତୋତେ ଯେ ଜନ୍ମକଲା ସେ ବଡ଼ ପୁଣ୍ୟଦେହୀ 

ସଂସାରଯାକ ସମସ୍ତେ ଅନ୍ନ ନ ଖାନ୍ତି କି

ତୋହପରି କାହାକୁ ମୁଁ ନଜରେ ଆଣେ କି ।

ତୁହି ଅବା କିସ ଖାଉ ମୋତେ ନାହିଁ ଜଣା

ଅନ୍ନଭୁଞ୍ଜା ଲୋକକୁ ତୁ ନୋହୁ ପକ୍ଷି ଊଣା ।

 

ତୁହି ଅନ୍ନଭୁଞ୍ଜା ଲୋକ ଯେବେ ହୋଇଥାନ୍ତୁ

ଏକା କାଣ୍ଡକେ ଘଟାନ୍ତି ଆଜ ତୋର ମୃତ୍ୟୁ ।

ଶୁଣିଣ ବଇନତେୟ ଆଡ଼ଚିରା ମାରି

ବସିଲା ମୁର ଆଗରେ ବେନି ଖଗ ଡେରି ।

 

ବୋଇଲା ମୋର ଭୋଜନ ଶୁଣିବୁ କି ତୁହି

ଗୋବିନ୍ଦ ମକରନ୍ଦ ମୁଁ ସଦା ଭୁଞ୍ଜୁଥାଇ ।

ସେ ମକରନ୍ଦ ଚିହ୍ନି କେ ନ ପାରଇ ଭୁଞ୍ଜି

ଶାସ୍ତ୍ର ପଢ଼ି ପଢ଼ି ସର୍ବେ ହେଉଥାନ୍ତି ଗଞ୍ଜି ।

 

ଶାସ୍ତ୍ର୍ ମଧ୍ୟେ ସାରସ୍ୱତ ଅଟନ୍ତି ଗୋବିନ୍ଦ

ସେ ଗୋବିନ୍ଦ ପାଦପଦ୍ମୁ ଗଳେ ମକରନ୍ଦ ।

ସେ ମକରନ୍ଦ ଭୁଞ୍ଜି ମୁଁ ଅଟେ ବଳୀୟାର

ତେଣୁ ଏହି ଦେହ ମୋର ଅଟେ ଅଜ୍ରାମର ।

 

ଗୋବିନ୍ଦ ପାଦପଦ୍ମଟି ଅଟେ ସୁଧାରସ

ତାହା କେ ଚିହ୍ନିଣ ଭୁଞ୍ଜିନ ଜାଣେ ମନୁଷ୍ୟ ।

ସବୁରି ନାସା ଅଗ୍ରେ କେ ବାସନା ଘେନୁଛି

ସେ କଥାମାନ ଚିହ୍ନି ନ ଜାଣେ ପ୍ରାଣୀକିଛି ।

 

ଗୋବିନ୍ଦ ପାଦ ପ୍ରକାଶିଅଛି ଚକ୍ରପ୍ରାୟେ

ଶୀତଳ ମଧୁ ଧାରା ତ ନାସାରନ୍ଧ୍ରେ ବହେ ।

ସୁଗନ୍ଧ ଗନ୍ଧ ଦୁଇଟି ଘେନେ ଆତ୍ମା ଆଗ

ପ୍ରକୃତିଗଣେ ବିକାର ପଛେ ହୋନ୍ତି ବେଗ ।

 

ଆତ୍ମା ପୁରୁଷ ବାସନା ଆଗ ଦିଏ ଖାଇ

ପ୍ରକୃତିଗଣେ କରନ୍ତି ତାକୁ ଛିଇ ଛିଇ ।

କିସ ବସିଲା ତା ବୋଲିଣ ବିକାର ହୁଅନ୍ତି

ଆତ୍ମା ବାସନା ଘେନିଲା ବୋଲି ନ ବୋଲନ୍ତି ।

ବାସନା ଦୁର୍ଗନ୍ଧ ନାକେ ପଶିଲା ଉତ୍ତାରୁ

ନାସାରେ ବସନ ଦେଇ ଚାଲେ ଖଣ୍ଡେ ଦୂରୁ ।

ଭଲଙ୍କୁ ଘେନି ତେଜନ୍ତେ ପ୍ରଭୁ ଯେବେ ମନ୍ଦ

କାହିଁକି ବୋଲନ୍ତି ସେହି ଅଟେ ପୂର୍ଣ୍ଣାନନ୍ଦ ।

 

ତୁହି ଯେବେ ପଦ୍ମପାଦୁ ସୁଧା ପାଉଥାନ୍ତୁ

କାହିଁକି ମରନ୍ତୁ ତୁହି ହୋଇଲ ଅପମୃତ୍ୟୁ ।

ଅପମୃତ୍ୟୁରେ ମରନ୍ତି ସିନା କେତେ ଲୋକ

ଏ କଥା ଗୋଚର କପି ନ ଜାଣେ କେତେକ ।

 

ଅନେକ ଲୋକ ସଂସାରେ କେତେ ଯାନ୍ତି ଏଡ଼ି

କଳ୍ପ କଳ୍ପରେ କେହୁ ବା ମରନ୍ତି ବାହୁଡ଼ି ।

ତୁହି ତ ପ୍ରଳୟ ଯାଏ ଅମର ହୋଇଲୁ

ଅପମୃତ୍ୟୁ ଯୋଗୁଁ ଏବେ ମରଣ ଲୋଡ଼ିଲୁ ।

 

ବୁଝିଲେ ତୋହର ଏହା ନୁହଇ ଆୟତ୍ତ

ତୋତେ ମାରିବାକୁ ଜନ୍ମିଛନ୍ତି ଲକ୍ଷ୍ମୀକାନ୍ତ ।

ଯେ ଦିନ ବରୁଣ ପୁରେ ଲାଖ ବିନ୍ଧି ଗଲୁ

ଲକ୍ଷ୍ମୀଙ୍କି ହରିବୁ ବୋଲି ମନେ ବିଚାରିଲୁ ।

 

ଜଗତ ଜନନୀ ଅଟେ ସେ ସବୁରି ମାତା

ମାତାଙ୍କୁ ହରିବୁ ବୋଲି ମନେ କଲୁ ଚିନ୍ତା ।

କମଳା ମାତାଙ୍କ ଆଗେ ମନ ପୌଢ କଲୁ

ମୁହିଁ ବିଷ୍ଣୁ ବୋଲି ଲକ୍ଷ୍ମୀ ଛାମୁକୁ ତୁ ଗଲୁ ।

 

ସେହିଠାରୁ ମୃତ୍ୟୁ ତୋତେ ଘୋଟିଲାଣି ଜାଣ

ହର ବ୍ରହ୍ମା ହେଲେ ରଖି ନ ପାରେ ତୋ ପ୍ରାଣ ।

ମୁର ବୋଇଲା ତୁହି ରେ କହିଲୁ ଏ ଛାର

ଏକା ବ୍ରହ୍ମଶରକରେ ନାଶିବି ଶ୍ରୀଧର ।

 

ମାନବ ବିଷ୍ଣୁ ସିନା ଏ ଅଟେ ବ୍ରହ୍ମରାଶି

ଦେଖିବା ରଖିବ କେଉଁ ବାପ ତାକୁ ଆସି ।

ଶ୍ରୀଲକ୍ଷ୍ମୀକାନ୍ତ ବୋଲି ଏ କାହିଁକି ବୋଇଲୁ

ନ ଜାଣିବାପଣେ ତୁହି ଏ କଥା କହିଲୁ ।

ମୋତେ ଡରି ବିଷ୍ଣୁଦେବ ମଞ୍ଚେ ନ ଜନ୍ମିଲା

କ୍ଷୀର ବଇକୁଣ୍ଠେ ପଶି ଲୁଚିଣ ରହିଲା ।

ତୁ ବୋଲୁ ମାରିବେ ଲକ୍ଷ୍ମୀକାନ୍ତ ତୋତେବୋଲି

ଅପାର କାଳ ଏ କଥା ତୋ ଆଗେ କହିଲି ।

 

କୃଷ୍ଣବଲ୍ଲଭର ପୁଅ ନରବିଷ୍ଣୁ ଜାଣ

ୟାକୁ ମାଇଲା ଯାଏ ମୁଁ ହୋଇଛି ଅଜ୍ଞାନ ।

ଏ ମଲେ ମୋହର ଯିବ ମନୁ ଭୟକ୍ରାନ୍ତି

ସେ ଠାବରୁ ହେବି ମୁହିଁ ମନୁ ଏକ ଚକ୍ରବର୍ତ୍ତୀ ।

 

ଏତେ ବୋଲି ମୁରାସୁର ଧନୁ ଧରି କରେ

ବିନ୍ଧିଲା ଲକ୍ଷେ ନାରାଚ ନୃସିଂହ ଉପରେ ।

ଗରୁଡ଼ ଦେଖିଣ ତାହା ସହି ନ ପାରିଲା

ବେନି ଖଣ୍ଡେ ରୁଣ୍ଡିଆଇ ଭାଙ୍ଗି ପକାଇଲା ।

 

ମୁରାସୁର ବୋଇଲାରେ ଧନ୍ୟ ଧନ୍ୟ ପକ୍ଷି

ଏରୂପେ ଭୃତ୍ୟ ଥିଲେଟି ସାଆନ୍ତ ସେ ସୁଖୀ ।

ରଣସ୍ଥଳେ ସାଆନ୍ତୁକୁ ରଖେ ଯେ ଆବୋରି

ତାହାର ପ୍ରାୟ ଭୃତ୍ୟ ନ ମିଳେ ତିନିପୁରୀ ।

 

ଭରତାକୁ ସୁଲକ୍ଷଣା ଭାର୍ଯ୍ୟା ଯେବେ ମିଳେ

ଶୁକ୍ଳପକ୍ଷ ଚନ୍ଦ୍ର ପ୍ରାୟେ ବଢ଼େ ସେ ନିରୋଳେ ।

ପିତା ଥାଉ ପୁତ୍ର ଯେବେ କୁଳଶ୍ରେଷ୍ଠ ହୁଏ

ଚନ୍ଦ୍ର ଉଦେ ପ୍ରାୟ ସୃଷ୍ଟି ମଧ୍ୟେ ଶୋଭାପାଏ ।

 

ଶାଶୁ ବଚନଟି ଯେବେ ବୋହୁ ପ୍ରତିପାଳେ

ସେ ବୋହୁ ପ୍ରାୟ ବୋହୁ ନ ମିଳେ ଭୂମଣ୍ଡଳେ ।

ବୋହୁକୁ ଆଦୋଷ ଶାଶୁ ଯେବେ ଦଣ୍ଡଦିଏ

ତାଠାରୁ ପାତକୀ ସୃଷ୍ଟି ମଧ୍ୟେ ନାହିଁ କିଏ ।

 

ସଭାରେବସି ସତ୍ୟେ ନ କଲେ ବୁଝାମଣା

ମହାପାତକୀ ଲୋକରେ ଅଟେ ସେହୁ ଗଣା ।

ପକ୍ଷପାତ କରି ଯେହୁ ନିଶାପ କରଇ

ତାହାଠାରୁ ଗୂଢ଼ ପାପୀ ସଂସାରେ କେ ନାହିଁ ।

ପଣଥିବା ଲୋକେ ଯେବେ ନୋହେ କ୍ଷମାଶୀଳ

ସଂସାରେ ସେହି ପୁରୁଷ ଅଟଇ ଚାଣ୍ଡାଳ ।

ଭୃତ୍ୟ ହୋଇଣ ଉତ୍ତର ଦିଅନ୍ତି ସେ ଜାଣ

ସେ ଲୋକକୁ ପାଖେ କେହି ନ ବସାଏ ପୁଣ ।

 

ଭାରିଯା ହୋଇଣ ଯେବେ ନୁହଇ ସୁଶୀଳା

ତାହାଠାରେ ସର୍ବକର୍ମ ହୁଏ ଅଶୃଙ୍ଖଳା 

ବ୍ରାହ୍ମଣ ହୋଇ ଶୂଦ୍ରଙ୍କୁ ସେବା ଯେବେ କରେ

ତାର ପାଣି ପିତୃଗଣେ ନ ପାନ୍ତି ଶ୍ରାଦ୍ଧରେ ।

 

ଯୁବତୀ ହୋଇଣ ଯେବେ ସ୍ୱାମୀକି ଲୁଚାଇ

ପର ପୁରୁଷରେ ରତି କରେ ଶ୍ରଦ୍ଧା ବହି ।

ଶତେକ ଜନ୍ମଯାଏ ସେ ଜନ୍ମେ ଶ୍ୱାନ ମତେ

ତାହାର କ୍ରୀଡ଼ା ସଂସାରେ ଦେଖନ୍ତି ସମସ୍ତେ ।

 

ଯେଉଁଠାରେ ବେନିଜନେ ଲାଗୁଥିବ ଯୁଦ୍ଧ

ଶସ୍ତ୍ର ମରାମରି ହୋଇ କରୁଥିଲେ ସାଧ୍ୟ ।

ସେଠାରେ ଆଉ ଜଣକେ ଲାଗେ ଯେବେ ଆସି

ଶତେକ ଜନ୍ମଯାଏ ସେ ହୁଏ ବ୍ରହ୍ମଦୋଷୀ ।

 

ନୃସିଂହ ସଙ୍ଗେ କରିବି ଆଜ ମୁହିଁ ଯୁଦ୍ଧ

ଚିହ୍ନିବି କେଡ଼େ କ୍ଷତ୍ରୀ ସେ ଅଟଇ ପ୍ରସିଦ୍ଧ ।

ଦେଖଣାହାରୀ ହୋଇଣ ରହ ତୁମ୍ଭେମାନେ

ସେ କେହ୍ନେ ବିନ୍ଧଇ ଶର ମୁଁ ବିନ୍ଧେ କେସନେ ।

 

ବୋଇଲେ ନୃସିଂହ ସ୍ୱାମୀ ହେଉ ଆଚ୍ଛା ଆଚ୍ଛା

ପାଞ୍ଚିଲେ ମୁରର ପୂରିଗଲା ମନୋବାଞ୍ଛା ।

ଶେଷଦେବଙ୍କୁ ଚାହିଁଣ ନୃସିଂହ କହିଲେ

ଆରେ ବାବୁ ଆଉ ଶସ୍ତ୍ର ନ ବିନ୍ଧ ବୋଇଲେ ।

 

ଗରୁଡ଼ କର୍ଣ୍ଣଟେଶ୍ୱର ସୁକାଶ ମନ୍ତ୍ରୀକି

ତାହାଙ୍କୁ ଚାହିଁଣ ଆଜ୍ଞା ଦେଲେ ମୁଖ ଟେକି ।

ବୋଇଲେ ହେ କ୍ଷଣେ ତୁମ୍ଭେ ଅପସରି ରହ

ମୁରାସୁର ତୁଲେ ଆମ୍ଭ ଯୁଦ୍ଧ ଦେଖୁଥାଅ ।

ଧର୍ମଶାସ୍ତ୍ରେ କଲେ ଯୁଦ୍ଧ ନ କରିବ ଶଙ୍କା

ଛଦ୍ରମେ ଯୁଝିଲେ ମୁଖ କରିବଟି ବଙ୍କା ।

ଏତେ ବୋଲି ଧନୁଶର ଧରି ଜଗନ୍ନାହା

ମାତଳିକି ବୋଇଲେ ହେ ରଥମୋର ବାହା ।

 

ମୁରର ଆମ୍ଭର ଯେହ୍ନେ ହେବ ଏକଦୃଷ୍ଟି

ସେରୂପେ ରଖିବୁ ନନ୍ଦିଘୋଷ ସଳଖିଟି ।

ତାହାର ଆମ୍ଭର କେଡ଼େ ହେବ ଶରବିନ୍ଧା

ଦେଖିବା ସେ ମୁରାସୁର ଅଟେ କେଡ଼େ ଯୋଦ୍ଧା ।

 

ମାତଳି ବୋଇଲା ସ୍ୱାମୀ ଶୁଣ ଲକ୍ଷ୍ମୀକାନ୍ତ

ତୁମ୍ଭ ପରିଚାର ନରଦୈତ୍ୟ ସର୍ବେ ଜାତ ।

ମୁର ପ୍ରାୟ ଲକ୍ଷେ କରି ପାରେ କି ତୁମ୍ଭଙ୍କୁ

ବାଜି ତୁମ୍ଭ ପାଦ ହୋଇଯିବ ଧୂଳିପଙ୍କୁ ।

 

ଯେବଣ ପାଦରୁ ଗଙ୍ଗା ବହୁଛି ପୃଥ୍ୱୀକି

ସେ ପାଦପଦ୍ମ ନ ଚିହ୍ନି କେ କାହିଁ ଅଛି କି ।

ପୂର୍ବକାଳେ ମୁରାସୁର ତପ କରୁଥିଲା

ସେ ପାଦ ପାଇବ ବୋଲି ଯୁଦ୍ଧକୁ ବାହିଲା ।

 

ଯୁଦ୍ଧକୁ ଆସିଲେ ହେଲେ ପ୍ରତେ କରୁନାହିଁ

ନଜରେ ମାନବ ବୋଲି ସେହି ନ ଆଣଇ ।

ଏକମୁଖ ହୋଇ ରଣ କରିବ ଯେ କାଳେ

ତୁମ୍ଭର ଦେଖିବ ସସ୍ରେ ପାଦ ବେନି ଡୋଳେ 

 

ତେବେ ଯାଇଁ ବିଷ୍ଣୁ ବୋଲି ତୁମ୍ଭଙ୍କୁ ଚିହ୍ନିବ

ଏତେକାଳେ ଆସି ମୋକ୍ଷ ହୋଇଲି ବୋଲିବ ।

ବୟାଶୀ ଗଣ୍ଡା ଯୁଗ ତ କଲା ଏବେ ଭୋଗ

କି ରୂପେ ମରିବ ବୋଲି ହେଉଛି ଉଦ୍‌ବେଗ ।

 

ଆୟୁଷ ଆଉଁଣୁ ଜାର ପ୍ରାଣୀ ହେତୁ ବୁଡ଼େ

ମଲେ ଗଲେ ଭଲ ହୋନ୍ତା ବୋଲି ଡକାପାଡେ ।

ସୁଖ ପାଇବା ପାଇଁକି ଆଶା ଜନ୍ମ ଥାଇ

ଭଲ ଖାଇବା ବୋଲିଣ ଶରୀର ବହଇ ।

ସେହି ଆତ୍ମାକୁ କଦର୍ଯ୍ୟ କରନ୍ତି ଯେ ପ୍ରାଣି

ଆତ୍ମଘାତୀ ବୋଲି ତାଙ୍କୁ ପୁରାଣେ ବଖାଣୀ 

ଆତ୍ମାକୁ କୁଶଳ ଯେ ନ କରେ ଦେହ ବହି

ସେ ପ୍ରାଣୀ ମହାପାପୀଟି ବ୍ରହ୍ମାଣ୍ଡେ ଅଟଇ ।

 

ଆତ୍ମାକୁ କୁଶଳ କଲେ ସର୍ବ ହୋଏ ସିଦ୍ଧି

ଏ ଭବସଂସାରୁ ସେହି ତରନ୍ତି ଅବଧି ।

ଆତ୍ମାକୁ କୁଶଳ କଲେ ଜ୍ଞାନ ସିଦ୍ଧିହୋଏ

ଆତ୍ମାକୁ କଦର୍ଯ୍ୟ କଲେ ରୋଗ ଘୋଟେ ଦେହେ ।

 

ଚଉଷଠୀ ରୋଗ ମଧ୍ୟୁ ଥୋକେ ରୋଗ ଆସି

ଆତ୍ମା ଦୁଃଖ ପ୍ରାନ୍ତେ କରୁଥାନ୍ତି ଦେହ କ୍ଳେଶି ।

ଆତ୍ମା କୁଶଳ ପ୍ରାଣୀଏ ପୃଥ୍ୱୀକି ଅମୂଲ୍ୟ

ଅବିବେକ ଲୋକ ବୋଲେ ମଲେ ହୋନ୍ତା ଭଲ ।

 

ଆୟୁ ଥାଉଁ ଥାଉଁ ମୃତ୍ୟୁଠାରେ କରେ ମନ

ବେଶି ଜୀଇଁବା ଲୋକର ନ ସରଇ ଦିନ ।

ଚାରିବାହୁ ଚଳୁ ଚଳୁ ଗଲେ ଏକା ସୁଖ

ଏରୂପେ ଯେ ଆତ୍ମା ଘାତୀ ହୁଅନ୍ତି ବିମୁଖ ।

 

ଆୟୁଷ ଥାଉଁ ଥାଉଁ ସେ ବୋଲନ୍ତି ମରିବା

ସେହିରୂପେ ମୁରାସୁର ପ୍ରକୃତି ଜାଣିବା ।

ବ୍ରହ୍ମପ୍ରଳୟ ପର୍ଯ୍ୟନ୍ତେ ଅଛି ଆୟୁ ପାଇ

ଏରୂପେ ଜୀଇଲେ ଏ କି ପୃଥ୍ୱୀ ରଖିବଇଁ ।

 

ତେଣୁ ସେ ଦୁଷ୍ଟ ପଣରୁ ବିଷ୍ଣୁଙ୍କୁ ନ ମାନେ

ପ୍ରଭୁଙ୍କୁ ମାନବ ବିଷ୍ଣୁ ବୋଲି ମନେ ଘେନେ ।

ବିଷ୍ଣୁର ସହସ୍ରେ ପାଦ ନେତ୍ରେ ନ ଦେଖନ୍ତେ

ତେଣୁ ଏ ବିଷ୍ଣୁ ବୋଲି ନ ମାନେ କଦାଚିତେ

 

ଯହିଁକି ସେ ନ ମାନଇ କହିବା ତା ଶୁଣ

ସନ୍ଧି ଗଣ୍ଠିପାଡି ଧରିଅଛି ମୁର ଜାଣ ।

ଜନନୀମାନେ ବାଳକ ଯେତେ ପ୍ରସବନ୍ତି

ବେନି ପାଦରେ କୁମାର ମାନରି ଉପୁଜାନ୍ତି ।

ଏହିରୂପେ ପୁତ୍ର ଜନ୍ମ ମାତା ଦଶଶିର

ଲୋଚା ହୋଇ ପଡ଼ିଣ ଯେ ପଡ଼ନ୍ତି ଭୂମିର ।

ନିର୍ଜୀବେ ପଡ଼ି ଉଠନ୍ତି ପୁଣି କେତେବେଳେ

ବାସ ସମ୍ଭାଳି ଧରନ୍ତେ ତନୟକୁ କୋଳେ

 

ସବୁ ସ୍ତୀରି ପ୍ରାୟ ବିଷ୍ଣୁ ମାତା ନୁହଇ କି

ସହସ୍ରେ ଚରଣ ଧରି ଗର୍ଭେ ବହିବ କି ।

ତନୟ ଜନ୍ମ ନୋହୁଣୁ ଗର୍ଭ ଯିବ ଫାଟି

କି ରୂପେ ସହସ୍ର ପାଦ ଜନ୍ମିବେ ବିଷ୍ଣୁଟି ।

 

ଜନ୍ମ ହୋଇ ମାତା ଗର୍ଭେ ପୁତ୍ର ମରିଯିବ

ପୁତ୍ର ମଲେ ମାତା ପଛେ ପ୍ରାଣ ବିସର୍ଜିବ ।

ଏହିରୂପେ ହେଲେ ବିଷ୍ଣୁ ଜନ୍ମେ କଦାଚିତେ

ମୁହିଁ ହେଲେ ନ ମରଇ ନର ବିଷ୍ଣୁ ହାତେ ।

 

ଏହିରୂପେ ସବୁବେଳେ ଦୈତ୍ୟ ମନେ ପାଞ୍ଚି

ମାନବ ବିଷ୍ଣୁ ବୋଲିଣ ହେୟ କରୁଅଛି ।

ତୁମ୍ଭେ ଅନ୍ତର୍ଯ୍ୟାମୀ ଜାଣ ସବୁରିତ ମନ

ମୁର୍ଖ ଲୋକର ଚିତ୍ତକୁ ତତ୍କାଳରେ ଚିହ୍ନ ।

 

ଦୁଷ୍ଟ ପାପୀ ଲୋକକୁ ଯେ ନିବାରିବା ପାଇଁ

ମଞ୍ଚେ ଅବତାର ହୁଅ ନର ଦେହ ବହି ।

ବୈରୀ ଲୋକକୁ ତ ଯାଅ ତତ୍କାଳରେ ଚିହ୍ନି

ଭୃତ୍ୟକୁ ଯେ ରଖ ପ୍ରଭୁ ହୋଇ ଆମ୍ଭୋଦାନୀ ।

 

ଏ ଦୁଅ ଲୋକର କଥା ତୁମ୍ଭେ ଜାଣ ସବୁ

ଆମ୍ଭପ୍ରାୟ ଲକ୍ଷ ଲୋକ କହି କି କରିବୁଁ ।

ତୁମ୍ଭ ପଦ୍ମପାଦ ଯେବେ ଆଗୁଁ ନ ଜନ୍ମାନ୍ତା

କି ରୂପେ ବୈକୁଣ୍ଠପୁରେ ବଳି ରାଜା ଯାନ୍ତା ।

 

ଏ କଥା ପୁରାଣେ ଶୁଶିଅଛି ମୁରାସୁର

ପ୍ରକୃତି ମନ୍ଦେ ତୁମ୍ଭଙ୍କୁ ନ ମାନେ ପାମର ।

ଏ କଥା ଶୁଣିଣ ପ୍ରଭୁ ମନେ ତୃଷ୍ଟ ହେଲେ

ମାତଳିକି ଚାହିଁ ମନେ ବହୁ ପ୍ରଶଂସିଲେ ।

ଦେବଦେହୀ ହେବାରୁ ତୁ ଚିହ୍ନିଲୁ ଆମ୍ଭଙ୍କୁ

ଆନ ଲୋକେ କେହିଁ ଚିହ୍ନି ନ ପାରେ ବିଷ୍ଣୁଙ୍କୁ ।

ମୁର ଆୟୁ ଆଉ ତିନି ପ୍ରହରେକ ଅଛି

ଦେଖ ଯୁଦ୍ଧ ଆଜ ମୁହିଁ କିରୂପେ କରୁଛି ।

 

ଏତେ ବୋଲିଣ ନୃସିଂହ ଉଠି ନିଶ ମୋଡ଼ି

ଧନୁ ରେ ଶର ଯୋଚିଣ କଷି କରେ ଭିଡ଼ି ।

ମାତଳିକି ଆଜ୍ଞାଦେଲେ ରଥ ବେଗେ ବାହା

ମୁରାସୁର ଆଗେ ନେଇ ଅଶ୍ୱ କର ଠିଆ ।

 

ଶୁଣିଣ ମାତଳି ଶ୍ରୀଘ୍ର ବାହେ ନନ୍ଦିଘୋଷ

ମୁର ଆଗରେ ପ୍ରଭୁଙ୍କୁ ନେଇ କଲା ଦୃଶ୍ୟ ।

ଶ୍ରୀମୁଖ ଦେଖିଣ ମୁର ନିରେଖି ଚାହିଁଲା

ଦଣ୍ଡେକ ପର୍ଯ୍ୟନ୍ତେ ଚାହିଁ ମନେ ପାଞ୍ଚକଲା ।

 

ବୋଇଲା ଏହୁ ଅଟଇ ନିଶ୍ଚେଁ ଯେବେ ହରି

ଆଜଯାଏ ଥାଆନ୍ତା କି ଏ ମୋତେ ନ ମାରି ।

ହରିବିନା ମୁହିଁ ଜାଣ ଆନେ ନ ମରଇ

ବ୍ରହ୍ମ ପ୍ରଳୟ ପର୍ଯ୍ୟନ୍ତେ ଅଛି ବର ପାଇ ।

 

ଏତେ ବୋଲି ମୁରାସୁର ନିଶ କରେ ମୋଡ଼ି

ନୃସିଂହଙ୍କୁ ବୋଇଲାକ ଯାଅ ଯା ବାହୁଡ଼ି ।

ନିର୍ଲ୍ଲଜ୍ଜ ଗର୍ଭର ତୁମ୍ଭେ ଅଟ ବେନି ବଳା

ତୁମ୍ଭଙ୍କୁ ପିତା ତୁମ୍ଭର କଲା ଅଂଶଖୋଳା 

 

ତୁମ୍ଭଙ୍କୁ ସେହି କି ବୋଲି ଯୁଦ୍ଧେ ଦେଲା ପେଷି

ଆଖଡ଼େ ମରିଲ ଏବେ ମୋର ହସ୍ତେ ଆସି ।

ତୁମ୍ଭର ଏ କୁଟବୁଦ୍ଧି ଦେଖି ବାପ ମାଏ

ବୋଇଳେ ମରରେ ପଶି ଯୁଦ୍ଧେ ବେନି ପୋଏ ।

 

ଏ ଦୁହେଁ ମରିଲେ ଆମ୍ଭେ ମୁରାସୁରେ ଭେଟି

ସୁଖରେ ଭୋଗ କରିବା ଏହି ରାଜ୍ୟଗୋଟି ।

ଶୁଣିଣ ନୃସିଂହ ସ୍ୱାମୀ ମନେ ହସି ଅଳ୍ପ

ବୋଇଲେ ତୋ ବାପପ୍ରାୟ ହେବ କି ମୋ ବାପ ।

ବୁଝିଲେ ଅଟନ୍ତି ଆମ୍ଭ ବାପା ବେଦତତ୍ତ୍ୱ

ତୋତେ ମାରିବାପାଇଁକି ମୋତେ କଲେ ଜାତ ।

ତୋ ବାପ ଅଟନ୍ତି ହେଲେ ବେଦବ୍ରହ୍ମା ବିହି

ତା ବୀର୍ଯ୍ୟରୁ ଜନ୍ମିଲୁ ତୁ ଦୈତ୍ୟଦେହବହି 

 

ଅସୁର ହେବାରୁ ତୁହି ଜାଣି ନ ପାରିଲୁ

ମାନବ ବିଷ୍ଣୁ ବୋଲି ତୁ ମୋତେ ନ ଚିହ୍ନିଲୁ 

ତୁ ବୋଲୁଥାଉ ମୋଠାରୁ ବଳି ନାହିଁ କ୍ଷତ୍ରୀ

ସବୁଙ୍କୁ ମାରିପାରେ ମୁଁ ଶରମୁନେ ଗୁନ୍ଥି ।

 

ରଥ ତେଜି ଏବେ ଭୂମିମଧ୍ୟେ ହୁଅ ଉଭା

ପଟୁଆର ଯୁଦ୍ଧ କରି ଧନୁ ଆମଞ୍ଚିବା ।

ଆମ୍ଭେ ତ ନୋହୁ କ୍ଷତ୍ରୀ ତୁ ସିନା ମହାକ୍ଷେତ୍ରି

ବିନ୍ଧିବା ନାରାଚ ଉଭା ହୋଇଣ ଧରିତ୍ରୀ ।

 

ମୁର ବୋଇଲା ସତ୍ୟ ଏ କ୍ଷତ୍ରି ବୃତ୍ତି ଏହି

ଭୂମିରେ କରିବା ଯୁଦ୍ଧ ଆଣ୍ଠୁ ଭାର ଦେଇ ।

ରଥରୁ ତେବେ ଓହ୍ଲାଇ ଗଲିଟି ଭୂମିକି

ତୁମ୍ଭେ ମଧ୍ୟ ରଥ ତେଜି ଆସିବ ନାହିଁକି ।

 

ନୃସିଂହ ବୋଇଲେ ଯେଣୁ ଧର୍ମେ ଆମ୍ଭେ ଅଛୁ

ତୁ ସିନା କ୍ଷତ୍ରିୟ ବୋଲି ମୋତେ ନ ମାନୁଛୁ ।

ଏତେ ବୋଲି ରଥୁ ଅବତରି ନାରାୟଣ

ପୃଥ୍ୱୀରେ ଉଭା ହୋଇଲେ ଯାଇଁ ତତକ୍ଷଣ ।

 

ଦେଖଣାହାରୀ ରହିଲେ ସର୍ବେ ତହି ଚାହିଁ

ନୃସିଂହ ମୁର ଯୁଦ୍ଧ କିରୂପେ ହେବ ମହୀ ।

ଶୂନ୍ୟରେ ଥାଇଁଣ ଦେବେ ନିରୀକ୍ଷି ଚାହିଁଲେ

ନୃସିଂହ ଯୁଦ୍ଧ ଆରମ୍ଭ ଦେଖି ତୋଷ ହେଲେ ।

 

ବୋଇଲେ ଦୈତ୍ୟର ଏବେ ପୂରିଗଲା ମୃତ୍ୟୁ

ଏତେ କାଳକୁ ବିହି ଯେ ଲେଖିଥିବା ତତ୍ତ୍ୟ 

ଏଥୁ ଅନନ୍ତରେ ବାଣୀ ନାରଦଷ ଶୁଣ

ଥୋଇଲେ ଯାବତ ଶର କାଢ଼ି ନାରାୟଣ ।

ସେ ଶରର ଜ୍ୟୋତିଯାକ ଦେଖି ମୁରାସୁର

ପାଞ୍ଚିଲା କାହୁଁ ଆଣିଲା ଏହା ଚକ୍ରଧର ।

ସେ ନାରଦ ମଧ୍ୟରୁ ଯେ ଥୋକେ ଗଲା ଗଣି

ଶୁଣ ହେ ନାରଦ କହୁଛନ୍ତି କୁଶପାଣି ।

 

ଧନୁ ତୀର କମାଣ ଯେ କୋଦଣ୍ଡ ଶକତି

ଶୂଳ ପରିଘ ଖପର ଭୂଷା ଛୁରୀକାତି 

କାଙ୍କ କୋଡ଼ି ଯମଦାଢ଼ ମୂଷଳ ଶାବେଳି

କୁବେରା ବରୁଣା ମେଘାଶର ରତ୍ନାବଳି ।

 

କାଳପାଶ ନାଗପାଶ ପବନ ପର୍ବତା

ନିର୍ଘାତ ଯେ ବଜ୍ରାବଳୀ ଅମୋଘ ନୈଋତା ।

ବ୍ରହ୍ମଶର ବିଷ୍ଣୁ ଶର ଜୀବନ୍ୟାସ ଶର

ଦହନା ଶୋଷଣା ଅଗ୍ନିବାଣ ପ୍ରତ୍ୟାହାର ।

 

ବାବଲ ବେଲଙ୍କ ବ୍ରହ୍ମଭେଦୀ ଏକମୁନା

ମଞ୍ଚଭେଦୀ ସ୍ୱର୍ଗଭେଦୀ ଆଉ ଶିଶୁମୁନା ।

ଶୂନ୍ୟଭେଦୀ କାଳଭେଦୀ ସ୍ଥଳଭେଦୀ ଶର

ସ୍ତମ୍ଭନ ମୋହନ ବଶ ଉଚ୍ଚାଟ ଖପର 

 

ଅକ୍ଷୟ ପିନାକ ପାଶୁପତ ବ୍ରହ୍ମଶକ୍ତି

ଦୁଆଡ଼ ପଶୁ କେଦାର ବଜ୍ରବାଣ ଲେନ୍ତି ।

ତ୍ରିକନା ଚଉକନା ଯେ ବେତାଳ ଫର୍କନା

ମୁଗୁରି ଯେ ଅଧାଚନ୍ଦ୍ର ସସ୍ରଭେଦୀ ଜ୍ୟୋସ୍ନା ।

 

ଅକାଳ ତ୍ରିକାଳ ମହାକାଳ ଏକଘନୀ

ଗରୁଡ଼ କୁହିକ ଅହିଶହର ବଜ୍ରଧ୍ୱନି ।

ଉଡ଼ାଣ ବୁଡ଼ାଣ ଆଉ ମାରଣ ତାରଣ

ଜୟ| ବିଜୟା ଭୈରବ ସିଂହନାଦ ବାଣ ।

 

ଶଙ୍କରା ଗର୍ଜନା ସୂର୍ଯ୍ୟାବଳୀ ଧନୁଶସ୍ତ୍ର

ନାରାୟଣ ବିଷ୍ଣୁ ଶର ଆଉ ରୁଦ୍ରଅସ୍ତ୍ର ।

ବଜ୍ରାଙ୍ଗ ସେ ବଜ୍ରଘୋଷ ହୁତାଶ ବତାଶ

ବ୍ରହ୍ମପାଶ ବିଷ୍ଣୁପାଶ ନିର୍ଘାତ କୁଳିଶ ।

ଅଜଗବ କୌମାଦକୀ ସୁଦର୍ଶନ ଚକ୍ର

ନୀଳବାଣ ଭୁଜବାଣ ଇନ୍ଦ୍ରଧନୁ ନକ୍ର ।

ବ୍ରହ୍ମଶକ୍ତି ବିଷ୍ଣୁଶକ୍ତି ରୁଦ୍ରଶକ୍ତି ଜାଣ

ବଜ୍ରଶକ୍ତି ଇନ୍ଦ୍ରଶକ୍ତି ମୋହଶକ୍ତି ପୁଣ ।

 

ନୃସିଂହ ପାଖେ ଏରୂପେ ଶରଯାକ ଥୋନ୍ତେ

ଦେଖିଣ ମୁର ତାହାଙ୍କୁ ତ୍ରାସିଲା ହୁଦ୍‌ଗତେ ।

ବୋଇଲା ଏତେ ନାରାଚ ଆଣିଲା ଏ କାହୁଁ

କ୍ଷତ୍ରିୟ କୁଳେ ଜନ୍ମିତ ନାହିଁ ମହାବାହୁ ।

 

ବିପ୍ରକୁଳେ ଜନ୍ମି ସିନା ଅଛି ଏ ଶ୍ରୀପତି

ସୋଲଭେଳାପ୍ରାୟ ଶର ଅଛଇ ସାଇତି ।

ଏ ଯେତେ ନାରାଚ ଆଣି ଦେଖାଇଲା ମୋତେ

ତହିଁକି ଦ୍ୱିଗୁଣ ହୋଇଅଛି ମୋ ସଙ୍ଗତେ 

 

ଏ ନାରାଚଯାକେ ମୋର ମୃତ୍ୟୁ ନାହିଁ ଲେଖି

ଆରମ୍ଭ କରୁ ଯୁଝିବା ବେଳକେ ଯେ ଦେଖି ।

ତାହାକୁ ମାଇଲେ ହେବି ଏକ ଚକ୍ରବର୍ତ୍ତୀ

ସେହୁ ମାରିଲେ ପାଇବି ମୁହିଁ ମୋକ୍ଷଗତି 

 

ଏ ଦୁଇକଥା ସଂସାରେ ରହିବ ସେ ସିଦ୍ଧି

ଏଥେ ବୋଲିକରି ଲକ୍ଷେଶର ଦେଲା ବିନ୍ଧି ।

ତୀକ୍ଷ୍‌ଣ ଶର ପେଷି ପ୍ରଭୁ ଦେଲେ ତାହ ଛେଦି

ଦେଖିକରି ମୁରାସୁର ହେଲା ମହାକ୍ରୋଧୀ ।

 

ପୁଣିହିଁ ଅସୁର ପେଷିଦେଲା ଅହିଶର

ଗରୁଡ଼ ଶରେ ଛେଦିଲେ ତାହା ଚକ୍ରଧର ।

ଦେକିଣ ତା ମୁରଦୈତ୍ୟ ବହୁ ପ୍ରଶଂସିଲା

ଏରୂପେ କ୍ଷତ୍ରୀ ସଂସାରେ ନ ମିଳେ ବୋଇଲା ।

 

ବିପ୍ର ଏ ବୋଲି ମୁହିଁ ତ ମନେ ପାଞ୍ଚୁ ଥାଇ

ଏହାର ପରାୟ କ୍ଷତ୍ରୀ ସୃଷ୍ଟିଯାକେ ନାହିଁ ।

ଏତେ ବୋଲିଣ ଅସୁର ହସ୍ତେ ଧନୁ ଧରି

ବିନ୍ଧିଦେଲା ନୃସିଂହକୁ ଶର ଲକ୍ଷ ଚାରି ।

ହାତରୁ ନ ଫିଟୁ ଶର ନୃସିଂହ ତା ନାଶି

ଭାଙ୍ଗି ପକାଇ ବାବଲ ଶର ଦେଲେ ପେଷି ।

ହସି ବୋଇଲେ ରେ ମୂଢ଼ ମୁରାସୁର ବାଇ

ଏ ଅସ୍ତ୍ର କଲେ ଆମ୍ଭଙ୍କୁ ପାରିବୁ କି ତୁହି ।

 

ଯେତେ ଶର ବିନ୍ଧିବୁ ତୁ ଆମ୍ଭର ସେ ସବୁ

ଅନ୍ୟ ଶର ଥିଲେ ଅବା ବିଷ୍ଣୁଙ୍କୁ ଜିଣିବୁ ।

ଶୁଣି ମୁରାସୁର ବିନ୍ଦିଦେଲା ତୀକ୍ଷ୍‌ଣଶର

ପଡ଼ିଲା ଯାଇ ସେ ବାଣ ନୃସିଂହ ଜାନୁର ।

 

ବାଜିଣ ନାରାଚ ଗଳି ଭୟେ ପଳାଇଲା

ବିଷ୍ଣୁରେ ଅପ୍ରାଧୀ ହେଲି ବୋଲି ଗଙ୍ଗାଗଲା ।

ନୃସିଂହ ଆପେ ଦେଲେକ ତିନିଥର ଫୁଙ୍କି

ତତକ୍ଷଣେ ତେତେବଡ଼ ଘାଆ ଗଲା ଶୁଖି ।

 

ଅଙ୍ଗରେ ଘାତ ପାଇ ନୃସିଂହ କୋପ ବଢ଼ି

ଶରୀରକୁ କମ୍ପାଇଲେ ହସ୍ତେ ନିଶ ମୋଡ଼ି ।

ଦେଖି ରିପୁବଳ ଗଲେ କାତର ଯେ ହୋଇ

ପ୍ରତ୍ୟକ୍ଷେ ଅବତାର ନୃସିଂହ ଭାବଗ୍ରାହୀ ।

 

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ଗ୍ରାସିଲେ ତ୍ରିପୁର

ଉଛୁଳି ଟେକିଲେ ସାତସିନ୍ଧୁ ଜଳଧାର ।

ପାଞ୍ଚନ୍ତି ଦେବତାମାନେ କି କରିବ ଏବେ

ନୃସିଂହକୁ ବୋଧିବାକୁ ଭାଜନ କେ ହେବେ ।

 

ମହା ବିଶ୍ୱମୂର୍ତ୍ତି ପୁଣି ହୋଇଛନ୍ତି ହରି

ସ୍ୱର୍ଗ ମଞ୍ଚ ପାତାଳକୁ ଦିଶେ ଜ୍ୟୋତି ପୂରି ।

ନୃସିଂହ ସ୍ୱରୂପ ଦେଖି ଭାଳେ ମୁରଦୈତ୍ୟ

ମାନବ ବିଷ୍ଣୁ ବୋଲି ମୁଁ ୟାକୁ ବୋଲେ ନିତ୍ୟ ।

 

ସାକ୍ଷାତରେ ପରଂବ୍ରହ୍ମ ଅଟେ ପରା ଏହି

ନୋହିଲେ କି ବିଶ୍ୱରୂପ ଆନ ଅଛି ହୋଇ ।

ଭଲା ମୁଁ ପାଇଲି ରଣଯଜ୍ଞ ଏତେ କାଳେ

ଅବଶ୍ୟ ନୃସିଂହ ମୋତେ ମାରିବେଟି ବଳେ ।

ଏତେ ପାଞ୍ଚି ଦୈତ୍ୟ ବିନ୍ଧିଦେଲା ଲକ୍ଷେଶର

ସସ୍ରକୋଟି ଶର ପେଷିଦେଲା ତହିଁପର 

ଲକ୍ଷେକ ବଜ୍ରଶକତ ମାଇଲା ତା ପରେ

ଗଦା ମୁଦୁଗର ଭାଲ ପିଟିଲା ଉପରେ ।

 

କକଡ଼ା ମାସେ କରଇ ଯେହ୍ନେ ଜଳବୃଷ୍ଟି

ସେହିରୂପେ ଶର ବିନ୍ଧିଦେଲା ଲକ୍ଷକୋଟି ।

ବାବଲ ଶରେ ଛେଦିଲେ ତାହା ଭାବଗ୍ରାହୀ

ଖଣ୍ଡ ଖଣ୍ଡ ହୋଇ ଛିଡ଼ି ପଡ଼ିଗଲେ ମହୀ ।

 

ଥୋକାଏ ଶର ପଡ଼ନ୍ତେ ପ୍ରଭୁଙ୍କର ମାଥେ

କାଢ଼ି ପକାଇ ଫୁଙ୍କନ୍ତି ମନ୍ତ୍ରେ ଜଗନ୍ନାଥେ ।

ଗତହୁଁ ଶତଗୁଣ ଦିଶେ ଦେହ ଶୋଭା

ଆଦିତ୍ୟ ପ୍ରାୟେ ପ୍ରକାଶେ ବଦନର ପ୍ରଭା ।

 

ପ୍ରଭୁଙ୍କୁ ଦେଶିଣ ମୁର ପୁଣି କଲା କୋପ

ଧନୁରେ ନାରାଚ ଯୋଖି ଧରେ ଅନିର୍ଯାପ 

ବୋଇଲା ମଲ ଆଜ ନୃସିଂହ ବେନି ଭାଇ

ନ ଜାଣ କି ମୁରାସୁର ସୃଷ୍ଟି ପାରେ ଦହି ।

 

ଏତେ ବୋଲିଣ ପେଷିଲା ଲକ୍ଷେ ବ୍ରହ୍ମଶର

ସୁଦ୍ରଶନ ବଜ୍ରେ ଛେଦି ଦେଲେ ଚକ୍ରଧର ।

ବିଜୟା ରଥରେ ଲକ୍ଷେ ଅଶ୍ୱ ଲାଗିଥିଲେ

ଏକାଶର ପେଷି ତାହା ଛେଦି ପଳାଇଲେ ।

 

ସାରଥି ସହିତେ ଛେଦି ପକାଇଲେ ହାଣି

ତାହା ଦେଖି ମୁରାସୁର ଉଠେ ଶିରଝୁଣି ।

ମେରୁଗିରି ସମାନରେ ବିନ୍ଧେ ପୁଣି ଶର

ମାଡ଼ି ଆସନ୍ତି ସେ ସବୁ ଯେହ୍ନେ ଗିରିବର ।

 

ବଜ୍ରଶର ପେଷି ତାହା ନାଶିଲେ ନୃସିଂହ

ତାହା ଦେଖି ମୁରାସୁର ଧରେ ଧନୁ ବେଗ ।

ବାରୁଣାଶର ଯୋଡିଣ ପେଷେ ତତକ୍ଷଣେ

ଚଳିଲା ନାରାଚ ଘୋରରଡ଼ି ଦେଇ ରଣେ ।

ପ୍ରଭୁଙ୍କ ଦେହରେ ଶର ନ ପାରିଲା ଭେଦି

କିଞ୍ଚିତ ବାଣେ ନୃସିଂହ ତାହା ଦେଲେ ଛେଦି ।

ବହିଲେ ବତାଶ ଯେହ୍ନେ ଗିରି ନ ଟଳଇ

ରହିଲେ ନୃସିଂହ ତେହ୍ନେ ଅଟଳ ଯେ ହୋଇ ।

 

କହନ୍ତି ମୁରାସୁରକୁ ଚାହିଁ ପଦ୍ମମୁଖ

ବୋଲନ୍ତି ମୂଢ଼ା ତୁହି ରେ ଅଟୁ କେଡ଼େ ମୂର୍ଖ ।

ପ୍ରତ୍ୟକ୍ଷରେ ନୟନରେ ବିଷ୍ଣୁ ଦେଖୁ ଦେଖୁ

ମାନବ ତୁଲେ ଆମ୍ଭଙ୍କୁ ନେଇକରି ଲେଖୁ ।

 

ପ୍ରକୃତି ମନ୍ଦରୁ ତୋର ଅବିବେକପଣେ

ଗୋଡ଼ରେ ଚାଳିଲା  ଅକାରଣେ ।

ଅମୃତକୁଣ୍ଡ ଶ୍ରୀହରି ଅଟନ୍ତି ପୃଥ୍ୱୀକୁ

ତାହାକୁ ନ ଖାଇ ମରୁ ଭୁଞ୍ଜିଣ ବିଷକୁ ।

 

ବଳବନ୍ତପଣେ ତୁରେ ଅଟୁ ଯେବେ ଗାଢ଼

ନେତ୍ରେ ଦେଖୁ ଦେଖୁ ତୁ ନ ମାନୁ ଯୋଗରୂଢ଼ ।

ହିଂସ୍ରକ ଲୋକଙ୍କୁ ପୁଣି ପୃଥ୍ୱୀ ନ ବହଇ

ସମ୍ପୂର୍ଣ୍ଣ ଆୟୁଷ ଥିଲେ ଅଳ୍ପେ କ୍ଷୟ ଯାଇ ।

 

ତୁ ବୋଲୁଛୁ ପରା ହୋଇଅଛି ଚିରଆୟୁ

ମୁଁ ବୋଲେ ତ୍ରିପ୍ରହର ତୋ ଅଛି ନାସାବାୟୁ ।

ହିଂସାରୁ ପ୍ରାଣୀ ଜାଣନ୍ତି ଅଳ୍ପକେ ମରୁଛି

ଏ କଥାକୁ ହେତୁକରି କେହି ନ ଜାଣୁଛି ।

 

ତୁ ଯେଣୁ ହିଂସା କଲୁ ମୁଁ କେଡ଼େଲୋକ ବୋଲି

ତେଣୁ ଅଳ୍ପାୟୁଷ ତୋତେ ଅଳ୍ପକେ ମୁଁ କଲି ।

ଆଜଠାରୁ ଛାଡ଼ ତୁରେ ତୋର ପ୍ରାଣ ଆଶ

ମୋର ଏହି ନାରାଚରେ ହେବୁ ପ୍ରାଣେ ନାଶ ।

 

ତ୍ରିମୁନା ଏକଘନା ତା ନାମ ଗୁଳଗୁଞ୍ଚି

ଲଲାଟକୁ ଲକ୍ଷ୍ୟକର ଧନୁରେ ଆମଞ୍ଚି ।

ବିନ୍ଧନ୍ତେ ଶର ଯାଇଣ ଲଲାତେ ପଡ଼ିଲା

ତିନିଠି ପାଥା କରିଣ ଗଳି ପଳାଇଲା ।

ନୃସିଂହ ସ୍ୱାମୀର ତୂଣେ ରହିଲାକ ଯାଇ

ଚାହିଁଲା ମୁର ଲଲାଟ ପରେ ବ୍ୟଥା ପାଇ ।

ତିନିଧାରା ହୋଇକରି ରକ୍ତ ବହିଯାନ୍ତେ

ଫୁଫଘୁକାର କରି ମୁର ପୋଛେ ବାମହସ୍ତେ ।

 

ଜୀବନ୍ୟାସ ମନ୍ତ୍ରେ ମନ୍ତ୍ରି ଦେଲାବେଳେ ଫୁଙ୍କି

ତକ୍ଷଣେ ଘାଆ ଲଲାଟୁ ଗଲା ତାର ସୁଖି ।

ଘୋର ସମର କରନ୍ତି ତହିଁ ବେନି ଜନ

କହିବାକୁ ଭାଜନ କେ ହେବ ଆନ ଜନ ।

 

ଡାକିହାକି ଶର ସେହୁ ହ୍ୱନ୍ତି ବିନ୍ଧା ବିନ୍ଧି

କମ୍ପାନ୍ତି ବାସୁକୀ ପୁରଆଦି ନଦ ନଦୀ ।

ବାଣ ପଡ଼ିଣ ଶୋଣିତ ବହେ ଖଳଖଳ ।

 

ଘୋର ସମର କରନ୍ତି ଦୈତ୍ୟ ଦେବରାଜ

ଆଖି ପିଛଡ଼ାକେ ଲକ୍ଷେ ବିନ୍ଧନ୍ତି ନାରାଚ ।

ମାରନ୍ତି ରୋଷ ବହିଣ ବେଳୁଁବେଳ ବାଣ

ଛଡ଼ାଛଡ଼ି ନୋହି କରୁଛନ୍ତି ଘୋରରଣ ।

 

ଲକ୍ଷ ଲକ୍ଷକରି ବିନ୍ଧୁଛନ୍ତି ଦୁହେଁ ଶର

ଦୈତ୍ୟଙ୍କ ବାଣକୁ ଏକା ମୁର ନ ମାନଇ ।

ଦେହରେ ବାଜନ୍ତେ ସବୁହାତେ ଦିଏ ପୋଛି

ନୃସିଂହ ଆଗକୁ ମାଡ଼ି ଆସେ ଘୁଞ୍ଚି ଘୁଞ୍ଚି ।

 

ଏମନନ୍ତେ ସମର କରୁ ପ୍ରହରେକ ଗଲା

ନୃସିଂହ ମୁରାସୁରର ଯୁଦ୍ଧ ନ ସରିଲା ।

ଆଉ ଦୁ ପ୍ରହର ଯେ ମୁର ଆୟୁ ଅଛି

ଏତେ ନ ଗଲେ ଭୋଗ ନ ମରେ ଧାତାବତ୍ସି ।

 

ନୃସିଂହ ମୁର ସମର ଅଗୋଚର ବାଣୀ

ନିଃଶ୍ୱାସ ମାରିବାକୁ ନ ମିଳେ ବେଳ ପୁଣି ।

ଲକ୍ଷକୋଟି ଶର ପୁଣି ହ୍ୱନ୍ତି ବିନ୍ଧାବିନ୍ଧି

ପେଷନ୍ତି ଜୟ ବିଜୟା ବାଣ ଦୟାନିଧି ।

 

ନିର୍ଘାତ ପଡ଼ନ୍ତେ ମୁଣ୍ଡ ଆଡ଼େ ମୁରାସୁର

ଚୂର୍ଣ୍ଣକରି ପକାଏ ନୃସିଂହବିନ୍ଧା ଶର ।

ଭୂମିପରେ ଆଣ୍ଠୁ ଭାର ଦେଇ ମୁରଦୈତ୍ୟ

ଲକ୍ଷେକୋଟି ବାଣ ପୁଣି ବିନ୍ଧିଲା ତୁରିତ ।

 

ପୃଥ୍ୱୀଯାକ ଶରପୂର୍ଣ୍ଣ କରି ଦ୍ୟୁନ୍ତ ରାଗେ

ତୀକ୍ଷ୍‌ଣ ନାରାଚରେ ତାହା ଛେଦିଲେ ନୃସିଂହେ ।

ସ୍ତମ୍ଭୀଭୂତେ ରହି ଦେଖୁଛନ୍ତି ସର୍ବସୈନ୍ୟେ

ଘଣ୍ଟାମୃଗ ପ୍ରାୟ ଚାହିଁ ଅଛନ୍ତି ନୟନେ ।

 

ଲେଉଟି ମୁର ଯୋଚିଲା ପୁଣି ଅଗ୍ନି ଶର

ଶ୍ରୀନୃସିଂହ ଉପରକୁ ବିନ୍ଧିଲା ତତ୍ପର ।

ନାରାଚମାନ ଆସନ୍ତେ ନୃସିଂହ ତା ଜାଣି

ତକ୍ଷଣେ ମେଘାସ୍ତ୍ର ପେଷିଦେଲେ ଚକ୍ରପାଣି ।

 

ଜଳ ପଡ଼ନ୍ତେଣ ଅଗ୍ନିବାଣ ଗଲା ଲିଭି

ପୁନରପି ଶର ସେହୁ ବିନ୍ଧେ ଅବବେଗି ।

ଲକ୍ଷେକ ନାରାଚ ପୁଣି ଧଇଲା ଦଇତ୍ୟ

ଧନୁରେ ଯୋଚିଣ ସେହୁ ବିନ୍ଧିଲା ତ୍ୱରିତ ।

 

ପ୍ରତିଅସ୍ତ୍ର କରି ଛେଦି ଦେଲେ ପ୍ରଭୁ ତାହା

ଅପୂର୍ବ ସମର ଗୋଟି କରେ ଦୈତ୍ୟନାହା ।

ପଢ଼ି ଧନିର୍ବେଦ ଭୂମିପରେ ଉଭା ଗୋଇ

ଅଭିମନ୍ତ୍ର କରି କର ପେଷେ ଦୈତ୍ୟସାଇଁ ।

 

ମହାକ୍ରୋଧ ହୋଇଲା ମଦନାବତୀ କାନ୍ତ

ତହିଁକି ନୃସିଂହ କୋପ ଅଟେ ଆଲୋକିତ ।

ବୁଝିଲେ ଦୁଇକ୍ଷତ୍ରୀଙ୍କ ରଣ ସମସରି

ସଂସାରରେ ଏଡ଼େ ଯୁଦ୍ଧ ପାରିବ କେ କରି ।

 

ଶରମୁନ ବାଜିକରି ରକ୍ତ ପଡ଼େ ବହି

ରକତେ ଦିଶନ୍ତି ଜଗଜଗ ଦୁଦେଁ ତହିଁ ।

ଅସ୍ତ୍ର ଦିଶନ୍ତି ଆକାଶୁଁ ସିଲାର ପରି

ଏହି ରୂପେ ଦୁହେଁ ବାଣ ହ୍ୱନ୍ତି ମରାମରି ।

ବାଣ ପଡ଼ନ୍ତେ ଶୁଭଇ ଘଡ଼ଘଡ଼ି ପ୍ରାୟେ

ସ୍ୱର୍ଗେ ଶୁଣି ତା କମ୍ପନ୍ତି ଭୟେ ଦେବତାଏ ।

ଆତଙ୍କେ ଡାକନ୍ତି ସର୍ବେ ନୃସିଂହଙ୍କୁ ଚାହିଁ

ବୋଲନ୍ତି କେତେବାଣ ଏ ଦୈତ୍ୟ ଥିଲାଥୋଇ ।

 

ଏ ବାଣୁ ଉଦ୍ଧରି ପୃଥ୍ୱୀ ରଖ ଭଗବାନ

ଦେବଙ୍କ ଆକୁଲ ପ୍ରଭୁ ଜାଣି ଜନାର୍ଦ୍ଦନ ।

ବାବଲ ଶରେକ ପେଷି ଦେଲେ ଚଚକ୍ରପାଣି

ଆସୁ ଆସୁ ଦୈତ୍ୟଶର ପକାଇଲା ହାଣି ।

 

ପୁଣି ମୁରାସୁର ପେଷିଦେଲା ଏକଶର

ଛେଦିଲେ ନୃସିଂହ ତାହା କିଞ୍ଚିତ ପ୍ରକାର ।

ପୁଣିହିଁ ବାବଲ ଶର ପେଷିଣ ନୃସିଂହ

ବୋଇଳେ ତୁ ହାଣିପକା ମୁର ମୁଣ୍ଡ ବେଗ ।

 

ଶୁଣିଣ ବାବଲ ଶର ଧାଇଁଲା ତଡ଼ତି

ସୂର୍ଯ୍ୟଠାରୁ ଶତଗୁଣେ ପ୍ରକାଶେ ତା ଜ୍ୟୋତି ।

ଆଜ୍ଞାପାଇ ନାରାଚ ଯେ ଚଳିଲା ତତ୍ପର

ବେକ ଛିଡ଼ିଯାନ୍ତେ ତଳେ ନ ପଡ଼ିଲା ଶିର ।

 

ଅମରବର ହେତୁରୁ ତଳେ ନ ପଡ଼ିଲା

ସଜୀବ ହୋଇ ପୁଣି ଯେ ଯୁଦ୍ଧେ ସଜ ହେଲା ।

ବିଧାତା ବ୍ରହ୍ମଶକତି ଦେଇଥିଲେ ଯାହା

ସେ ଶରକୁ ବିନ୍ଧନ୍ତେ ନ ମଲା ଦୈତ୍ୟନାହା ।

 

ମହାକୋପ ହୋଇ ଯୁଦ୍ଧ କଲେ ମୁରାସୁର

ନାରାୟଣ ଶର ପୁଣି ବିନ୍ଧି ଚକ୍ରଧର ।

ବୁକୁରେ ବାଳିଣ ଶର ବାହାରନିକିଳି

ଟହଟହ ହୋଇ ଦୈତ୍ୟ ହସେ ମାରି ତାଳି ।

 

ଶୂନ୍ୟରେ ଥାଇଣ ଦେବେ ବିଚାରନ୍ତି ଚିତ୍ତ

ଏତେ ବାଣ ବିନ୍ଧିଲେ ନ ମଲା ମୁରଦୈତ୍ୟେ ।

ଏଥର ବର୍ତ୍ତିଲେ ଏହୁ ମହାକୁ ନ ରଖି

ଆଜିଠାରୁ ଦେବେ ଜାଣ ହେବେଟି ନିର୍ମାକ୍ଷୀ ।

ନୃସିଂହ ମୁର ଯୁଦ୍ଧକୁ ସର୍ବେ ଥିଲେ ଚାହିଁ

ଏଥର ନ ମଲେ ଯିବୁ ଅରକ୍ଷିତ ହୋଇ ।

ଶ୍ରୀନୃସିଂହ ହାତେ ମୁର ନ ମରିବ ଯେବେ

ଏହିଠାରୁ ରସାଗତ ହେବୁ ଆମ୍ଭେ ସର୍ବେ ।

 

ଏରୂପେ ଭାଳନ୍ତି ଶୂନ୍ୟେ ଥାଇ ଦେବତାଏ

ନୃସିଂହ ମୁର ସମର ଲାଗେ ଅପ୍ରମୟେ ।

ଯେବଣ ଶରେ ମୁରକୁ ମାରିବେ ମୁରାରି

ସ ଶସ୍ତ୍ର ଧରି ନାହାନ୍ତି ସ୍ୱାମୀ ହେତୁକରି ।

 

ଯେତେ ଶସ୍ତ୍ର ବିନ୍ଧିଲେ ଏ ନ ମରଇ ମୁର

ବହୁ ପ୍ରଳୟ ପର୍ଯ୍ୟନ୍ତ ପାଇଅଛି ବର ।

ବିନ୍ଧୁଛନ୍ତି ବାଣ ସିନ୍ଧୁ ଲହରୀ ପରାୟେ

କକଡ଼ା ମାସରେ ଯେହ୍ନେ ଜଳବୃଷ୍ଟି ହୋଏ ।

 

ବିନ୍ଧନ୍ତି ଶ୍ରୀନୃସିଂହ ଯେ ସବୁ ଅସ୍ତ୍ର ଆଣି

ସେ ଶରମାନଙ୍କ ନାମ ପୁରାଣେ ବଖାଣି ।

ଧନୁ ତୀରେ କମାଣ ଯେ କୋଦଣ୍ଡ ଶକତି

ପରିଘ ଭୂଷଣ୍ଡି ଶୂଳ ଆଉ ଛୁରାକାତି ।

 

ବାଙ୍କିଆ ଯମଦାଢ଼ ଯେ ବିଜୟୀ ଶାବେଳି

ମେଘା କୁବେରା ବରୁଣ ଶର ରତ୍ନାବଳୀ ।

ବ୍ରହ୍ମଶର ବ୍ରହ୍ମଶକ୍ତି ଆଉ ନଇର୍ଋୁତା

କାଳପାଶ ନାଗପାଶ ପବନ ପର୍ବତା ।

 

ରୁଦ୍ରଶର ବିଷ୍ଣୁଶର ମୋହ ଜଳପାଶୀ

ଦହନା ଯେ ଅଗ୍ନି ଶର ଉଗ୍ରତାରା ନିଶି ।

ବାବଲ ବେଲଙ୍କ ମନଭେଦୀ ଅସିବର

ପାତାଳଭେଦୀ ଯେ ସ୍ୱର୍ଗ ମଞ୍ଚଭେଦୀ ଶର ।

 

ଅକାଳ ବିକାଳ ମହାକାଳ ବିକରାଳ

ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ଶୂଳ ।

ଶୂର୍ପ ଶକତି ଭଲ୍ଲ ଯେ ମୁଦ୍‌ଗର ଫର୍କନା

ପିନାକ ଅକ୍ଷୟ ପାଶୁପତ ବଜ୍ରସେହ୍ନା ।

ଚଉକନା ପଞ୍ଚଶିରା ତ୍ରିକନା ଦ୍ୱିକନା

ମୁରାରି ବେତାଳ ଅଧାଚନ୍ଦ୍ର ଏକମୁନା ।

ମୂଷଳ କୁନ୍ତ ଖଡ଼ଗ ଦ୍ୱାଦଶ ଏକଘ୍ନୀ

ଗରୁଡ଼ କୁହୁକ ଅହିଶର ବଜ୍ରଧ୍ୱନି ।

 

ଉଡ଼ାଣ ବୁଡ଼ାଣ ଆଉ ମାରଣ ତାରଣ

ଭୈରବ କୌମୋଦୀ ଗଦା ସିଂହନାଦ ବାଣ ।

ଶଙ୍କରୀ ଗର୍ଜନାଜିତ ସୂର୍ଯ୍ୟାୋବଳୀ ଅସ୍ତ୍ର

କଙ୍କାଳୀ ବେତାଳୀ ବେନି ନାରାୟଣ ଅସ୍ତ୍ର ।

 

ହୁତାଶ ବତାଶ ମହାପ୍ରଳେ ଅଣଚାଶ

ସୁଦର୍ଶନ ଚକ୍ର ଅଜଗବ ସେ କୁଳିଶ ।

ସୂର୍ଯ୍ୟୋବର୍ତ୍ତକ ଚକ୍ର ଶ୍ରୀଚନ୍ଦ୍ରୀବଳି ଗଦା

ନୀଳ ବାଣ ଭୁଜଚାଶ ଭୂଜବାଣ ଊର୍ଦ୍ଧଶୋଷୀ ସଦା ।

 

ଇନ୍ଦ୍ରଶକ୍ତି ବଜ୍ରଶକ୍ତି ଆଉ ବ୍ରହ୍ମଶକ୍ତି

ଯମପାଶ କାଳପାଶ ଭୈରବ ମୂରତି ।

ଏ ସବୁ ନାରାଚ ଆଣି ବିନ୍ଧନ୍ତି ଶ୍ରୀବତ୍ସି

ବାଜନ୍ତେ ମୁରର ଦହେ ଦିଏ ସବୁ ପୋଛି ।

 

ବଜ୍ରଶକ୍ତି ବ୍ରହ୍ମଶକ୍ତି ତାଳ ବ୍ରହ୍ମକାଣ୍ଡ

ବିନ୍ଧନ୍ତେ ଧନୁରେ ଯୋଚି କମ୍ପେ ମହୀଖଣ୍ଡ ।

କାଳପାଶ ଯମପାଶ ଦେବଶର ବାଛି

ଧନୁମଧ୍ୟେ ଯୋଚି ଯୋଚି ବିନ୍ଧନ୍ତି ଶ୍ରୀବତ୍ସି ।

 

ଇନ୍ଦ୍ର ଶକ୍ତି ବଜ୍ରଶକ୍ତି ବ୍ରହ୍ମଶକ୍ତି ଯାଏ

ବାଜନ୍ତେଣ ମୁର ସବୁ ହାତେ ପୋଛିଦିଏ ।

ବୋଇଲା ବିନ୍ଧିଲୁ ଯେତେ ଶର ମୋତେ ଆଣି

ମୋର ମୃତ୍ୟୁଭେଦ ତୁ କି ପାରୁ କେଭେ ଜାଣି ।

 

ଜାଣିଥିଲେ ମୋତେ ତୁହି କ୍ଷଣେ ରଖନ୍ତୁ କି

ଏଣୁ ସଂସାରେ ମୁଁ ନ ମାନଇ କାହାରିକି ।

ତାହା ଶୁଣିଣ ନୃସିଂହ ହେଲେ କୋପାନଳ

ବୋଇଳେ ତେବେ ପୂରିଲା ନିଶ୍ଚେ ତୋରକାଳ ।

ଏତେ ବୋଲି ଶ୍ରୀନୃସିଂହ ବାବଲାସ୍ତ୍ର ଆଣି

ବୋଇଲେ ଦୈତ୍ୟର ଶିର ପକା ବେଗେ ହାଣି ।

ଶୁଣି ବାବଲାସ୍ତ୍ର ତତକ୍ଷଣେ ଗଲା ଗଳି

ମୁରାସୁର ଶିର କାଟି ଆସିଲା ତତ୍କାଳି ।

 

ପଶିଲା ନୃସିଂହ ତୂଣୀ ମଧ୍ୟେ ଶର ଯାଇ

ଶର ଆସୁ ଆସୁ ମୁଣ୍ଡ ଲାଗିଲାକ ଦେହୀ ।

ଛିଡ଼ିପଡ଼ି ପୁଣ ମୁଣ୍ଡ ଲେଉଟି ଲାଗନ୍ତେ

ତାହା ଦେଖି ଚମତ୍କାର ହେଲେ ଲକ୍ଷ୍ମୀକାନ୍ତ ।

 

ମୁରାସୁର ବୋଇଲେ ହୋ ଶୁଣିମା ନୃସିଂହ

ସେ ଶର ବିନ୍ଧା ଦେଖି ମୋ ହସେ ଆତ୍ମାଲିଙ୍ଗ ।

ଏସନେ କାଟିଲେ ମୁଣ୍ଡ ମରନ୍ତି ମୁଁ ଯେବେ

କେ ହେଲେମାରିଣମୋତେ କପାନ୍ତାଣି ତେବେ ।

 

ମୁହିଁ ମରିବାକୁ ଯାହା ଧାତା ଅଛି ଲେଖି

ସେ କଥା କହିବାକୁ କେ ନାହିଁ ଏଥେ ସାକ୍ଷୀ ।

ମୋହର ମୃତ୍ୟୁ କଥାକୁ ମୁହିଁ ଏକା ଜାଣେ

ନୋହିଲେ ଯେ ବରଦେବା ପୁରୁଷ ବଖାଣେ ।

 

ନୃସିଂହ ବୋଇଲେ ତୁହି ମରିବୁ ରେ ନିଶ୍ଚେଁ

ପ୍ରହରେକ ଧାତା ତୋତେ ରଖିଅଛି ମଞ୍ଚେ ।

ଏ ଘେନି ତୋ ମୁଣ୍ଡ କାଟୁଅଛି ଭାବନାରେ

ବାଣ ବିନ୍ଧିବିନ୍ଧି ଗୋଇ ଆଉ ଥରେ ଥରେ ।

 

ଶୁଣିକରି ମୁରାସୁର ବୋଲେ ଭଲା ଭଲା

ଏବେ ଜାଣିଲି ତୋହର ଚିତ୍ତ ଜଣାଗଲା ।

ମରିଲାଯାଏ ତୋତେ ନ ମାନେ କେବେ ଜାଣ

ଦେଖିଲେ ଯାଇ ବୋଲିବି ନିଶ୍ଚେ ନାରାୟଣ ।

 

ଶୁଣିଣ ନୃସିଂହ ସ୍ୱାମୀ ବୋଇଲେତ ତହିଁ

ଆହୁରି ବିନ୍ଧିବି ତୋତେ କେତେ ବାଣ ମୁହିଁ ।

ଶୁଣିକରି ମୁରାସ୍ୱର ଧରେ କରେ ନିଶ

ବୋଲେ ବାଣ ବିନ୍ଧି ମୋତେ କରିବୁ ତୁ କିସ ।

ସୋଲଭେଳା ପ୍ରାୟ ସିନା ଅଟେ ତୋର ଶର

ବିନ୍ଧିଲେ ମୁନ ମୋଡ଼ି ତ ଯିବ ନାରାଚର ।

ଶୁଣିକରି ନୃସିଂହ ଯେ ହସି ଟହ ଟହ

ବୋଇଲେ ଏବେ ସମ୍ଭାଳି ବେଳେ ତେବେ ରହ ।

 

ଏତେ ବୋଲି ଶ୍ରୀନୃସିଂହ ପ୍ରଭୁ ଦେବସ୍ୱାମୀ

ପେଷିଲେ ବ୍ରହ୍ମଶକତି ହୋଇ ମନେ ତମୀ ।

ବୋଇଳେ ମୁରର ଯାଇ କାଟ ଏବେ ମୁଣ୍ଡ

ଶୁଣିଣ ଚଳିଲା ଶର ହୋଇଣ ପ୍ରଚଣ୍ଡ ।

 

ସୂର୍ଯ୍ୟଠାରୁ ଶତଗୁଣେ ପୃଥ୍ୱୀ ଗଲା ଘୋଟି

ପଡ଼ିଣ ମୁରର ବେକେ କାଟିଦେଲା ତୋଟି ।

କାଟନ୍ତେ ମୁରର ଲାଗିଗଲା ବେକେ ମୁଣ୍ଡ

ଗତହୁଁ ଶତଗୁଣରେ ଦିଶେ ତାର ପିଣ୍ଡ ।

 

ଶୂନ୍ୟରେ ଦେବେ ଚାହିଁଣ ହେଲେ ଚମତ୍କାର

ବୋଇଲେକ କେଡ଼େ ଦୈତ୍ୟ ଅଟେ ମୁରାସୁର ।

ମୁଣ୍ଡ ଛିଡ଼ିପଡ଼ି ଲାଗୁଅଛି ବେକେ ପୁଣି

କେଡ଼େ ବର ଗୋଟି ତାକୁ ଦେଲେ ଶୂଳପାଣି

 

ଛିଡ଼ି ଯାଉଅଛି କିନ୍ତୁ ପଡୁ ନାହିଁ ମୁଣ୍ଡ

ତଳେ ପଡ଼ିଲେ ମରନ୍ତା ନିଶ୍ଚେ ଦୈତ୍ୟଷଣ୍ଢ ।

ଏଥର ନ ମରି ଯେବେ ରହିବ ଏ ମୁର

ଅବଶ୍ୟ କରିବ ରସାଗତ ଏ ସଂସାର ।

 

ଏରୂପେ ଭାଳନ୍ତେ ଶୂନ୍ୟେ ଥାଇ ଦେବତାଏ

ନୃସିଂହ ମୁରାସୁରର ଲାଗେ ଅପ୍ରମୟେ ।

ହାଣନ୍ତେ ମୁଣ୍ଡ ତାହାର ଲାଗଇ ଲେଉଟି

ନ ମରିଣ ଯୁଦ୍ଧକୁ ସେ ପୁଣି ଧାଇଁଛଟି ।

 

ନୃସିଂହ ବୋଇଳେ ଆରେ ମୁରାସୁର ଶୁଣ

ଶସ୍ତ୍ର ମରାମରି ଦୁହେଁ ନୋହିବା ଯେ ଜାଣ ।

ମାଲବିନ୍ଧା ହୋଇ ଆସ ଲାଗିଥିବା ଦୁହେଁ

ଜାଣିବା କାହାର କେତେ ବଳ ଯେଝା କାୟେ ।

ମୁଁ ବାଣ ବିନ୍ଧିଲେ ତୁହି ଆଡ଼ୁ ନେଇ ବେକ

ଛିଡ଼ିଲେ ମରୁନାହିଁ ଏ ବଡ଼ କଉତୁକ ।

ବିନ୍ଧିଲି ସହସ୍ରଥର ଯାଏ ଏବେ ବାଣ

ତୋଟି କଟିଲେ ତୋର ନ ଗଲା ଅଙ୍ଗୁ ପ୍ରାଣ ।

 

ଧନୁଶର ତଳେ ଥୋଇ ଲାଗିବାକ ଆସ

ଦେଖିବା କେଡ଼େ ତୋହର ଅଟଇ ସାହସ ।

ବେନି ପ୍ରହର ଏବେ ତ ହେଲା ଆସି ବେଳ

ତୋ ତୁଲେ ଆଉ ପ୍ରହରେ ଲାଗିବ କନ୍ଦଳ ।

 

ମୁହିଁ ବା ଜିଣଇ ତୋତେ ତୁ ବା ମୋତେ ଜିଣ

ସେହିଠାରୁ ତୋ ତୁଲେ ମୋ ନାହିଁ ଆଉରଣ ।

ଶୁଣିକରି ମୁରାସୁର ହସେ ଟହ ଟହ

ବୋଇଲାକ ଧନୁ ତେବେ ତଳେ ବେଗେ ଥୁଅ ।

 

ଅଧର୍ମ ସମର କଲେ କାକୁ ନାହିଁ ପାର

ଚିର ହୋଇଣ ସଂସାରେ ନାହାନ୍ତି କେ ନର ।

ମୁଁ ଯେ ଚିର ହୋଇଣ ବୋଲୁଛି ରହବି

ତୋଠାରୁ ବଞ୍ଚିଲେ ସିନା ତ୍ରିଜୀବୀ ହୋଇବି ।

 

ଧର୍ମ କଥାକୁ ନ ମାନି ଅଧର୍ମକୁ ଗଲେ

ନର୍କରେ ପଡ଼ନ୍ତେ ସେହି ପ୍ରାଣୀ ଜାଣ ମଲେ ।

ତୁ ଯେବେ ବିନ୍ଧିଲୁ ବାଣମାନ ମୋତେ ଆଣି

ସୋଲଭେଳା ବୋଲି ଏହା ନ କହେ କି ପୁଣି ।

 

ଶୁଣିଣ ନୃସିଂହ ପ୍ରଭୁ ଅଳ୍ପ ମନେ ହସି

ଧନୁଶର ତଳେ ଥୋଇ ରହିଲେ ଆକ୍ରୋଶି ।

ଶ୍ରୀନୃସିଂହ ଶ୍ରୀହସ୍ତରୁ ଦ୍ୟନ୍ତେ ଧନୁ ଛାଡ଼ି

ତେତେବେଳେ ଥୋଇଲା ଯେ ମୁର ଧନୁ କାଢ଼ି ।

 

Unknown

ମୁରାସୁର ବଧ

ଭଇରବ ମୂର୍ତ୍ତି ଗୋଟି ଧରେ ମୁରାସୁର

ଡରିଣ ପଳାନ୍ତୁ ବୋଲି ନୃସିଂହ ଠାକୁର ।

ଦଇତ୍ୟ ରୂପରେ ପ୍ରଭୁ ଦ୍ୱିଗୁଣରେ ବଢ଼ି

ମୁର ଦଇତ୍ୟ ଉପରେ ବସିଲେକ ମାଡ଼ି ।

 

ବୁକୁ ଉପରେ ମାରନ୍ତେ ଏକ ବଜ୍ରମୁଥ

ମୁରାସୁର ବୋଇଲା ହେ ହୋଇଲି କୃତାର୍ଥ ।

ମାନବ ବିଷ୍ଣୁର ହସ୍ତେ ବିଧାଏ ପାଇଁଲି

ଦେହରୁ କଳୁଷ ଛାଡ଼ିଗଲା ମୁଁ ଜାଣିଲି ।

 

ମୃତ୍ୟୁକାଳକୁ ମୋର ନ ଥିବ ଅଙ୍ଗେ ପାପ

ବିଧା ମାରି ମୋତେ କିରେ ଜିଣିଯିବୁ ବାପ ।

ତୋର ବିଧା ବାଜି ମୋର କଣ୍ଠୁ ଭାଜୁନାହିଁ

କଣ୍ଡୁ ମାତ୍ର ଦେଉଛି ନୃସିଂହ ନାମ ବହି ।

 

ନିଜେ ବିଷ୍ଣୁକୁ ଦେଖିଲେ ମୁହିଁ ବେନିଡୋଳେ

ତେତେବେଳେ ମୋକ୍ଷ ଯାଇଁ ହେବି ରବିତଳେ ।

ଶୁଣିଣ ନୃସିଂହ ତାକୁ ଧଇଲେ ନିରାଟେ

ନେଇଣ ଛେଚିଲେ ଧରି ମେରୁଗିରି କ୍ରୋଟେ ।

 

ତେଡ଼େ ମାଡ଼ରେ ମୁରର ନୋହେ ଲୋମବାଙ୍କ

ବୋଇଲାକ ଦେଲୁ ମୋତେ ସୁପାତି ପଲଙ୍କ ।

ଶେଯରେ ଶୁତିଲା ପରି ଲାଗେ ମୋତେ ଗିରି

ଏରୂପେ ଛେଚି ତୁହି ନ ପାରୁ କେବେ ମାରି ।

 

ଏରୂପେ ବୋଲନ୍ତେ ମୁର ଧଇଲେ ବାହୁଡ଼ି

ବିନ୍ଧ୍ୟଗିରିରେ ନେଇଣ ଛେଚିଲେ କଚାଡ଼ି ।

ତହିଁରେ ଛେଚନ୍ତେ ମୁର ହସେ ଟହ ଟହ

ବୋଳାକ ମହାବଜ୍ର ଅଟେ ମୋର ଦେହ ।

 

ଦେବତାମାନଙ୍କ କୂଟ ନ ଜାଣୁ କି ତୁହି

ଏରୂପେ ମଲେ ମୋତେ ସେଥାଆନ୍ତେ କି ଥୋଇ।

ତେଡ଼ିକି ବଜ୍ର ଶରୀର ହେଉ ସିନା ମୋର

ତେଣୁ ରହିଲେ ମୋ ସେବା କରି ସୁର ନର ।

 

ଶୁଣିଣ ନୃସିଂହ ସ୍ୱାମୀ ଧରି ତାକୁ ଭିଡ଼ି

ଲକ୍ଷେକ ଯୁଣ ପର୍ଯ୍ୟନ୍ତେ ଶୂନ୍ୟେ ସେ ଗଲେ ବଢି ।

ବୋଇଲେ ଶୂନ୍ୟରୁ ଛେଚି ପକାଇବି ମହୀ

ହାତ ଗୋଡ଼ ବୁକୁ ଭାଜି ଯାଉ ଗୁଣ୍ଡା ହୋଇ ।

 

ଲକ୍ଷେ ଯୋଜନ ଉଚ୍ଚରୁ ଦେଲେ ପ୍ରଭୁ ଛାଡ଼ି

ପଡ଼ିଲା ଦୈତ୍ୟ ଭୂମିରେ ଆସି ମୁଖମାଡ଼ି ।

ନିର୍ଘାତ ହୋଇ ପଡ଼ନ୍ତେ ରନ୍ଧ୍ର ଗଲା ଫୁଟି

ପାତାଳପୁରକୁ ଗଳି ଗଲା ଦନୁଜଟି ।

 

ବାସୁକି ପାଦ ତଳରେ ହେଲା ଯାଇଁ ଉଭା

ଦେଖିଲା ସହସ୍ର ଫଣା ଦିଶେ ଫୁଟି ପ୍ରଭା ।

ସହସ୍ର ମୁଖ ଯାକରେ ଦ୍ୱିସହସ୍ର ଚକ୍ଷୁ

ସୂର୍ଯ୍ୟ ଜ୍ୟୋତିପ୍ରାୟ ନେତ୍ର ଦିଶେ ଦେଖୁ ଦେଖୁ ।

 

ଦେଖିଣ ମୁର ବାସୁକି ପାଦତଳେ ନମି

ବୋଇଲା ମୋତେ ପକାଇଦେଲେ ଅନ୍ତର୍ଯ୍ୟାମି ।

ବାସୁକି ବୋଇଲା ରେ ତୁ ଅଟୁ ବଡ଼ ମୂର୍ଖ

କି ବୋଲ ଆସିଲୁ ଛାଡ଼ ନୃସିଂହର ପାଖ ।

 

ପାତାଳୟ ରେ ଆସିଣ ରହିଲୁ ଯେ ଲୁଚି

ଏଠାରେ ରହି ପାରିବୁ କେତେଦିନ ବଞ୍ଚି ।

ଯେ ଯେତେ କଥା ହୃଦରେ ମନେ ପାଞ୍ଚୁ ଥାଇ

ଆଗହୁଁ ତାହା ଜାଣିଣ ଥାନ୍ତି ଭାବଗ୍ରାହୀ ।

 

ତୋହର ମନେ ପାଞ୍ଚିଛୁ ଯେତେ ଭଲ ମନ୍ଦ

ସେ କଥା ସକଳ ଜାଣି ଗଲେଣି ଗୋବିନ୍ଦ ।

ନୃସିଂହ ପାଦ ଦେଖିଲେ ହୋଇଥାନ୍ତୁ ମୋକ୍ଷ

ତା ଛାଡ଼ି ପାତାଳେ ପଡ଼ି ରହିଲୁ ରେ ମୂର୍ଖ ।

 

 

ମୁର ବୋଇଲାକ ତୁମ୍ଭେ ଶୁଣ ସସ୍ର ମାଥ

ମୋର କର୍ମ ଲେଖି ଯାହା ଥିଲେ ଜଗନ୍ନାଥ ।

ସେହି କଥାଯାକ ଭୋଗ ହେଲେ ସିନା ଯାଇ

ଦୟା କରିବେ ଶ୍ରୀପାଦପଦ୍ମ ଭାବଗ୍ରାହୀ ।

 

ବାସୁକି ବୋଇଲେ ଯାଅ ଆସିଲୁ ଯେ ବାଟେ

ସେ ବାଟ ଚାରିଯୁଗକୁ ରହିବ ନିରାଟେ ।

ଯହିଁପାଇଁ ରହିବ ସେ କଥା ଥିବା କହି

ତୁ ମରି ହିରଣ୍ୟାସୁର ହେବୁ ପୁଣ ଯାଇଁ ।

 

ହିରଣ୍ୟସୁର ତନୟ ଯେ ପ୍ରହ୍ଲାଦ ହୋଇବ

ହରଣ୍ୟାସୁର ତାହାକୁ କେତେ କଷ୍ଟଦେବ ।

ସେ କଷ୍ଟ ତାହାର ହରି ନ ପାରିବେ ସହି

ଏହି ରନ୍ଧ୍ର ବାଟେ ଗଳିଯିବେ ଭାବଗ୍ରାହୀ ।

 

ସ୍ତମ୍ଭ ଭିତରେ ଯାଇଣ ଗୁପ୍ତେ ରହିଥିବେ

ଏହି ନୃସିଂହ ଏକ ଯେ ହିରଣ୍ୟ ମାରିବେ ।

ହିରଣ୍ୟ ମରି ପୁଣି ସେ ଦଶାନନ ହେବ

ପଞ୍ଚବଟୀ କାନନରୁ ସୀତା ହରି ନେବ ।

 

ସୁଗ୍ରୀବର ସଙ୍ଗତରେ ମୈତ୍ର ହୋଇ ରାମ

ଋଷ୍ୟମୂକ ପର୍ବତରେ କରିବେ ବିଶ୍ରାମ ।

ଚାରିଦିଗେ ଦୂତ ପେଷି ସୀତା ଖୋଜିବେ

କାହିଁରେ ନ ପାଇ ଦୂତେ ବାହୁଡ଼ି ଆସିବେ ।

 

ଅଷ୍ଟସେବା ଯାଇ ମାତ୍ର ଏହି ରନ୍ଧ୍ରେ ପଶି

ପାତାଳ ପୁରଯାକ ସେ ଖୋଜିବେ ବିଶେଷ ।

ଜାନକୀ ନ ପାଇଣ ସେ ରନ୍ଧ୍ରେ ଚଳିଯିବେ

ସମୁଦ୍ର ତଟରେ ଯ|ଇଁ ପ୍ରବେଶ ହୋଇବେ |

ବିଚାର କରିବେ ବସି ତହିଁ ଆଠଜଣ

ବୋଲିବେ ଲଙ୍କା ଖୋଜିବା ଚାଲ ଯାଇ ପୁଣ ।

ସେହି ଲଙ୍କାରେ ଜାନକୀ ଦେବୀ ଥିବେ ରହି

ଖୋଜି ପାରିଲେ ରାମଙ୍କୁ ଏହା ଦେବା କହି ।

 

ଅଙ୍ଗଦ ବୋଲିବ କେହୁ ଯିବା କର ମୂଳ

ବଡ଼ ଦୁର୍ଗମ ପଥ ଏ ଅଟେ ସିନ୍ଧୁ ଜଳ ।

ହନୁମାନ ବୋଲିବେ ମୁଁ ତେବେ ଏକା ଯିବି

ସୀତାଙ୍କୁ ଠାବ କରିଣ ବାହୁଡ଼ି ଆସିବି ।

 

ଏହି ରୂପେ ବୋଲି ହନୁ ଶୂନ୍ୟେ ଯାଇ ଚଳି

ଷାଠିଦଣ୍ଡ ମଧ୍ୟେ ଲଙ୍କାୟରେ ଯାଇ ମିଳି

ସେ ଲଙ୍କାଗଡ଼ଯାକ ଘଡ଼ିକେ ଖୋଜିବ ।

ସୀତାଙ୍କୁ ଅଶୋକବନେ କରିବ ସେ ଠାବ ।

 

ଜାନକୀଙ୍କି ଦେଖିଣ ଯେ ଆସିବ ବାହୁଡ଼ି

ସେନାଙ୍କ ଆଗେ ବସିବ ଆସି ଚକାମାଡ଼ି

ଜାନକୀଙ୍କି ଠାବକରି ଲଙ୍କାରୁ ଆସିଲି

ରାମଙ୍କୁ ଆଶ କହିବା ଏବେ ଯାଇଁ ଚାଲି ।

 

ଏଥେ ବୋଲି ସେନାଯାକ ଧରି ହନୁମାନ

ରଘୁନାଥ ପାଶେ ଯାଇଁ କହିଲେ ବହନ ।

ଶୁଣି ରାମ ଋକ୍ଷ ଜପି ସଇନଙ୍କୁ ଧରି

ସେତୁ ବାନ୍ଧି ରାବଣକୁ ପକାଇବା ମାରି ।

 

ସୀତାଙ୍କୁ ଘେନି ଅଯୋଧ୍ୟା ନଗ୍ରେ ଯହୁଁ ଯିବେ

କିଛିଦିନେ ପୁଣି ସୀତା ବନକୁ ପେଷିବେ ।

ବାଲମୀକ ଋଷି ଘରେ ଥିବେ ଯାଇଁ ସୀତା

ଲବ କୁଶ ଗୀତ ଗାନ୍ତେ ଜାଣି ଜଗଜ୍ଜିତା ।

 

ଲକ୍ଷ୍ମଣକୁ ପେଷି ସୀତାଦେୀ ଘେନିଯିବେ

ପରୀକ୍ଷା ଦିଅ ବୋଲିଣ ଅନଳ ଜାଳିବେ ।

ସୀତା ପାଞ୍ଚିବେ ସରିଲା ଆମ୍ଭ ଭୋଗ ଆସି

ବୈକୁଣ୍ଠ ଯିବାକୁ ମନ କଲେ ବ୍ରହ୍ମରାଶି ।

 

ଏମନ୍ତ ବିଚାରି ଅଗ୍ନି ମଧ୍ୟେ ନ ପଶିବେ

ଏହି ବିଳରେ ପଶିଣ ବୈକୁଣ୍ଠ ଆସିବେ ।

ତହିଁ ଉତ୍ତାରୁ ଲକ୍ଷ୍ମଣ ପୁଣି କିଛିଦିନେ

ଏହି ବିଳେ ପଶି ଚଳିଯିବେ ନିଜସ୍ଥାନେ ।

 

ତହିଁ ଉତ୍ତାରୁ ପୁଣ ଏ ଅବତାର ସାରି

ଆସିବେ ବଇକୁଣ୍ଠକୁ ରାମ ଚାପଧାରୀ ।

ତ୍ରେତାଯୁଗ ଅନ୍ତେ ପୁଣି ଦ୍ୱାରରରେ ଯାଇଁ

ଶ୍ରୀକୃଷ୍ଣାବତାର ଗୋଟି ହେବେ ଭାବଗ୍ରାହୀ ।

 

ଏ ବିଳେ ପଶି ଆସିବେ ପୁଣି ଲକ୍ଷ୍ମିକାନ୍ତେ

ପାତାଳେ ଆସି ଜାମ୍ୱବ ସହିତରେ ହରି

କନ୍ୟା ବିଭା ହେବେ ବନ୍ଧୁ ସମ୍ୱନ୍ଧ ସେ କରି ।

 

ସାତ ମଙ୍ଗଳା ସାରିଣ କନ୍ୟା ଘେନିଯିବେ

ଦ୍ୱାରକାପୁରରେ ନେଇ ସୁଖେ ବିଳସିବେ ।

ସେ ଅବତାର ସାରିଣ କଳିଯୁଗେ ଆସି

ନୀଳଗିରିରେ ବିଜୟ ହେବେ ବ୍ରହ୍ମାରାଶି ।

 

ଏହି ରନ୍ଧ୍ରରେ ବାହାର ପାତାଳକୁ ଯାଇଁ

ଜଗନ୍ନାଥଙ୍କୁ ଦେଖିବେ ସର୍ବେ ରୁଣ୍ଡ ହୋଇ ।

ଏହିପରି ଦର୍ଶନ ସେ କରୁଥିବେ ନିତି

ଚାରିଯିୁଗରେ ବିବର ରହିଲା ତୋ କୀର୍ତ୍ତି ।

 

ଯା ଯା ଏବେ ମୁର ରେ ନୃସିଂହ ହାତେ ମର

ଚାରିଯୁଗକୁ ରେ କୀର୍ତ୍ତି ରହିଗଲା ତୋର ।

ଶୁଣିକରି ମୁରାସୁର ହସିଣ ବୋଇଲା

ନୃସିଂହ ଲାଗି ଭଲା ଏ କୀର୍ତ୍ତି ମୋ ରହିଲା ।

 

ମାନବ ବିଷ୍ଣୁ ବୋଲି ମୁଁ ମନେ ପାଞ୍ଚୁ ଥାଇ

ଏବେ ଥୋକେ ଜାଣିଲି ଏ ଅଟେ ଭାବଗ୍ରାହୀ।

ତଥାପି ଏ ଭାବଗ୍ରାହୀ ବୋଲି ସିନା ମାତ୍ର

ମଲାଯାଏ ତାକୁ ମୁଁ ନ ଯୋଡ଼େ କରପତ୍ର ।

 

ସତେ ବିଷ୍ଣୁ ସେ ସଂସାରେ ଯେବେହୋଇଥାନ୍ତା

ଆଜ ପର୍ଯ୍ୟନ୍ତ ମୋତେ ସେ କିପାଁ ନ ମାରନ୍ତା ।

ଏଥୁ ଗଲେ ବିଷ୍ଣୁ ବଳ ବୁଝିବଇଁ ପୁଣି

ଏତେ ବୋଲି ମୁର ତହିଁ ଉଠି ଲଶିର ଝୁଣି ।

 

ସେହି ବିବର ବାଟରେ ମଞ୍ଚକୁ ଆସିଲା

ସମର ଭୂମିରେ ଯାଇଁ ପ୍ରଭୁଙ୍କୁ ଭେଟିଲା ।

ବୋଲେ ତୁହି ପରା କୃଷ୍ଣବଲ୍ଲଭର ପୁଅ

ଏରୂପେ ମୋତେ ଛେଚି ତୁ ପାରିବୁ କି କହ ।

 

ବ୍ରହ୍ମପ୍ରଳୟେ ଅଛଇ କେ ଅମର ହୋଇ

ତୋ ତୁଲେ ମୋ ଯୁଦ୍ଧଲାଗି ମୋକ୍ଷ ହେଲାଦେହୀ ।

ଆପଣେ ଶ୍ରୀହସ୍ତେ ଧରି ଦେଲୁ ମୋତେ ଛେଚି

ଅଧିକ ମୁଁ ବଜ୍ର ହୋଇ ରହିଲି ଶ୍ରୀବତ୍ସି ।

 

ଯେତେ ଦିନଯାଏ ଜୀଇଁ ସଂସାରେ ରହିଲି

ଅମେଧ ଶରୀର ବହି କାଳ ବଞ୍ଚିଗଲା ।

ଏବେ ମୁଁ ଶ୍ରୀଅଙ୍ଗେ ଲାଗି ହେଲି ପୀଡ଼ାପୀଡ଼ି

ଏ ପୁଣ୍ୟ ସଂସାର କେହୁ ପାଇନାହିଁ ଲୋଡ଼ି ।

 

ପୁତ୍ରେ ମୋର ମଲାଠାରୁ ଆଜିଯାଏ ତୋତେ

ଦେଖି ନ ଥିଲି ମୁଁ ଆଜି ଦେଖେଁ ନେତ୍ରପଥେ ।

ଆବର ତ ଦିନଯାକ ବ୍ୟର୍ଥେ ମୁହିଁ ନେଲି

ମାୟାରେ ପଡ଼ିଣ ତୋତେ ଭଜି ନ ପାରିଲି ।

 

ଏବେ ହେଲେ ମୋତେ ତୁହି ପାରିବୁ କି କହ

ଯେତେ ଛେଚୁଥିଲେ ମୋର ଅଟେ ବଜ୍ରଦେହ ।

ଶର ବିନ୍ଧିଣ ନିସତ ହୋଇଲୁଣି ହରି

ଛାଡ଼ିଦିଅ ମୋତେ ରାଜ୍ୟେ ଯିବି ମୁଁ ବାହାରି ।

 

ତେତିଶକୋଟି ରାଣୀ ଯେ ଅଛନ୍ତି ମୋ ଘରେ

ତାଙ୍କ ତୁଲେ ଯାଇଁ କ୍ରୀଡ଼ା କଲେ ଥରେ ଥରେ ।

କରିବି ସତର ଲକ୍ଷ ପୁତ୍ର ପୁଣି ଜାତ

ଲୋଡ଼ିଲେ ଭାଇ ଏକା ନ ମିଳେ କଦାଚିତ ।

 

ଏକାଙ୍ଗ ଚକ୍ରବର୍ତ୍ତୀ ମୁଁ ହେବି ଏବେ ଯାଇ

ତୋତେ ଆଉ ଭୟ ମୋର ତିଳମାତ୍ର ନାହିଁ ।

ଶୁଣିଣ ନୃସିଂହ ପ୍ରଭୁ ଅଳ୍ପ ଦେଲେ ହସି

ବୋଇଲେ ଯିବାକୁ ମନ ହେଲା କିରେ ଦୋଷି ।

ରାଜ୍ୟକୁ ତୁ ଅବା ଯିବୁ ମୃତ୍ୟୁ ବା ଲଭିବୁ

ଆବର ଦଣ୍ଡକେ ଗଲେ ବୁଝିବା ନା ସବୁ ।

ଏତେ ବୋଲିଣ ନାରାଚ ଧଇଲେ ନୃସିଂହ

ବିନ୍ଧିଲେ ମୁରକୁ ଯେହ୍ନେ ପ୍ରଳୟର ମେଘ ।

 

ତୀକ୍ଷ୍‌ଣ ନାରାଚରେ ତାହା ଛେଦେ ମୁରାସର

ଲେଉଟି ନାରାଚ ନେଇ ବିନ୍ଧିଲେ ଶ୍ରୀଧର ।

ଶର ବାଜନ୍ତେ ଦଇତ ହାତେ ଦିଏ ପୋଛି

 

ବୋଲନ୍ତି କେବଣ ବାଣେ ମରିବ ଏଦୈତ୍ୟ

ଏତେ ପାଞ୍ଚି ଶର ପୁଣି ବିନ୍ଧି ଅପ୍ରମିତ ।

ଶୁଭେ ଗୁଣର ଟଙ୍କାର ମେଘଧ୍ୱନି ଜିଣି

କକଡ଼ା ମାସରେ ଯେହ୍ନେ ବର୍ଷୁ ଥାଇ ପାଣି ।

 

ତେହ୍ନେ ନୃସିଂହ ବିନ୍ଧନ୍ତି ଶରମାନ ଯୋଖି

ମୁରର ଦେହ ଯାକରେ ଶର ରହେ ଲାଖି ।

ମଧୁମାସେ ମହୁମାଛି ଯେହ୍ନେ ଥାନ୍ତି ବେଢ଼ି

ସେହିରୂପରେ ନାରାଚ ମୁର ଅଙ୍ଗେ ପଡ଼ି ।

 

ଦେହେ ବାଜି ଶରମୁନ ରକ୍ତ ବହିଯାନ୍ତେ

ପୋଛିଣ ହସ୍ତରେ ପିଙ୍ଗିଦିଏ ମୁର ଦୈତ୍ୟ ।

ପିମ୍ପି ମାଇଲେ ଯେମନ୍ତେ ଦିଶେ ଦେହ ଫିକା

ସେହି ରୂପରେ ମୁରର ନୋହେ ଲୋମ ବଙ୍କା ।

 

ତାହା ଦେଖିଣ ନୃସିଂହ ପୁଣି ଶର ବିନ୍ଧି

ଧୀବର ଯେହ୍ନେ ମୀନକୁ ଜାଲେ ଦିଏ ରୁନ୍ଧି ।

ଏରୂପେ ବାଣ ବନ୍ଧନ୍ତେ କୋପେ ମହାପ୍ରଭୁ

ବାଜନ୍ତେ ମୁରର ଅଙ୍ଗେ ପୋଛି ହସ୍ତେ ସବୁ ।

 

ହୃଦୟରୁ ଶର କାଢ଼ି ଫିଙ୍ଗେ ଦଶଦିଗେ

ପର୍ବତରେ ପଡ଼ି ଗୁଣ୍ଡା ହ୍ୱନ୍ତି ମହାଭାଗେ ।

ଶର ବାଜନ୍ତେଣ ଦୈତ୍ୟ ହସେ ଟହ ଟହ

ବୋଲଇ ଶୁଣ ହେ କୃଷ୍ଣବଲ୍ଲଭର ପୁଅ ।

 

ନାରାଚ ବାଜିଲେ ଯେବେ ମୁହିଁ ମରୁଥାନ୍ତି

ଏତେକାଳ ଯାଏ ଜୀଇ କେମନ୍ତେ ରହନ୍ତି ।

କେହୁ ହେଲେ ବଳେ ପଶି ପିଟିଣ ପକାନ୍ତା

ଆଜିଯାଏ ମୋତେ କେହୁ ସଂସାରେ ରଖନ୍ତା ।

 

ଏଡ଼େଲୋକ ନୋହିଲେ କି ରୂପ ଚୌଦପୁର

ସାଧ୍ୟ କରି ପାରନ୍ତି କି ମୁହିଁ ସୁର ନର ।

ବ୍ରହ୍ମା ନିତି କିପାଁ ମୋତେ ବୋଧୂ ଆସୁଥାନ୍ତା

ଇନ୍ଦ୍ର ବୋଲ ପାଳି ମୋର କାହିଁକି ବର୍ଷନ୍ତା ।

 

ଅନଳ ପାକ ସମ୍ପାଦ ଖଟି ଥାଆନ୍ତା କି

ପବନ ସେବା କରିଣ ଧୀରେ ବହନ୍ତା କି ।

କୁବେର ଅଷ୍ଟରତନକୁ କିପାଁ ମୋତେ ଦ୍ୟନ୍ତା

ବରୁଣ ବିଚଣା ଧରି କିପାଁ ବିଞ୍ଚୁ ଥାନ୍ତା ।

 

ନ ଡରିଲେ ବସୁଧା ଯେ ମୋତେ ବହନ୍ତା କି

ନିତି ଚନ୍ଦ୍ର ସୂର୍ଯ୍ୟ ମୋତେ ଖଟି ଥାଆନ୍ତେ କି ।

ପଞ୍ଚଭୂତ ଯାକ ମୋର କିରୂପେ ବୋଲରେ

ସେବା କରି ରହନ୍ତେ କି ରାତ୍ର ଦିବସରେ ।

 

ଏତେ ହୋଇଲେ ପ୍ରଳୟ ପରିଯନ୍ତେ ମୁହିଁ

ଅମର ହୋଇ ସଂସାର ମଧ୍ୟେ ଅଛି ରହି ।

ସତର ଲକ୍ଷ ପୁତ୍ର ମୋ ଥିଲେ ଅବତରି

ତାଙ୍କୁ ମାଇଲା ପରାୟେ ମଣୁ ମୋତେ ହରି ।

 

ଦାରୁଣ ଭାଇକି ନାଶ କଲୁ ଅଚ୍ଛଟକେ

ତାହାର ପ୍ରାୟ ମୋତେ କି ମଣୁଛୁ ତ୍ରିଲୋକେ ।

ବଡ଼ ଲୋକ ଜଣା ହେତୁ କହି ଆଜିଯାଏ

ମୋର ଆଗେ ଯୁଝୁଛୁ ନ କରି ମନେ ଭୟେ ।

 

ଆନଲୋକେ ମୋର ପାଶେ ପାରନ୍ତା କି ରହି

ନିମିଷକେ ପ୍ରାଣ ତାର ପକାନ୍ତି ମୁଁ ଦହି ।

ଏହିକ୍ଷଣି ଘେନିଯିବି ନିଶ୍ଚେ ତୋର ପ୍ରାଣ

ଏତେ ବୋଲିଣ ପେଷିଲା ଏକଲକ୍ଷ ବାଣ ।

ସେହି ବାଣଯାକ ଛେଦି ପକାଇଲେ ହରି

ଭୁଜୁବାଣ ବିନ୍ଧିଲେକ କରେ ପୁଣି ଧରି ।

ବୋଇଲେ ମସ୍ତକ ଛେଦି ପକା ପାପିଷ୍ଠର

ଏହା ଶୁଣି ଭୁଜବାଣ ଚଳିଲା ତତ୍ପର ।

 

ବେକରେ ପଡ଼ନ୍ତେ ତତକ୍ଷଣ ଗଲା ଛିଡ଼ି

ନିଃଶ୍ୱାସ ମାତ୍ରକେ ବେଳେ ଲାଗିଲା ବାହୁଡ଼ି ।

ତା ତହୁଁ ଶତେଗୁଣରେ ଦିଶେ ହୋଇ ଉଜ

ଲେଉଟି ଧରିଣ ବାଣ ବିନ୍ଧିଲା ଦନୁଜ ।

 

ପ୍ରତିଅସ୍ତ୍ର କରି ଛେଦି ଦେଲେ ଭାବଗ୍ରାହୀ

ଦେଖି ମୂରଦୈତ୍ୟ ତାହରା ଚମତ୍କାର ପାଇ

ବୋଇଲା ବ୍ରାହ୍ମଣ ଏହି ନୁହଇ ନୃସିଂହ

ବିନ୍ଧିଲେକ ଶର ଦେଉଅଛି କରଭଙ୍ଗ ।

 

କ୍ଷତ୍ରୀ ନୋହେ ବୋଲି ମୁହିଁ ଭାବୁଥାଇ ମନେ

କେଡ଼େ କ୍ଷତ୍ରିୟ ଅଟେ ସେ ନରବିଷ୍ଣୁ ଜଣେ ।

ବିପ୍ରକୁଳେ ଜନମି ଏରୂପେ ହେବ ବୋଲି

ମୋଠାରୁ ନାହିଁ କେ କ୍ଷତ୍ରୀବୋଲି ପାଞ୍ଚୁଥିଲି ।

 

ଭଲ କ୍ଷତ୍ରୀ ଅଟେ କୃଷ୍ଣବଲ୍ଲଭର ପୋଏ

ଏତେ ବୋଲିଣ ବିନ୍ଧିଲା ବାଣ ଅପ୍ରମାୟେ ।

ବାଜନ୍ତି ନୃସିଂହ ଅଙ୍ଗେ ଶରମାନ ଯାଇ

ରକ୍ତ ଖଳ ଖଳ ହୋଇ ଦେହୁଁ ପଡ଼େ ବହି ।

 

ଅଙ୍ଗୁ ଝରନ୍ତେ ରକ୍ତ ନ ମାନି ଚଉବାହା

ଯୁଦ୍ଧ ତମାସେ ବିନ୍ଧନ୍ତି ବାଣ ହୋଇ ଠିଆ ।

ହସ୍ତରେ ଆଉଁଷି ରକ୍ତ ଦେଇ ପ୍ରଭୁ ପୋଛି

ମହାକାଳେ ଶର ଧନୁ ମଧ୍ୟେ ଦେଇ ଯୋଚି ।

 

ବୋଇଲେକ ଅସୁରର ବେକେ ପଡ଼ ଯାଇ

ଛିଣ୍ଡାଇ ପକା ଦେଖନ୍ତୁ ଦେବେ ଶୂନ୍ୟେ ରହି ।

ଏହା ଶୁଣି ଦେବଶସ୍ତ୍ର ଚଳିଲା ତକ୍ଷଣେ

ମୁରର ବେକ ଛିଣ୍ଡାଇ ପଶିଲାକ ତୂଣେ ।

ଶର ନଖସୁଣୁ ବେକ ଲାଗେ ପୁଣି ତାର

ଶୂନ୍ୟେଥୋଇ ଦେବେ ଦେଖି ହେଲେ ଚମତ୍କାର ।

ନିଃଶ୍ୱାସ ମାତ୍ରକେ ବେକ ଲାଗିଲା ତା ପୁଣି

ନୃସିଂହ ବୋଇଳେ ମୁଁ ନ ପାରେ ଆଜ ଜିଣି ।

 

ଶତେଥର ଯାଏ ଛେଦିଦେଲି ଦୈତ୍ୟଶିର

କଦାପି ନ ମଲା ପାଇଅଛି ଭଲା ବର ।

ଛାଡ଼ିଦିଏଁ ରାଜ୍ୟକୁ ଏ ଯାଉ ସେ ବାହୁଡ଼ି

କେତେରୂପେ ମାଇଲେ ତ ନ ଗଲା ଏ ମରି ।

 

ଦେବେ ନାରାଚ ସଂସାରେ ଯେତେ ଥିବେ ଥୋଇ

ସବୁ ବିନ୍ଧି ମୁଁ ରହିଲି ଚିଟା ମାତ୍ର ହୋଇ ।

ଚାଳିଶ ଲିତା ଯେ ତିନି ପ୍ରହରକୁ ଅଛି

ଏଥି ମଧ୍ୟେ ନ ମଲେ ମୋ ସତ୍ୟ ଯେ ବୁଡ଼ୁଛି ।

 

ମାତଳି ବୋଇଲା ସ୍ୱାମୀ ତୁମ୍ଭେ ସତ୍ୟବ୍ରହ୍ମ

ବୁଝିଲେ ଏ ସୃଷ୍ଟି ଅଟେ ଅସତ୍ୟ କରମ ।

ଦୁର୍ଲ୍ଲଭ ଦେହ ପାର ଯେ ତୁମ୍ଭଙ୍କୁ ନ ଭଜି

ମରନ୍ତି ଅସତ୍ୟ କର୍ମ କରି ହୋଇ ଗଞ୍ଜି ।

 

ଅସତ୍ୟରୁ ପ୍ରାଣୀମାନେ ଅଳ୍ପାୟୁଷ ହୋଇ

ଅଳ୍ପେ ମରନ୍ତି ଅସତ୍ୟ କରମରେ ଥାଇ ।

ତୁମ୍ଭର ସତ୍ୟରେ ତୁମ୍ଭେ ପୃଥ୍ୱୀ ପାଳୁଁଅଛ

ପାଷାଣ୍ଡେ ମଣିଲେ ତୁମ୍ଭ ସତ୍ୟ କରି ମିଛ ।

 

ଦିନେ ମାତ୍ର ସତ୍ୟ ଧର୍ମ ବ୍ରତ ନ କରନ୍ତି

ତୁମ୍ଭ ପଥ ଛାଡ଼ି ଆନ ପଥ ପ୍ରବର୍ତ୍ତନ୍ତି ।

ପ୍ରଥମ ଦିନ ତୁମ୍ଭର ସତ୍ୟ ଧର୍ମ ବ୍ରତ

ସେ ପନ୍ଥା ଛାଡ଼ି ପାଷଣ୍ଡ କରେ ଆନ ବ୍ରତ ।

 

ତୁମ୍ଭର ହରି ଜନମ ବ୍ରତ ଯେଉଁଦିନ

ସେହି ଦିନ ନ ପାଳନ୍ତି ପାଷାଣ୍ଡ ଯେ ଜନ ।

ପ୍ରଥମ ଦିନରୁ ଏକାଦଶୀ କି ଛାଡ଼ନ୍ତି

ଦ୍ୱାଦଶୀ ଦିନରେ ଏକାଦଶୀ ସେ କରନ୍ତି ।

ତ୍ରୟୋଦଶୀରେ କରନ୍ତି ଦ୍ୱାଦଶୀ ପାଳନୀ

ପାଷାଣ୍ଡ ଲୋକଙ୍କର ଏ ଅଟେ ବୁଝାମଣା ।

ତୁମ୍ଭ ତ ସର୍ବଘଟରେ ତୁଲ୍ୟେ ଅଛ ପୂରି

ତୁମ୍ଭଙ୍କୁ ପାଷାଣ୍ଡ ଘେନୁଛନ୍ତି ଭିନ୍ନ କରି ।

 

ସ୍ମାର୍ତ୍ତ ଲୋକ ଯେତେକ ସେ ଭ୍ରମିଣ ମରନ୍ତି

ପରମାର୍ଥ ଲୋକେ ଦେହେ ତା ଅର୍ଥ କରନ୍ତି ।

ବୁଝିଲେ ତ ଦୁଇମତ ଅଟେ ସମସରି

ପଣ୍ଡିତ ଲୋକେ ଘେନନ୍ତି ସବୁ ସମ କରି ।

 

ତୁମ୍ଭର ସତ୍ୟ ବଚନ କିପାଁ ଯିବ ବୁଡ଼ି

ସସ୍ରପାଦ ଦେଖି ଦୈତ୍ୟ ଛାଡ଼ିବ ଯେ ରଡ଼ି ।

ସେ ରଡ଼ି ଶୁଣିଲେ ତିନିପୁର ଯିବ କମ୍ପି

ପୂର୍ବରୁ ବିଧାତା ଏହା ଅଛଇ କଳପି ।

 

ଶୁଣିଣ ନୃସିଂହ ପ୍ରଭୁ ବୋଇଲେ ଏ ସତ୍ୟ

ଏରୂପ ନୋହିଲେ କେବେ ନ ମରେ ଏ ଦୈତ୍ୟ ।

ସହସ୍ର ଚରଣ ତେବେ ଦେଖାଇବା ତାକୁ

ବଡ଼ ଅଗମ୍ୟ କଥା ଏ ଅଟେ ସଂସାରକୁ ।

 

ଏତେ ବୋଲିଣ ନୃସିଂହ ବିଶ୍ୱରୂପ ଧରି

ଶ୍ରୀଅଙ୍ଗୁ ସହସ୍ରପାଦ ଜାତ କଲେ ହରି ।

ଦିଶନ୍ତେ ରବିମଣ୍ଡଳ ଯାଏ ପ୍ରଭୁ ବଢ଼ି

ଆଦିତ୍ୟ କଲେ ସେବା ଶ୍ରୀପଦ୍ମପାଦେ ପଡ଼ି ।

 

ସହସ୍ର କିରଣଯାକ ଘେନି ପ୍ରଭାକର

ଲାଗିଲେ ବିଷ୍ଣୁ ପାଦରେ ହୋଇ ଅବତାର ।

ସହସ୍ର କିରଣଯାକ ସହସ୍ର ପାଦରେ

ଅଙ୍ଗୁଳି ଅଗରେ ନଖ ହୋଇଲେ ତତ୍ପରେ ।

 

ତେତିଶକୋଟି ଦେବତା ଝୁମୁକା ପରାୟେ

ପାଦେ ବେଢିଣ ଲାଗିଲେ ସର୍ବେ ଯେଝାଠାଏ ।

ଶ୍ରୀନୃସିଂହ ଅଙ୍ଗେ ଆସି ଦଶଦିଗପାଳେ

ପ୍ରଭାମାନ ପ୍ରକାଶିଣ ରହିଲେ ନିଶ୍ଚଳେ ।

ଅଣଚାଶ ମୂର୍ତ୍ତିଯାକ ଘେନିଣ ମରୁତ

ପ୍ରଭା ପ୍ରକାଶିଲେ ନେଇ ବିଷ୍ଣୁ ପାଦଗତ ।

ବାସୁକି ସହସ୍ରଫଣା ଧରି ବିଜେ କଲା

ଶ୍ରୀନୃସିଂହ ପାଦତଳେ ପ୍ରଭା ପ୍ରକାଶିଲା ।

 

ଚନ୍ଦ୍ର ଦେବତାଙ୍କ ଥିଲା ଯେତେ ପ୍ରଭାଗୁଣ

ନୃସିଂହର ପାଦେ ଆସି ପ୍ରକାଶିଲେ ପୁଣ ।

ଈଶ୍ୱର ଦେବତାଙ୍କର ଯେତେ ରଶ୍ମିତେଜ

ନୃସିଂହ ପାଦେ ଥୋଇଲେ ତାହା ବୃଷଧ୍ୱଜ ।

 

ବ୍ରହ୍ମାଙ୍କ ହୃଦରେ ଥିଲେ ଯେତେ ରଶ୍ମିଗଣ

ସହସ୍ର ପାଦପଦ୍ମରେ ରହିଲେ ଲାଗିଣ ।

ଅଗ୍ନି ଦେବତାଙ୍କ ଦେହେ ଯେତେ ତେଜ ଥିଲା

ବିଷ୍ଣୁଙ୍କ ସହସ୍ର ପାଦେ ପ୍ରକାଶ ହୋଇଲା ।

 

ନବଗ୍ରହଯାକ ଆସି ଲାଗିଲେ ଚରଣେ

ଦେଖାଇ ଯେ ଯାହା ରଶ୍ମିଗଣ ଜଣେ ଜଣେ ।

ନାଶକର ଦେବତା ଯେ ସସ୍ରପାଦ ତଳେ

କାଳପାଶ ଧରି ଜଗି ରହିଲେ ନିଶ୍ଚଳେ ।

 

ବରୁଣ ଦେବତାଙ୍କର ଯେତେ ରଶ୍ମି ପୁଣ

ପାଦପଦ୍ମ ତଳେ ରଖି ସେବିଲେ ରହିଣ ।

ନକ୍ଷତ୍ର ଯୋଗ କରିଣ ବାର ତିଥି ଯେତେ

ପାଦ ସେବାରେ ଲାଗିଲେ ଯେ ଯାହାର ମତେ ।

 

ପୃଥ୍ୱୀ ଆପ ତେଜ ବାୟୁ ବ୍ୟୋମ ପଞ୍ଚଭୂତ

ସହସ୍ର ପାଦତଳେ ଏ ହୋଇଲେ ସମ୍ଭୂତ ।

ସହସ୍ର ଶିରଯାକରେ ସସ୍ରଗୋଟି ମୁଖ

ବେନି ସହସ୍ର ନୟନ ବିରାଜେ ପ୍ରତ୍ୟକ୍ଷ ।

 

ସହସ୍ର ପାଦ ନୃସିଂହ ଯେଉଁ ଅବତାର

ସଚରାଚରର ସେହି ପ୍ରଭୁ ପ୍ରତିକାର ।

ଏହି ବିଷ୍ଣୁ ଅଙ୍ଗୁ ଦଶ ଅବତାର ଆସି

ପ୍ରକାଶି ଲୀଳା କରନ୍ତି ନିଜେ ବ୍ରହ୍ମରାଶି ।

ଲୀଳା ସରିଗଲେ ପୁଣି ପ୍ରଭୁ ଭାବଗ୍ରାହୀ

ରହନ୍ତି ଏ ବିଷ୍ଣୁଅଙ୍ଗେ ମିଶି ଏକା ହୋଇ ।

ସସ୍ରେପାଦ ଜ୍ୟୋତି ପରକାଶ ପ୍ରଭୁଅଙ୍ଗ

ମୁରାସୁର ଆଗେ ଦୃଶ୍ୟ ହୋଇଲେ ନୃସିଂହ ।

 

ସମସ୍ତଙ୍କୁ ଦିଶନ୍ତି ନୃସିଂହ ବିଷ୍ଣୁମୟ

ମୁରକୁ ହୋଇଲେ ଦୃଶ୍ୟ କାଳଦେବ ପ୍ରାୟ ।

ଏହା ଦେଖି ମୁରାସୁର ନିରେଖି ଚାହିଁଲା

ବିଷ୍ଣୁର ସହସ୍ରେ ପାଦ ଗଣି ହେଜିଗଲା ।

 

ଗଣୁ ଗଣୁ ସସ୍ରେ ପୂଜାଗଲା ଯେତେବେଳେ

ମହାଘୋର ରଡ଼ି ଏକ ଛାଡ଼ିଲା ସେକାଳେ ।

ସ୍ୱର୍ଗ ମର୍ତ୍ତ୍ୟ ଯେ ପାତାଳ କମ୍ପିଗଲା ମହୀ

ନିଷ୍କମ୍ପ ହୋଇ ନୃସିଂହ ଛନ୍ତି ଉଭା ହୋଇ ।

 

ସଂସାରରେ ଜୀବଜନ୍ତୁ ଯେତେ ପୂରିଥିଲେ

ତିରିଶ ଲତା ପର୍ଯ୍ୟନ୍ତେ ଅଚେତ ହୋଇଲେ ।

ତହିଁ ଉତ୍ତାରୁ ସକଳେ ଉଠିଲେ ଚେତାଇ

କନକାବତୀ ନଗ୍ରରେ ଶୁଭେ ରଡ଼ି ଯାଇ ।

 

ମଦନାବତୀ ରାଣୀ ଯେ କର୍ଣ୍ଣ ଥିଲା ଡେରି

ସ୍ୱାମୀର ରଡ଼ି ଶୁଣନ୍ତେ ଜାଣିଲା ସୁନ୍ଦରୀ ।

ବୋଇଲା ପତି ମୋହର ଗୃହୁଁ ଗଲାବେଳେ

ଶକୁନି କହିବା କଥା ଘଟିଲା ଏ କାଳେ ।

 

ଏବେ ଅବଶ୍ୟ ପୂରିଲା ଆସି ମୃତ୍ୟୁକାଳ

ସହସ୍ର ପାଦ କାଢିଲେ ଅଙ୍ଗୁ ଆଦିମୂଳ ।

ସେ ପାଦ ବାଜିଲେ ସ୍ୱାମୀ ନିଶ୍ଚେଁ ଯିବେ ମରି

ଆଜିଯାଏ ସେ ପାଦ କେ ପାଇ ନାହିଁ ତରି ।

 

ସେହି ପାଦପଦ୍ମ ଏକା ଭକ୍ତେ ଜାଣ ମିଳେ

ଅଣହେତୁ ମରଣ ଯେ ଅଗାଡ଼ିର ତୁଲେ ।

ମୋର ସ୍ୱାମୀ ଭାଗ୍ୟପ୍ରାୟ ସଂସାରେ କେ ନାହିଁ

ଶ୍ରୀପାଦପଦ୍ମ ଲାଗିଣ ଯିବେ ମୁକ୍ତ ହୋଇ ।

ଏରୂପେ ମନେ ପାଞ୍ଚି ମଦନାବତୀ ରାଣୀ

ତେତିଶକୋଟି ରାଣୀଏ ଗଲେ ରଡ଼ି ଶୁଣି ।

ଶ୍ରୀପାଟ ମହାଦେଈକି ପୁଚ୍ଛିଲେ ଖବର

ମଦନାବତୀ ବୋଇଲେ ସ୍ୱାମୀକାର୍ଯ୍ୟ କର ।

 

ରଡ଼ି ନୁହଇ ଏ ଜାଣ ଅଟଇ ମରୁଡ଼ି

କାଲିକି ସ୍ୱାମୀ ଖବର ପାଇବା ବାହୁଡ଼ି ।

ଏଥୁ ଅନନ୍ତରେ ମୁରାସୁର କଥା ଶୁଣ

ସହସ୍ରେ ପାଦକୁ ଚାହିଁ ରହେ ନିରେଖିଣ 

 

ବୋଇଲା ଜନ୍ମିଲେ ନିଜେ ବିଷ୍ଣୁ ଆସି ଏବେ

ବର ଦେଲାବେଳେ କହିଥିଲେ ସଦାଶିବେ ।

ତେଣୁ ସେହି ବଲ୍ଲଭର ପୁତ୍ର ନ ମାନଇ

ମାନବବିଷ୍ଣୁ ବୋଲି ମୁଁ ଭୟ ନ କରଇ ।

 

ପ୍ରତ୍ୟକ୍ଷେ ଦେଖିଲି ସ୍ୱୟଂବ୍ରହ୍ମ ଏବେ ଆସି

ଆଜଯାଏ ବ୍ୟର୍ଥେ ମାୟା ମଧ୍ୟେ ଥିଲି ପଶି ।

ଧନଦ୍ରବ୍ୟ ଦାରାସୁତ ରାଜ୍ୟଘୋଷ ଯେତେ

ଦେହକୁ ଏ କାଳପାଶ ଅଟନ୍ତି ଜଗତେ ।

 

ପତ୍ନୀଠାରେ ସ୍ନେହ ଲୋଭ ଯେହ୍ନେ ପ୍ରବର୍ତ୍ତଇ

ସେହି ରୂପରେ ଧନର ଲୋଭେ ହୋଏ ମୋହି ।

ଏଣୁକରି ଧନ ଦାରା ଦୁହେଁ ସମସରି

ଲୋଭେ ପ୍ରବର୍ତ୍ତି ଅବଶ୍ୟ ଯାଆନ୍ତି ସେ ମରି

 

ଦାରା ତନୟ ଧନରେ ହୁଅନ୍ତି ଯେ ମୋହି

ଚାକୁଣ୍ଡା ବୋଲି ତାହାକୁ ସଂସାରରେ କହି ।

ବିଷ୍ଣୁ ପାଦରେ ନ ଭଜି ଧନେ ହୁଏ ମଜ୍ଜି

ଆଖି ବୁଜିଲେ ସଂସାରେ ସବୁ ଯାଏ ହଜି ।

 

ଆଜି ପର୍ଯ୍ୟନ୍ତ ମୁଁ ମାୟା ମଧ୍ୟେ ଥିଲି ପଡ଼ି

ଏବେ ପାଇଲି ଯେ ପଦ୍ମପାଦ ଲୋଡ଼ି ଲୋଡ଼ି ।

ଏତେ ବୋଲିଣ ଚାହିଁଲା ମୁର ନେତ୍ରଗତେ

ବୋଇଲାକ ପଦ୍ମପାଦ ଦେଖା ବେଳେ ମୋତେ ।

ଶୁଣିକରି ମହାପ୍ରଭୁ ସସ୍ରେ ପାଦଯାକ

ରଖିଲେ ଛତ୍ର ଆକାରେ ଟେକି ପୁଣ୍ୟଶ୍ଳୋକ ।

ରବି କିରଣ ପରାୟେ ଦିଶେ ପାଦଜ୍ୟୋତି

ବିଜୁଳି ଝଟକେ ଯେହ୍ନେ ଅନ୍ଧକାର ରାତ୍ରି ।

 

ସହସ୍ରେକ ପାଦଯାକ ଦେଖି ମୁରାସୁର

ଶତେ ଯୋଜନ ପର୍ଯ୍ୟନ୍ତ ବଢ଼ିଲା ଶରୀର ।

ବିଶ୍ୱରୂପ ଧରି ବିଷ୍ଣୁ ଆଗେ ହେଲା ଉଭା

ବୋଇଲା କିରୂପେ ମୋତେ ମାରିବ ଦେଖିବା ।

 

ବଢ଼ାଇଛ ପାଦଯାକ ଚଉକେ ଚଉକେ

ଏପାଦେ ମାରି ମୋତେ ନ ପାରି ପୁଣ୍ୟଶ୍ଳୋକେ ।

କେତେ ପର୍ବତରେ ମୋତେ ଛେଚିଲ ଯେ ଧରି

ଲୋମବଙ୍କା ମୋହର କି ପାରିଲ ହୋ କରି ।

 

ଛତୁପ୍ରାୟ ଆଜ ତୋର ପାଦଯାକ ଧରି

ଉପାଡ଼ି ଫିଙ୍ଗିବି ଗୋଟି ଗୋଟି କୁଢ଼ କରି ।

ଏତେ ବୋଲିଣ ଅସୁର ଉଠି ଅନ୍ତରାଳେ

ଚରଣ ଉପାଡ଼ିବାକୁ ଧାଏଁ କୋପାନଳେ ।

 

ଶୂନ୍ୟପୁରେ ଥାଇକରି ଦେବକୁଳଯାକ

ମାର ମାର ମାର ବୋଲି ଉଚ୍ଚେ ଦେଲେ ଡାକ ।

ଦେବଙ୍କ ଆକୁଳ ଶୁଣି ଦେବ ନରସିଂହ

ବୁଝିଲେ ତିନିପ୍ରହର ବେଳା ହେଲା ଭୋଗ ।

 

ମୁରାସୁର ପରମାୟୁ ପୂରିଲାବେଳକୁ

ସହସ୍ରେ ଚରଣେ ଟେକି ଧଇଲେ ତାହାକୁ ।

ବ୍ରହ୍ମଶକ୍ତି ପ୍ରାୟ ପିଟିଦେଲେ ପାଦ ଆଣି

ଧୂଳି ହୋଇ ଦୈତ୍ୟ ପଡ଼ିଗଲା ଶିରଝୁଣି

 

ରେଣୁ ପରାୟ ଭୂମିରେ ଭସ୍ମ ହୋଇଗଲା

ପ୍ରାଣକୁ ଛାଡ଼ିଣ ଯାଇ ବୈକୁଣ୍ଠେ ମିଳିଲା ।

ବିଷ୍ଣୁ ସିଂହାଦ୍ୱାରେ ପରବେଶ ହେଲା ଯାଇଁ

ଦେଖିଲା ବସିଛି ଦ୍ୱାରେ ଦାରୁଣ ତା ଭାଇ ।

ମୁରାସୁରକୁ ଦେଖି ସେ ନମସ୍କାର କଲା

ଆଛା କଲୁ ଭାଇ ମୋର ଆସିଲୁ ବୋଇଲା ।

ତୋହର ଯେଉଁ ଶବକୁ ଛାଡ଼ିଗଲୁ କେବୁଁ

ସେ ଶବେ ପଶିଲେ ଯାଇଁ ସବୁଙ୍କୁ ଚିହ୍ନିବୁ ।

 

କୃଷ୍ଣ କରୁଣା ପଲଙ୍କେ ଶବ ଅଛି ଶୋଇ

ସୋହଂସ ବିଞ୍ଚଣା ଖଞ୍ଜି ଛନ୍ତି ପ୍ରଭୁ ତହିଁ ।

ସେ ବିଞ୍ଚଣା ବାତ ବାଜି ଶବ ହୁଏ କଞ୍ଚା

ଦେଖ ତୋ ଶବମୂର୍ତ୍ତି କିରୂପେ ଅଛି ସଞ୍ଚି ।

 

ଶୁଣିଣ ମୁରାସୁର ଶ୍ରୀବିଷ୍ଣୁଙ୍କୁ ପ୍ରଶଂସି

ବୋଇଲା କେଡ଼େ ଅଟନ୍ତି ପ୍ରଭୁ ବ୍ରହ୍ମରାଶି ।

ଶବ ଗୋଟିକ ସାଇତି ରଖିଥିଲେ ମୋର

ଏତେ ବୋଲି ଶବେ ଯାଇ ପଶେ ମୁରାସୁର ।

 

ଉଠି ବସିଲା ସଜୀବ ହୋଇ ଦେହ ଘେନି

ରହିଲେକ ଦ୍ୱାରପାଳ ହୋଇ ଭାଇ ବେନି ।

ଏଥୁ ଅନନ୍ତରେ ଶୂନ୍ୟୁ ଦେବଗଣେ ଆସି

ସହସ୍ରେ ପାଦକୁ ସ୍ତୁତି କରନ୍ତି ଯେ ବସି ।

 

ବୋଲନ୍ତି ବିଷ୍ଣୁର ପାଦ ଏତେ ଅଛି ପୁଣି

ମୁରାସୁର ଲାଗି ଦେଖିଲୁ ଯେ ନେତ୍ର ଘେନି 

ମୁରକୁ ଯେବେ ବର ଏରୂପେ ନ ଦିଅନ୍ତି

କିରୂପେ ଦର୍ଶନ ପାନ୍ତୁ ସସ୍ରେ ପାଦ ମୂର୍ତ୍ତି ।

 

ସହସ୍ରେ ପାଦ ବୋଲିଣ ବେଦେ ଶୁଣିଥିଲୁ

ମୁରଲାଗି ଦେଖିକରି ଏବେ ମୁକ୍ତ ହେଲୁ ।

ବ୍ରହ୍ମା ବୋଇଲେ କେତେ ମୁଁ ଭଜିଲି ବିଷ୍ଣୁଙ୍କୁ

ସହସ୍ରେ ପଦ୍ମ ଚରଣ ନେତ୍ରେ ଦେଖିବାକୁ ।

 

ବେଦରେ ଶୁଣିଥିଲଇଁ ମନ୍ତ୍ର ସିନାପଢ଼ି

ସସ୍ରେପାଦ ବିଷ୍ଣୁ ଜନମିବେ ହୃଦୁଁ କାଢ଼ି ।

ପ୍ରତ୍ୟକ୍ଷରେ ଏବେ ଆସି ପାଇଲି ଦର୍ଶନ

ମୁରଲାଗି ହେଲା ମୋର ସଫଳ ଜୀବନ ।

ମୁର ଯଦ୍ୟପି ଏ ବର ମାଗି ନ ମରନ୍ତା

ଏ ପାଦ ଦେଖିଣ କେଭେଁ ବ୍ରହ୍ମା କି ପାରନ୍ତା ।

ଋଷିମାନେ ବୋଇଲେକ ଆମ୍ଭ କେଡ଼େ ଭାଗ୍ୟ

ଦେଖିଲୁ ସହସ୍ରେ ପାଦ ବିଷ୍ଣୁ ନେତ୍ରଯୁଗ ।

 

ମୁର ଲାଗି ଏହି ପାଦ ଦରଶନ କଲୁ

ସମସ୍ତେ ଆଜଠାବରୁ ଚିରଂଜୀବୀ ହେଲୁ ।

ଇନ୍ଦ୍ର ବୋଇଲେ କେତେ ମୁଁ ତପ କରିଥିଲି

ଏତେକାଳେ ପୁଣି ତାର ଫଳ ମୁଁ ପାଇଲି ।

 

ମୁରର ଲାଗି ଦେଖିଲି ସସ୍ରେ ପଦ୍ମପାଦ

ଏଠାରୁ ଜନ୍ମିବେ ଦଶ-ଅବତାର ବୃନ୍ଦ ।

ଦଶ-ଅବତାର ମୂର୍ତ୍ତି ଏହି ଅଙ୍ଗୁ ଆସି

ରହନ୍ତି ଏ ଅଙ୍ଗେ ଲୀଳା ସାରି ପ୍ରଭୁ ମିଶି ।

 

ଅଗ୍ନି ବୋଇଲେ ମୋହର ଅଟେ କେଡ଼େପୁଣ୍ୟ

ମୁରଲାଗି ଦେଖିଲି ମୁଁ ସସ୍ରେ ପାଦ ଚିହ୍ନ ।

ଯମ ବୋଇଲା ମୋହର ପୂର୍ବ ପୁଣ୍ୟ ଭାଗ୍ୟୁଁ

ବିଷ୍ଣୁର ସହସ୍ରପାଦ ଦେକେ ତପଯୋଗୁଁ ।

 

ମୁରାସୁର ଲାଗିଣ ଏ ପୁଣ୍ୟ ପ୍ରକାଶିଲା

ଭଲ ବର ମାଗି ଏହି ପାଦେ ଲୀନ ହେଲା ।

ବରୁଣ ବୋଇଲେ ହରି ପରମ ଦୟାଳୁ

ସହସ୍ରେ ପାଦ କାଢ଼ିଲେ ନିଜ ଉରୁମୂଳୁ ।

 

ଦେଖିଲି ଏ ପାଦ ମୁହିଁ ମୁରଦୈତ୍ୟ ଲାଗି

ଚୌରାଶି ସିଦ୍ଧିଲେଖା ମୁଁ ହେଲି ମହାଭାଗୀ ।

କୁବେର ବରୁଣ ଦେଖି କଲେ କେତେ ସ୍ତୁତି

ବୋଇଲେକ ମୁରଲାଗି ହେଲୁ ସର୍ବେ ମୁକ୍ତି ।

 

ଭଲା ଏ ପାଦକୁ ଜଗିଥିଲା ମୁରାସୁର

ଏ ପାଦ ଘେନି କାହାକୁ ନ କରେ ନଜର ।

ଏ ପାଦପଦ୍ମ ଲାଗି ସେ ମୋକ୍ଷ ହୋଇଗଲା

ସୁଗତି ଲଭିଲୁ ଆମ୍ଭେ ଦେଖି ସର୍ବେ ଭଲା ।

ନବଗ୍ରହେ ବୋଇଳେୋକ ଧନ୍ୟ ପାଦଜ୍ୟୋତି

ମୁରାସୁର ଲାଗି ସର୍ବେ ଲଭିଲୁ ମୁକତି ।

ଏ ମୁରାସୁରକୁ ଆମ୍ଭେ ଲାଖବିନ୍ଧାଠାରେ

ଧରିଣ ଶୂନ୍ୟରେ ଫିଙ୍ଗି ଛେଚିଥିଲୁ ଥରେ ।

 

ଆମ୍ଭେ ଛେଚିଲା ମାତ୍ରେ କି ଭାଜନ୍ତା ତା ବୁକୁ

ଦେଖିଲୁ ମୁର ଲାଗି ଏ ସହସ୍ର ପାଦକୁ ।

ଆଦିତ୍ୟ ଦେବତା ଦେଖି କଲେ ବହୁ ସ୍ତୁତି

ଧନ୍ୟ ପୁରୁଷ ସହସ୍ରେ ଶିର ଜଗଜ୍ୟୋତି ।

 

ସହସ୍ରେ ମୁଖପଦ୍ମରେ ସସ୍ରେ ନାସା ରଜ

ସହସ୍ରେ ନୟନେ ସସ୍ରେ ପ୍ରକାଶଇ ସୂର୍ଯ୍ୟ ।

ଶ୍ରୀମୁଖ ଗୋଟିକେ ଦିଶେ ଦୁଇ ଦୁଇ ନେତ୍ର

ଏମନ୍ତେ ସହସ୍ରେ ପାଦ ଦିଶଖେ ପ୍ରଭୁ ଗାତ୍ର ।

 

ସହସ୍ରେ ପାଦ ଯାକରେ ଦିଶେ ସୂର୍ଯ୍ୟଜ୍ୟୋତି

ଲକ୍ଷେ ଚନ୍ଦ୍ରରୁ ଅଧିକ ଶୀତ ପ୍ରକାଶନ୍ତି 

ଆମ୍ଭର ଭାଗ୍ୟ ଥିଲାରୁ ସସ୍ରେପାଦ ବିଷ୍ଣୁ

ମୁର ପ୍ରସାଦୁଁ ଦେଖିଲୁ ସର୍ବେ ଲୋକବିଷ୍ଣୁ ।

 

ବାର ତିଥି ନକ୍ଷତ୍ର ଯେ ଯୋଗ କରଣାଦି

ଏମାନେ କଲେ ସ୍ତୁତି ଶ୍ରୀପାଦପଦ୍ମ ବନ୍ଦି ।

ସହସ୍ରେ ପାଦର କଥା ବେଦେ ଥାଉଁ ଶୁଣି

ସହସ୍ରେ ଶିର ପୁରୁଷ ଶଏ ପଦ୍ମପାଣି ।

 

ମୁର ଦଇତ୍ୟ ପ୍ରସାଦୁ ସସ୍ରେ ପାଦ କାଢ଼ି

ଆମ୍ଭେ ଏବେ ତରିଲୁ ସେ ପାଦପଦ୍ମେ ପଡ଼ି ।

ଆଦିମୂଳ ବିଷ୍ଣୁ ଗର୍ଭୁ ପାଦଯାକ ଆଣି

ପ୍ରକାଶ କରନ୍ତେ ମୁର ଗଲା ସବୁ ଗଣି

 

ପାଦକୁ ଆଶା କରିଣ ଆଜଯାଏ ଥିଲା

ଶ୍ରୀ ପାଦପଦ୍ମେ ବାଜିଣ ପ୍ରାଣ ବିସର୍ଜିଲା ।

ଏହି ଅବତାର ଅନ୍ତେ ବାମନାବତାରେ

କାଢ଼ିବେ ଏ ପାଦମଧ୍ୟୁଁ ପାଦେ ବଳିଦ୍ୱାରେ ।

ସେଠାରେ ପୁଣି ଯେ ନାଭିପଦ୍ମ ପାଦେ କାଢ଼ି

ବଳିର ମୁଣ୍ଡେ ପାତାଳେ ଦେଇ ଦେବେ ମାଡ଼ି ।

ରଖିବେ ବୈକୁଣ୍ଠେ ନେଇ ତାକୁ ପାଦତଳେ

ପନ୍ଦରଲକ୍ଷ ଯୁଗ ସେ ରହିବ ପାତାଳେ ।

 

ତହିଁ ଉତ୍ତାରୁ ଇନ୍ଦ୍ର ସେ ହେବ ସ୍ୱର୍ଗେ ପୁଣି

ଏ କଥା ଆମ୍ଭେ ପୁରାଣେ ମଧ୍ୟ ଅଛୁ ଶୁଣି ।

ଏହି ରୂପରେ ସକଳ ଦେବଯାକ ଆସି

ସହସ୍ରେ ପାଦେ କରନ୍ତି ସର୍ବେ ସ୍ତୁତି ବସି ।

 

ବିଧାତା ବୋଇଲେ ପ୍ରଭୁ ହେ ପରମେଶ୍ୱର

ଏ ପାଦ ସଂହରି ଏବେ ନିଜରୂପ ଧର ।

ପୃଥ୍ୱୀ ବଇରୀକି ନାଶି ରଖିଲ ଦେବଙ୍କୁ

ବ୍ରହ୍ମା ଶଙ୍କର ହେଲେ କେ ମାରନ୍ତା ମୁରକୁ ।

 

ତୁମ୍ଭର କୃପାରୁ ଆମ୍ଭେ ସର୍ବେ ହେଲୁ ସୁଖୀ

ମୁର ଦାରୁଣ ମାରିଣ ପୃଥ୍ୱୀ ଗଲ ରଖି ।

ଭକ୍ତର ପାଇଁ ଯାବଦ ମୂର୍ତ୍ତି ତୁମ୍ଭେ ହୁଅ

ଦୁଷ୍ଟକୁ ସଂହାରି ଶିଷ୍ଟ ଲୋକେ ଦୟାବହ ।

 

ମୁରକୁ ମାରି ମୁରାରି ନାମକୁ ବହିଲ

ମୁରାରି ନାମ ଗୋଟିକୁ ସଂସାରେ ରଖିଲ ।

ମୁରାରି ନାମ ଗୋଟିକ ଅଭୀଷ୍ଟ ଯେ କରି

ଭଜନ କଲେ ସଂକଟୁ ନିଶ୍ଚେଁ ଯିବ ତରି ।

 

ଏହିଠାରୁ ଯେ ମୁରାରି ନାମ ଗୋଟି ହେଲା

ମୁରାରି ନାମ ଗୋଟିକ ସଂସାରେ ରହିଲା ।

ମୁରାରି ମଧୁସୂଦନ ବୋଲି ଯେ ଭଜିବ

ମହା ଆର୍ତ୍ତରୁ ରଖିବେ ତାଙ୍କୁ ବାସୁଦେବ ।

 

ଯାତ୍ରା ତୀର୍ଥରେ କୁମର ଯାର ଥିବ ହଜି

ବେଗେ ମିଳିବ ମୁାରାର ନାମ ଗୋଟି ଭଜି ।

ଅଦୃଢ଼ ନାବରେ ଯେବେ ବସିଥିବ ପ୍ରାଣୀ

ତରିବ ତହୁଁ ମୁରାରି ନାମ ନିଶ୍ଚେଁ ଗୁଣି ।

ନିଆଶ୍ରା ଭୂମିରେ ଯେ ପ୍ରଚଣ୍ଡ ବାତ ଯୋଗୁଁ

ଶ୍ରୀମୁରାରି ନାମ ଭଜି ତରିବ ଆତଙ୍ଗୁ ।

ବିବାହ କାଳରେ ଯେବେ ବିବାଦ ଜନ୍ମିବ

ମୁରାରି ଚିନ୍ତା କରିଲେ କନ୍ୟା ପ୍ରାପ୍ତ ହେବ ।

 

ଯଦ୍ୟପି ଭଜିବ ବନ୍ଧ୍ୟା ସ୍ତିରୀ ପୁତ୍ର ଚିନ୍ତି

ଚିନ୍ତିଲେ ମୁରାରି ନାମ ହେବ ପୁତ୍ରବତୀ ।

ମଡ଼ୁଛି ଗର୍ଭକଷ୍ଟ ଯେ ଅବା ହୋଇଥିବ

ଭଜିଲେ ମୁରାରି ନାମ ତା ପୁତ୍ର ଜୀବ ।

 

ଅଜ୍ଞାନ ସ୍ୱଭାବେ ଅରଜିବ ଯେବେ ପାପ

ଭଜିଲେ ମୁରାରିକି ସେ ପାପ ହେବ ଲୋପ ।

ମୁରାରି ମଧୁସୂଦନ ଏହି ନାମ ଗୋଟି

ଯେ ନିତ୍ୟେ ଭଜିବ ତାର ଖଣ୍ଡିବ ଅରଷ୍ଟି 

 

ଯେତେହେଁ ଲୋକଙ୍କଠାରେ ତୁମ୍ଭ ଦୟା ନାହିଁ

ସେହି କଥା ସାବଧାନେ କହେ ପୁଣି ମୁହିଁ ।

ବିମୁଖ ଏ ତୁମ୍ଭ ପାଦପଦ୍ମେ ଯେତେ ପ୍ରାଣୀ

କଉଡ଼ି ଦେଇ ମାରନ୍ତି ଯେହୁ ବୋଦା କିଣି 

 

ତା ସପ୍ତପୁରୁଷ ନର୍କେ ପଡ଼ନ୍ତି ଯେ ଯାଇ

ଚୌରାଶୀ ଯୋନି ଭୂମି ଜନମ ହେଉଥାଇ ।

ଆବର କଥା ଗୋଟିଏ ଜଣାଉଛି ଆଗେ

ପୁରୁଷ ସ୍ତିରୀ ଯେତେକ ଚଳନ୍ତି ଅମାର୍ଗେ ।

 

ଶୁଚିମନ୍ତ ଶରୀର ଯେ କେବେ ନ କରନ୍ତି

ନିରନ୍ତର ମିଥ୍ୟା ଭାଷା ଲୋକେ କହି ହ୍ୱନ୍ତି ।

ପରଦ୍ରବ୍ୟ ପରସ୍ତୀରି ହରଣେ ଯା ମନ

କୁତ୍ସାନରେ ବାସ କରି ସେବେ ନୀଚ ଜନ ।

 

ଯେ ପୁଣ ଦିନ ବଞ୍ଚେ ସୁକ୍ରିୟା କର୍ମହୀନେ

ଦକ୍ଷିଣ ମୁଖେ ଭୋଜନ କରେ ପ୍ରତିଦିନେ ।

ତ୍ରି ସନ୍ଧ୍ୟାରେ ହାଇ ନିଦ୍ରା ଦିନେ କାମଭୋଗ

ଶ୍ରୀଗୁରୁ ଛାମୁରେ ଯେହୁ କରେ କୁଟମାର୍ଗ ।

ତାହାର ନୟନ ଅନ୍ଧହୁଏ ଜାଣ କାଳେ

ଏ କଥା ହେଜି ନପାରେ ସେହୁ କେତେବେଳେ ।

ଆବର କଥା ଗୋଟିଏ କହୁଅଛି ମୁହିଁ

କେ ପୁଣ ଯାଇ ଯେ ଭୂମି ପରେ ନ ଚାଲଇ ।

 

ମନେ ମନେ ପାଞ୍ଚଇ ମୁଁ ଅଟେ କେଡ଼େଲୋକ

ମୋର ବୋଲେ ସବୁ ଲୋକେ ଛନ୍ତି ହୋଇ ଏକ ।

ବୋଲେ ସଂସାରରେ ସବୁ କଥା ମୁହିଁ ଜାଣେ

ବିଷ୍ଣୁର ଭିଆଣ ଏହି ବୋଲି ନ ପ୍ରାମାଣେ ।

 

ଯାବତ ପ୍ରକାରେ ଆତ୍ମା ମଧ୍ୟେ ଗର୍ବକରେ

ମୁଁ ବଡ଼ ବୋଲି କାହାକୁ ନ ଆଣେ ନଜରେ ।

ଆପଣାର ଚକ୍ଷୁ ଥାଉଁ ପରେ ଅଧିକାର

ମଣିମା ମଣିମା ବୋଲି ଡାକେ ପରିଚାର ।

 

ବେନିଶ୍ରୁତି ହୃଦେ ଥାଉଁ କରେ ଅବଧାନ

ଶୁଣି ନିଶୁଣିଲା ପ୍ରାୟ ଡେରିଥାଇ କର୍ଣ୍ଣ ।

ବେନି ବାହା ଥାଉଁ ଥାଉଁ ଆପଣା ହୃଦର

ପରକୁ ବୋଲୁଥାଇଁ ସୁବେଶ ବେଶ କର ।

 

ଆପଣା ପାଦ ଥାଉ ଯେ ପରପାଦେ ଚାଲେ

ଖଟ ଖଟୁଲିରେ ବସି ସୃଷ୍ଟିଯାକ ବୁଲେ ।

ପ୍ରତ୍ୟକ୍ଷରେ ସର୍ବଘଟେ ବିଜୟେ ନୃହରି

ଅଛନ୍ତିଟି ଆତ୍ମାରୂପେ ସବୁ ହୃଦେ ପୂରି ।

 

ଆପଣା ଆତ୍ମା ଚିହ୍ନି ନ ପାରେ ପରଦେହୁ

ପରଲୋକ ଆତ୍ମା ଚିହ୍ନି ପାରିବ ସେ କାହୁଁ ।

ପରଲୋକ ଆତ୍ମା ଚିହ୍ନିଣ ପ୍ରଭୁପଣ କରେ

ସେ ପ୍ରାଣୀ ଜାଣ କେବେହେଁ ସଂସାରୁ ନ ତରେ ।

 

ଜୀବଟି ଶ୍ରୀ ଜଗନ୍ନାଥ ପ୍ରଭୁ ଚକ୍ରପାଣି

ରଜ ଗୁଣରୁ ତିହ୍ନି କେ ନ ପାରନ୍ତି ଜାଣି ।

ମୁରାରି ନାମ ଗୋଟି ଯେ ନିତ୍ୟେ ଭଜୁଥିବ

ସର୍ବ ସଂକଟୁ ରଖିବେ ତାକୁ ବାସୁଦେବ ।

ତସକର ରାଜଦଣ୍ଡ ଗ୍ରହଗଣ ଆଦି

ଚଉଷଠି ରୋଗ ଘେନି ଖଣ୍ଡିହେବ ବ୍ୟାଧି ।

ଦୁର୍ଗମେ ପ୍ରଳୟେ ରଣେ ବଣେ ଶତ୍ରୁ ଭୟେ

ସର୍ପାଘାତ ବ୍ୟାଘ୍ରଭୟୁଁ ତରିବ ନିଶ୍ଚୟେ ।

 

ପିଶାଚ ଡାକିନୀ ଭୂତି ପ୍ରେତି ଅପମୃତ୍ୟୁ

ତରିବ ନିଶ୍ଟୟେ ଜାଣ ଆକାଶ ଉତ୍ପାତୁଁ ।

ପଥଶ୍ରାନ୍ତ ହୋଇଣ ଯେ ସ୍ମରୁଥିବ ଯେବେ

ଏଥୁ ତାରିଣ ରଖିବେ ତାକୁ ବାସୁଦେବେ ।

 

ବ୍ରହ୍ମାଙ୍କର ସ୍ତୁତି ଶୁଣି ଶ୍ରୀ ନୃସିଂହ ହରି

ଗର୍ଭରେ ସହସ୍ରେ ପାଦ ରଖିଲେ ସଂହରି ।

ଯେରୂପେ ପଦାକୁ କୂର୍ମ ଗ୍ରୀବା ଥାଏ ଖସି

ଲେଉଁଟିଣ କ୍ଷଣମାତ୍ରେ ଗର୍ଭେ ରହେ ପଶି ।

 

ସେହିରୂପେ ନୃସିଂହ ଯେ ରୂପ ଗୋପ୍ୟକରି

ନିଜେ ଶ୍ରୀ ନୃସିଂହ ରୂପ ଧଇଲେ ନୁହରି ।

ପରମ ଦୟାଳୁ ସେହି ପୁରୁଷ ନୃସିଂହ

ବସିଲେ ଦେବଙ୍କ ସଙ୍ଗେ ଘେନି ସଭା ଆଗ ।

 

ଶ୍ରୀନୃସିଂହଗଣଯାକ ସୁର ସୈନ୍ୟ ମାରି

ଗୋଟିଏ ନରଖି ସବୁ ଦେଲେ ପଦାକରି ।

ଅସୁର ସଇନ୍ୟଯାକ ମାରି ହରିଗଣେ

ନୃସିଂହ ଛାମୁରେ ଆସି ମିଳିଲେ ତକ୍ଷଣେ ।

 

ଶ୍ରୀପାଦପଦ୍ମ ତଳରେ ସକଳେ ପ୍ରଣମି

ବୋଇଲେ ଯେ ଆଜ୍ଞା ହେବ କରିବୁ ହେ ସ୍ୱାମି 

କେବଳ ଆଉ କନକାବତୀ ନଗ୍ର ଅଛି

ଆଜ୍ଞା ହୋଇଲେ ଯାଇଣ ଦେବୁ ସବୁ ପୋଛି ।

 

ଶୁଣିଣ ନୃସିଂହ ସ୍ୱାମୀ ଅଳ୍ପ ମନେ ହସି

ବୋଇଲେ ସେ ପୁରେ ଆଉ ଅଛନ୍ତି ରାକ୍ଷସୀ ।

ସେମାନଙ୍କ କଥାଯାକ ଆମ୍ଭେ ବୁଝୁ ସିନା

ତୁମ୍ଭେ ଏବେ ଗଣ୍ଡୁକୀର ତୀର୍ଥେ ଯାଅ କିନା ।

ଶାଳଗ୍ରାମ ହୋଇଣ ସେ ତୀର୍ଥେ କର ବିଜେ

ପୂଜନ୍ତି ବିପ୍ର ବୈଷ୍ଣବ ସାଧୁ ସବୁ ରାଜ୍ୟେ ।

ପୁରାଣେ ବିଷ୍ଣୁର ନାମ ଯେତେ ଅଛି ବସି

ସେହି ନାମ ବହି ଘେନୁଥିବଟି ତୁଳସୀ ।

 

ନାନାଦି ପ୍ରକାର ଷଡ଼ରସ ସୁଧା ଯେତେ

ଷୋଡ଼ଶୋପଚାରେ ପୂଜା କରନ୍ତି ସମସ୍ତେ ।

ଶ୍ରୀଆଜ୍ଞା ପାଇ ନୃସିଂହଗଣ ଗଲେ ଚଳି

ରହିଲେକ ଶାଳଗ୍ରାମ ତୀର୍ଥେ ଯାଇ ମିଳି ।

 

ମୁରାସୁରର ଚିତାଗ୍ନିରେ ମଦନାବତୀ ସହିତ
ରାଣୀମାନଙ୍କର ଦେହତ୍ୟାଗ

ଏଥୁ ଅନ୍ତନ୍ତେ କନକାବତୀ ନଗରରେ

ଚାର ପେଷିଣ ବ୍ରହ୍ମା ଯେ ବାର୍ତ୍ତା ଦେଲେ ବାରେ ।

ବୋଇଲେ ତୁହି କନକାବତୀ ପୁରେ ଯିବୁ

ମୁରାସୁର ମଲା ବୋଲି ଖବର କହିବୁ ।

 

ବୋଲିବୁ ଦଶାହକ୍ରିୟା କର୍ମଯାକ ସାରି

ଆସିବେ ସମର ଭୂମିଠାକୁ ସର୍ବନାରୀ ।

ମୁରା ଦଇତ ମରିବାକୁ ଭୂମିଖଣ୍ଡ ଦେଖି

ସେହିଠାରେ ସତୀ ତୁମ୍ଭେ ହୁଅ ସର୍ବସଖୀ ।

 

ଶୁଣିଣ ଚାର କନକାବତୀ ନଗ୍ରେ ଗଲା

ମଦନାବତୀ ଆଗରେ ପ୍ରବେଶ ହୋଇଲା ।

ବୋଇଲା ଗୋ ମହାଦେଈ ବାର୍ତ୍ତା ବେଗେ ଶୁଣ

ତୁମ୍ଭ ସ୍ୱାମୀ କି ମାଇଲେ ଆଜ ନାରାୟଣ ।

 

ବ୍ରହ୍ମାଏ କହିଅଛନ୍ତି ଦଶକ୍ରିୟା ସାରି

ଯୁଦ୍ଧ ଭୂମିକୁ ଆସିବ ତୁମ୍ଭେ ସର୍ବନାରୀ ।

 

ଯେବଣ ଭୂମିରେ ମୁର ପ୍ରାଣ ଅଛି ଛାଡି

ସେଠାରେ ଯାଇଣ ସର୍ବେ ସତୀ ହୁଅ ପୋଡ଼ି ।

 

ଏରୂପେ କହିଣ ଚାର ବାହୁଡ଼ି ଆସନ୍ତେ

ମଦନାବତୀ ଶୁଣିଣ କାନ୍ଦିଲା ମୁହୂର୍ତ୍ତେ ।

ପତିବ୍ରତା ସ୍ତିରୀ ସେହି ଅଟେ ମହାଦେଈ

ବିଚାର କରିଲା ବସି ମନେ ଦମ୍ଭ ବହି ।

 

ଅସମୟ ବେଳେ ଯେବେ ଅଧୈର୍ଯ୍ୟ ହୋଇବ

ତାହାର ବୁଦ୍ଧିକି ବଣା କରନ୍ତି ଦଇବ ।

ଧୈର୍ଯ୍ୟବନ୍ତ ଲୋକର ଯେ ସବୁ ହୁଏ ସିଦ୍ଧି

ବୁଦ୍ଧିବଳରୁ ସେ ପ୍ରାଣୀ ଲଭେ କୋଚିନିଧି ।

 

ପୂର୍ବ ଜନମେ ସ୍ୱାମୀ ମୋ ଘଟ ଆବୋରିଲେ

ତାଙ୍କ ବୁଦ୍ଧିବଳ ଜଣାଅଛି ମୋତେ ଭଲେ ।

ନାରଦଋଷି ପୁରାଣ ପୋଥି ଦେଖୁଁ ଦେଖୁଁ

ଏହା କହିଥିଲେ ଶୁଣିଅଛି ତାଙ୍କ ମୁଖୁଁ ।

 

ପ୍ରଚଣ୍ଡ ଚଣ୍ଡ ବୋଲିଣ ମୃତ୍ୟପ ସେ ଲଭନ୍ତେ

ଯମରାଜାର ଛାମୁକୁ ନ୍ୟନ୍ତେ ଚିତ୍ରଗୁପ୍ତେ ।

ଧର୍ମରାଜା ତାହାଙ୍କର ପାପପୁଣ୍ୟ ବୁଝି

ଲକ୍ଷେପଦ୍ମ ଯାଏ ପାପ ହେଲା ଦେଖୁଁ ପାଞ୍ଜି ।

 

କାଢ଼ିଲେ ପୁଣ୍ୟ କେବଳ ଅଛି ତେରଦିନ

ପୁଚ୍ଛିଲେ ଆଗକି ଭୋଗ କରିବୁ ରାଜନ ।

ପୁଣ୍ୟକୁ ଭୁଞ୍ଜିବୁ ପାପ ଭୁଞ୍ଜିବୁ କି କହ

ଯାହା ମାଗିବୁ ମୋଠାରୁ ତାହା ଲେଖିନିଅ ।

 

ପୁଣ୍ୟ ତେରଦିନ ତୋର ସରିଗଲେ ପୁଣି

ସେଠାରୁ କରିବୁ ପାପଭୋଗ ନୃପମଣି ।

ଶୁଣିକରି ଘଟୁଆଳ ମନେ ବୁଦ୍ଧି ପାଞ୍ଚି

ବୋଲେ ପାପ ଆଗ ମୁହିଁ ନ ମାଗିବି କିଛି ।

 

 

ପୁଣ୍ୟକୁ ମାଗିଲେ ଅବା ପୁଣ୍ୟ କରୁ କରୁ

ପାପରୁ ତରିଯିବି ଏ ସଂସାର ଭିତରୁ ।

ଏଥୁ ଅନନ୍ତରେ ଯମ ବୋଲେ ବେଗେ ମାଗ

କଟୁଆଳ ବୋଲେ ଦିଅ ତୋର ରାଜ୍ୟ ଭୋଗ ।

 

ତେରଦିନ ଯାଏ ମୁହିଁ ହେବି ନୁଆଯମ

ଦେଖ ବୁଦ୍ଧିବଳ ତାର କଲା କେଡ଼େ କର୍ମ ।

ନାଶକରି ଦେବତା ଯେ ବର ଯାଚି ଦେଇ

ତେରଦିନ ଯାଏ ଦୁଃଖ ଯେତେ ଛନ୍ତି ପାଇ ।

 

ସେ କଥା ପୁରାଣେ ହୋଇଅଛି ସବୁ ଲେଖା

ସେ ଚଣ୍ଡ ପ୍ରଚଣ୍ଡ ଜୟ ବିଜୟଟି ଏକା ।

ସେ ଜୟ ବିଜୟ ମୁର ଦାରୁଣ ହୋଇଲେ

ବିଷ୍ଣଙ୍କୁ ନ ମାନି ଅଖଡ଼େ ସେ ନାଶଗଲେ ।

 

ଲାଖ ବିନ୍ଧି ବିଭା ହ୍ୱନ୍ତି ମୋତେ ତହୁଁ ଆଣି

ତେତିଶକୋଟି ରାଣୀରେ କଲେ ପାଟରାଣୀ ।

ମୋହର ମନର କଥା ଜାଣି ବେଦପତି

ବୋଇଲେ ଋଣଭୂମିରେ ପଡ଼ ଆସି ସତୀ ।

 

ଆମ୍ଭ ଭାଗ୍ୟପ୍ରାୟ ସୃଷ୍ଟି ମଧ୍ୟେ ନାହିଁ ଭାଗ୍ୟ

ସତୀ ଗଲାବେଳେ ଯାଇ ଦେଖିବୁ ନୃସିଂହ ।

ପାଦେ ଶରଣ ପଶିବୁ ସର୍ବେ ତାଙ୍କୁ ଦେଖି

କେଡେ ସୁଦୟାରେ ଚାର ପେଷିଲେ ଅଷ୍ଟାକ୍ଷି

 

ଏତେ ପାଞ୍ଚିଣ ଷୋଡ଼ଶୋତ୍ତର କର୍ମ କଲା

ଶୁକ୍ରଙ୍କୁ ଡକାଇ କରି କର୍ମରେ ବସିଲା ।

ପ୍ରଥମ ଦିବସଠାରୁ ବାରଦିନ ଯାଏ

ଆପଣ କରାଇ ଦିଅ କର୍ମ ଦେବମୟେ ।

 

ଏହା ଶୁଣି ଶୁକ୍ରଗୁରୁ ବୋଲେ ଆଛା ଆଛା

କର ଆଗୋ ସ୍ୱାମୀ କାର୍ଯ୍ୟ ପୁରା ମନୋବାଞ୍ଛା ।

ସଂସାରେ ତୋହର ପ୍ରାୟ ଜଣେ ନାହିଁ ସ୍ତିରୀ

ବେନିକୁଳ ତାରି ସୃଷ୍ଟି ମଧ୍ୟେ ଯିବୁ ତରି ।

ପୂର୍ବକାଲେ ମନୁ ବଂଶେ ଚଣ୍ଡ ରାଜାଙ୍କର

ପତ୍ନୀ ହୋଇଥିଲେ ନାମ ତୋର ପ୍ରେମସାର ।

ଏ ଅବତାରେ ମଦନାବତୀ ଆସି ହେଲୁ

ମୁରାସୁର ବଂଶଯାକ ତାରିକରି ଗଲୁ ।

 

ଆରଜନ୍ମେ ହିରଣ୍ୟର ପତ୍ନୀ ତୁ ହୋଇବୁ

ଶୁଦ୍ଧାଙ୍ଗନା ହୋଇ ବ୍ରହ୍ମଜ୍ଞାନକୁ ଲଭିବୁ ।

ସେ ଅବତାର ଅନ୍ତରେ ମନ୍ଦୋଦରୀ ହେବୁ

ରାବଣକୁ ବିଭା ହୋଇ ଭୋଗେ ବିଳସିବୁ ।

 

ରାବଣେଶ୍ୱର ଅନ୍ତେ ତୁ ବିଭୀଷଣ ବରି

ଚନ୍ଦ୍ର ସୂର୍ଯ୍ୟ ପ୍ରଳେ ଯାଏ ଥିବୁ ଦେହ ଧରି ।

କହିଣ ଶୁକ୍ର ମଦନାବତୀର ହସ୍ତରେ

ପିଣ୍ଡ ପ୍ରଦାନ କରିଲେ ଦିନେ ଥରେ ଥରେ ।

 

ଦେବଆଳୟେ ବ୍ରାହ୍ମଣ ଭୋଜନ କରାଇ

ତିଳ କାଞ୍ଚନ ଦାନ ସେ ଦେଲେ ମହାଦେଈ ।

ପଣା ଛତ୍ର ଅନ୍ନଛତ୍ର ବହୁ ବିତରିଲେ

ଦ୍ୱାଦଶ ଦିନ ପର୍ଯ୍ୟନ୍ତେ ପିଣ୍ଡଦାନ କଲେ ।

 

ବୈକୁଣ୍ଠ ଭୂବନୁ ମୁର ଦାରୁଣ ଯେ ଆସି

ପିଣ୍ଡ ପକାନ୍ତେଣ ଭୁଞ୍ଜିଦ୍ୟନ୍ତି ଶୂନ୍ୟେ ଗ୍ରାସି ।

ନିଜ ଗୋତ୍ର ଉଚ୍ଚାରନ୍ତେ ପ୍ରେତଆତ୍ମା ବସେ

ଦ୍ୱାଦଶ ଦିନ ପର୍ଯ୍ୟନ୍ତ ପିଣ୍ଡଅନ୍ନ ଗ୍ରାସେ ।

 

ଗୋଟ ଗୋଟ ଆତ୍ମାଜାଣ ଆତ୍ମା ଗୋତ୍ର ଏକ

ଗୋତ୍ରଟି ବେଦେ ଅଟନ୍ତି ଜାଣି ପିତୃଲୋକ ।

ଶୁକ୍ରଙ୍କ ବାକ୍ୟ ମଦନାବତୀ ରାଣୀ ଶୁଣି

ଲକ୍ଷେକ ବ୍ରାହ୍ମଣ ବରି ଦେଲା ପଣାପାଣି ।

 

ଦ୍ୱାଦଶାହ କର୍ମ ସାରି ସେ ମଦନାବତୀ

ଏବେ ଯାଉଛି ଶୁକ୍ରଙ୍କ ବୋଇଲା ସେ ସତୀ ।

ବୁଝିଲେ ତୁମ୍ଭେ ଆମ୍ଭର ଅଟ ଗୁରୁଦେବେ

କାହାକୁ କିସ ପଦାର୍ଥ ଦେଇଯିବି ଏବେ ।

ଶୁକ୍ର ବୋଇଲେ ତୁହିତ ପରମ ଦୟାଳୁ

ତୋ ମନ ଇଚ୍ଛାରେ ତରିଯିବୁ ଧର୍ମବଳୁ ।

ତୁହିଟି ଏତେବେଳରେ ଯେତେ ଦାନ ଦେବୁ

ମୃତାହ ପଞ୍ଚକ ଦେଇ ଗୋଦାନ କରିବୁ ।

 

ତେତିଶଗୋଟି ବ୍ରାହ୍ମଣ ଛନ୍ତି ତୋତେ ଜଗି

ତେତିଶକୋଟି ଗାବ ତୁ ଦିଅ ତାଙ୍କୁ ବେଗି 

ହୀରା ନୀଳୀ ମୁକୁତାଯେ ମାଣିକ୍ୟ ବୈଡୁର୍ଯ୍ୟ

ବ୍ରାହ୍ମଣଙ୍କୁ ଦେଲେ ସେହି ପାଞ୍ଚିବେ ଐଶ୍ୱର୍ଯ୍ୟ ।

 

ଶୁଣିଣ ମଦନାବତୀ ଶୁକ୍ର ଆଜ୍ଞାପାଇ

ଗୁଣେ ଶୁଣିଲାରୁ ଦଶଦଗି ଦେଲା ବହି ।

ତେତିଶକୋଟି ଗାବ ଯେ ବୈତରଣୀ କରି

ତେତିସକୋଟି ରାଣୀଙ୍କ ହସ୍ତେ ଦେଲା ଧରି ।

 

ଅନ୍ନପଣା ଛତ୍ର ଯେ ବିପୁଳ ଘର ଭୋଗ

ବ୍ରାହ୍ମଣମାନଙ୍କୁ ବରି ଦେଲା ଖଞ୍ଜି ଆଗ ।

ଲକ୍ଷ ଲକ୍ଷ ସୁବର୍ଣ୍ଣ ସେ ଦାନ କରିଦେଲା

ରାଣୀମାନେ ଘେନିଣ ସୁବେଶ ହୋଇଲା ।

 

ଗଉରୀ ପୂଜା କରିଣ ଗଲେ ସର୍ବବାଳୀ

ବ୍ରାହ୍ମଣ ସ୍ତିରୀମାନେ ଯେ ଦ୍ୟନ୍ତି ହୁଳାହୁଳି 

ରୋଳ ମୁକୁଟ ଯେ ମଥାପରେ ଛନ୍ତି ଖଞ୍ଜି

କପାଳେ ସିନ୍ଦୁର ବିନ୍ଦୁ ଦିଶଇ ବିରାଜି ।

 

କୁଙ୍କୁମ ହଳଦୀ ଯେଝା ଦେହେ ବୋଳିହୋଇ

ନୟନରେ ସରୁରେଖା କଳାମାନ ଦେଇ ।

କଣ୍ଠତଟେ ଚାପସରି ବାହେ ବିଦମୁଦି

ସୁବର୍ଣ୍ଣ ରତ୍ନଚୁଡ଼ି ସେ ହସ୍ତେ ଛନ୍ତି ପିନ୍ଧି ।

 

ପାଦରେ ଅଳତା ବେଢ଼ ସମସ୍ତେ ଲଗାଇ

ପାଦରେ ଝୁମୁକି ବଳା ଶୁଭେ ଋଣଝାଇଁ ।

ଘୃତେ ଜର ଜର ହୋଇ କରି ସେ କାମିନୀ

ବ୍ରାହ୍ମଣେ ପଢ଼ନ୍ତି ଆଗପଛେ ବେଦଧ୍ୱନି ।

ଢ଼ୋଲ ଦମା ଟମକ ଯେ ବାଜେ ଘିଡ଼ି ଘିଡ଼ି

ଆସନ୍ତି ତେତିଶ କୋଟି ସତୀକୁଣ୍ଡେ ପଡ଼ି ।

ଉତ୍ତର ଦ୍ୱାର ବାଟରେ ହୋଇଲେ ବାହାର

ଘୁମୁ ଘୁମୁ ଘୁମୁରା ଯେ ବାଜେ ନିରନ୍ତର ।

 

ସମର ଭୂମିରେ ଆସି ମିଳି ସର୍ବବାଳୀ

ବ୍ରହ୍ମା ଆସି ସତୀକୁଣ୍ଡ ଦେଲେକ ସେ ଜାଳି ।

ତେତିଶ କୋଟି ରାଣୀକି ଏକ ଏକ କୁଣ୍ଡ

ଅଗୁରୁ ଚନ୍ଦନ କାଠ ତହିଁ ଖଣ୍ଡ ଖଣ୍ଡ ।

 

ମୁରର ରକତ ପଡ଼ିଥିଲା ଯେତେ ଭୂମି

ତହିଣ ଅଗ୍ନି କୁଣ୍ଡମାନ ସ୍ଥାପି ବ୍ରହ୍ମା ଗମି ।

ମୁରର ସନ୍ତକ ଯେତେ ଗୃହେ ଥିଲା ଥୋଇ

ସେ ସନ୍ତକ ଧରିଛନ୍ତି ସର୍ବ ମହାଦେଈ ।

 

କେ ମାଳ ଧରିଛି କେହୁ ଧରେ ଜପାମାଲୀ

କେ ଛୁରୀ ଧରିଛି କେହୁଁ ଧରିଛି ଶାବେଲୀ 

ଚିରାଳ ଧରିଛି କେହୁ ଧରେ ଛତ୍ର ଟେକି

ଚାମର ଧରିଛି କେହୁ ଧରେ ପାଣ୍ଡୋଇକି ।

 

କେ ବିଞ୍ଚଣା ଧରି କେହୁ ଧରେ ହୀରାବାଡ଼ି

ଏହ୍ନେ ସୁନ୍ଦରୀ ଆସିଲେ ବେଗେ ପଥମାଡ଼ି ।

ଏଥୁ ଅନ୍ତେ ମଦନାବତୀ ଯେ ପାଟରାଣୀ

ଦେଖିଲା ରଣେ ବିଜୟେ ଶ୍ରୀନୃସିଂହ ସ୍ୱାମୀ ।

 

ଆବର ଦେଖି ବିଧାତା ଇନ୍ଦ୍ର ଋଷିଯାକ

ବଶିଷ୍ଠ ମାର୍କଣ୍ଡ ଋଷି ଅଗସ୍ତି ବାଲ୍ମୀକ

ନାରଦ କପିଳ ବେଦବ୍ୟାସ ପରାଶର

ଆବର ଦେଖିଲା ବିଜେ କରିଛିନ୍ତି ହର ।

 

ତେତିଶକୋଟି ଦେବତା ଦଶଦିଗପାଳ

ସ୍ୱର୍ଗ ଅପସରୀ ଆଦି ଅଛନ୍ତି ସକଳ ।

ଯମ ଅନଳ ବରୁଣ ପବନ ନୈଋତ

କୁବେର ଚନ୍ଦ୍ର ସୂର୍ଯ୍ୟ ଯେ ବାସୁକି ଦୈବତ ।

କନକାବତୀ ନଗ୍ରରେ ଆନ ସ୍ତିରୀ ଯେତେ

ସତୀ ଦେଖିବେ ବୋଲିଣ ଧାଇଁଛନ୍ତି କେତେ ।

ସୁଧର୍ମା ସଭାକୁ ଆଣିଅଛି ବଜ୍ରପାଣି

ନୃସିଂହ ତହିଁରେ ବିଜେ କରିଛନ୍ତି ପୁଣି ।

 

ଆଉ ସର୍ବ ଦେବେ ଛନ୍ତି ସଭାମଧ୍ୟେ ବସି

ଗରୁଡ଼ ସୁଜାଣ ମନ୍ତ୍ରୀ କର୍ଣ୍ଣାଟେଶ ମିଶି ।

ନୃସିଂହ ବାମଭାଗରେ ବିଜେ ଶେଷଦେବ

ମାତଳି ସହିତେ ତହିଁ ବସିଛନ୍ତି ସର୍ବ ।

 

ମଦନାବତୀ ଆଦି ତେତିଶ କୋଟି ରାଣୀ

ତିନିଥର ଦେବସଭା ବୁଲିଲେ ତରୁଣୀ ।

ପ୍ରଦକ୍ଷିଣ କରି ଦେବମାନଙ୍କୁ ସେ ଚାହିଁ

ବୋଇଲେ ଆମ୍ଭଙ୍କୁ ଏବେ କର ତୁମ୍ଭେ ତ୍ରାହି ।

 

ଆସିଲୁ ଦୁର୍ବଳ କର୍ମ ସାରି ଦେହ ଛାଡ଼ି

ଏ ଭାଗ୍ୟ ସୃଷ୍ଟି ମଧ୍ୟେ କେ ପାଇ ନାହିଁ ଲୋଡ଼ି ।

ତେତିଶକୋଟି ଦେବତା ବ୍ରହ୍ମା ବିଷ୍ଣୁ ହର

ଅଠାଶୀ ସହସ୍ର ବସିଅଛ ମୁନିବର ।

 

ଦଶଦିଗପାଳ ଆବର ଯେ ସୁରପତି

କଲ୍ୟାଣ କର ପଡ଼ୁଛୁଁ ସର୍ବେ ଆମ୍ଭେ ସତୀ ।

ସେ ମଦନାବତୀ ରାଣୀ ଚାହିଁ ନୃସିଂହଙ୍କୁ

ବୋଲେ ଦରଶନ କଲି ପରମ ରୂପକୁ ।

 

ନଗର ଭିତରେ ସିନା ପଡ଼ିଥାନ୍ତୁ ସତୀ

ଭେଟିଲି ବ୍ରହ୍ମାଙ୍କ ଦୟାହେତୁ ଜଗଜ୍ୟୋତି ।

ସ୍ୱୀମୀ ମୋହର ତୁମ୍ଭଙ୍କୁ ନ ମାନିଲେ ଘେନି

ଖାଇଲେ ମାଡ ଲୋଚାଏ ନ ହୋଇଣ ତୁନି ।

 

କେତହେଁ ସମର କଲ କାହିଁରେ ନ ମଲେ

କେବଳ ପାଦପଦ୍ମକୁ ଚାହିଁ ରହିଥିଲେ ।

ସେ ପାଦପାଇ ଏବେ ସେ ଗଲେ ଭବୁଁ ତରି

ମୋତେ ଏବେ ତ ସୁଗତି କରନ୍ତୁ ଶ୍ରୀହରି ।

ପ୍ରଭୁ ବୋଇଲେ ଆମ୍ଭେ ତୋ ମନଅଛୁଁ ଜାଣି

ପତିବ୍ରତା ଯୁବତୀ ତୁ ନାରୀ ଶିରୋମଣି ।

ଚାରିଜନମ ପୂରିବ ତୋର ଯେତେବେଳେ

ଚନ୍ଦ୍ର ସୂର୍ଯ୍ୟ ଥିବାଯାଏ ଥିବୁ ରବିତଳେ ।

 

ବ୍ରହ୍ମାଏ ବୋଇଲେ ମାଗୋ ସତୀ ଏବେ ପଡ଼

ସ୍ୱାମୀ ମଲା ସ୍ଥାନେ ସ୍ଥାପିଅଛୁ ଅଗ୍ନି କୁଢ଼ ।

ଶୁଣିଣ ମଦନାବତୀ ବ୍ରହ୍ମପାଦେ ସେବି

ବସିଲେ ହରଙ୍କ ପାଦେ ସେବି ବିଷ୍ଣୁ ଭାବି ।

ଆସନ ଶୁଦ୍ଧି ସେ କରି ଯୋଗ ମାର୍ଗେ ବସି

 

ଆତ୍ମାକୁ ସୂତ୍ରରେ ଧରି ପରଂହଂସେ ମିଶି ।

ଆବର ଯେ ଲିଙ୍ଗ ନାଭି ହୃଦ କଣ୍ଠ ଯାଏ

ଲଲାଟଚକ୍ରରେ ଥୋଇ ବ୍ରହ୍ମେ କରି ଲୟେ ।

 

ପଞ୍ଚବନମାନଙ୍କୁ ଏକ ମାର୍ଗେ ଧରି

ପ୍ରାଣପାନ ବ୍ୟାନୋଦନ ସମାନ ଏ ସରି ।

ଏହି ରୂପେ ଏକକରି ଅଗ୍ନିକୁଣ୍ଡେ ବସି

ହା ହା କୃଷ୍ଣ ବୋଲି ପ୍ରାଣ ଛାଡ଼େ ଶୁଭ୍ରକେଶୀ 

 

ମଦନାବତୀ ଏରୂପେ ସତୀ ହୋଇଯାନ୍ତେ

ପଡ଼ିଲେ ତେତିଶକୋଟି ରାଣୀ ଅଗ୍ନି ଖାତେ ।

ତତ୍ସଙ୍ଗ ହୋଇ ସରବେ ସ୍ୱାମୀକାର୍ଯ୍ୟ କରି

କିନ୍ନରୀ ହୋଇ ରହିଲେ ସ୍ୱର୍ଗେ ସର୍ବନାରୀ ।

 

ମଦନାବତୀ ବୈକୁଣ୍ଠେ କଲା ଯାଇ ବାସ

ଶ୍ରୀନୃସିଂହ ଶରଣ ମୁଁ ପୀତାମ୍ୱର ଦାଶ ।

 

କନକାବତୀ ପୁରରେ କର୍ଣ୍ଣାଟେଶ୍ୱରର ଅଭିଷେକ

ଏଥୁ ଅନନ୍ତରେ ନୃସିଂହ ଯେ ମହାପ୍ରଭୁ

ବ୍ରହ୍ମାଙ୍କୁ ବୋଇଲେ ଏବେ ଶୁଣ ହେ ଅତୁଭୂ 

ରାଜତ୍ୱ ବେଳରେ ଆମ୍ଭ ଯେଉଁ ସତ୍ୟକଲୁ

କର୍ଣ୍ଣାଟେଶ୍ୱରକୁ ରାଜା କରିବା ବୋଇଲୁଁ ।

 

କନକାବତୀ ଏବେ ତ ହେଲା ଅଣପାଟ

ମୁର ମୃତ ହେଲା ଭାଜିଗଲା ସବୁ ଲଟ 

ପୂର୍ବରେ ଏ କର୍ଣ୍ଣାଟର ଅଟେ ରାଜ୍ୟଘୋଷ

ଆନକୁ ଦେଲେ ଲାଗନ୍ତା ସିନା ମୋତେଦୋଷ ।

 

ବ୍ରହ୍ମା ବୋଇଲେ ସ୍ୱାମୀ ଏକା ହେଲେସତ୍ୟ

କର୍ଣ୍ଣାଟକୁ ଜିଣି ରାଜା ହେଲା ମୁରଦୈତ୍ୟ ।

ଏବେ ତ ଶ୍ରୀଆଜ୍ଞା ଗୋଟି ଫିଟିଲାଣି ତାକୁ

କନକାବତୀ ନଗ୍ରରେ ରାଜା ହୋଇବାକୁ ।

 

ବୁଝିଲେ ମୁରର ଦ୍ରବ୍ୟ ତହିଁ ଅନ୍ତ ନାହିଁ

ରଖିଛି କେତେ ମଣ୍ଡଳୁଁ ଆଣି ଦ୍ରବ୍ୟ ତହିଁ ।

ଯାହାକୁ ଯେତେବେଳେରେ ଥାଇ ଯେଉଁଯୋଗ

ବିଧାତା ଆଣି ତାହାକୁ କରାନ୍ତି ବୈଭୋଗ ।

 

ଏବେ ଆପଣ ସ୍ୱହସ୍ତେ ଶାଢ଼ୀସ ଦେବା ହେଉ

କନକାବତୀ ନଗ୍ରର ରାଜା ହୋଇ ରହୁ ।

ନୃସିଂହ ବୋଇଲେ ମନ୍ତ୍ରୀ ସୁଜାଣ ହୋ ଶୁଣ

ଗରୁଡ଼କୁ ଘେନି ତୁମ୍ଭେ ଯାଅ ବେନିଜଣ ।

 

ଶେଷଦେବ ମଧ୍ୟ ତୁମ୍ଭ ସଙ୍ଗତରେ ଯାନ୍ତୁ

ସିଂହାସନେ ବସାଇ ଶାଢ଼ୀ ବାନ୍ଧିଦ୍ୟନ୍ତୁ ।

କର୍ଣ୍ଣାଟେଶ୍ୱର ରାଜାର ତିନିପଦ୍ମ ସୈନ୍ୟ

ଶଙ୍କର ନାମରେ ତାର ଅଛି ମନ୍ତ୍ରୀ ଜାଣ ।

 

ଭାରିଯା ତନୟ ପୁତ୍ରୀ ସଙ୍ଗେ ତାର ଆଣି

ଶରଣ ପଶିଣ ସେବିଥିଲା ନୃପମଣି ।

ସବୁଙ୍କୁ ସଙ୍ଗରେ ଘେନି ଶୀଘ୍ରେ ଏବେ ଯାଅ

ଶୁଣିଣ କର୍ଣ୍ଣାଟ ରାଜା ହେଲେ ହୃଷ୍ଟମୟ ।

 

 

ଶ୍ରୀନୃସିଂହ ସ୍ୱାମୀକି ଯେ ବହୁସ୍ତୁତି କରି

ବାହାରିଲେ କଟକକୁ ସ୍ୱକୁଟୁମ୍ୱ ଧରି ।

ସୁଜାଣ ମନ୍ତ୍ରୀ ଗରୁଡ଼ ଶେଷଦେବ ଆଦି

ଦେଖନ୍ତି ଶୂନ୍ୟରେ ଥାଇ ସବୁ ବିବୁଧାଦି ।

 

ଶଙ୍ଖ ମହୁରୀ କାହାଳୀ ଝାଞ୍ଜ ଢ଼ୋଲ ବାଜେ

ସିହାସନ ବସିଲେ ଯାଇଁ ନୃପରାଜେ ।

ଅଭିଷେକର ଯୋଗାଡ଼ ଦ୍ୱିଜମାନେ ଆଣି

ତୀର୍ଥଜଳରେଯେ ସ୍ନାନ କରାଇ ନୃମଣି 

 

ଅଭିଷେକ କଲେ ଉଚ୍ଚେ ପଢ଼ି ନିଜଗୋତ୍ର

ଶଙ୍କରମନ୍ତ୍ରୀ ଟେକିଲେ ଶିରେ ଦଣ୍ଡଛତ୍ର ।

ବନ୍ଦାଇଲେ ଦୁର୍ବାକ୍ଷତ ଶେଷଦେବ ଆଣି

ମଥାରେ ଶାଢ଼ୀ ବାନ୍ଧିଲେ ପୁଣି ସପ୍ତଫଣୀ 

 

ରାଜାର ଅମାତ୍ୟମାନେ ଢାଳନ୍ତି ଚାମର

କରନ୍ତି ଯେ ବେଦଧ୍ୱନି ତହିଁ ବିପ୍ରବର ।

ସୁଲଭ କାମିନୀମାନେ ଦ୍ୟନ୍ତି ହୁଳହୁଳୀ

ମଙ୍ଗଳ ଶବଦ ବାଦ୍ୟ ବାଜେ କରତାଳି ।

 

କର୍ଣ୍ଣାଟେଶ୍ୱର ରାଜନ ଅଭିଷେକ ସାରି

ବନ୍ଦାପନାର ବିଧାନ କଲେ ଦଣ୍ଡଧାରୀ ।

ପାଟିଗଜ ଆଉ ପାଟବାରୁ ଲାଗି ହୋଇ

ନଗ୍ରଯାକକୁ ବୁଲିଣ ଦେଖିଲେ ନୁସାଇଁ ।

 

ମୂର୍ଦ୍ଧନାଭିଷେକୀ ଯହୁଁ ହେଲେ ନୃପମଣି

ମନେ ପାଞ୍ଚିଲେ ଧନ୍ୟ ନୃସିଂହ ଚକ୍ରପାଣି ।

ହରିଙ୍କଠାରେ ଶରଣ ଯେବେ ନ ପଶନ୍ତି

ଆନ ଲୋକଠାରେ ଥିଲେ ନିଶ୍ଚେଁ ମରିଥାନ୍ତି ।

 

ପାଇଲି ନୃସିଂହ ପ୍ରଭୁ ଲାଗି ରାଜ୍ୟଘୋଷ

ଅଟନ୍ତି ଅକର୍ମ କର୍ମଦାତା ଜଗଦୀଶ ।

ଏଥୁଅନ୍ତେ ଯେ ସରନ୍ତେ ରାଜା ଅଭିଷେକ

ସେବା କଲେ ସେ କନବାବତୀ ନଗ୍ରଲୋକ ।

ପୂର୍ବକାଳେ ସାଆନ୍ତ ଏ ଅଟନ୍ତି ଆମ୍ଭର

ଅଚିହ୍ନାକୁ ସେ ଚିହ୍ନାଇ କରନ୍ତି ତତ୍ପର ।

ମୁରଦୈତ୍ୟ ଲାଗି ପଳାଇଲେ ଏହି ଡରି

ମୁରାସୁର ମଲାରୁ ଏ ହେଲେ ଦଣ୍ଡଧାରୀ ।

 

ଏହିରୂପେ କୁହାକୁହି ହ୍ୱନ୍ତେ ଲୋକେ ସର୍ବେ

ପ୍ରଶଂସା କରନ୍ତି ପୁର ଦେଖି ଶେଷଦେବେ ।

ଗରୁଡ଼ ବୋଲେ ଏଥକୁ ସ୍ୱର୍ଗ ନୁହେଁ ସରି |

କେତେ ଦ୍ରବ୍ୟ ଆଣି ମୁର ରଖିଥିଲା ଭରି ।

 

ସୁଜାଣ ବୋଲଇ ଆହୋ ଏ କଥା ପ୍ରମାଣ |

ଲୋଭରେ ପଡ଼ିଣ ବୁଡ଼ିମଲା ଦୈତ୍ୟ ଜାଣ ।

ଶେଷଦେବ ବୋଇଲେକ ଚାଲ ଏବେ ଯିବା

ନୃସିଂହ ପ୍ରଭୁଙ୍କୁ ଯାଇଁ ଦର୍ଶନ କରିବା ।

 

କର୍ଣ୍ଣାଟେଶ୍ୱର ବୋଇଲେ ଏ କଥା ପ୍ରମାଣ

ଦେଖା ଦରଶନୀ କିଛି ନେଇଥିବା ପୁଣ ।

ଶଙ୍କର ମନ୍ତ୍ରୀଙ୍କି ଚାହିଁ ପୁଣି ଆଜ୍ଞା ଦେଲେ |

ଭଣ୍ଡାର ଅଧିକାରୀକି ଡକାଇ ଆଣିଲେ ।

 

ବୋଇଲେ ଅପୂର୍ବ ଦ୍ରବ୍ୟ ଧନ ଆସ ଘେନି

ନୃସିଂହ ଛାମୁରେ ଦେବା ଦେଖା ଦରଶନୀ ।

ଭଣ୍ଡାର ଅଧିକାରୀ ଯେ ଶୁଣ ତୋଷ ହୋଇ

ଅନେକ ଦ୍ରବ୍ୟ କାଢ଼ିଣ ଆଣିଲା ବୁହାଇ 

 

ବାଟଯାକେ ପଟୁ ଆର ପତନୀ ପକାଇ

ଅମୂଲ୍ୟ ରତନମାନ ଅଣାନ୍ତି ବୁହାଇ ।

ଅନେକ ଲୋକ ହାତରେ ବୁହାଇଲେ ଧନ

ଦେଖିଣ କର୍ଣ୍ଣାଟେଶ୍ୱର ହେଲେ ତୋଷମନ ।

 

ରଥ ଗଜ ଅଶ୍ୱ ସୈନ୍ୟ ସଙ୍ଗତେ ଚଳାଇ

ଚଳିଲେ କର୍ଣ୍ଣାଟେଶ୍ୱର ମନହୃଷ୍ଟ ହୋଇ ।

ଗରୁଡ଼ ଶେଷଦେବ ଯେ ସୁଜାଣ ସହିତେ

ନୃସିଂହ ଛାମୁରେ ଯାଇ ମିଳିଲେ ସମସ୍ତେ ।

ଶେଷଦେବଙ୍କୁ ସବୁରି ଆଗରେ ଚଳାଇ

ନୃସିଂହ ପାଦେ ଦର୍ଶନ କଲେ ବେନି ଯାଇଁ 

କର୍ଣ୍ଣାଟେଶ୍ୱର ରାଜନ ବହୁ ସ୍ତୁତି କରି

ଭକତିରେ ପୂଜା କଲେ ବସିଣ ନୃହରି ।

 

ଶ୍ରୀନୃସିଂହ ଘେନି ମୁହିଁ ହେଲି ରାଜ୍ୟେଶ୍ୱର

ପରମ ଦୟାଳୁ ଏହି ପ୍ରଭୁ ଚକ୍ରଧର ।

ଶେଷ ବୋଇଲେ ଶୁଣିବା ପ୍ରଭୁ ଭାବଗ୍ରାହୀ

ସଂସାରେ କନକାବତୀ ପ୍ରାୟ ରାଜ୍ୟ ନାହିଁ ।

 

କେତେ ପୁରରୁ ଅପୂର୍ବ ଦ୍ରବ୍ୟ କେତେ ଆଣି

ନଗରରେ ମୁରାସୁର ଥୋଇଥିଲା ପୁଣି ।

ଅଳକାପୁରୁଁ ଦ୍ୱିଗୁଣ ପୁର ଶୋଭା ଦିଶେ

ଦେଖିଲୁ ମାତ୍ର କରି ନ ପାରୁଁ ପଉରୁଷେ ।

 

ସୁଜାଣ ମନ୍ତ୍ରୀ ବୋଇଲା ଏ କଥା ପ୍ରମାଣ

ନଟରାଯାକ ହୀରାରେ ହୋଇଛି ଘଟନ ।

ପ୍ରଭୁ ବୋଇଲେ ପୃଥ୍ୱୀରେ ଯେତେ ଦ୍ରବ୍ୟ ଅଛି

ହରିଙ୍କର ସେ କାହାରି ନୁହଇ ତ କିଛି ।

 

ଯାହାକୁ ଯା ସଂସାରେ ସେ ଖଞ୍ଜି ଦେଇଥାନ୍ତି

ତାହା କେହୁ ଆନକରି କେବେ ନ ପାରନ୍ତି ।

ମୁରକୁ ଯେତେକ ଦିନ ଥିଲା ଜାଣ ଯୋଗ

ତେତିକି ଦିନ ସଂସାରେ କରିଗଲା ଭୋଗ ।

 

ଭଲ ଲୋକଙ୍କୁ ସଂସାରେ କହନ୍ତି ଯେ ଭଲ

ବୋଲନ୍ତି ତ ମନ୍ଦଲୋକ ମଲେ ଗଲା ଶଲ ।

ଯେତେକ ଦ୍ରବ୍ୟ ସଂସାରେ ସବୁଘରେ ଅଛି

ଗଲାବେଳେ ତା କାହାରି ନୁହଇ ତ କିଛି ।

 

ଶୁଣିଣ ସୁଜାଣମନ୍ତ୍ରୀ ବୋଲେ ସତ୍ୟ ସତ୍ୟ

ଏ ଅନ୍ତେ ଶୁଣ ନାରଦ ଋଷି ତପୋବନ୍ତ ।

ଶ୍ରୀନୃସିଂହ ମହାପ୍ରଭୁମୁରାସୁର ମାରି

ସେହିପୁରେ କର୍ଣ୍ଣାଟକୁ ଦେଲେ ରାଜାକରି ।

ମାତଳିକି ବୋଇଲେକ ହେ ଦେବ ସାରଥି

ତୁମ୍ଭ ଘେନି ମୁଁ ଜିଣିଲି ରଣେ ମୁରକ୍ଷତ୍ରୀ ।

ନନ୍ଦିଘୋଷ ସ୍ୟନ୍ଦନକୁ ଘେନି ଏବେ ଯାଅ

ବାସବକୁ ଜଣାଇଣ ସ୍ୱର୍ଗେ ନେଇ ଥୁଅ ।

 

ଏହା ଶୁଣି ମାତଳି ଯେ ଯୋଡ଼ି ବେନିକର

ବୋଇଲେ ତୁମ୍ଭ ସର୍ଜ୍ଜନା ଅଟେ ଏ ତ୍ରିପୁର ।

ଆମ୍ଭର ସମାନ କୋଟି କୋଟି ଲକ୍ଷ ହେଲେ

ମୁରକୁ କେହୁ ମାରନ୍ତା ସସ୍ରେଯୁଗ ଗଲେ ।

 

ଏ ରଥରେ ଆନଜନ ନ ପାରେ କେ ବସି

ଚାରିଯୁଗେ ତୁମ୍ଭର ଏ ଆସନ ପ୍ରକାଶି ।

ଏରୂପେ ପ୍ରଭୁ ଛାମୁରେ ଜଣାଇ ମାତଳି

ନନ୍ଦିଘୋଷ ରଥ ସ୍ୱର୍ଗେ ଗଲା ଚଳି ।

 

ବ୍ରହ୍ମାଙ୍କୁ ଚାହିଁ ନୃସିଂହ ପୁଣି ଆଜ୍ଞା କଲେ

ବିଜୟା ରଥ ସମ୍ଭାଳି ତୁମ୍ଭେ ଏବେ ଭଲେ ।

ମୁରାସୁର ତ ମରିଲା ରଥ ମୁକ୍ତ ହେଲା

ତୁମ୍ଭଙ୍କୁ ସେ ଦେବଯାନ କଥା ଲାଗେ ଭଲା ।

 

ଶ୍ରୀମୁଖୁଁ ଶୁଣିଣ ବ୍ରହ୍ମା ବୋଇଲେ ପ୍ରମାଣ

ସେ ରଥ କଥା ଲାଗିଲା ମୋତେ ଏବେ ଜାଣ ।

ଏତେ ବୋଲିଣ ବ୍ରହ୍ମାଏ ଗଲେ ରଥ ପାଶ

କହିଲେ କର୍ଣ୍ଣରେ ତାର ମନ୍ତ୍ର ଜୀବନ୍ୟାସ ।

 

ବୋଇଲେ କହିବା ତୋତେ ଦେବଯାନ ଶୁଣ

ସଂସାରେ ଯେ ତିନିଗୋଟି ରଥ ଅଟେ ଟାଣ ।

ତୁମ୍ଭେ ତିନି ଅଟ ବ୍ରହ୍ମା ବିଷ୍ଣୁ ହରଙ୍କର

ବିଜୟା ରଥକୁ ଭୋଗ କରନ୍ତି ଈଶ୍ୱର ।

 

ନନ୍ଦିଘୋଷ ସ୍ୟନ୍ଦନ ତ ବିଷ୍ଣୁ ଭୋଗ ଅଟେ

ଭୋଗ କରନ୍ତି ପୁଷ୍ପକ ଯାନି ସୁରଜ୍ୟେଷ୍ଠେ ।

ତୁ ଏବେ ବିଜୟା ରଥ କୈଳାସକୁ ଯାଅ

ସଦାଶିବଙ୍କୁ ମାନିଣ ସବୁକାଳେ ଥାଅ ।

ଶୁଣିଣ କନ୍ଦରେ ରହେ ମହାସୁଖେ ଯାଇ

ସଦାଶିବଙ୍କୁ ମାନିଣ ସବୁକାଳେ ଥାଅ ।

ଶୁଣିଣ ବିଜୟାରଥ ବହ୍ମା ଆଜ୍ଞା ପାଇ

କୈଳାସ କନ୍ଦରେ ରହେ ମହାସୁଖେ ଯାଇ ।

 

ଶେଷଦେବ ବୋଇଲେକ ଶୁଣ ପଦ୍ମନେତ୍ର

ଦେବଙ୍କୁ ମେଲାଣି କର ଚଳନ୍ତୁ ସ୍ୱକ୍ଷେତ୍ର ।

ନଗରକୁ ଏବେ ଚାଲ ଯିବା ସଜ ହୋଇ

ଦର୍ଶନ କରିବା ପିତାମାତା ବେନି ଭାଇ ।

 

ତେତିଶକୋଟି ଦେବତା ଛନ୍ତି ଏଥେଁ ଆସି

ବ୍ରହ୍ମା ରୁଦ୍ର ଇନ୍ଦ୍ର ଯେ ଅଠାଶୀସସ୍ର ଋଷି ।

ଏଡ଼େ ଦୈତ୍ୟକୁ ମାଇଲ ତୁମ୍ଭେ ଭାବଗ୍ରାହୀ

ଏମାନେ ଆମ୍ଭଙ୍କୁ କିଛି ନ ଗଲେ ତ ଦେଇ ।

 

ଶୁଣିଣ ନୃସିଂହ ସ୍ୱାମୀ ଅଳ୍ପ ମନେ ହସି

ବ୍ରହ୍ମାଙ୍କୁ ବୋଇଲେ ଶେଷ କି ବୋଲନ୍ତି ଆସି ।

ଶୁଣି ବେଦବ୍ରହ୍ମା ଯୋଡ଼ିକରି ବେନି କର

ବୋଇଲେ ତୁମ୍ଭଙ୍କୁ କିସ ଦେବୁଁ ଆମ୍ଭେ ଛାର ।

 

ସଚରାଚର ଯାକରେ ଯେଉଁ କର୍ତ୍ତା ହରି

କେବଳ ଏ ବର ଦିଅ ଯିବୁ ସେବାକରି ।

ତୁମ୍ଭେ ଯେତେ ଅବତାର ସଂସାରେ ହୋଇବ

ବିପ୍ର ବ୍ୟତୀତ ଆନ କେ ସେବା ନ କରିବ ।

 

ବ୍ରାହ୍ମଣ ମାନେ ଛୁଇଁଣ ସ୍ନାନ କରାଇବେ

ତୁମ୍ଭ ଷୋଡ଼ଶୋପଚାର ପୂଜାରେ ଯେ ଥିବେ ।

ବ୍ରାହ୍ମଣମାନେ ରାନ୍ଧିଲେ ପର୍ଶୁଥିବେ ଅନ୍ନ

ବ୍ରାହ୍ମଣ ଉଚ୍ଛିଷ୍ଟ ପୋଛିନେବେ ସର୍ବଜନ ।

 

ସ୍ନାନ ମାର୍ଜ୍ଜନା ଯେ ବିଧି ଦ୍ୱିଜେ କରିବେଟି

ଶୂଦ୍ର ଛୁଇଁଲେ ମୂର୍ଦ୍ଧନା ଯିବ ନିଶ୍ଚେଁ ଫାଟି ।

କେଉଁ ବ୍ରାହ୍ମଣ ସୁବେଶ ବେଶ କରାଇବେ

ଧଉତ ବସନ କାଢ଼ି ଅଙ୍ଗେ ପିନ୍ଧାଇବେ ।

ମୁଖରେ ବିଡ଼ିଆ ଆଣି ଦେବେ ଦ୍ୱିଜଯାକ

ପିକଦାନିରେ ଧରିବେ ଦ୍ୱିଜେ ପାନପିକ 

ବ୍ରାହ୍ମଣମାନେ ସଜାଉଥିବେ କେଶ ନିତି

ବ୍ରାହ୍ମଣ ବାନ୍ଧିବେ ଶିରେ ଫୁଲଗଭା ଗୁନ୍ଥି ।

 

ବ୍ରାହ୍ମଣେ ସେ ପାଦପଦ୍ମେ କରୁଥିବେ ସେବା

କଠାଉ ଲାଗି କରାଇ ପାଦେ ହେବେ ଉଭା ।

ବିଷ୍ଣୁ ପୂଜା ନୁହଇଟି ଦ୍ୱିଜ ବ୍ୟତିରେକେ

ତୁମ୍ଭେ ଜନ୍ମୁଥିଲେ ବିପ୍ରେ ପୂଜିବେ ତ୍ରିଲୋକ୍ୟେ 

 

ବିଷ୍ଣୁର ସେବକ ସଦା କେବଳ ବ୍ରାହ୍ମଣ

ଶୂଦ୍ର ଛୁଇଁ ସେବା କଲେ ପାପୀ ହେବ ଜାଣ ।

ଦଶଅବତାର ମଧ୍ୟେ ଯେଉଁ ଚାରି ଜନ୍ମ

ନୃସିଂହ ବାମନ ରଘୁନାଥ କୃଷ୍ଣ ଶ୍ୟାମ ।

 

ଏ ଚାରି ଜନମେ ତୁମ୍ଭେ ନରଦେହ ଧରି

ନାଶିବ ପୃଥ୍ୱୀର ଭାରା ଦୃଷ୍ଟଙ୍କୁ ସଂହାରି ।

ଦଶ ଅବତାରେ ବିଷ୍ଣୁ ବିପ୍ର ପୂଜିବେକ

ନ ଛୁଇଁବେ ବ୍ରାହ୍ମଣ ବିନା କେ ଆନ ଲୋକ ।

 

ଏରୂପେ ବେଦବର ନୃସିଂହ ଆଗେ କହି

ବୋଇଲେ ଛାମୁଁ ରୁ ଯିବୁଁ ମେଲାଣି ଯେ ହୋଇ ।

ନୃସିଂହ ବୋଇଲେ ବ୍ରହ୍ମା ସତ୍ୟେ ବିଜେକର

ଋଷିଯାକ ସଙ୍ଗେ ମଧ୍ୟେ ଚଳନ୍ତୁ ତୁମ୍ଭର ।

 

ବାସବ ତେତିଶକୋଟି ଦେବ ସଦାଶିବ

ଦଶଦିଗପାଳ ଆଦି ଚଳନ୍ତୁ ସେ ସର୍ବ ।

ତାର ବାର ତିଥି ଯୋଗ କରଣ ଯେ ରାଶି

ନବଗ୍ରହ ସଙ୍ଗେ ଚଳିଯାନ୍ତୁ ମଧ୍ୟ ଶଶୀ ।

 

ମୁର ତ ମରିଲା ଏବେ ଗଲା ସବୁ ଭୟ

ବିଧାତା ବୋଇଲେ ତୁମ୍ଭ ନାମେ ସବୁ ଜୟ ।

ଭୋ ସ୍ୱାମି ତୁମ୍ଭର ନାମ ଯେତେକାଳ ଅଛି

ବ୍ରହ୍ମା ଚନ୍ଦ୍ର ଇନ୍ଦ୍ରଙ୍କର ଭୟ ନାହିଁ କିଛି ।

ଆମ୍ଭ ଭୟ ନ ଥିବାରୁ ସଂସାର ଲୋକର

ବିଷ୍ଣୁ ଅଛନ୍ତି ବୋଲି ସେ ନ କରନ୍ତି ଡର ।

ଭକ୍ତଜନମାନଙ୍କର ତିଳେ ନାହିଁ ଭୟ

ଆତଙ୍କେ ତୁମ୍ଭଙ୍କୁ କରୁଥାନ୍ତି ଏକ ଲୟ ।

 

ଶୁଣିଣ ନୃସିଂହ ସ୍ୱାମୀ ହେଲେ ମନେ ତୋଷ

ଗରୁଡ଼କୁ ବୋଇଲେକ ରାଜ୍ୟେ ଯିବା ଆସ ।

ଶୁଣିଣ ବୈନତେୟ ସୁବେଶ ବେଶ ହେଲା

ନାସାରୁ କେଶ ପର୍ଯ୍ୟନ୍ତେ ତିଳକ ନାଇଲା ।

 

ହୀରାର କୁଣ୍ଡଳ ବେନକର୍ଣ୍ଣେ ନେଇ ଖଞ୍ଜି

ବାନ୍ଧିଲା କେତକୀଫୁଲ ଶିରେ ପୁଞ୍ଜି ପୁଞ୍ଜି ।

କନ୍ଧପରେ ନବଗୁଣ ସ୍ୱର୍ଣ୍ଣ ପଇତାକୁ

ପଇତାମନ୍ତ୍ରେ ମନ୍ତ୍ରିଲା କନ୍ଧେ ପିନ୍ଧିବାକୁ ।

 

ମନ୍ଦାର କୁସୁମ ଆଣି ଗୁନ୍ତି ଶତେହାର

ବାନ୍ଧିଲା ଶିରରେ ନେଇ ତାର୍କ୍ଷ୍ୟ ମହାବୀର ।

ରଙ୍ଗ ଶୁକ୍ଳ ଜଳା ମିଶାଇ ଯେ ତିନିଫୁଲ

ଚୂଡ଼ା ମୂଳରେ ବାନ୍ଧିଣ ଚାଲେ ହୋଇ ଗେଲ ।

 

ସହସ୍ରେକ କଂସାଘଣ୍ଟା ଲମ୍ୱାଇ ପିଠିରେ

ସୁବର୍ଣ୍ଣ ଘାଗୁଡ଼ି ଲକ୍ଷେ ଛନ୍ଦିଲା ଜାନୁରେ ।

ସରୁ ବରନ ଶାଢ଼ୀକି ପିନ୍ଧେ କାଛି ହୋଇ

ଲଗାଇ କାଛରେ ସୁନା ଝଟକି ରାଜଇ ।

 

ଅଣ୍ଟାରେ ହୀରା ଘାଗୁଡ଼ି କେତେ ଦେଲା ଛନ୍ଦି

ପୟରେ ଝୁମୁକି ବଳା ବାଜେ ଖୁନ୍ଦି ଖୁନ୍ଦି ।

ଘାଗୁଡ଼ି ଘଣ୍ଟି ଘଣ୍ଟା ଯେ ବାଜେ ରୁଣ ଝୁଣ

ଶ୍ରୀନୃସିଂହ କରତାଳି ଶୁଭେ ଟଣଟଣ ।

 

ଶରୀରରେ ଅଳଙ୍କାର ଦିଶେ ଝଟଝଟ

ତହିଁକି ଶୋଭାବନ ଯେ ଦିଶେ ରଙ୍ଗପାଟ 

ଶିରରୁ ଚରଣଯାଏ ଲମ୍ୱିଅଛି ବେଣୀ

ବାସୁକୀ ଶିରରେ ଯେହ୍ନେ ଦିଶେ ସସ୍ରଫଣୀ 

ବେନି ଖଗରେ ଚିରାଳ ଲକ୍ଷେ ବାନ୍ଧିଦେଲା

ଗେଲାଇ ଗେଲାଇ ହୋଇ ଅଗ୍ରେ ଉଭା ହେଲା ।

ଏହିରୂପେ ବେଶହୋଇ ତର୍କ୍ଷ୍ୟଯତି ବାବା

ବୋଇଲା ହୋ ସ୍ୱାମୀ ଚାଲ ବଦ୍ରିକାକୁ ଯିବା ।

 

ସବୁଙ୍କୁ ମେଲାଣି କରି ପିଠିରେ ମୋ ବସ

ଦେବତାମାନେ ତ ଚଳିଯାନ୍ତୁ ଯେଝା ଦେଶ 

ଏହା ଶୁଣି ବେଦବ୍ରହ୍ମା ମନେ ବଡ଼ ହସି

ବୋଇଲେ ଭଲା ସୁବେଶ ହେଲା ଆସି ପକ୍ଷୀ ।

 

ଶ୍ରୀନୃସିଂହ ଠାକୁରଙ୍କୁ ବହିକରି ନେବ

ବଦ୍ରିକା ନଗ୍ରେ ପ୍ରବେଶ ନେଇ କରାଇବ ।

ବିଧାତା ବୋଇଲେ ସ୍ୱାମୀ ଶୀଘ୍ର ଏବେ ବସ

ତୁମ୍ଭେ ଗଲେ ଆମ୍ଭେ ଚଳିଯୁବୁ ଯେଝା ଦେଶ 

 

ଶୁଣିଣ ନୃସିଂହ ପ୍ରଭୁ ତାର୍କ୍ଷ୍ୟ କଲେ ବିଜେ

ଶେଷକୁ ବୋଇଲେ ଭାଇ ବସ ତାଳଧ୍ୱଜେ ।

ଶୁଣିନ ବସିଲେ ଶେଷଦେବ ଦେବଯାନେ

 

ଟେକିଲେ ସୁଜାଣ ମନ୍ତ୍ରୀ ଛତ୍ର ଧରି ଶୁନ୍ୟେ |କାର୍ଣ୍ଣଟେଶ୍ଵର ବଜାଇ ତହିଁ ବୀରବାଜା

ଗଲେ ବିଷ୍ଣୁ ସଙ୍ଗେ ସେ କନକାବତୀ ରାଜା ।

ବିଷ୍ଣୁଙ୍କୁ ଚଳାଇ ଦେଇ ଦେବଗଣଯାକ

ଯେ ଯାହାପୁରେ ମିଳିଲେ ଯାଇଁ ଦେବଲୋକ ।

 

ଏଥିଉତ୍ତାରେ କହିବା ବାଣୀ ଶୁଣ ଏବେ

ନଗ୍ରକୁ ଯାନ୍ତେ ଚଳି ନୃସିଂହ ଶେଷଦେବେ ।

ଜୟ ଜୟ ଜୟ ଶବ୍ଦ ଶୁଭେ ଚଉପାଶ

ନଗରକୁ ଆସୁ ଆସୁ ବାଜେ ବିଜିଘୋଷ ।

 

ଘଣ୍ଟି ଘଣ୍ଚି ଘାଗୁଡ଼ି ଯେ ବାଜେ ଶଙ୍ଖ ଭେରୀ

ଟମକ ମର୍ଦ୍ଦଳ ଦମା ବାଜଇ ମହୁରୀ ।

ଗହ ଗହ ଗହ ଶବ୍ଦ ଶୁଭେ ଦାଣ୍ଡଯାକ

ଉଦ୍ଦଣ୍ଡ ପାଟଛତ୍ର ବିମଳ ପନ୍ତି ରେଖ ।

 

ସ୍ୱର୍ଗରୁ ଅପ୍‌ସରି କରୁଛନ୍ତି ଆସି ନୃତ୍ୟ

ଶୂନ୍ୟୁ ଧୀରେ ଧୀରେ ଖସେ ବିନତାର ସୁତ ।

ଦେବଯାନହିଁ ପ୍ରବେଶ ହେଲା ତଳେ ଆସ

ଗରୁଡ଼ରୁ ଉତୁରିଲେ ଜଗଜ୍ଜନବାସୀ ।

 

ଚାଲନ୍ତେ ନୃସିଂହ ବେନିଭାଇ ଦାଣ୍ଡେ ଦାଣ୍ଡେ

ଦେବେ ପୁଷ୍ପବୃଷ୍ଟି କରୁଛନ୍ତି ପ୍ରଭୁ ମୁଣ୍ଡେ ।

ସିଂହଦ୍ୱାରରେ ମିଳନ୍ତେ ଯାଇଁ ବେନି ଭାଇ

ଭାଗବତୀ ଆଗେ ଲୋକ କହିଲେକ ଯାଇଁ 

 

ଏହା ଶୁଣି ଭଗବତୀ ଘେନି ଅର୍ଘ୍ୟସ୍ଥଳୀ

ଚୌଷଠି ସହସ୍ର କନ୍ୟା ଦ୍ୟନ୍ତି ହୁଳହୁଳି ।

ପୁତ୍ରଙ୍କ ମୁଖ ଶବଦ ଚନ୍ଦ୍ର ପ୍ରାୟ ଦେଖି

ମାତାଙ୍କୁ ଯେ ନମସ୍କାର କଲେ ପଦ୍ମ ଆଖି ।

 

ଶେଷଦେବହିଁ ମାତଙ୍କ ପାଦେ ଓଳଗିଲେ

ବେନି କୁମରଙ୍କୁ ମାଏ କଲ୍ୟାଣ କରିଲେ ।

ବଦରିକା ନଗ୍ରଲୋକେ ବେଢ଼ି ଚଉପାଶ

ହରିବୋଲ ହରିବୋଲ ଶୁଭେ ମୁଖଘୋଷ ।

 

କୃଷ୍ଣବଲ୍ଲଭର ରାଣୀ ଘେନି ଅର୍ଘ୍ୟସ୍ଥାଳୀ

ପୁତ୍ରକୁ ବନ୍ଦାଇ ଗଲେ ଭିତରକୁ ଚଳି ।

ପିତାଙ୍କୁ ଦେଖି ପୁତ୍ରେ ଯେ ଦଣ୍ଡବତ କଲେ

ମାରିଣ ମୁରାସୁରକୁ ଆସିଲୁ ବୋଇଲେ ।

 

ଶୁଣିଣ ବଲ୍ଲଭରାଜା ଆନନ୍ଦ ହୁଅଇ

ବ୍ରାହ୍ମଣମାନଙ୍କୁ ବରି ଦକ୍ଷିଣା ଯେ ଦେଇ ।

ଆମ୍ଭର କଳଙ୍କ ଗଲା ବୋଲି ଶ୍ରଦ୍ଧା କଲେ

ତୀର୍ଥରୁ ଜଳ ଆଣିଣ ମଥାରେ ସିଞ୍ଚିଲେ ।

 

ବଦ୍ରିକା ଲୋକେ ବୋଇଲେ ଏବେ ପାପ ଗଲା

ବ୍ରାହ୍ମଣ ଲୋକଙ୍କୁ କଳଙ୍କ ସେ ହୋଇଥିଲା ।

ସଜଲାଗି ହେଲେ ପ୍ରଭୁ ଧନୁତୁଣ ଥୋଇ

ପହରେକ ବେଳେ ଆସି ହେଲେ ଶଯ୍ୟାଶାୟୀ ।

ମାଜଣାକୁ ବିଜେକଲେ ଶ୍ରୀନୃସିଂହ ପ୍ରଭୁ

ଅଣାଇଲେ ନାନ|ତୀର୍ଥୁ ତୀର୍ଥଜଳ ସବୁ ।

ରତ୍ନପୀଢ଼ାର ଉପରେ ବସି ବେନି ଭାଇ

ତିଳ ଅଏଁଳା ସୁଗନ୍ଧ ମଥାରେ ଲଗାଇ ।

 

ତୀର୍ଥଜଳ ଇଡ଼ିଣ ଶ୍ରୀଅଙ୍ଗ ପାଖାଳିଲେ

ସରୁ ଝୀନବାସରେ ଯେ ଦେହ ଶାମଳିଲେ ।

ମାଜଣା ସାରିଣ ହୀରାପୀଢ଼ାରେ ଯେ ବିଜେ

ଦେବାର୍ଚ୍ଚନ ବିଧି କଲେ ବସି ଦେବରାଜେ ।

 

କନକାବତୀ ପୁରକୁ କର୍ଣ୍ଣାଟେଶ ରାଜା

ଅପୂର୍ବ ଦ୍ରବ୍ୟ ଅଣାଇ କରିଥିଲେ ପୂଜା ।

ମୁରଦୈତ୍ୟ ଭଣ୍ଡାରରେ ଥିଲା ଯେଉଁ ଛତ୍ରୀ

ଅପୂବ୍ବ ମହିମା ତାର ଅଟଟେ ଫଳଶ୍ରୁତି ।

 

ଯେତେବେଳେ ରାଜାଶାଢ଼ୀ ଦେଲେ ତାକୁ ପ୍ରଭୁ

ଦରଶନା କରି ତାହା ଦେଇଥିଲେ ପୂର୍ବୁ ।

ସେ ଛତ୍ର ଶିର ଉପରେ ଟେକନ୍ତେ ଯେ ଆଣି

 

ମାଣିକ୍ୟୁ ମାଣିକ୍ୟ ହୀରା ହୀରାରୁ ଯେ ଖସେ

ମୁକ୍ତାରୁ ମୁକ୍ତା ନୀଳାରୁ ନୀଳା ଯେ ପ୍ରକାଶେ ।

ସୁଜାଣ ମନ୍ତ୍ରୀ ଯେ ପୁଣି ଛତ୍ର ଟେକିଅଛି

ଚାରିପାଶୁଁ ଅଷ୍ଟରତ୍ନ ନ୍ୟନ୍ତି ଲୋକେ ବାଛି ।

 

ଦେବାର୍ଚ୍ଚନ ସାରିକରି ଉଠିଲେ ନୃସିଂହ

ପ୍ରସନ୍ନ କଲେ ଯାଇଁଣ ଦେବେ ସୁଢ଼ଳାଙ୍ଗ ।

ସୂର୍ଯ୍ୟ ପୂଜା ଅଗ୍ନିପୂଜା ବୈଶ୍ୱଦେବ ପୂଜା

ଏମାନେ ସାରି ମଣୋହି କଲେ ଦେବରାଜା ।

 

ଆଗମନ ସାରି କଲେ ପଲ୍ୟଙ୍କରେ ବିଜେ

ବସିଲେ ବିଡ଼ିଆ ଲାଗି ହୋଇ ଦେବରାଜେ ।

ସୁଜାଣ ମହାମନ୍ତ୍ରୀକି ଆଜ୍ଞା ଅବଧାରୀ

ବୋଇଲେ ଗୃହେ ଭୋଜନ ଆସ ଯାଇଁ ସାରି ।

 

ଗରୁଡ଼କୁ ରାଇ ପୁଣି ଅମୃତ ଭୁଞ୍ଜାଇ

କର୍ଣ୍ଣାଟେଶ୍ୱର ରାଜାକୁ ମଣୋହି କରାଇ ।

କର୍ଣ୍ଣାଟେଶ୍ୱର ରାଜାଙ୍କ ଯେତେ ଥାଟ ସୈନ୍ୟ

ସମସ୍ତେ ବିଷ୍ଣୁ ଭଣ୍ଡାରେ ସାରିଲେ ଭୋଜନ ।

 

କର୍ଣ୍ଣାଟେଶ୍ୱରଙ୍କୁ ଆଜ୍ଞା ଦେଲେ ପୁଣ ହରି

ବୋଇଲେ ରାଜ୍ୟକୁ ତୁମ୍ଭେ ଯାଅ ବିଜେ କରି ।

ରାଜ୍ୟ ଦେଶ ଘୋଷ ଆଦି ପରଜା ପାଳିବ

ମନ ହେଲା ଦିନ ଆମ୍ଭ ଛାମୁକୁ ଆସିବ ।

 

ଶୁଣି କର୍ଣ୍ଣାଟେଶ୍ୱର ଶ୍ରୀଆଜ୍ଞା ପରମାଣେ

ପାତ୍ର ମନ୍ତ୍ରୀ ସୈନ୍ୟ ଘେନି ଚଳିଲେ ତକ୍ଷଣେ ।

କନକାବତୀ ନଗରେ ହୋଇଲେ ପ୍ରବେଶ

ରାଜନୀତି ନିତ୍ୟାଚାରେ ପାଳି ରାଜ୍ୟଘୋଷ ।

 

ଏଥୁ ଅନନ୍ତରେ ପୁଣି ନୃସିଂହ ସ୍ୱାମୀଙ୍କି

ରହିଲେ ଯେ ଯାହା ସେବାଲାଗି ଅଷ୍ଟସଖି 

ଚୌଷଠୀ ସହସ୍ର କନ୍ୟା ବିଷ୍ଣୁ ପାଦେ ସେବି

ରହିଲେ ଶ୍ରୀଗୋବିନ୍ଦ ଚରଣେ ଭକ୍ତ ଭାବି ।

 

ତ୍ରିସନ୍ଧ୍ୟା କର୍ମ ସାରିଣ ପ୍ରଭୁ ଦେବରାଜେ

ଲକ୍ଷ୍ମୀଙ୍କର ମନ୍ଦିରକୁ କଲେ ସେହୁ ବିଜେ ।

ଅନେକ କଉତୁକରେ କଲେ କ୍ରୀଡ଼ାରସ

ସେ ପାଦେ ଶରଣ ବିପ୍ର ପୀତାମ୍ୱର ଦାସ ।

 

ଷଷ୍ଠ ରତ୍ନାକରଖଣ୍ଡ ହୋଇଲା ସମ୍ପୂର୍ଣ୍ଣ

ସପତ ସାଗର ଏବେ କରିବି ଲେଖନ ।

ଜୟ ଜୟ ଶ୍ରୀନୃସିଂହ ଗ୍ରନ୍ଥ ସୁଧାବାଣୀ

ମନ ପୂର୍ଣ୍ଣକରି ପିଇବାତ ତାହା ଆଣି ।

 

ଲକ୍ଷ୍ମୀଧର ଦାଶ ବିପ୍ର କୁଳରେ ସମ୍ଭୂତ

ଜନ୍ମକାଳୁଁ ପିତାମୋର ବିଷ୍ଣୁର ଭକତ ।

ତେଣୁ ଶ୍ରୀନୃସିଂହ ପ୍ରଭୁ ଦୟା ମୋତେ କଲେ

ନୃସିଂହ ଗ୍ରନ୍ଥ ମୋହର ହସ୍ତେ ଲେଖାଇଲେ ।

ସେ ପ୍ରଭୁ ଚରଣ ତଳେ ରଖିଣ ମାନସ

ଶ୍ରୀନୃସିଂହ ପୁରାଣକୁ କରୁଛି ପ୍ରକାଶ ।

ଷଷ୍ଠ ରତ୍ନାକର ଅନ୍ତେ ସପ୍ତମ ଖଣ୍ଡକୁ

ଆଜ୍ଞାଦେଲେ ପ୍ରଭୁ ମୋତେ ପୁଣି ଲେଖିବାକୁ ।

 

ଏଣୁକରି ସୁଜନେ ନ ଘେନିବା ମୋ ଦୋଷ

ବିପ୍ର ପୀତାମ୍ୱର ମୁଁ ଯେ ବାଲୁଙ୍କେଶ ଶିଷ୍ୟ ।

 

ଇତି ଶ୍ରୀ ଷଷ୍ଟ ରତ୍ନାକର ସମ୍ପୂର୍ଣ୍ଣ

ସମାପ୍ତ